5G Scam
ଫୋନ୍ରେ ଫାଇଭ୍ ଜି ସେବା ଦରକାର? ଦେଶରେ ଫାଇଭ୍ ଜି ସେବା ଲଂଚ୍ ହେବା ପରଠୁ ମେସେଜ୍ ସହ ଲିଙ୍କ ପଠାଇ ଲୋକଙ୍କୁ ସେମାନଙ୍କ ଜାଲରେ ଛନ୍ଦିଲେଣି ସାଇବର ଲୁଟେରା । ଟାର୍ଗେଟ୍ରେ ବ୍ୟାଙ୍କ ଆକାଉଣ୍ଟ । ଟିକେ ଅସାବଧାନ ହେଲେ ଟଙ୍କା ଗୋଲ୍ । ଏଭଳି ସ୍ଥିତିରେ ଫୋର୍ ଜିରୁ ଫାଇଭ୍ ଜି ସେବା ଅପ୍ଲୋଡ୍ ନାଁରେ ଆସୁଥିବା ସନ୍ଦିଗ୍ଧ ଲିଙ୍କ ଓ କଲ୍ ପ୍ରତି ସାବଧାନ ରହିବାକୁ ଲୋକଙ୍କୁ ସତର୍କ କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ।
ଆପଣଙ୍କ ଏସ୍ବିଆଇ ୟୋନୋ ଆକାଉଣ୍ଟ ବନ୍ଦ ହୋଇଯିବ । ଜଲଦି ପ୍ୟାନ୍ କାର୍ଡ ଦେଇ ଅପଡେଟ୍ କରାଇ ନିଅନ୍ତୁ । ଆପଣଙ୍କ ମୋବାଇଲ୍କୁ ଫ୍ରଡ୍ ମେସେଜ୍ ଆସୁଥିବ, ସେହି ଫ୍ରଡ୍ ମେସେଜ୍ କ୍ଲିକ୍ କଲେ କଥା ସରିଲା । ଦେଶର ୧୩ଟି ସହରରେ ଫାଇଭ୍ ଜି ଲଂଚ୍ ହେବା ପରେ ତାକୁ ନେଇ ଲୋକଙ୍କ ଭିତରେ ଥିବା ଆଗ୍ରହରୁ ଫାଇଦା ନେବାକୁ ବି ଜାଲ ବିଛେଇ ସାରିଲେଣି ସାଇବର ଠକ।
ଆପଣଙ୍କ ମୋବାଇଲ୍କୁ ବି ୪ଜିରୁ ୫ଜି ସିମ୍କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍ଏସ୍ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଠକଙ୍କଠୁ କଲ୍ ବି ଆସିପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍ଝଟ୍ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ । ଏକଥା ଖାଲି ଆମେ କହୁନୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବି ଏଭଳି ଠକେଇରୁ ବର୍ତ୍ତିବାକୁ ଲୋକଙ୍କୁ ସତର୍କ କରିଛି ।
ଏବେ ଆସନ୍ତୁ ଜାଣିବା ଠକେଇର ମୋଡସ୍ ଅପରେଣ୍ଡି
ସୋସିଆଲ୍ ମିଡିଆ ହେଉ କି ମୋବାଇଲ୍ କିମ୍ବା ମେଲ୍ ଯେକୌଣସି ଉପାୟରେ ଲୋକଙ୍କୁ ଟାର୍ଗେଟ୍ କରି ଆଗ ସନ୍ଦିଗ୍ଧ ଲିଙ୍କ ପଠାନ୍ତି । ସାଇବର ଠକ ବ୍ୟବହାରକାରୀର କଲ୍ ରିସିଭ୍ ହେଉ କି ଲିଙ୍କ ଉପରେ କ୍ଲିକ୍ କରିବା କ୍ଷଣି ଫୋର୍ଜିରୁ ଫାଇଭ୍ ଜିକୁ ଅପ୍ଲୋଡ୍ ପାଇଁ ଗୋଟିଏ ପ୍ଲାନ୍ ଅଫର ଆସିବ । ଆଉ ଏପର୍ଯ୍ୟନ୍ତ ଆପଣ ଗଲେ, ପରବର୍ତ୍ତୀ ସମୟରେ ଆପଣଙ୍କଠୁ ଛଳରେ ଓଟିପି ଓ କିଛିଟା ଅନ୍ୟ ଡାଟା ସହ ବ୍ୟାଙ୍କ ଡିଟେଲ୍ସ ନେବାଟା ସେମାନଙ୍କ ପାଇଁ ପୂରା ସହଜ ହୋଇଯିବ ।
ତେବେ ନଜର ପକାନ୍ତୁ ଏଥିରୁ ବର୍ତ୍ତିବେ କେମିତି
ଅଜଣା ନମ୍ବରରୁ ଆସୁଥିବା ଏଭଳି ସନ୍ଦିଗ୍ଧ କଲ୍କୁ ତୁରନ୍ତ ବ୍ଲକ୍ କରି ନିଅନ୍ତୁ । ଜଣା ହେଉ ବା ଅଜଣା, କୌଣସି ନମ୍ବରରୁ ଆପଣଙ୍କ ପାଖକୁ ଆସୁଥିବା ସିନ୍ଦିଗ୍ଧ ଲିଙ୍କ୍କୁ ଆଦୌ କ୍ଲିକ୍ କରନ୍ତୁ ନାହିଁ । ତତ୍କାଳ ଡିଲିଟ୍ କରି ଦିଅନ୍ତୁ । ମନେ ରଖନ୍ତୁ- ଯେ ଟେଲିଫୋନ୍ କଂପାନି ମାନେ ୫ ଜି ସେବା ପାଇଁ କେବି ବି ଓଟିପି ମାଗନ୍ତି ନାହିଁ । ତେଣୁ କୌଣସି ପରିସ୍ଥିତିରେ ଏସବୁ କଲ୍ କିମ୍ବା ମେସେଜ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ।
ତେବେ ସବୁଠୁ ବଡ଼ କଥା ହେଉଛି, ଏବେ କେବଳ ଦେଶର ୧୩ଟି ସହରରେ ୫ଜି ସେବା ଉପଲବ୍ଧ ଅଛି । ଓଡିଶାକୁ ଏଯାଏଁ ଏ ସେବା ଆସିନାହିଁ । ତେଣୁ ଏଥିପାଇଁ ଆଦୌ ବ୍ୟସ୍ତ ନହୋଇ ଏଠି ସେବା ଲଂଚ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/5G_Scam_1666370990.jpg)