Astrospeak
  • Live TV
  • Read In English

IPL Form Dip: ଚମକ ହରାଉଛନ୍ତି ଆଇପିଏଲ୍‌ର ସର୍ବଶ୍ରେଷ୍ଠ ବୋଲର୍ ଯୁଜବେନ୍ଦ୍ର ଚହଲ

ଚମକ ହରାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ । ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଖେଳି ନାହାନ୍ତି ଆନ୍ତର୍ଜାତିକ କ୍ରିକେଟ୍ । ଏବେ ଆଇପିଏଲ୍‌ରେ ବି ନିରାଶ କରୁଛନ୍ତି ଲିଗ୍ ଇତିହାସର ଏହି ସର୍ବଶ୍ରେଷ୍ଠ ବୋଲର୍ ।

chahal
chahal

ଚମକ ହରାଉଛନ୍ତିି ଭାରତର ଅଭିଜ୍ଞ ସ୍ପିନର୍ ଯୁଜବେନ୍ଦ୍ର ଚହଲ । ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସୁଯୋଗ ପାଇ ନ ଥିବା ବେଳେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ଏ ଯାବତ (ଏପ୍ରିଲ୍ ୧୪ ସୁଦ୍ଧା) ତାଙ୍କ ପ୍ରଦର୍ଶନ ପ୍ରଭାବଶୂନ୍ୟ ରହିଆସିଛି । ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ହାସଲକାରୀ ଚହଲଙ୍କୁ ପୂର୍ବ ମେଗା ନିଲାମୀରେ ପଞ୍ଜାବ କିଙ୍ଗ୍‌ସ ୧୮ କୋଟି ଟଙ୍କାର ବଡ଼ ଅର୍ଥରାଶି ଦେଇ କିଣିଥିଲା । କିନ୍ତୁ ଏହା ଫ୍ରାଞ୍ଚାଇଜ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଚହଲ ବହୁତ ରନ୍ ଦେଉଛନ୍ତି ଆଉ ୱିକେଟ୍ ବି ପାଉ ନାହାନ୍ତି । ଏବେ ଚହଲଙ୍କ ବୋଲିଂ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । ଏହା ସହିତ ଟିମ୍ ଇଣ୍ଡିଆକୁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବି କଠିନ ହୋଇଯାଇଛି ।

୫ ମ୍ୟାଚ୍‌, ୨ ୱିକେଟ୍ ଓ ୧୧.୧୩ ଇକୋନମୀ ରେଟ୍‌

ଚହଲ ଦାମୀ ଖେଳାଳି ଭାବେ ପଞ୍ଜାବ ଟିମ୍‌ରେ ସାମିଲ୍ ହୋଇଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଲିଗ୍‌ରେ ୧୬୫ ମ୍ୟାଚ୍‌ରୁ ୨୦୭ ୱିକେଟ୍ ନେଇସାରିଥିବା ଏହି ଲେଗ୍ ସ୍ପିନର୍ କିନ୍ତୁ ଆଉ ପୂର୍ବ ଭଳି ପ୍ରଦର୍ଶନ କରିପାରୁ ନାହାନ୍ତି । ଚଳିତ ସିଜନ୍‌ରେ ସେ ତାଙ୍କ ନୂଆ ଟିମ୍ ପଞ୍ଜାବ ପକ୍ଷରୁ ଏ ଯାବତ ପାଞ୍ଚ ମ୍ୟାଚ୍ ଖେଳି ମାତ୍ର ଦୁଇ ୱିକେଟ୍ ନେଇଛନ୍ତି । ତାଙ୍କ ଇକୋନମୀ ରେଟ୍ ୧୧.୧୩ ରହିଛି । ଏହା ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି, କାରଣ ସେ ଟିମ୍‌ର ପ୍ରମୁଖ ସ୍ପିନର୍ ।

ଏପ୍ରିଲ୍ ୧୨ରେ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷ ମ୍ୟାଚ୍‌ରେ ଚହଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେ ଚାରି ଓଭର୍‌ରେ ୫୬ ରନ୍ ଦେଇଥିଲେ । ସେ ଓପନର୍ ଟ୍ରେଭିସ୍ ହେଡ୍ (୩୭ ବଲ୍‌ରୁ ୬୬ ରନ୍‌)ଙ୍କ ୱିକେଟ୍ ନେଇଥିଲେ, ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ପଞ୍ଜାବ ଟିମ୍ ୨୪୬ ରନ୍‌ର ବୃହତ୍ ବିଜୟଲକ୍ଷ୍ୟ ଦେଇଥିଲେ ବି ମ୍ୟାଚ୍ ବଞ୍ଚାଇପାରି ନ ଥିଲା । ବିପକ୍ଷ ଟିମ୍‌ର ଅନ୍ୟତମ ଓପନର୍ ଅଭିଷେକ ଶର୍ମା ୫୫ ବଲ୍‌ରୁ ୧୪୧ ରନ୍‌ର ଇନିଂସ୍ ଖେଳିଥିଲେ ।

ପ୍ରଶ୍ନ ଉଠାଇଛନ୍ତି ଜାଫର ଓ ପୀୟୂଷ

ହାଇଦରାବାଦ ବିପକ୍ଷ ମ୍ୟାଚ୍ ପରେ ପୂର୍ବତନ ଭାରତୀୟ ଓପନର୍ ୱାସିମ୍ ଜାଫର ଓ ଅଭିଜ୍ଞ ଭାରତୀୟ ସ୍ପିନର୍ ପୀୟୂଷ ଚାୱଲା ୩୪ବର୍ଷୀୟ ଚହଲଙ୍କ ବୋଲିଂ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜାଫର କହିଛନ୍ତି, “ଯେତେବେଳେ ସେ (ଚହଲ) ଟ୍ରେଭିସ୍ ହେଡ୍‌ଙ୍କ ୱିକେଟ୍ ନେଇଥିଲେ, ସେତେବେଳେ ଯେମିତି ବଲ୍ ପକାଇଥିଲେ ମୋ ବିଚାରରେ ସେମିତି ବଲ୍ ଅଧିକ ପକାଇବା ଆବଶ୍ୟକ । ବଲ୍‌କୁ ସ୍ପିନ୍ କରାଇବା, ଗୁଗଲୀ ପକାଇବା - ଯୁଜିଙ୍କ  ଠାରୁ ଦେଖିବାକୁ ମିଳୁ ନାହିଁ । ସେ ନିଜ ମାନସିକତାରେ ବହୁତ ରକ୍ଷଣାତ୍ମକ ଏବଂ ତାଙ୍କ ମୁହଁରେ ଚାପ ସ୍ପଷ୍ଟ ଦିଶୁଛି ।”
ଏହାର ଅର୍ଥ ଚହଲ ଆକ୍ରମଣାତ୍ମକ ବୋଲିଂ କରିବା ପରିବର୍ତ୍ତେ ରନ୍‌କୁ ଅଟକାଇବା ଉପରେ ଧ୍ୟାନ ଦେଉଛନ୍ତି । ଏହା ଫଳରେ ସେ ବ୍ୟାଟର୍‌ଙ୍କ ଉପରେ ଚାପ ପକାଇପାରୁ ନାହାନ୍ତି । ପୀୟୂଷ ମଧ୍ୟ ଚହଲଙ୍କ ବୋଲିଂରେ ଏକ ଅଭାବ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଚହଲ ଏହି ସିଜନ୍‌ରେ ବହୁତ କମ୍ ଗୁଗଲୀ ପକାଉଛନ୍ତି ।

ଗୁଗଲୀ ଏଭଳି ଏକ ବୋଲିଂ ଶୈଳୀ ଯାହା ଲେଗ୍ ସ୍ପିନ୍ ଭଳି ଦେଖାଯାଏ, କିନ୍ତୁ ଏହାର ବିପରୀତ ଦିଗରେ ଟର୍ଣ୍ଣ କରେ । ଏହା ବ୍ୟାଟର୍‌ଙ୍କୁ ଚକମା ଦେବା ପାଇଁ ଏକ ପ୍ରଭାବଶାଳୀ ଅସ୍ତ୍ର । ପୀୟୂଷ କହିଛନ୍ତି, “ସେମାନେ ତାଙ୍କୁ (ଚହଲଙ୍କୁ) ଗୁଗଲୀ ପକାଇବାର ବି ଦେଖି ନାହାନ୍ତି । ଯଦି ଆପଣ ଅଫ୍‌-ଷ୍ଟମ୍ପ୍ ବାହାରକୁ ୱାଇଡ୍ ବୋଲିଂ କରୁଛନ୍ତି, ତା’ହେଲେ ବଲ୍ ବ୍ୟାଟର୍‌ଙ୍କ ଠାରୁ ଦୂରକୁ ଯାଉଛି । ତେଣୁ ଆପଣଙ୍କୁ ଅନ୍ତତଃ ୱିକେଟ୍ ନେବା କିମ୍ବା ଏଭଳି କିଛି କରିବାର ସୁଯୋଗ ମିଳିଥାଏ । କିନ୍ତୁ ସେ ଏଭଳି ବୋଲିଂ କରି ନ ଥିଲେ, ସମ୍ଭବତଃ ଏହି ସିଜନ୍‌ରେ ଫର୍ମର ଅଭାବ ଯୋଗୁଁ ସେ ଏଭଳି କରିପାରିଲେ ନାହିଁ ।” ଯଦି ଚହଲଙ୍କ ଏଭଳି ପ୍ରଦର୍ଶନ ବଜାୟ ରହେ, ତା’ହେଲେ ଆଗକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ତାଙ୍କ ପାଇଁ ଚାଲେଞ୍ଜ୍ ହୋଇଯିବ ।

ଦୁର୍ଗମ ହେଉଛି ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ପଥ

ଚହଲ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ୨୦୨୩ ଅଗଷ୍ଟ ୧୩ରେ ଖେଳିଥିଲେ । ଏହା ଏକ ଟି-୨୦ ମ୍ୟାଚ୍ ଥିଲା ଯାହା ଲଡର୍‌ହିଲ୍ ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିଲା । ସେବେଠାରୁ ସେ କୌଣସି ଫର୍ମାଟ୍‌ରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ଏହାଛଡ଼ା ସେ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ୨୦୨୩ ଜାନୁଆରୀ ୨୪ରେ  ଇନ୍ଦୋର ଠାରେ ଖେଳିଥିଲେ । ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଆୟୋଜିତ ହୋଇଥିଲା । ଟି-୨୦ ବିଶ୍ୱକପ୍ ୨୦୨୪ ହେଉ ବା ଚାମ୍ପିଅନ୍ସ ଟ୍ରଫି ୨୦୨୫ - ଏହି ଦୁଇ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଟୁର୍ଣ୍ଣାମେଣ୍ଟରେ ଚହଲ ଖେଳିବାର ସୁଯୋଗ ପାଇ ନାହାନ୍ତି । ତାଙ୍କ ଉପସ୍ଥିତି ବିନା ଟିମ୍ ଇଣ୍ଡିଆ ଉଭୟ ଟୁର୍ଣ୍ଣାମେଣ୍ଟ ଜିତିଛି । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟିମ୍‌ରେ ଆଉ ଚହଲଙ୍କ ଆବଶ୍ୟକତା ନାହିଁ କି?

ଦିନିକିଆ ଆନ୍ତର୍ଜାତିକରେ ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଟିମ୍‌ର ଅଭିନ୍ନ ଅଙ୍ଗ ହୋଇଗଲେଣି । ଏବେ ତ ଲେଗ୍ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କର ବି ଏଣ୍ଟ୍ରି ହେଲାଣି । ଏହାଛଡ଼ା ଟିମ୍‌ରେ ତିନି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ - ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ରହିଛନ୍ତି । ସେହିପରି ଟି-୨୦ ଆନ୍ତର୍ଜାତିକରେ କୁଲଦୀପ, ବରୁଣ, ଅକ୍ଷର, ସୁନ୍ଦରଙ୍କ ଛଡ଼ା ଲେଗ୍ ସ୍ପିନର୍ ରବି ବିଷ୍ଣୋଇ ବି ଅଛନ୍ତି । ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ଭାରତୀୟ ସ୍ପିନର୍‌ମାନେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । ଅନେକ ପ୍ରତିଭାଶାଳୀ ଯୁବ ସ୍ପିନର୍ ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି ।

ଏପରି ସ୍ଥଳେ ଚହଲଙ୍କୁ ଟିମ୍‌ରେ କେମିତି ସ୍ଥାନ ମିଳିବ? କେବଳ ଅଭିଜ୍ଞତା ଯଥେଷ୍ଟ ନୁହେଁ, ଭଲ ପ୍ରଦର୍ଶନ ଦରକାର ଯାହା ଚୟନ ପାଇଁ ମାପକାଠି ହେବ । ଖୋଦ୍ ଚହଲ ଏ କଥା ବୁଝିପାରୁଥିବେ ଯେ ଭାରତୀୟ ସୀମିତ ଓଭର୍ ଟିମ୍‌କୁ ତାଙ୍କ ପ୍ରତ୍ୟାବର୍ତ୍ତନ ପଥ ଦୁର୍ଗମ ହୋଇଗଲାଣି । ଏଥିପାଇଁ ଆଇପିଏଲ୍ ଏକ ବଡ଼ ସୁଯୋଗ । ଏଥିରେ ଭଲ ପ୍ରଦର୍ଶନ କଲେ ହିଁ ସମ୍ଭାବନା ବଢ଼ିପାରିବ । ତେଣୁ ସେ ଶୀଘ୍ର ଫର୍ମ ହାସଲ କରିବା ଜରୁରୀ ।