IND vs AFG
ବିଶ୍ୱକପରେ ଆଜି ଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ଟକ୍କର । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଟିମ୍ ଇଣ୍ତିଆ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇବା ପରେ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଜିର ମ୍ୟାଚରେ ବି ଆଫଗାନିସ୍ତାନକୁ ହରାଇବା ସହ ପଏଣ୍ଟ ବଢାଇବାକୁ ଚେଷ୍ଟା କରିବ ରୋହିତ ବାହିନୀ ।
ତେବେ ଓପନର ଶୁବମନ ଗିଲ୍ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ଚେନ୍ନାଇରେ ଖେଳିଥିବା ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍ । ତେଣୁ ଇଷାନ୍ କିଷନ ଆଜି ମଧ୍ୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଓପନିଂ କରିବାର ଏକ ପ୍ରକାର ନିଶ୍ଚିତ । ଅଷ୍ଟ୍ରେଲିଆ ବିପକ୍ଷରେ ହାଫ ସେଞ୍ଚୁରୀ ଜମାଇ ବିରାଟ କୋହଲି ଓ କେଏଲ ରାହୁଲ୍ ଫର୍ମରେ ଥିବା ଦର୍ଶାଇଛନ୍ତି ।
ସେପଟେ ଧର୍ମଶାଳାରେ ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ହାରିଥିବା ଆଫଗାନିସ୍ତାନ ଟିମ୍ ଭାରତୀୟ ଦଳକୁ ଟକ୍କର ଦେବାକୁ ଚେଷ୍ଟା କରିବ । ହେଲେ ଆଫଗାନିସ୍ତାନ କେବେ ବି କୌଣସି ଫର୍ମାଟରେ ଭାରତକୁ ହରାଇ ପାରିନାହିଁ । ଏ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ୩ଟି ଦିନିକିଆ ଖେଳିଥିବା ବେଳେ ୨ଟିରେ ଭାରତ ବିଜୟୀ ହୋଇଥିଲା । ଆଉ ଗୋଟିଏ ମ୍ୟାଚ ଟାଏ ରହିଥିଲା । ସେହିପରି ୨ଟି ଟିଟ୍ୱେଣ୍ଟିରେ ଓ ଏକମାତ୍ର ଟେଷ୍ଟରେ ଭାରତ ହିଁ ଜିତିଥିଲା ।
ତେବେ ମ୍ୟାଚ୍ଟି ଦର୍ଶକଙ୍କ ଅନୁକୋଣରୁ ବେଶ୍ ରୋମାଞ୍ଚକ ହେବ । କାହିଁକି ନା ଚଳିତ ଆଇପିଏଲ୍ ସଂସ୍କରଣରେ ଲକ୍ଷ୍ନୌ ପଟୁ ଖେଳୁଥିବା ଆଫଗାନିସ୍ତାନ ଖେଳାଳି ନବୀନ ଉଲ୍ ହକ୍ଙ୍କ ସହ ପାଟିଟୁଣ୍ତ ହୋଇଥିବାର ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ଦୁଇ ଖେଳାଳି ସାମ୍ନାସାମ୍ନି ହେବାକୁ ଥିବା ବେଳେ ମ୍ୟାଚ୍ଟି ରୋମାଞ୍ଚକ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IND_vs_AFG_1696992951.jpg)