ଚଳିତ ବର୍ଷ ଭାରତର ଟି-୨୦ ବିଶ୍ୱକପ୍ ବିଜୟ ସହ ତତ୍କାଳୀନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହୋଇଥିଲା । ଖେଳାଳିଙ୍କ ସମର୍ଥନ ସତ୍ତ୍ୱେ ସେ ଆଉ ତାଙ୍କର କାର୍ଯ୍ୟକାଳ ବଢ଼ାଇବାକୁ ଚାହିଁ ନ ଥିଲେ ।
ଏହାପରେ ମୁଖ୍ୟ କୋଚ୍ ପଦବୀ ପାଇଁ ଯେଉଁ ନାମକୁ ନେଇ ସର୍ବାଧିକ ଚର୍ଚ୍ଚା ହୋଇଥିଲା, ସେ ଥିଲେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ।
Also Read
ଏନ୍ସିଏ ମୁଖ୍ୟ ହେବା ପରେ ଲକ୍ଷ୍ମଣ ବିଭିନ୍ନ ସମୟରେ ଦ୍ରାବିଡ଼ଙ୍କ ଅନୁପସ୍ଥିତିରେ ସୀମିତ ଓଭର୍ ଟିମ୍ର ଅନ୍ତରୀଣ ମୁଖ୍ୟ କୋଚ୍ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ ।
ଦ୍ରାବିଡ଼ ଯିବା ପରେ ଜିମ୍ବାୱେ ଗସ୍ତରେ ଆୟୋଜିତ ଟି-୨୦ ଆନ୍ତର୍ଜାତିକ ସିରିଜ୍ ଓ ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳାଯାଇଥିବା ଟି-୨୦ ସିରିଜ୍ରେ ମଧ୍ୟ ସେ ଅନ୍ତରୀଣ ମୁଖ୍ୟ କୋଚ୍ ଭାବେ ଟିମ୍ ସହିତ ସଂଶ୍ଳିଷ୍ଟ ଥିଲେ । ଟିମ୍ ଉଭୟ ସିରିଜ୍ ଜିତିଥିଲା ।
ଏବେ ଲକ୍ଷ୍ମଣଙ୍କ ନାମକୁ ନେଇ ପୁଣି ଚର୍ଚ୍ଚା ହେଉଛି । ତେବେ ଏହି ଆଲୋଚନା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ବିଜୟ ପୂର୍ବରୁ ଆରମ୍ଭ ହୋଇଗଲାଣି ।
ଲକ୍ଷ୍ମଣଙ୍କ ଅନାଗ୍ରହ ଓ ଗମ୍ଭୀରଙ୍କ ଉନ୍ମେଷ
ଦୌଡ଼ରେ ସର୍ବାଗ୍ରେ ଥିବା ସତ୍ତ୍ୱେ ଲକ୍ଷ୍ମଣ ତାଙ୍କର ସମସାମୟିକ ଦ୍ରାବିଡ଼ଙ୍କ ପରେ ଭାରତର ମୁଖ୍ୟ କୋଚ୍ ହେବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ । କିନ୍ତୁ ୨୦୨୧ରେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ କରାଯିବା ପୂର୍ବରୁ ସେ ଏହି ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଥିଲେ ।
ତେବେ ଲକ୍ଷ୍ମଣଙ୍କୁ ଏହା ପରିବର୍ତ୍ତେ ଏନ୍ସିଏ ମୁଖ୍ୟ କରାଯାଇଥିଲା । ପୂର୍ବରୁ ସେ ଆଇପିଏଲ୍ରେ ୨୦୧୩ରୁ ୨୦୨୧ ଯାଏଁ ସନ୍ରାଇଜର୍ସ ହାଇଦ୍ରାବାଦର ମେଣ୍ଟର ଥିଲେ । ୨୦୧୬ରେ ଟିମ୍ ଚାମ୍ପିଅନ୍ ହୋଇଥିଲା ।
ଲକ୍ଷ୍ମଣଙ୍କ ଅନାଗ୍ରହ ମଧ୍ୟରେ ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ଉନ୍ମେଷ ହୋଇଥିଲା, ଯାହାଙ୍କ ମାର୍ଗଦର୍ଶନରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ବର୍ଷ ଆଇପିଏଲ୍ରେ ତୃତୀୟ ଥର ମୁକୁଟ ଜିତିଥିଲା ।
ଗମ୍ଭୀର ସବୁ ଫର୍ମାଟ୍ରେ ଭାରତୀୟ ଟିମ୍ର କୋଚ୍ ହୋଇଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକାଳର ସାଢ଼େ ତିନି ମାସ ମଧ୍ୟରେ ଯାହା ଯାହା ଘଟିଛି, ତାହା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ମୁଣ୍ଡବ୍ୟଥା ବଢ଼ାଇଦେଇଛି । ଟେଷ୍ଟରେ ଟିମ୍ ଇଣ୍ଡିଆ ଅଚାନକ ବ୍ୟାକ୍ଫୁଟ୍କୁ ଚାଲିଆସିଛି ।
ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ ବିସିସିଆଇ ନେତୃତ୍ୱ
ଗମ୍ଭୀରଙ୍କ କୋଚିଂ କାଳର ଆଦ୍ୟଭାଗରେ ଭାରତ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
୧୯୯୭ ପରଠାରୁ ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ରେ ପରାଜିତ ହୋଇନଥିଲା । କିନ୍ତୁ ଗମ୍ଭୀର ଦାୟିତ୍ୱ ନେବା ପରେ ପ୍ରଥମ ଥର ହାରିଥିଲା । ଏହାପରେ ନ୍ୟୁଜିଲାଣ୍ଡ ଠାରୁ ହାରି ଘରେ ତିନି ବା ତତୋଧିକ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ପ୍ରଥମ ଥର କ୍ଲିନ୍ସୁଇପ୍ର ବି ଶିକାର ହେଲା ।
ଦ୍ୱିତୀୟ ବିପର୍ଯ୍ୟୟ ବେଶୀ ଯନ୍ତ୍ରଣାଦାୟକ ଥିଲା, କାରଣ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଟେବୁଲ୍ରେ ଭାରତର ପଏଣ୍ଟ ପ୍ରତିଶତକୁ ପ୍ରଭାବିତ କରିଥିଲା । ଏବେ ଟିମ୍ ଇଣ୍ଡିଆ ଲର୍ଡ୍ସରେ ହେବାକୁ ଥିବା ଚାମ୍ପିଅନ୍ସିପ୍ର ଫାଇନାଲ୍କୁ ଯାଇପାରିବ କି ନାହିଁ ସନ୍ଦେହ ।
ଚଳିତ ଚକ୍ରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଭାରତର ଶେଷ ଟେଷ୍ଟ ସିରିଜ୍ । ଚାମ୍ପିଅନ୍ସିପ୍ର ଫାଇନାଲ୍କୁ ଯିବା ପାଇଁ ଏଥିରେ ଅତି କମ୍ରେ ଚାରିଟି ମ୍ୟାଚ୍ ଜିତିବାକୁ ହେବ ଅନ୍ୟଥା ଅନ୍ୟ ଟିମ୍ର ମ୍ୟାଚ୍ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ ।
ଏହି ଦୁଇ ବିପର୍ଯ୍ୟୟ ପରେ ବୋର୍ଡର ଶୀର୍ଷ ନେତୃତ୍ୱ ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ । ମୁଖ୍ୟ କୋଚ୍ଙ୍କ ନିଷ୍ପତ୍ତି ଓ ରଣକୌଶଳକୁ ନେଇ ପ୍ରଶ୍ନ ଉଠିଛି ।
ନ୍ୟୁଜିଲାଣ୍ଡ ସିରିଜ୍ ନେଇ ବୋର୍ଡର ସମୀକ୍ଷା ବୈଠକରୁ ସଙ୍କେତ ମିଳିଛି ଯେ ଯଦି ଟିମ୍ର ଏଭଳି ଅବସ୍ଥା ଜାରି ରହେ, ତା’ହେଲେ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ ।
ଲକ୍ଷ୍ମଣଙ୍କୁ ନେଇ ପୁଣି ଚର୍ଚ୍ଚା କାହିଁକି
ଏବେ ଚର୍ଚ୍ଚା ହେଉଛି ଯେ ନିଜ ଟେଷ୍ଟ କ୍ୟାରିଅର୍ରେ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଥିବା ଲକ୍ଷ୍ମଣ ମୁଖ୍ୟ କୋଚ୍ ହୋଇଥିଲେ ଆଜି ହୁଏତ (ଟେଷ୍ଟ) ଟିମ୍ର ଏଭଳି ଦଶା ହୋଇ ନ ଥା’ନ୍ତା ।
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ବି ହାରିବ, ତା’ହେଲେ ବୋର୍ଡ ଟେଷ୍ଟ ଓ ସୀମିତ ଓଭର୍ (ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) ପାଇଁ ଭିନ୍ନ ଭିନ୍ନ କୋଚ୍ ନିଯୁକ୍ତ କରିବା ଉପରେ ବିଚାର କରିବ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଏନ୍ସିଏ ମୁଖ୍ୟ ଲକ୍ଷ୍ମଣଙ୍କୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ ଦିଆଯାଇପାରେ । ପରିବର୍ତ୍ତିତ ସ୍ଥିତିରେ ଲକ୍ଷ୍ମଣ ଟେଷ୍ଟ ଏବଂ ଗମ୍ଭୀର ଦିନିକିଆ ଓ ଟି-୨୦ ଟିମ୍କୁ କୋଚିଂ ଦେଇପାରନ୍ତି ।
କେତେକ କ୍ରିକେଟ୍ ବୋର୍ଡ ପୂର୍ବରୁ ଏହାର ପ୍ରୟୋଗ କରିସାରିଛନ୍ତି । କିନ୍ତୁ ଭାରତରେ ସବୁବେଳେ ସବୁ ଫର୍ମାଟ୍ ପାଇଁ ଜଣେ ମୁଖ୍ୟ କୋଚ୍ଙ୍କୁ ରଖାଯାଇଆସିଛି ।
ତେଣୁ ଅଷ୍ଟ୍ରେଲିଆ ଗସ୍ତରେ ଗମ୍ଭୀରଙ୍କ ଟେଷ୍ଟ କୋଚିଂର ଭବିଷ୍ୟତ ବନ୍ଧା ପଡ଼ିଛି । ଏବେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।
ଲକ୍ଷ୍ମଣଙ୍କ କୋଚିଂରେ ଟିମ୍କୁ ଉଲ୍ଲେଖନୀୟ ସଫଳତା
ଲକ୍ଷ୍ମଣ ଅନ୍ତରୀଣ ମୁଖ୍ୟ କୋଚ୍ ଥିବା ସମୟରେ ଟିମ୍ ଇଣ୍ଡିଆ ଅଧିକାଂଶ ଦ୍ୱିପାକ୍ଷିକ ସୀମିତ ଓଭର୍ ସିରିଜ୍ ଜିତିଛି । ସେଥିମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ବିଜୟ ରହିଛି ।
ଏହାଛଡ଼ା ହାଙ୍ଗ୍ଝୁ ଏସିଆଡ୍ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଟିମ୍ର ମଧ୍ୟ ସେ ମୁଖ୍ୟ କୋଚ୍ ଥିଲେ ।
୨୦୨୨ ଜୁନ୍ରେ ଆୟରଲାଣ୍ଡ ଗସ୍ତରେ ଆୟୋଜିତ ଟି-୨୦ ସିରିଜ୍ ଅନ୍ତରୀଣ ମୁଖ୍ୟ କୋଚ୍ ଭାବେ ଲକ୍ଷ୍ମଣଙ୍କ ପ୍ରଥମ ଦାୟିତ୍ୱ ଥିଲା । ଭାରତ ୨-୦ରେ ଏହି ସିରିଜ୍ ଜିତିଥିଲା ।
ଏହାପରେ ଅଗଷ୍ଟରେ ଭାରତୀୟ ଟିମ୍ ଦିନିକିଆ ସିରିଜ୍ ଖେଳିବା ପାଇଁ ଜିମ୍ବାୱେ ଯାଇଥିଲା । ଲକ୍ଷ୍ମଣ ଟିମ୍ ସହ ମୁଖ୍ୟ କୋଚ୍ ଭାବେ ଯୋଡ଼ି ହୋଇଥିଲେ, ଯେଉଁଥିରେ ଭାରତ ୩-୦ରେ ବିଜୟୀ ହୋଇଥିଲା ।
ସେହି ବର୍ଷ ଆୟୋଜିତ ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ଭାରତୀୟ ଟିମ୍ ନଭେମ୍ବରରେ ସୀମିତ ଓଭର୍ ସିରିଜ୍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା । ଲକ୍ଷ୍ମଣଙ୍କ କୋଚିଂରେ ଭାରତ ବର୍ଷା-ବାଧାପ୍ରାପ୍ତ ଦିନିକିଆ ସିରିଜ୍ରେ ୦-୧ରେ ହାରିଥିଲେହେଁ ଟି-୨୦ ସିରିଜ୍କୁ ୧-୦ରେ ଜିତିଥିଲା ।
ଗତ ବର୍ଷ ଦିନିକିଆ ବିଶ୍ୱକପ୍ ପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ୍ ପାଇଁ ମଧ୍ୟ ଲକ୍ଷ୍ମଣଙ୍କୁ ଟିମ୍ର ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ଭାରତ ୪-୧ରେ ବିଜୟୀ ହୋଇଥିଲା ।
୨୦୨୪ରେ ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାରେ ଟି-୨୦ ସିରିଜ୍ ବିଜୟ
ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଜୁଲାଇରେ ଜିମ୍ବାୱେ ଗସ୍ତରେ ଯାଇଥିଲା । ଲକ୍ଷ୍ମଣଙ୍କ କୋଚିଂରେ ଟିମ୍ ୪-୧ରେ ସିରିଜ୍ ହାତେଇଥିଲା । ସେତେବେଳକୁ ନୂଆ କୋଚ୍ ଗମ୍ଭୀର ଟିମ୍ ସହ ଯୋଗ ଦେଇ ନ ଥିଲେ ।
ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ସିରିଜ୍ ପାଇଁ ତାଙ୍କୁ ପୁନର୍ବାର ଟିମ୍ର ଗୁରୁଦାୟିତ୍ୱ ଦିଆଯାଇଥିଲା, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୩-୧ରେ ବିଜୟ ହାସଲ କରିଛି । ଅନ୍ୟପଟେ, ମୁଖ୍ୟ କୋଚ୍ ଗମ୍ଭୀର ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟେଷ୍ଟ ଟିମ୍ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ।
ଏନ୍ସିଏରେ ତୁଲାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା
ଏନ୍ସିଏରେ ନିଜ କାର୍ଯ୍ୟକାଳ ସମୟରେ ଲକ୍ଷ୍ମଣ ଖେଳାଳିଙ୍କ ଆଘାତ ପରିଚାଳନା, ଥଇଥାନ ଓ ମହିଳା କ୍ରିକେଟ୍ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତି କ୍ଷେତ୍ରରେ ପୂର୍ବତନ ମୁଖ୍ୟ ଦ୍ରାବିଡ଼ଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟାକୁ ଆଗକୁ ନେଇଛନ୍ତି ।
ଏନ୍ସିଏ ମୁଖ୍ୟ ଭାବେ ବିଭିନ୍ନ ବୟସବର୍ଗ ଓ ସିନିଅର୍ ସ୍ତରରେ ଜାତୀୟ ପୁରୁଷ ଓ ମହିଳା ଟିମ୍ଗୁଡ଼ିକୁ ନୂଆ ରୂପ ଦେବାରେ ଏହି ପୂର୍ବତନ କ୍ରିକେଟର୍ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ।
ରାଜି ହେବେ କି ଲକ୍ଷ୍ମଣ
ପୂର୍ବରୁ ଅରାଜି ଥିବା ଲକ୍ଷ୍ମଣ ବୋର୍ଡର ପ୍ରସ୍ତାବିତ ନୂଆ ଅଫର୍ରେ ରାଜି ହେବେ କି?
ଆନ୍ତର୍ଜାତିକ କ୍ରିକେଟ୍ର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଜଣେ କୋଚ୍ଙ୍କୁ ପ୍ରାୟ ୧୦ ମାସ ଟିମ୍ ସହ ଯାତ୍ରା କରିବାକୁ ପଡ଼ୁଛି । ସେଥିପାଇଁ ଅନେକ ପୂର୍ବତନ କ୍ରିକେଟର୍ ଏହି ଦାୟିତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏହାଛଡ଼ା, ଟିମ୍ ଇଣ୍ଡିଆର କୋଚ୍ଙ୍କ ଉପରେ ଅଧିକ ଆଶା ଓ ଚାପ ବି ରହୁଛି ।
କେବଳ ଟେଷ୍ଟ କି ସୀମିତ ଓଭର୍ର କୋଚ୍ ହେଲେ, କାର୍ଯ୍ୟଭାର ହ୍ରାସ ପାଇବ । ଏହି ଦୃଷ୍ଟିରୁ ଓ ଟିମ୍ର ବୃହତ୍ତର ସ୍ୱାର୍ଥ ପାଇଁ ଲକ୍ଷ୍ମଣ ନୂଆ ଦାୟିତ୍ୱ ନେବା ପାଇଁ ରାଜି ହୋଇପାରନ୍ତି ।
ତେବେ ଏହା ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିବାକୁ ହେବ । ଏଥିରେ ଟିମ୍ ଓ ସିନିଅର୍ ଖେଳାଳିମାନେ ଫର୍ମ ହାସଲ କରି ପୂର୍ବ ଗୌରବ ଫେରିପାଇବେ ବୋଲି ଆଶା ଅଛି ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)