India vs Newzealand: ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ଟିମ୍ ଇଣ୍ଡିଆ

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା । ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ରୋହିତ ସେନା? ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ?

team india

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି ଟିମ୍ ଇଣ୍ଡିଆ । ମାର୍ଚ୍ଚ ୯ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ସହ ହେବ ରୋହିତ ସେନାର ଫାଇନାଲ୍ ମୁକାବିଲା ।

ଉଭୟ ଟିମ୍ ୨୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ । ୨୦୦୦ ସଂସ୍କରଣର ଫାଇନାଲ୍‌ରେ କିୱି ଟିମ୍ ଭାରତକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଭାରତୀୟ ଟିମ୍ ଅଢ଼େଇ ଦଶନ୍ଧି ପୂର୍ବ ପରାଜୟର ହିସାବ ବରାବର କରିବାକୁ ଚାହିଁବ ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏ ଯାବତ ଅପରାଜେୟ ରହିଆସିଛି । ଅନ୍ୟପଟେ, ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ମ୍ୟାଚ୍ ହାରିଛି । ଭାରତ ହିଁ ଗ୍ରୁପ୍ ପର୍ଯ୍ୟାୟରେ ମିଚେଲ୍ ସାଣ୍ଟନରଙ୍କ ଟିମ୍‌କୁ ମାତ୍ ଦେଇଥିଲା ।

ବିଭିନ୍ନ ଦିଗରୁ ବିଚାର କଲେ, ଟିମ୍ ଇଣ୍ଡିଆ ମ୍ୟାଚ୍ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । କିନ୍ତୁ ନ୍ୟୁଜିଲାଣ୍ଡର ଚାଲେଞ୍ଜକୁ ଅତିକ୍ରମ କରିବା ଟିମ୍ ପାଇଁ ସହଜ ହେବ ନାହିଁ ।

ସେମିଫାଇନାଲ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଥିଲା । ରୋହିତ ସେନା ୧୧ ବଲ୍ ବାକି ଥାଇ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା । ତେବେ କିୱି ଟିମ୍ ଦକ୍ଷିଣ ଆଫ୍ରିକାକୁ ଅପେକ୍ଷାକୃତ ସହଜରେ ହରାଇଥିଲା । ଏହା ସହିତ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବାଧିକ ସ୍କୋର୍ (୩୬୨/୬) ଛିଡ଼ା କରିଥିଲା । ଟେମ୍ବା ବାଭୁମାଙ୍କ ଟିମ୍ ୫୦ ରନ୍‌ରେ ଏହି ମ୍ୟାଚ୍ ହାରିଯାଇଥିଲା ।

ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ହର୍ଷିତ

ରୋହିତ ଶର୍ମା ଓ ଶୁବମନ ଗିଲ୍ ପୂର୍ବ ଭଳି ଇନିଂସ୍ ଓପନ୍ କରିବେ । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ଓ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍‌ରେ ଉଭୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ଏଥର ଉଭୟଙ୍କୁ ଦାୟିତ୍ୱସମ୍ପନ୍ନ ହୋଇ ଖେଳିବାକୁ ହେବ, ବିଶେଷକରି ଅଧିନାୟକ ରୋହିତଙ୍କୁ ।

ତିନି ନମ୍ବରରେ ବିରାଟ କୋହଲି ଆସିବେ । ସେ ବଡ଼ ମ୍ୟାଚ୍‌ର ବିଜେତା ଭାବେ ପରିଚିତ । ସେ ଫର୍ମରେ ଅଛନ୍ତି ଏବଂ ଫାଇନାଲ୍‌ରେ ବି ଟିମ୍ ତାଙ୍କ ଠାରୁ ଦମ୍‌ଦାର ପ୍ରଦର୍ଶନ ଆଶା କରିବ । ଚାରି ନମ୍ବରରେ ଆସୁଥିବା ଶ୍ରେୟସ ଆୟର ବି ଫର୍ମରେ ଅଛନ୍ତି ।

ପାଞ୍ଚ ନମ୍ବରରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ଅକ୍ଷର ପଟେଲ୍ ଓ ଛଅ ନମ୍ବରରେ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ ବ୍ୟାଟିଂ କରିବାକୁ ଆସିବେ । ଉଭୟ ଆବଶ୍ୟକ ସ୍ଥଳେ ଭଲ ପ୍ରଦର୍ଶନ କରୁଛନ୍ତି ।

ଏହାପରେ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ । ଉଭୟ ବ୍ୟାଟିଂ ଓ ବୋଲିଂରେ ସେମାନେ କମାଲ୍ କରିପାରିବେ ।

ଚୂଡ଼ାନ୍ତ ଏକାଦଶରେ ବିଶେଷଜ୍ଞ ବ୍ୟାଟର୍ ଓ ଅଲ୍‌ରାଉଣ୍ଡର୍ ଅପରିବର୍ତ୍ତିତ ରହିବା ପ୍ରାୟତଃ ନିଶ୍ଚିତ । କେବଳ ବୋଲିଂ ଲାଇନ୍‌ଅପ୍‌ରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିଶେଷଜ୍ଞ ସ୍ପିନର୍ ଭାବେ ବରୁଣ ଚକ୍ରବର୍ତ୍ତୀ ଖେଳିବେ । ତେବେ ଅନ୍ୟତମ ବିଶେଷଜ୍ଞ ସ୍ପିନର୍ କୁଲଦୀପ ଯାଦବଙ୍କ ସ୍ଥାନରେ ପେସର୍ ହର୍ଷିତ ରାଣା ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ସେମିଫାଇନାଲ୍ ମ୍ୟାଚ୍‌ରେ ଜଣେ ବିଶେଷଜ୍ଞ ପେସର୍‌ଙ୍କ ଅଭାବ ଅନୁଭୂତ ହୋଇଥିଲା ଏବଂ କୁଲଦୀପଙ୍କ ବୋଲିଂ ବି ସେତେ ପ୍ରଭାବଶାଳୀ ନ ଥିଲା । ମହମ୍ମଦ ଶାମି ଓ ହାର୍ଦ୍ଦିକଙ୍କ ସହ ହର୍ଷିତ ଯୋଗ ଦେଲେ, ପେସ୍ ଆକ୍ରମଣ ଶକ୍ତିଶାଳୀ ହେବ । ସ୍ପିନ୍ ବାହିନୀ ତ ପୂର୍ବରୁ ମଜବୁତ ଅଛି, ଯେଉଁଥିରେ ବରୁଣ, ଜାଡ଼େଜା ଓ ଅକ୍ଷର ରହିପାରନ୍ତି । କୁଲଦୀପଙ୍କୁ ବାଦ୍ ଦିଆଗଲେ, ବିଶେଷ ଫରକ ପଡ଼ିବନି ।

ପ୍ରଥମ ଦୁଇ ମ୍ୟାଚ୍‌ରେ ହର୍ଷିତଙ୍କୁ ସୁଯୋଗ ମିଳିଥିଲା ଏବଂ ସେ ଭଲ ପ୍ରଦର୍ଶନ ବି କରିଥିଲେ । ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଜଣେ ଅତିରିକ୍ତ ସ୍ପିନର୍‌ଙ୍କୁ ନିଆଯାଇ ଜଣେ ପେସର୍‌ଙ୍କୁ ବାଦ୍ ଦିଆଯାଇଥିଲା । ଫଳରେ ହର୍ଷିତ ବଳି ପଡ଼ିଥିଲେ । ବାମହାତି ପେସର୍ ଅର୍ଶଦୀପ ସିଂହ ତ ଟୁର୍ଣ୍ଣାମେଣ୍ଟରେ ଏଯାବତ ଖେଳିବାର ସୁଯୋଗ ପାଇ ନାହାନ୍ତି । ସମ୍ଭାବନା ବି ନାହିଁ ।

ବ୍ୟାଟିଂରେ କମାଲ୍ କରିବେ କି ହିଟ୍‌ମ୍ୟାନ୍‌

ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏ ଯାବତ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଛି । କିନ୍ତୁ ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ, ଜଣେ ବ୍ୟାଟର୍ ଭାବେ ରୋହିତ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ।

ଟିମ୍ ଏ ଯାବତ ଖେଳିଥିବା ଚାରି ମ୍ୟାଚ୍‌ରେ ରୋହିତ ମୋଟ୍ ୧୦୪ ରନ୍ ସଂଗ୍ରହ କରିଛନ୍ତି । କୌଣସି ମ୍ୟାଚ୍‌ରେ ଟିମ୍‌କୁ ଜିତାଇବାରେ ସେ ବଡ଼ ଭୂମିକା ନିର୍ବାହ କରି ନାହାନ୍ତି ।

ବାଂଲାଦେଶ ବିପକ୍ଷରେ ଟିମ୍‌ର ପ୍ରଥମ ମ୍ୟାଚ୍‌ରେ ସେ ୪୧ ରନ୍‌ର ଇନିଂସ୍ ଖେଳିଥିଲେ । ଆଶା କରାଯାଉଥିଲା ଯେ ସେ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଏହି ଲୟ ବଜାୟ ରଖିବେ ଏବଂ ବଡ଼ ସ୍କୋର୍ କରିବେ । କିନ୍ତୁ ସେମିତି ଦେଖିବାକୁ ମିଳି ନାହିଁ ।

ରୋହିତ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୨୦ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ମାତ୍ର ୧୫ ରନ୍ ଆସିଥିଲା । ଏହାପରେ ସେ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ରନ୍ କରିଥିଲେ ।

ରୋହିତଙ୍କର ପୂର୍ବରୁ ଫର୍ମ ସମସ୍ୟା ରହିଆସିଛି । ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ର ଏକ ମ୍ୟାଚ୍‌ରେ ସେ ଶତକୀୟ ଇନିଂସ୍ ଖେଳିଥିଲେ । କିନ୍ତୁ ଏହାପରେ ସେ ଅର୍ଦ୍ଧଶତକ ବି ହାସଲ କରିପାରି ନାହାନ୍ତି । ଏହାର ବିପରୀତ, ଅନ୍ୟତମ ବରିଷ୍ଠ ବ୍ୟାଟର୍ ବିରାଟ କୋହଲି ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ବଡ଼ ମ୍ୟାଚ୍‌ରେ ଟିମ୍ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ।

ଖୋଦ୍ ରୋହିତ ଜାଣନ୍ତି ଯେ ତାଙ୍କ ଉପରେ ବ୍ୟକ୍ତିଗତ ପ୍ରଦର୍ଶନର ବି ଚାପ ରହିଛି । ସେ ଯଦି ଫାଇନାଲ୍ ମ୍ୟାଚ୍‌ରେ ମଧ୍ୟ ବ୍ୟାଟିଂରେ ଆଶାଜନକ ପ୍ରଦର୍ଶନ କରି ନ ପାରନ୍ତି, ତା’ହେଲେ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠିବ ।

ଅତଏବ, ମୁକୁଟ ଲଢ଼େଇ ତାଙ୍କ ପାଇଁ ଶେଷ ସୁଯୋଗ । ଏଥିରେ ବ୍ୟାଟିଂରେ କମାଲ୍ କରିବେ କି ହିଟ୍‌ମ୍ୟାନ୍‌?

ଫିଲ୍ଡିଂ ନ୍ୟୁଜିଲାଣ୍ଡର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର

ଟୁର୍ଣ୍ଣାମେଣ୍ଟରେ ଫିଲ୍ଡିଂ କିୱି ଟିମ୍‌ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ରହିଆସିଛି । ଭାରତ ବିପକ୍ଷ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସିନା ହାରିଯାଇଥିଲା, ହେଲେ ଟିମ୍‌ର ଫିଲ୍ଡିଂ ପ୍ରଶଂସନୀୟ ଥିଲା । ମଜଭୁତ ଫିଲ୍ଡିଂ ଯୋଗୁଁ ଟିମ୍ ୩୦-୪୦ ରନ୍ ବଞ୍ଚାଇ ପାରିଥିଲା । ଏହା ସହିତ ଖେଳାଳି କେତେକ ବିସ୍ମୟକର କ୍ୟାଚ୍ ବି ଧରିଥିଲେ ।

ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର୍‌, ୱିଲ୍ ୟଙ୍ଗ୍ ଓ ମାଇକେଲ୍ ବ୍ରେସ୍‌ୱେଲ୍ ଟିମ୍‌ର ପ୍ରମୁଖ ଫିଲ୍ଡର୍ । ସିନିଅର୍ ଖେଳାଳି କେନ୍ ୱିଲିଅମ୍‌ସନ୍ ବି ଭଲ ଫିଲ୍ଡିଂ କରୁଛନ୍ତି ।

ଭାରତ ବିପକ୍ଷ ଏକମାତ୍ର ପରାଜୟକୁ ଛାଡ଼ିଦେଲେ, ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ବ୍ୟାଟର୍‌ମାନେ ପ୍ରଭାବିତ କରିପାରିଛନ୍ତି । ଶୀର୍ଷକ୍ରମରେ ଥିବା ରଚିନ ରବୀନ୍ଦ୍ର, ୟଙ୍ଗ୍ ଓ ୱିଲିଅମ୍‌ସନ୍‌ଙ୍କ ମଧ୍ୟରେ ଟିମ୍ ପାଇଁ ବଡ଼ ସ୍କୋର୍ ଛିଡ଼ା କରିବାର ସାମର୍ଥ୍ୟ ରହିଛି । ମଧ୍ୟକ୍ରମରେ ଥିବା ଟମ୍ ଲାଥମ୍‌, ଡାରିଲ୍ ମିଚେଲ୍ ଓ ଫିଲିପ୍ସ ସ୍ପିନ୍‌କୁ ଭଲ ଭାବେ ଖେଳିପାରନ୍ତି । ଏହାଛଡ଼ା ଅଧିନାୟକ ସାଣ୍ଟନର୍ ବି ରହିଛନ୍ତି ଯିଏ ଆବଶ୍ୟକ ସ୍ଥଳେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରିବେ ।

ଟିମ୍‌ର ବୋଲିଂ ବାହିନୀ ମଧ୍ୟ ମଜଭୁତ ରହିଛି । ପେସ୍ ଆକ୍ରମଣରେ ମ୍ୟାଟ୍ ହେନରୀ ପୁନର୍ବାର ସମସ୍ୟା ସୃଷ୍ଟି କରିପାରନ୍ତି, ଯିଏ ଲିଗ୍ ମ୍ୟାଚ୍‌ରେ ଭାରତୀୟ ଟିମ୍ ବିପକ୍ଷରେ ୫ ୱିକେଟ୍ ନେଇଥିଲେ । ଏହାଛଡ଼ା କାଇଲ୍ ଜେମିସନ୍ ଓ ୱିଲ୍ ଓ’ରୁର୍କ ବି ଅଛନ୍ତି । ସ୍ପିନ୍ ଆକ୍ରମଣରେ ସାଣ୍ଟନର୍‌ଙ୍କ ଛଡ଼ା ବ୍ରେସ୍‌ୱେଲ୍‌, ଫିଲିପ୍ସ ଓ ରବୀନ୍ଦ୍ରଙ୍କ ରୂପରେ ତିନି ଅତିରିକ୍ତ ସ୍ପିନ୍ ବିକଳ୍ପ ବି ରହିଛି ।