Advertisment

Sports: କାହିଁକି ବିରାଟଙ୍କୁ କୁହାଯାଏ ‘କିଙ୍ଗ୍ କୋହଲି’, ପାକିସ୍ତାନ ମ୍ୟାଚ୍ ବଡ଼ ପ୍ରମାଣ

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଅପରାଜିତ ଶତକୀୟ ଇନିଂସ୍ ଖେଳି ଟିମ୍ ଇଣ୍ଡିଆକୁ ଦମ୍‌ଦାର ଢଙ୍ଗରେ ଜିତାଇଛନ୍ତି ସିନିଅର୍ ବ୍ୟାଟର୍ ବିରାଟ କୋହଲି । ତାଙ୍କର ଏହି ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କାହିଁକି ତାଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ, ଏହି ମ୍ୟାଚ୍ ତା’ର ବଡ଼ ପ୍ରମାଣ ।

ଅଦ୍ୟତନ ହୋଇଛି
ଚର୍ଚ୍ଚାରେ କିଙ୍ଗ କୋହଲି

ଚର୍ଚ୍ଚାରେ କିଙ୍ଗ କୋହଲି

Advertisment

ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ର ଏକ ମ୍ୟାଚ୍‌ରେ ୫୨ ରନ୍‌ର ଇନିଂସ୍ ଖେଳି ଟିମ୍ ଇଣ୍ଡିଆର ସିନିଅର୍ ବ୍ୟାଟର୍ ବିରାଟ କୋହଲି ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲେ । ଯଦିଓ ଏହି ପ୍ରଦର୍ଶନ ଟିମ୍‌କୁ ଆଶ୍ୱସ୍ତି ଦେଇଥିଲା, ହେଲେ ଟିମ୍‌ର ପରବର୍ତ୍ତୀ ଚାଲେଞ୍ଜ୍ ‘ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫’ରେ ଯେ ବିରାଟ ବଡ଼ ଇନିଂସ୍ ଖେଳିପାରିବେ, ସେଥିନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ ସେତେ ସୁନିଶ୍ଚିତ ନ ଥିଲା ।

Advertisment

ଏହାର କାରଣ ଥିଲା ବିରାଟଙ୍କ ଫର୍ମ । ହାତଗଣତି ମ୍ୟାଚ୍‌କୁ ଛାଡ଼ିଦେଲେ, ଦୀର୍ଘ ଦିନ ଧରି ସେ କୌଣସି ଫର୍ମାଟ୍‌ରେ ଖାସ୍ ପ୍ରଦର୍ଶନ କରିପାରୁ ନ ଥିଲେ । ଏ ସମସ୍ୟା ଅଧିନାୟକ ରୋହିତ ଶର୍ମାଙ୍କର ବି ରହିଛି । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଚାମ୍ପିଅନ୍ସ ଟ୍ରଫି ଉଭୟ ବିରାଟ ଓ ରୋହିତଙ୍କ ପାଇଁ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଇପାରେ । କେବଳ ଫର୍ମ ନୁହେଁ, ବୟସ ମଧ୍ୟ ଥିଲା ଏହା ପଛର କାରଣ ।

ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩୬ବର୍ଷୀୟ ବିରାଟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବୟସ ଏକ ସମସ୍ୟା ନୁହେଁ । ଏହା ସହ ସେ ତାଙ୍କ ଫର୍ମର ଏକ ଦୃଷ୍ଟାନ୍ତକାରୀ ଝଲକ ବି ଦେଖାଇଛନ୍ତି ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିରାଟ ୧୦୦ ରନ୍‌ର ଅପରାଜିତ ଇନିଂସ୍ ଖେଳି ଭାରତକୁ ଦମ୍‌ଦାର ଢଙ୍ଗରେ ଜିତାଇଛନ୍ତି । ଏହି ଉଜ୍ଜ୍ୱଳ ଇନିଂସ୍‌ରେ ତାଙ୍କର ପରିପକ୍ୱ ଆକ୍ରମଣାତ୍ମକତା ଦେଖିବାକୁ ମିଳିଥିଲା । କାହିଁକି ବିରାଟଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ, ଏହି ମ୍ୟାଚ୍ ତା’ର ବଡ଼ ପ୍ରମାଣ ।

Advertisment

ପାକିସ୍ତାନ ବିପକ୍ଷରେ ‘ବିରାଟ’ ରାଜ୍‌

ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଫେବ୍ରୁଆରୀ ୨୩ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ପାକିସ୍ତାନକୁ ଭେଟିଥିଲା । ଉଭୟ ଟିମ୍ ପାଇଁ ଏହା ଏକ ବଡ଼ ମ୍ୟାଚ୍ ଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକ୍ ଟିମ୍ ୨୪୨ ରନ୍‌ର ଟାର୍ଗେଟ୍ ଦେଇଥିଲା ।  ଜବାବରେ ଭାରତୀୟ ଟିମ୍ ୪୫ ବଲ୍ ବାକି ଥାଇ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ସଅଳ ପାଭିଲିଅନ୍ ଫେରିବା ପରେ କ୍ରିଜ୍‌ରେ ତିଷ୍ଠି ରହି ଇନିଂସ୍‌କୁ ଆଗେଇ ନେବା ଜରୁରୀ ଥିଲା ।

ବିରାଟ ସେଇଆ କରିଥିଲେ । ସେ ପ୍ରଥମେ ଅନ୍ୟତମ ଓପନର୍ ଶୁବମନ ଗିଲ୍ (୪୬)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ଓ ଏହାପରେ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର (୫୬)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୧୪ ରନ୍‌ର ଭାଗୀଦାରୀ କରିଥିଲେ । ବିରାଟ-ଶ୍ରେୟସ ଯୋଡ଼ି ଭାଙ୍ଗିବା ବେଳକୁ ଟିମ୍ ବିଜୟ ଠାରୁ ମାତ୍ର ୨୮ ରନ୍ ଦୂରରେ ଥିଲା ।

Advertisment

ପରବର୍ତ୍ତୀ ବ୍ୟାଟର୍ ହାର୍ଦ୍ଦିକ ପାଣ୍ଡ୍ୟା (୮) ଦୁଇ ଅଙ୍କ ଛୁଇଁ ନ ପାରି ଆଉଟ୍ ହୋଇଥିଲେ । ବିରାଟ ଏହାପରେ ଅକ୍ଷର ପଟେଲ୍‌ଙ୍କ ସହ ମିଶି ଟିମ୍‌କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ସେ ଏକ ଚୌକା ମାରି ମ୍ୟାଚ୍ ଫିନିଶ୍ କରିବା ସହ ବ୍ୟକ୍ତିଗତ ଶତକ ବି ପୂରଣ କରିଥିଲେ ।

ଯେତେବେଳେ ବି ପ୍ରସଙ୍ଗ ବଡ଼ ହୋଇଥାଏ, ପାକିସ୍ତାନ ବିପକ୍ଷରେ ବିରାଟ ଛିଡ଼ା ହୋଇଥା’ନ୍ତି । ପାକ୍ ଟିମ୍ ବିପକ୍ଷରେ ୧୭ ଦିନିକିଆ ଖେଳି ଚାରି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ଦୁବାଇ ମ୍ୟାଚ୍‌ରେ ବି ସ୍ମରଣୀୟ ଇନିଂସ୍ ଖେଳିଥିଲେ ।

୨୦୧୨ରେ ମୀରପୁର ଠାରେ ଏସିଆ କପ୍‌ରେ ୧୮୩ ରନ୍‌ର ଇନିଂସ୍ ହେଉ ବା ବିଶ୍ୱକପ୍ ୨୦୧୫ରେ ଆଡିଲେଡ୍ ଠାରେ ପ୍ରଥମେ ବ୍ୟାଟିଂ କରି ୧୦୭ ରନ୍‌ର ସ୍କୋର୍ ଅଥବା ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ଅପରାଜିତ ୮୧ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ୍ - ଭାରତର ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିରାଟଙ୍କର ସବୁବେଳେ ଭଲ ରେକର୍ଡ ରହିଆସିଛି ।

ବିଶ୍ୱକପ୍ ୨୦୧୯ରେ ୭୭ ରନ୍ ସଂଗ୍ରହ ହେଉ ବା ଏସିଆ କପ୍ ୨୦୨୩ରେ ପ୍ରତିକୂଳ ପରିସ୍ଥିତିରେ ଅପରାଜିତ ୧୨୨ ରନ୍ କରି ପାକିସ୍ତାନକୁ ମାତ୍ ଦେବା - ବିରାଟ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ଟି-୨୦ ବିଶ୍ୱକପ୍ ୨୦୨୨ରେ ପାକିସ୍ତାନ  ବିପକ୍ଷରେ ତାଙ୍କର ଅପରାଜିତ ୮୨ ରନ୍‌ର ଇନିଂସ୍‌କୁ ବି କେହି ଭୁଲିପାରିବେ ନାହିଁ ।  ଏହି ଗୌରବ-ଗାଥାରେ ଫେବ୍ରୁଆରୀ ୨୩ରେ ଖେଳିଥିବା ଇନିଂସ୍ ବି ଯୋଡ଼ି ହୋଇଛି ।

ଦିନିକିଆ ଆନ୍ତର୍ଜାତିକରେ ଅତୁଳନୀୟ

ବିରାଟ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ ଜରିଆରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୪,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲ୍‌ଖୁଣ୍ଟ ଛୁଇଁବାରେ ସେ ବିଶ୍ୱର ତୃତୀୟ ଖେଳାଳି । ତେବେ ସେ ବିଶ୍ୱର କ୍ଷିପ୍ରତମ ବ୍ୟାଟର୍ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।  

ବିରାଟ ଦିନିକିଆ ଆନ୍ତର୍ଜାତିକରେ ୨୮୭ ଇନିଂସ୍ ଖେଳି ୧୪,୦୦୦ ରନ୍ ପୂରଣ କରିଥିବା ବେଳେ ପ୍ରଖ୍ୟାତ କ୍ରିକେଟର୍ ସଚିନ ତେନ୍ଦୁଲକର ୩୫୦ ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ୩୭୮ ଇନିଂସ୍‌ରେ ଏହି ଉପଲବ୍‌ଧି ହାସଲ କରିଥିଲେ ।
୫୦-ଓଭର୍ ଫର୍ମାଟ୍‌ରେ ବିରାଟ ପ୍ରାୟ ୫୮ ଆଭରେଜ୍ ଓ ପ୍ରାୟ ୯୪ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଛନ୍ତି । ଏହାଛଡ଼ା ତାଙ୍କ ନାମରେ ୫୧ ଦିନିକିଆ ଶତକ ରହିଛି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସଚିନ ୪୯ ଶତକ ହାସଲ କରିଛନ୍ତି ।

ବିରାଟ ଦିନିକିଆ ଆନ୍ତର୍ଜାତିକରେ ୪୧ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ଓ ୧୧ ଥର ‘ପ୍ଲେୟର୍ ଅଫ୍ ଦ ସିରିଜ୍‌’ ବିବେଚିତ ହୋଇଛନ୍ତି । ସଚିନ ଏ ଦିଗରେ ତାଙ୍କ ଠାରୁ ଆଗରେ ଅଛନ୍ତି । ସେ ୬୨ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ଓ ୧୫ ଥର ‘ପ୍ଲେୟର୍ ଅଫ୍ ଦ ସିରିଜ୍‌’ ପୁରସ୍କାର ଜିତିଛନ୍ତି । ଅବଶ୍ୟ ବିରାଟଙ୍କ ଠାରୁ ମାଷ୍ଟର ବ୍ଲାଷ୍ଟର ଅଧିକ ୧୬୪ ମ୍ୟାଚ୍ ଖେଳିଛନ୍ତି ।

ଏହି ଫର୍ମାଟ୍‌ରେ ବିରାଟ ଏ ଯାବତ ୧୪,୦୮୫ ରନ୍ ସଂଗ୍ରହ କରିଛନ୍ତି । ସେ ଆଉ ୧୭୬ ରନ୍ କଲେ ସାଙ୍ଗାକାରାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସଫଳ ବ୍ୟାଟର୍ ହୋଇପାରିବେ। ସଚିନ ୧୮,୪୨୬ ରନ୍ ସହ ଦିନିକିଆରେ ଶୀର୍ଷ ସ୍ଥାନରେ ରହିଛନ୍ତି ।
‘ଦେଶ ପକ୍ଷରୁ ଖେଳିବାକୁ ଭଲ ପାଆନ୍ତି ବିରାଟ’

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ କହିଥିଲେ, “ବିରାଟ ଦେଶ ପକ୍ଷରୁ ଖେଳିବାକୁ ଭଲ ପାଆନ୍ତି । ସେ ଆଜି ବି ସେଇଆ କରିଥିଲେ ଯାହା ଏତେ ବର୍ଷ ଧରି କରିଆସୁଛନ୍ତି । ବିରାଟ ଯେତେବେଳେ ବ୍ୟାଟିଂ କରନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ବାତାବରଣ ବହୁତ ଶିଥିଳ ଥାଏ ।”

ଏ କଥା କେବଳ ଶବ୍ଦର ସମାହାର ନୁହେଁ । ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍‌ର ଚାପ ସତ୍ତ୍ୱେ ଯେତେବେଳେ ବିରାଟ କ୍ରିଜ୍‌ରେ ଥିଲେ, ସେତେବେଳେ ଡ୍ରେସିଂରୁମ୍‌ରେ ବସିଥିବା ରୋହିତଙ୍କ ମୁହଁରେ ଆଶ୍ୱସ୍ତି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା ।
ଟିମ୍ ଇଣ୍ଡିଆ ପାଇଁ ବିରାଟଙ୍କ ଗୁରୁତ୍ୱ କେତେ, ତାହା ସମସ୍ତେ ଜାଣନ୍ତି । ଖୋଦ୍ ବିରାଟ ବି ଏହା ହୃହୟଙ୍ଗମ କରନ୍ତି । ତାଙ୍କ ଫିଟ୍‌ନେସ୍ ଦର୍ଶାଏ ଯେ ତାଙ୍କ ଭିତରେ ଆହୁରି କିଛି ବର୍ଷର କ୍ରିକେଟ୍ ବାକି ଅଛି ।

ତେବେ କେବଳ ଫିଟ୍‌ନେସ୍ ଯଥେଷ୍ଟ ନୁହେଁ, ଫର୍ମ ବି ଦରକାର । ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ଇନିଂସ୍ ପରେ ବିରାଟଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ । ନିରନ୍ତରତା ହିଁ ତାଙ୍କ କ୍ୟାରିଅର୍‌କୁ ଦୀର୍ଘସ୍ଥାୟୀ କରିପାରିବ ।

India Virat Kohli ICC Pakistan Indian Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ