ଟିମ ଇଣ୍ଡିଆରେ ମିଳିଲା ସ୍ଥାନ, ତଥାପି ବିଶ୍ୱକପ ଖେଳିପାରିବେନି ଦ୍ରାବିଡଙ୍କ ପୁଅ

ରାହୁଲ ଦ୍ରାବିଡ ବି ଖେଳିପାରିନଥିଲେ U-19 ବିଶ୍ୱକପ । ୧୯୮୮ ପରେ ୧୦ ବର୍ଷ ପରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ଆଇସିସି ।

Samit Dravid

ଟିମ ଇଣ୍ଡିଆରେ ପୁଣି ଦ୍ରାବିଡଙ୍କ ଏଣ୍ଟ୍ରୀ । ୧୯ ବର୍ଷରୁ କମ ଭାରତୀୟ ଟିମରେ ଖେଳିବାକୁ ଯାଉଛନ୍ତି, ପୂର୍ବତନ ଭାରତୀୟ କ୍ୟାପଟେନ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଙ୍କ ପୁଅ ସମିତ ଦ୍ରାବିଡ । ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମଲ୍ଟି-ଫର୍ମାଟ ସିରିଜ ପାଇଁ ଘୋଷଣା ହୋଇଥିବା ଜୁନିୟର ଟିମ ଇଣ୍ଡିଆ ସ୍କ୍ୱାଡରେ ସମିତ ଦ୍ରାବିଡଙ୍କ ନାଁ ରହିଛି ।

ଏହି ସିରିଜରେ ତିନୋଟି ଏକଦିବସୀୟ ମ୍ୟାଚ ପୁଡୁଚେରୀରେ ଖେଳାଯିବ । ସେପ୍ଟେମ୍ବର ୨୧, ୨୩ ଓ ୨୬ରେ ଏହି ମ୍ୟାଚ୍ ଖେଳାଯିବ । ଉତ୍ତର ପ୍ରଦେଶର ମହମ୍ମଦ ଅମାନ ଏହି ସିରିଜରେ ଭାରତର ନେତୃତ୍ୱ ନେବେ । ଏହାପରେ ଚେନ୍ନାଇରେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୭ରେ ଦୁଇଟି ୪ଦିନିଆ ମ୍ୟାଚ୍ ଖେଳାଯିବ । ଏହି ସିରିଜରେ ମଧ୍ୟ ପ୍ରଦେଶର ସୋହମ ପଟୱର୍ଦ୍ଧନ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇବେ । 

ତେବେ ଭାରତୀୟ ଦଳରେ ସ୍ଥାନ ମିଳିବା ସତ୍ତ୍ୱେ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପରେ ଜୁନିୟର ଦ୍ରାବିଡ ଖେଳିବା ସମ୍ଭାବନା କମ୍ । କାରଣ ୨୦୨୬ରେ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଦୁଇବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ୨୧ ବର୍ଷରେ ପହଞ୍ଚି ସାରିଥିବେ ସମିତ । ୨୦୦୫ ନଭେମ୍ବର ୧୦ରେ ସମିତଙ୍କର ଜନ୍ମ ହୋଇଥିବାରୁ ୧୯ତମ ଜନ୍ମଦିନକୁ ଆଉ ମାତ୍ର ଦୁଇମାସ ରହିଛି । ୨୦୨୬ରେ ବିସିସିଆଇ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନ କରିବା ବେଳକୁ ୨୧ ବର୍ଷରେ ପହଞ୍ଚି ସାରିଥିବେ ସମିତ ।

ପେସ୍ ବୋଲିଂ ଅଲରାଉଣ୍ଡର ସମିତ ଏବେ ବେଙ୍ଗାଲୁରୁରେ ମହିଶୁର ୱାରିୟର୍ସ ପକ୍ଷରୁ KSCA ମହାରାଜା ଟି-୨୦ ଟ୍ରଫି ଖେଳୁଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସମିତଙ୍କ ପ୍ରଦର୍ଶନ ପ୍ରଭାବୀ ରହିନାହିଁ । ୭ଟି ଇଂନିସରୁ ମାତ୍ର ୮୨ ରନ୍ ସଂଗ୍ରହ କରିଥିବାବେଳେ ସର୍ବାଧିକ ସ୍କୋର ରହିଛି ୮୨ । ତେବେ ଏହାପୂର୍ବରୁ ଚଳିତ ବର୍ଷ ଖେଳାଯାଇଥିବା କୁଚ୍ ବେହାର ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ ସମିତ୍ । ଏଥିସହ ଏହି ଇଭେଣ୍ଟରେ କର୍ଣ୍ଣାଟକକୁ ପ୍ରଥମ ଥର ଟାଇଟେଲ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ । 

୧୮ ବର୍ଷୀୟ ସମିତ, ୮ଟି ମ୍ୟାଚରୁ ୩୬୨ ରନ୍ ସଂଗ୍ରହ କରିଥିଲେ । ଜାମ୍ମୁ-କାଶ୍ମୀର ବିପକ୍ଷରେ ଆକର୍ଷଣୀୟ ୯୮ ରନର ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ବୋଲିଂରେ ମଧ୍ୟ କମାଲ ଦେଖାଇଥିଲେ ଜୁନିୟର ଦ୍ରାବିଡ । ମୁମ୍ବାଇ ବିପକ୍ଷ ଫାଇନାଲ ମ୍ୟାଚରେ ୨ଟି ୱିକେଟ ସମେତ ୮ଟି ମ୍ୟାଚରୁ ୧୬ଟି ୱିକେଟ ନେଇ ଚର୍ଚ୍ଚାରେ ରହିଥିଲେ । 

ରାହୁଲ ଦ୍ରାବିଡ ମଧ୍ୟ U-୧୯ ବିଶ୍ୱକପରୁ ଟିମ ଚୟନରୁ ବାଦ୍ ପଡ଼ିଥିଲେ । ୧୯୯୨ରେ ସମାନ ବୟସ ବର୍ଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପକ୍ଷରୁ ଘରୋଇ ସିରିଜ ଖେଳିବାକୁ ସୁଯୋଗ ପାଇଥିଲେ ମଧ୍ୟ ବିଶ୍ୱକପ ଖେଳି ପାରିନଥିଲେ । ଆଇସିସି ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପର ପ୍ରଥମ ସଂସ୍କରଣ ୧୯୮୮ରେ ଆୟୋଜନ କରିବା ପରେ ଏହାର ୧୦ ବର୍ଷ ପରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ।