Advertisment

Sports: ଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଚାନକ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଛନ୍ତି ଭାରତର ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ । ଏବେ କ୍ରିକେଟ୍ ଜଗତରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Why did Ashwin suddenly retire from international cricket

Why did Ashwin suddenly retire from international cricket

Advertisment

୩୮ ବର୍ଷ ବୟସରେ ଜଣେ କ୍ରିକେଟର୍‌ଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା ବିସ୍ମୟକର ଖବର ନୁହେଁ, କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ମଝିରେ ଏଭଳି ଅତର୍କିତ ନିଷ୍ପତ୍ତି ନିଶ୍ଚିତ ରୂପେ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ।

Advertisment

ଭାରତୀୟ ଟେଷ୍ଟ ଟିମ୍‌ର ‘ମେରୁଦଣ୍ଡ’ ତଥା ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଡିସେମ୍ବର ୧୮ରେ ଆନ୍ତର୍ଜାତିକ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇଥିଲେ ।

ଏ କଥା ଠିକ୍ ଯେ ଅଶ୍ୱିନ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌ର ଅନ୍ତିମ ସୋପାନରେ ପହଞ୍ଚିସାରିଥିଲେ, ହେଲେ ସେ ଅଚାନକ ଏଭଳି ନିଷ୍ପତ୍ତି ନେବେ ବୋଲି କେହି ଏପରିକି ତାଙ୍କ ଟିମ୍‌ମେଟ୍ ବି କଳ୍ପନା କରି ନ ଥିଲେ । କ୍ରିକେଟ୍ ଜଗତରେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ଗାବାରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶେଷ ହେବା ପରେ ଅଶ୍ୱିନ ଏହି ଚରମ ନିଷ୍ପତ୍ତି ନେଇଥିଲେ । ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିଲେ ଏବଂ କହିଥିଲେ ଯେ ଭାରତୀୟ ଟିମ୍‌ର କ୍ରିକେଟର୍ ଭାବେ ଆଜି ତାଙ୍କର ଶେଷ ଦିନ ଥିଲା । ସେ କ୍ଲବ୍ କ୍ରିକେଟ୍ ଖେଳିବା ଜାରି ରଖିବେ ।

Why did Ashwin suddenly retire from international cricketଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ଅବସର ସମୟକୁ ନେଇ ସମାଲୋଚନା

ଆଉ ଦୁଇ ମ୍ୟାଚ୍ ପରେ ସିରିଜ୍ ଶେଷ ହୋଇଥା’ନ୍ତା । ହୁଏତ ସେଥିମଧ୍ୟରୁ କୌଣସି ଗୋଟିଏ ମ୍ୟାଚ୍‌ରେ ଅଶ୍ୱିନଙ୍କ ଆବଶ୍ୟକତା ପଡ଼ିଥା’ନ୍ତା । ସିରିଜ୍ ଶେଷ ହେବା ପରେ ସେ ସମ୍ମାନର ସହ ବିଦାୟ ନେଇପାରିଥା’ନ୍ତେ । କିନ୍ତୁ ସେ ଅପେକ୍ଷା କରି ନ ଥିଲେ ଏବଂ ସିରିଜ୍ ମଝିରୁ ଆନ୍ତର୍ଜାତିକ କ୍ରିକେଟ୍‌ରୁ ବିଦାୟ ନେଇଥିଲେ ।

Advertisment

କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର ତାଙ୍କ ଅବସର ସମୟକୁ ନେଇ ସମାଲୋଚନା କରିଛନ୍ତି । ତାଙ୍କ କହିବାନୁଯାୟୀ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଶେଷ ହେବା ଯାଏଁ ଅପେକ୍ଷା କରିବାର ଥିଲା । ପରବର୍ତ୍ତୀ ଦୁଇ ଟେଷ୍ଟ ପାଇଁ ଭାରତର ଜଣେ ସଦସ୍ୟ ହ୍ରାସ ପାଇଛନ୍ତି । ସିଡ୍‌ନୀରେ ସ୍ପିନର୍‌ଙ୍କୁ ସହାୟତା ମିଳେ । ସେଠାରେ ଅଶ୍ୱିନ ଗୁରୁତ୍ୱପୂ୍‌ର୍ଣ୍ଣ ଭୂମିକା ତୁଲାଇପାରିଥା’ନ୍ତେ ।

ପୂର୍ବତନ କ୍ରିକେଟର୍ ହରଭଜନ ସିଂହ ମଧ୍ୟ କହିଛନ୍ତି ଯେ ଅବସର ପାଇଁ ଅଶ୍ୱିନ ସିରିଜ୍ ଶେଷ ହେବା ଯାଏଁ ଅପେକ୍ଷା କରିବା ଆବଶ୍ୟକ ଥିଲା ।

ଏବେ ପ୍ରଶ୍ନ ଉଠୁଛି ଯେ ଅଶ୍ୱିନ ଅଭିଜ୍ଞ ଖେଳାଳି ହୋଇଥିବା ସତ୍ତ୍ୱେ ଏକ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ଅଧାରୁ କାହିଁକି ଅବସର ନେଲେ?

ବର୍ଡର-ଗାଭାସ୍କର ଟ୍ରଫିରେ ଅଣଦେଖା ମୁଖ୍ୟ କାରଣ

ଅଶ୍ୱିନ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଆଗଧାଡ଼ିର ସ୍ପିନର୍ ରହିଆସିଛନ୍ତି । ହରଭଜନଙ୍କ ଯୁଗ ପରେ ସେ ଟିମ୍‌ରେ ସ୍ପିନ୍ ଆକ୍ରମଣର ନେତୃତ୍ୱ ନେଇଥିଲେ । ସେ ରେଡ୍ ବଲ୍ ଫର୍ମାଟ୍‌ରେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ୍ କରାଯାଇଥିଲା ସତ, ହେଲେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ସୁରକ୍ଷିତ ହୋଇପାରି ନ ଥିଲା । ୫୩୭ ଟେଷ୍ଟ ୱିକେଟ୍ ନେବା ପରେ ଏହି ଭେଟେରାନ୍ ଡ୍ରେସିଂ ରୁମ୍‌ରେ ଅତିରିକ୍ତ ଖେଳାଳିଙ୍କ ଜର୍ସି ପିନ୍ଧି ବସିବାକୁ ଚାହୁଁ ନ ଥିଲେ ।

Why did Ashwin suddenly retire from international cricketଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ବର୍ଡର-ଗାଭାସ୍କର ଟ୍ରଫିରେ ଅଣଦେଖା ତାଙ୍କର ଅତର୍କିତ ଅବସର ଘୋଷଣା ପଛର ମୁଖ୍ୟ କାରଣ ଥିଲା । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଅଗ୍ରାଧିକାର ଦେଇଥିଲା । ସମସ୍ୟା ଏଇଠୁ ଆରମ୍ଭ ହୋଇଥିଲା ।

ଆଡିଲେଡ୍ ଠାରେ ହୋଇଥିବା ପିଙ୍କ୍ ବଲ୍ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଖାସ୍ କମାଲ୍ କରିପାରି ନ ଥିଲେ ଏବଂ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ଅବଶ୍ୟ ପିଚ୍ ପେସ୍ ଅନୁକୂଳ ଥିଲା । ବ୍ୟାଟିଂରେ ବି ସେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

ଏହାପରେ ଗାବାରେ ଆୟୋଜିତ ତୃତୀୟ ଟେଷ୍ଟରେ ପୁଣିଥରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ସାମିଲ୍ କରାଯାଇଥିଲା ।

ଏପରି ସ୍ଥଳେ ଆନ୍ତର୍ଜାତିକ କ୍ରିକେଟ୍‌ର ସ୍ମାର୍ଟ କ୍ରିକେଟର୍ ଅଶ୍ୱିନ ବୁଝିପାରିଥିଲେ ଯେ ଟିମ୍ ଇଣ୍ଡିଆରେ ତାଙ୍କ ସମୟ ଶେଷ ହୋଇଯାଇଛି । ଟିମ୍ ମ୍ୟାନେଜ୍‌ମେଣ୍ଟ ସମ୍ଭବତଃ ତାଙ୍କ ଠାରୁ ଅବସର ଚାହୁଁଛି ।

ପ୍ରଥମ ଟେଷ୍ଟରେ ସ୍ଥାନ ନ ମିଳିବା ପରେ ଅଶ୍ୱିନ ପର୍ଥରେ ହିଁ ଅବସର ଘୋଷଣା କରିବାକୁ ଚାହୁଁଥିଲେ । କିନ୍ତୁ ଅଧିନାୟକ ରୋହିତ କହିବା ଯୋଗୁଁ ସେ ଅଟକି ଯାଇଥିଲେ ।

ଯଦି ତାଙ୍କର ‘ଅତର୍କିତ ଅବସର ଘୋଷଣା’ରୁ ‘ଅତର୍କିତ’ ଶବ୍ଦକୁ ବାଦ୍ ଦିଆଯାଏ, ତା’ହେଲେ ଏହା ପଛରେ ଆଉ ଦୁଇ କାରଣ ବି ସ୍ପଷ୍ଟ ହୁଏ - ଗୋଟିଏ, ଆନ୍ତର୍ଜାତିକ କ୍ରିକେଟ୍‌ରେ ସୀମିତ ସୁଯୋଗ ଓ ଅନ୍ୟଟି, ବର୍ଦ୍ଧିତ ବୟସର ଚାଲେଞ୍ଜ୍ ।

ଆନ୍ତର୍ଜାତିକ କ୍ରିକେଟ୍‌ରେ ସୀମିତ ସୁଯୋଗ

ଗୋଟିଏ ସମୟ ଥିଲା ଅଶ୍ୱିନ ସବୁ ଫର୍ମାଟ୍‌ରେ ଭାରତୀୟ ଟିମ୍‌ର ଅଂଶବିଶେଷ ଥିଲେ । କିନ୍ତୁ ସମୟକ୍ରମେ ଏହା ରେଡ୍ ବଲ୍ କ୍ରିକେଟ୍ ମଧ୍ୟରେ ସୀମିତ ହୋଇଯାଇଥିଲା ।

୨୦୧୧ ଦିନିକିଆ ବିଶ୍ୱକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍‌ର ସଦସ୍ୟ ଥିବା ଅଶ୍ୱିନ ୨୦୨୨ ନଭେମ୍ବରରେ ଶେଷ ଥର ଟି-୨୦ ଓ ୨୦୨୩ ଅକ୍ଟୋବରରେ ଶେଷ ଥର ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ ।

ସୀମିତ ଓଭର୍ କ୍ରିକେଟ୍‌ରେ ପ୍ରତିଭାଶାଳୀ ଯୁବ ସ୍ପିନର୍‌ଙ୍କ ଅଭ୍ୟୁଦୟ ଯୋଗୁଁ ଅଶ୍ୱିନଙ୍କ ପାଇଁ ଟିମ୍‌ରେ ସ୍ଥାନ ସଂରକ୍ଷଣ କରିବା କଷ୍ଟସାଧ୍ୟ ହୋଇଯାଇଥିଲା । ଶେଷରେ ଟେଷ୍ଟରେ ବି ସେ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଚଳିତ ବର୍ଷ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଏବଂ ‘ପ୍ଲେୟର୍ ଅଫ୍ ଦ ସିରିଜ୍‌’ ବିବେଚିତ ହୋଇଥିଲେ ।

ଏହାପରେ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳାଯାଇଥିଲା । ଏହି ସିରିଜ୍ ତାଙ୍କ ପାଇଁ ଏସିଡ୍ ଟେଷ୍ଟ ସଦୃଶ ଥିଲା । ସେ ଟର୍ଣ୍ଣିଂ ପିଚ୍‌ରେ ବି ପ୍ରଭାବିତ କରିପାରି ନ ଥିଲେ । ଭାରତୀୟ ଟିମ୍ ୦-୩ରେ ଲଜ୍ଜାଜନକ ଭାବେ ସିରିଜ୍ ହାରିଥିଲା ।

ଟିମ୍ ଇଣ୍ଡିଆ ଏହାପରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା । ଏଥିରେ ଅଶ୍ୱିନ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଥିଲା ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟ କ୍ରିକେଟ୍‌ରେ ରୋହିତ, ବିରାଟ, ଅଶ୍ୱିନ, ଜାଡ଼େଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ । ଇତିମଧ୍ୟରେ ଅଶ୍ୱିନ ଗସ୍ତ ଅଧାରୁ ହିଁ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌ର ଅନ୍ତ ଘଟାଇଛନ୍ତି ।

Why did Ashwin suddenly retire from international cricketଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ବର୍ଦ୍ଧିତ ବୟସର ଚାଲେଞ୍ଜ୍‌

ଆନ୍ତର୍ଜାତିକ କ୍ରିକେଟ୍‌ରେ ଅଶ୍ୱିନ ଟେଷ୍ଟରେ ୫୩୭, ଦିନିକିଆରେ ୧୫୬ ଓ ଟି-୨୦ରେ ୭୨ ୱିକେଟ୍ ନେଇଛନ୍ତି । ଏହାଛଡ଼ା ସେ ତିନି ଫର୍ମାଟ୍‌ରେ ଯଥାକ୍ରମେ ୩୫୦୩, ୭୦୭ ଓ ୧୮୪ ରନ୍ ସଂଗ୍ରହ କରିଛନ୍ତି ।

ତେବେ ବର୍ଦ୍ଧିତ ବୟସ ତାଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ପାଇଁ ଏକ ଚାଲେଞ୍ଜ୍ ହୋଇଥିଲା । ଯଦି ତାଙ୍କୁ ସବୁ ଫର୍ମାଟ୍ ପାଇଁ ଟିମ୍‌ରେ ନିଆଯାଉଥା’ନ୍ତା, ତା’ହେଲେ ସେ କ’ଣ ୩୮ ବର୍ଷ ବୟସରେ ଉଚ୍ଚ ସ୍ତରର ପ୍ରଦର୍ଶନ କରିବା ସହ ଫିଟ୍‌ନେସ୍ ବଜାୟ ରଖିପାରିଥା’ନ୍ତେ? ଏହା ବି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।

ଅଶ୍ୱିନ ଏ କଥା ବୁଝିଥିବେ ନିଶ୍ଚୟ । ଏହାଛଡ଼ା ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ଓ ତାମିଲନାଡ଼ୁ ପ୍ରିମିଅର୍ ଲିଗ୍‌ରେ ମଧ୍ୟ ଖେଳୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ୨୦୨୩ରେ ଭାରତରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ସମୟରୁ ହିଁ ଅଶ୍ୱିନ ଅବସର ନେବା କଥା ବିଚାର କରୁଥିଲେ । ସେ ଆଣ୍ଠୁ ଯନ୍ତ୍ରଣା ଭୋଗୁଥିଲେ ।

ଅଷ୍ଟ୍ରେଲିଆ ଗସ୍ତରେ ସେ ନିଜକୁ ଶେଷ ସୁଯୋଗ ଦେବାକୁ ଚାହୁଁଥିଲେ, କାରଣ ଏହି ଗସ୍ତ ପରେ ଆସନ୍ତା ବର୍ଷ ଜୁନ୍ ପୂର୍ବ ଯାଏଁ ଭାରତର କୌଣସି ଟେଷ୍ଟ ସିରିଜ୍ ନାହିଁ ।

କିଏ ହେବେ ଅଶ୍ୱିନଙ୍କ ଉତ୍ତରାଧିକାରୀ

ଅଶ୍ୱିନଙ୍କୁ ଆଉ ଭାରତୀୟ କ୍ରିକେଟ୍‌ର ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିବନି । ତାଙ୍କ ବୋଲିଂରେ ବିବିଧତା ଥିଲା । ଅଫ୍ ବ୍ରେକ୍‌, ଆର୍ମ ବଲ୍ ଓ କ୍ୟାରମ୍ ବଲ୍ - ସବୁଥିରେ ସେ ପାରଙ୍ଗମ ଥିଲେ । ବିଭିନ୍ନ ସମୟରେ ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ସେ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଯୋଗଦାନ ଦେଉଥିଲେ । ତାଙ୍କ ନାମରେ ଛଅ ଟେଷ୍ଟ ଶତକ ରହିଛି ।

ଅଶ୍ୱିନଙ୍କ ସ୍ଥାନ ପୂରଣ କରିବା ଯେକୌଣସି କ୍ରିକେଟର୍‌ଙ୍କ ପାଇଁ ଚାଲେଞ୍ଜ୍‌ପୂର୍ଣ୍ଣ ହେବ । ଏବେ ଟେଷ୍ଟ ଟିମ୍ ପାଇଁ ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍‌ଙ୍କ ମଧ୍ୟରେ ସୁନ୍ଦର ସର୍ବାଗ୍ରେ ଅଛନ୍ତି ।

ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଦୁଇ ମ୍ୟାଚ୍ ଖେଳି ୧୬ ୱିକେଟ୍ ନେଇଥିଲେ । ସେ ଏ ଯାବତ ସାତ ମ୍ୟାଚ୍‌ରେ ୨୪ ୱିକେଟ୍ ନେବା ସହ ୩୮୭ ରନ୍ ସଂଗ୍ରହ କରିଛନ୍ତି ।

ଅଶ୍ୱିନଙ୍କ ଅବସର ପରେ ଟେଷ୍ଟରେ ଭାରତର ସ୍ପିନ୍ ବିଭାଗ ଏବେ ସନ୍ଧିକାଳ ଦେଇ ଗତି କରିବ । ଏହି ସମୟରେ ଚୟନ କମିଟି ନୂଆ ନୂଆ ପ୍ରୟୋଗ କରିବାକୁ ଚାହିଁବ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket R Ashwin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ