ପ୍ରାୟ ଏକ ଦଶନ୍ଧି ଧରି ଚେତେଶ୍ୱର ପୂଜାରା ଭାରତୀୟ ଟେଷ୍ଟ ଟିମ୍ର ସ୍ଥାୟୀ ତିନି ନମ୍ବର ବ୍ୟାଟର୍ ରହିଥିଲେ । କିନ୍ତୁ ଦୁର୍ବଳ ଫର୍ମ ଯୋଗୁଁ ସେ ଧୀରେ ଧୀରେ ଟେଷ୍ଟ କ୍ରିକେଟ୍ରୁ ଅନ୍ତର୍ଦ୍ଧାନ ହୋଇଗଲେ । ୨୦୨୦ରୁ ତିନି ନମ୍ବର ସ୍ଥାନ ପାଇଁ ୧୦ରୁ ଅଧିକ ବ୍ୟାଟର୍ଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାସରିଲାଣି, କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୌରାଷ୍ଟ୍ର ବ୍ୟାଟର୍ଙ୍କ ପ୍ରକୃଷ୍ଟ ବିକଳ୍ପ ମିଳିପାରି ନାହାନ୍ତି । ସାଇ ସୁଦର୍ଶନ ଓ କରୁଣ ନାୟରଙ୍କୁ ନେଇ କରାଯାଇଥିବା ସଦ୍ୟତମ ପ୍ରୟୋଗ ବି ଏ ଯାବତ ସଫଳ ହୋଇପାରି ନାହିଁ । ଏହି ସ୍ଥାନ ଏବେ ବି ଚିନ୍ତାଜନକ ସ୍ଥିତିରେ ଅଛି ।
ଇଂଲଣ୍ଡ ସିରିଜ୍ରେ ତିନି ନମ୍ବର ବ୍ୟାଟର୍ଙ୍କ ପ୍ରଦର୍ଶନ ଚିନ୍ତାଜନକ
ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିରେ ତିନି ନମ୍ବରରେ ବ୍ୟାଟିଂ ଭାରତୀୟ ଟିମ୍ ପାଇଁ ବଡ଼ ସମସ୍ୟା ଭାବେ ରହିଆସିଛି । ପ୍ରଥମ ତିନି ଟେଷ୍ଟ ଶେଷ ସୁଦ୍ଧା ନଂ.୩ ବ୍ୟାଟର୍ଙ୍କୁ ଛାଡ଼ି ଭାରତର ଟପ୍-୭ ବ୍ୟାଟିଂ ପୋଜିସନ୍ରେ ଅତି କମ୍ରେ ଗୋଟିଏ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଅବଶ୍ୟ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍ରେ ନଂ.୩ରେ ଆସି ସାଇ ସୁଦର୍ଶନ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି । ଏହା କିଛିଟା ଆଶ୍ୱସ୍ତିର ବିଷୟ । ତେବେ ତାଙ୍କୁ ଆଗକୁ ବି ସୁଯୋଗ ମିଳିବା ସ୍ଥଳେ ଭଲ ପ୍ରଦର୍ଶନ କରିବାକୁ ହେବ ।
Also Read
ସିରିଜ୍ରେ ଏ ଯାବତ ଭିନ୍ନ ଭିନ୍ନ ମ୍ୟାଚ୍ରେ ଦୁଇ ବ୍ୟାଟର୍ଙ୍କୁ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଯାଇଛି । ଲିଡ୍ସରେ ହୋଇଥିବା ପ୍ରଥମ ମ୍ୟାଚ୍ରେ ନବାଗତ ସୁଦର୍ଶନ ଏହି ସ୍ଥାନରେ ଖେଳିଥିଲେ । ସେ ପ୍ରଥମ ଇନିଂସ୍ରେ ଖାତା ଖୋଲିପାରି ନ ଥିଲେ ଏବଂ ଦ୍ୱିତୀୟ ଇନିଂସ୍ରେ ୩୦ ରନ୍ କରିଥିଲେ । ଏହାପରେ ଚୂଡ଼ାନ୍ତ ଏକାଦଶରୁ ତାଙ୍କୁ ବାଦ୍ ଦିଆଯାଇଥିଲା ।
ବର୍ମିଂହାମ୍ ଟେଷ୍ଟରେ କରୁଣଙ୍କୁ ନଂ.୬ରୁ ନଂ.୩ ସ୍ଥାନକୁ ପ୍ରମୋଟ୍ କରାଯାଇଥିଲା । ସେ ୩୧ ଓ ୨୬ ରନ୍ର ଇନିଂସ୍ ଖେଳିଥିଲେ । ଭାରତ ବିପୁଳ ରନ୍ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଥିଲା, ହେଲେ ବ୍ୟାଟିଂରେ କରୁଣଙ୍କ ଖାସ୍ ଯୋଗଦାନ ନ ଥିଲା । ଲର୍ଡ୍ସରେ ଆୟୋଜିତ ତୃତୀୟ ଟେଷ୍ଟରେ ମଧ୍ୟ କରୁଣ ତିନି ନମ୍ବରରେ ଖେଳିଥିଲେ । କିନ୍ତୁ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ହୋଇଥିଲା । ସେ ପ୍ରଥମ ଇନିଂସ୍ରେ ୪୦ ଓ ଦ୍ୱିତୀୟ ଇନିଂସ୍ରେ ୧୪ ରନ୍ କରିଥିଲେ । ଭାରତ ଏହି ମ୍ୟାଚ୍ ହାରିଯାଇଥିଲା, ଯାହା ଫଳରେ ଟିମ୍ ସିରିଜ୍ରେ ୧-୨ରେ ପଛୁଆ ହୋଇଯାଇଛି । ଏପରି ସ୍ଥଳେ କରୁଣ ଦାୟିତ୍ୱସମ୍ପନ୍ନ ହୋଇ ଖେଳିବା ଆବଶ୍ୟକ ଥିଲା ।
ନିଜ ଟେଷ୍ଟ କ୍ୟାରିଅର୍କୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ କରୁଣ ଇଂଲଣ୍ଡରେ ପହଞ୍ଚିଥିଲେ । ଘରୋଇ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଉଚ୍ଚତମ ସ୍ତରରେ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଉ ଏକ ସୁଯୋଗ ମିଳିଛି । ସେ ଆଠ ବର୍ଷ ପରେ ଟେଷ୍ଟ ଟିମ୍କୁ ଫେରିଛନ୍ତି । ତିନି ମ୍ୟାଚ୍ ଶେଷ ସୁଦ୍ଧା ଉଭୟ ଭାରତୀୟ ଓ ଇଂଲିଶ୍ ଟିମ୍ର ଟପ୍-୪ ବ୍ୟାଟର୍ଙ୍କ ମଧ୍ୟରେ କେବଳ କରୁଣ କୌଣସି ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ । ସୁଦର୍ଶନ ଜଣେ ପ୍ରତିଭାଶାଳୀ ବ୍ୟାଟର୍ । ଚଳିତ ବର୍ଷ ଆଇପିଏଲ୍ରେ ସେ ସର୍ବାଧିକ ସ୍କୋର୍ କରିଥିଲେ । ସେ ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ଅଧିକ ମ୍ୟାଚ୍ ଖେଳିବା ଦରକାର । ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ଚତୁର୍ଥ ଟେଷ୍ଟରୁ କରୁଣଙ୍କୁ ବାଦ୍ ଦେଇଛିି ଏବଂ ସୁଦର୍ଶନ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
‘ତିନି ନମ୍ବର ବ୍ୟାଟର୍ ବଡ଼ ସ୍କୋର୍ କରିବା ଦରକାର’
ଭାରତର ପୂର୍ବତନ କ୍ରିକେଟର୍ ଫାରୁଖ ଇଞ୍ଜିନିଅର୍ କହିଛନ୍ତି, “କରୁଣ ନାୟର ଭଲ ଭାବେ ୨୦ ଓ ୩୦ ରନ୍ ସଂଗ୍ରହ କରୁଛନ୍ତି । କିନ୍ତୁ ଦିଲୀପ ଭେଙ୍ଗସରକାର ତିନି ନମ୍ବରରେ ବ୍ୟାଟିଂ କରି ଶତକ ମାରୁଥିଲେ । ସେ ଲର୍ଡ୍ସରେ ତିନି ଶତକ ହାସଲ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟର୍ ଏଭଳି କରିପାରିବା ଭଳି ମନେ ହେଉନାହିଁ।” ଉଭୟ ଫାରୁଖ ଓ ଭେଙ୍ଗସରକାର ସାଇ ସୁଦର୍ଶନଙ୍କୁ ହ୍ୱାଇଟ୍-ବଲ୍ରେ ବେଶୀ ଖେଳିବାର ଦେଖି ନାହାନ୍ତି । ସେମାନେ ଚାହାନ୍ତି ଯେ ଭାରତର ତିନି ନମ୍ବର ବ୍ୟାଟର୍ ବୋର୍ଡରେ ରନ୍ କରନ୍ତୁ ।
ଫାରୁଖ ଆହୁରି ମଧ୍ୟ କହିଛନ୍ତି, “ଆମେ ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିବା ଉଚିତ । ମୁଁ ସୁଦର୍ଶନଙ୍କୁ ବେଶୀ ଦେଖି ନାହିଁ । କରୁଣ ସୁନ୍ଦର ଢଙ୍ଗରେ ୩୦ ରନ୍ କରୁଛନ୍ତି, ସୁନ୍ଦର କଭର୍ ଡ୍ରାଇଭ୍ ମାରୁଛନ୍ତି । କିନ୍ତୁ ଜଣେ ତିନି ନମ୍ବର ବ୍ୟାଟର୍ଙ୍କ ଠାରୁ ସୁନ୍ଦର ୩୦ ରନ୍ ଆଶା କରାଯାଏ ନାହିଁ । ଆପଣ ବୋର୍ଡରେ ରନ୍ କରିବା ଦରକାର । ଆପଣଙ୍କୁ ବଡ଼ ସ୍କୋର୍ କରିବାକୁ ହେବ, ଆଶା ବହୁତ ଅଧିକ ହେବା ଉଚିତ ।”
ଶ୍ରେୟସ ଓ ଅଭିମନ୍ୟୁ ଦୁଇ ବିକଳ୍ପ
ଶ୍ରେୟସ ଆୟର ବି କରୁଣ ନାୟରଙ୍କ ଭଳି ଘରୋଇ କ୍ରିକେଟ୍ରେ ବହୁତ ରନ୍ କରିଛନ୍ତି । ତାଙ୍କର ଅନ୍ତର୍ଜାତିକ କ୍ରିକେଟ୍ର ବି ଭଲ ଅଭିଜ୍ଞତା ଅଛି । ଦିନିକିଆ ଆନ୍ତର୍ଜାତିକରେ ସେ ଟିମ୍ର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟର୍ ରହିଆସିଛନ୍ତି । ଶ୍ରେୟସ ଫର୍ମରେ ଥିଲେହେଁ ଚୟନକାରୀମାନେ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଟେଷ୍ଟ ଟିମ୍ରେ ସାମିଲ୍ ନ କରିବା ବିସ୍ମୟକର ନିଷ୍ପତ୍ତି ଥିଲା । ଏବେ ଚର୍ଚ୍ଚା ହେଉଛି ଯେ ଶ୍ରେୟସ ଯଦି ଟିମ୍ରେ ଥା’ନ୍ତେ, ତିନି ନମ୍ବର ବ୍ୟାଟର୍ ସମସ୍ୟାରୁ ମୁକ୍ତି ମିଳିପାରିଥା’ନ୍ତା । ସେ ଏ ଯାବତ ୧୪ ଟେଷ୍ଟ ମ୍ୟାଚ୍ ଖେଳି ୮୧୧ ରନ୍ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଓ ଆଇପିଏଲ୍ରେ ସେ ଦମ୍ଦାର ପ୍ରଦର୍ଶନ କରିଥିଲେ ।
ତିନି ନମ୍ବର ସ୍ଥାନ ପାଇଁ ଅନ୍ୟ ଜଣେ ବିକଳ୍ପ ହେଲେ ଅଭିମନ୍ୟୁ ଈଶ୍ୱରନ୍ । ସେ ୨୦୨୪-୨୫ ଅଷ୍ଟ୍ରେଲିଆ ଗସ୍ତରୁ ଭାରତୀୟ ଟେଷ୍ଟ ଟିମ୍ ସହିତ ଅଛନ୍ତି, କିନ୍ତୁ ଏ ଯାବତ ତାଙ୍କୁ ପଦାର୍ପଣ ସୁଯୋଗ ମିଳିପାରି ନାହିଁ । ଅଭିମନ୍ୟୁ ଇଂଲଣ୍ଡ ସିରିଜ୍ ପୂର୍ବରୁ ଇଣ୍ଡିଆ-ଏ ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ତାଙ୍କ ନାମରେ ୨୭ ଶତକ ରହିଛି ।
ପୂଜାରାଙ୍କ ପରେ ତିନି ନମ୍ବରରେ କିଏ ?
ଟେଷ୍ଟ କ୍ରିକେଟ୍ରେ ତିନି ନମ୍ବର ବ୍ୟାଟର୍ଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଚଳିତ ଶତାବ୍ଦୀରେ ଦୁଇ ଜଣ ବ୍ୟାଟର୍ - ରାହୁଲ ଦ୍ରାବିଡ଼ ଓ ଚେତେଶ୍ୱର ପୂଜାରା ଭାରତୀୟ ଟିମ୍ରେ ତିନି ନମ୍ବର ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଏହି ଦୁଇ ଜଣଙ୍କ ପରେ ଅନ୍ୟ କେହି ଏହି ସ୍ଥାନରେ ୫୦ ଟେଷ୍ଟ ବି ଖେଳିପାରି ନାହାନ୍ତି । ଏହି ସ୍ଥାନରେ ଦ୍ରାବିଡ଼ ୧୩୫ ଟେଷ୍ଟ ଖେଳି ୧୦,୫୦୧ ରନ୍ ସଂଗ୍ରହ କରିଛନ୍ତି । ସେ ଅବସର ନେବା ପରେ ପୂଜାରା ଏହି ସ୍ଥାନରେ ବ୍ୟାଟିଂ କରି ୯୫ ଟେଷ୍ଟରେ ୬,୫୨୯ ରନ୍ କରିଛନ୍ତି । କିନ୍ତୁ ଫର୍ମ ଅଭାବରୁ ପୂଜାରାଙ୍କୁ ଟିମ୍ରୁ ବାଦ୍ ଦିଆଯିବା ପରେ ଏହି ସ୍ଥାନ ପାଇଁ ଏ ଯାବତ କୌଣସି ଭରସାଯୋଗ୍ୟ ବ୍ୟାଟର୍ ମିଳିପାରି ନାହାନ୍ତି ।
ଶୁବମନ ଏହି ସ୍ଥାନରେ ୧୬ ଟେଷ୍ଟ ଖେଳି ୯୭୨ ରନ୍ କରିଛନ୍ତି, କିନ୍ତୁ ବିରାଟ କୋହଲି ଅବସର ନେବା ପରେ ସେ ଚାରି ନମ୍ବରକୁ ଚାଲିଯାଇଥିଲେ । ଫଳରେ ସମସ୍ୟା ପୁଣି ଉଜାଗର ହୋଇଥିଲା । ଭାରତୀୟ ଟିମ୍ ପୂର୍ବ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଚକ୍ରରେ ନିଜ ଶେଷ ଦୁଇ ସିରିଜ୍ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ହାରିଯାଇଥିଲା । ଚଳିତ ଚକ୍ରରେ ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ନିଜ ପ୍ରଥମ ସିରିଜ୍ରେ ମଧ୍ୟ ଟିମ୍ ସଙ୍କଟଜନକ ସ୍ଥିତିରେ ରହିଛି । ଏହାର ଅର୍ଥ ନେତୃତ୍ୱ ବଦଳିଥିଲେ ବି ଟିମ୍ର ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇପାରି ନାହିଁ । ଏଥିପାଇଁ ତିନି ନମ୍ବର ବ୍ୟାଟର୍ଙ୍କ ଦୁର୍ବଳ ପ୍ରଦର୍ଶନ ଗୋଟିଏ କାରଣ । ଭାରତୀୟ ଚୟନକାରୀ ଓ କୋଚ୍ଙ୍କୁ ଶୀଘ୍ର ଏହି ଅଡ଼ୁଆ ତୁଟାଇବାକୁ ହେବ ଅନ୍ୟଥା ଆଗାମୀ ଦିନରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପାରେ ।