ବ୍ୟାଟ୍‌ ଉପହାର ଦେଲେ ବାଂଲା କ୍ରିକେଟ୍‌ର, ବେଙ୍ଗଲୀରେ ପ୍ରଶଂସା କଲେ ବିରାଟ

ମେହେଦି ହାସନ ବିରାଟ କୋହଲିଙ୍କୁ ବ୍ୟାଟ୍ ଦେଉଥିଲେ, କୋହଲି ବେଙ୍ଗଲୀରେ କହିଥିଲେ, ‘ଏମ୍‌କେଏସ୍‌ ବ୍ୟାଟ୍‌ ଖୁବ୍‌ ଭାଲୋ ଅଛି’ । ବିରାଟ ବେଙ୍ଗଲୀରେ ଏହା କହିବା ପରେ ଉଭୟ ହସିବାକୁ ଲାଗିଲେ ।

Virat Kohli

ବାଂଲାଦେଶକୁ ୨-୦ରେ ପରାସ୍ତ କରି ଟେଷ୍ଟ ସିରିଜ୍‌ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ । ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯାଇଥିବାବେଳେ କାନପୁରରେ ଖେଳାଯାଇଥିଲା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ମ୍ୟାଚ୍‌କୁ ନିଜ ନାମରେ କରିଥିଲା । କାନପୁର ଟେଷ୍ଟରେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ମେହେଦି ହାସନ ମିରାଜ ଉଭୟ ଇନିଂସରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରିଥିଲେ । ତେବେ ଏହି ମ୍ୟାଚ୍‌ ଶେଷ ହେବା ପରେ ମେହେଦି ହାସନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏକ ବ୍ୟାଟ୍‌ ଗିପ୍ଟ ଦେଇଥିଲେ ।

ରୋହିତ ଶର୍ମାଙ୍କୁ ବ୍ୟାଟ୍ ଦେବାବେଳେ ମେହେଦି ହାସନ କହିଛନ୍ତି ଯେ, ‘ମୁଁ ରୋହିତ ଭାଇଙ୍କ ସହ ଅଛି ଏବଂ ମୁଁ ତାଙ୍କୁ ମୋ କମ୍ପାନୀର ଏକ ବ୍ୟାଟ୍ ଉପହାର ଦେଇଛି । ଏହା ମୋର ସ୍ୱପ୍ନ ଥିଲା ଏବଂ ବର୍ତ୍ତମାନ ମୁଁ ବହୁତ ଖୁସି ’ । ରୋହିତ ମଧ୍ୟ ମେହେଦିଙ୍କୁ ତାଙ୍କର ନୂତନ ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି, "ମୁଁ ମେହେଦିଙ୍କୁ ବହୁତ ଦିନରୁ ଜାଣିଛି । ସେ ଜଣେ ଭଲ କ୍ରିକେଟର ଏବଂ ମୁଁ ଗର୍ବିତ ଯେ ସେ ନିଜର ବ୍ୟାଟ୍ କମ୍ପାନୀ ଆରମ୍ଭ କରିଛନ୍ତି । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଆଶା କରୁଛି କି ତାଙ୍କ ବ୍ୟାଟ୍‌ କମ୍ପାନୀ ବହୁତ ସଫଳ ହେବ’।

ଯେତେବେଳେ ମେହେଦି ହାସନ ବିରାଟ କୋହଲିଙ୍କୁ ବ୍ୟାଟ୍ ଦେଉଥିଲେ, କୋହଲି ବେଙ୍ଗଲୀରେ କହିଥିଲେ, ‘ଏମ୍‌କେଏସ୍‌ ବ୍ୟାଟ୍‌ ଖୁବ୍‌ ଭାଲୋ ଅଛି’ । ବିରାଟ ବେଙ୍ଗଲୀରେ ଏହା କହିବା ପରେ ଉଭୟ ହସିବାକୁ ଲାଗିଲେ । ଏହା ପରେ ବିରାଟ କୋହଲି ଆହୁରି କହିଛନ୍ତି ଯେ, ‘ଏହା ବହୁତ ଭଲ ବ୍ୟାଟ୍ । ଆପଣଙ୍କୁ ଶୁଭକାମନା । ଆପଣମାନେ ବହୁତ ଭଲ ବ୍ୟାଟ୍‌ ତିଆରି କରୁଛନ୍ତି । ସମସ୍ତ କ୍ରିକେଟରଙ୍କ ପାଇଁ ଏମିତି ବ୍ୟାଟ୍‌ ପ୍ରସ୍ତୁତ କରିବା ଦରକାର’ ବୋଲି କୋହଲି କହିଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ମେହଦି ହାସନ ମିରାଜ ତାଙ୍କ ସାଙ୍ଗମାନଙ୍କ ସହ ମିଶି ବ୍ୟାଟ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି । ଏହି କମ୍ପାନୀର ନାମ ହେଉଛି MKS ସ୍ପୋର୍ଟସ୍‌ ।