ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରନ୍‌ମେସିନ୍‌ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ

ଆଜିକୁ ଠିକ୍‌ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି ।

Virat Kohli

ଆଜିକୁ ଠିକ୍‌ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି । ବର୍ତ୍ତମାନ ସେ ରେକର୍ଡର ଏକ ମହାଦ୍ରୁମରେ ପରିଣତ ହୋଇସାରିଛନ୍ତି । ନିଜ ନାମର ସାର୍ଥକତାକୁ ସେ ପ୍ରମାଣ କରିସାରିଛନ୍ତି ।

ଗତ କିଛି ମାସ ତଳେ ସେ ଭାରତକୁ ଗୋଟିଏ ଦଶନ୍ଧି ପରେ ଆଇସିସି ବିଶ୍ୱକପ୍ ଟ୍ରଫି ଜିତାଇଥିଲେ । ଏହା ସହ ସେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ତିନୋଟି ଧଳା ବଲ ଆଇସିସି ଟ୍ରଫି ଜିତିନେଇଛନ୍ତି । ଖେଳ ପ୍ରତି ତାଙ୍କର ଭଲ ପାଇବା, ନିଷ୍ଠା ଓ ସର୍ବୋପରି ତାଙ୍କର ସାଧନା ହିଁ ତାଙ୍କୁ ବିରାଟ କରି ଗଢ଼ି ତୋଳିଛି ।

ତେବେ ଠିକ ୧୬ ବର୍ଷ ତଳେ ସେ ଭାରତକୁ ଅଣ୍ତର-୧୯ ବିଶ୍ୱକପ୍ ଜିତାଇ ନିଜ ଯୁଗର ଅୟମାରମ୍ଭ କରିଥିଲେ । ଉକ୍ତ ଟୁର୍ନାମେଣ୍ଟରେ ସେ ହାରାହାରି ୨୭ ଟି ମ୍ୟାଚରେ ୨୩୫ ରନ୍ ସଂଗ୍ରହ କରିଥିଲେ । ତେବେ ତାଙ୍କର ଅଧିନାୟକତ୍ୱରେ ଭାରତ ବିଶ୍ୱକପ୍ ଜିତିନେଇଥିଲା ।

ଖେଳ ଜୀବନର ପ୍ରଥମ ମ୍ୟାଚ ସେ ବର୍ତ୍ତମାନର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ଖେଳିଥିଲେ । ନିଜର ପ୍ରଥମ ମ୍ୟାଚରେ ସେ ମାତ୍ର ୧୨ ରନ୍ ସ୍କୋର କରିଥିଲେ । ତେବେ ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ପ୍ରଥମ ସିରିଜରେ ସେ ପାଞ୍ଚଟି ମ୍ୟାଚ ଖେଳି ହାରାହାରି ୩୧.୮୦ ରେ ମାତ୍ର ୧୫୯ ରନ କରିଥିଲେ ।

ଏହା ପରେ ବର୍ଷ ପରେ ବର୍ଷ ବିତି ଚାଲିଲା ଓ ତାଙ୍କର ବ୍ୟାଟ୍‌ର ଧାର ଆହୁରି ଶାଣିତ ହୋଇଚାଲିଲା । କୋହଲିଙ୍କ ନାମ ଶୁଣିଲେ ବୋଲର୍‌ଙ୍କ ମଧ୍ୟରେ ଭୟ ପଶି ଯାଉଥିଲା । ପ୍ରତ୍ୟେକ ଫର୍ମାଟ୍‌ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ତାଙ୍କୁ ବିଶ୍ୱ କ୍ରିକେଟ ଇତିହାସରେ ଜଣେ ମହାନ ଖେଳାଳି ଭାବେ ଗଢ଼ି ତୋଳିଲା ।

ଭାରତ ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଜିତିବା ପରେ କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ଆଜି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୬ତମ ବର୍ଷ ପୂର୍ତ୍ତୀ ଅପେକ୍ଷାରେ ଆସନ୍ତୁ ତାଙ୍କର କିଛି ରେକର୍ଡ ଉପରେ ନଜର ପକାଇବା ...

ଚତୁର୍ଥ ସର୍ବୋଚ୍ଚ ଅନ୍ତର୍ଜାତୀୟ ରନ୍-ସ୍କୋରର୍

ବିରାଟ କୋହଲି ସମସ୍ତ ଫର୍ମାଟରେ ନିଜ ନାମରେ ୨୬୯୪୨ ରନ୍ ସ୍କୋର କରିଛନ୍ତି । ବର୍ତ୍ତମାନ ସେ କେବଳ ସଚିନ ତେନ୍ଦୁଲକର (୩୪୩୫୭), କୁମାର ସାଙ୍ଗାକାରା (୨୮୦୧୬) ଓ ରିକି ପଣ୍ଟିଂ (୨୭୪୮୩) ଙ୍କ ପଛରେ ରହିଛନ୍ତି । ଭାରତର ଏହି ପୂର୍ବତନ ଅଧିନାୟକ ମୋଟ୍ ୧୧୩ ଟେଷ୍ଟରେ ୮୮୪୮ ରନ୍, ODI ରେ ୧୩୯୦୬ ରନ୍ ଏବଂ T20I ରେ ୪୧୮୮ ରନ୍ ସ୍କୋର୍ କରିଛନ୍ତି ।

ଆଇପିଏଲ୍ ଇତିହାସରେ ସର୍ବୋଚ୍ଚ ରନ୍-ସ୍କୋରର୍

୨୦୦୮ ରେ ଉଦ୍‌ଘାଟନୀ ଉତ୍ସବରୁ ହିଁ ବିରାଟ ଆଇପିଏଲ କ୍ରମାଗତ ଭାବେ ଖେଳି ଆସୁଛନ୍ତି । ତେବେ ନିଜର ଏତେ ବର୍ଷର କ୍ୟାରିଅର୍ ଭିତରେ ସେ କେବଳ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିଛନ୍ତି । ଆଠ ଶତକ ଓ ୫୫ ଅର୍ଧଶତକ ସହ ସେ ୨୫୨ ଆଇପିଏଲ୍ ମ୍ୟାଚ ଖେଳି ବର୍ତ୍ତମାନ ସୁଦ୍ଧା ୮୦୦୪ ରନ୍ କରିଛନ୍ତି । ଆରସିବିର ଏହି ପୂର୍ବତନ ଅଧିନାୟକ ହାରାହାରି ୩୮.୬୭ ଏବଂ ଷ୍ଟ୍ରାଇକ୍ ହାର ୧୩୧.୯୭ ରେ ମୋଟ୍ ୭୦୫ ଚୌକା ଓ ୨୭୨ ଛକା ମାରିଛନ୍ତି । ସେ ୨୦୧୬ ସଂସ୍କରଣରେ ମାତ୍ର ୧୬ ଟି ମ୍ୟାଚ ଖେଳି ୯୭୩ ରନ୍ ସଂଗ୍ରହ କରି ଗୋଟିଏ ଆଇପିଏଲ୍ ସିଜନରେ ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି ।

ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ

ଭାରତର ସଫଳତମ ଟେଷ୍ଟ ଅଧିନାୟକ ଭାବରେ ବିରାଟଙ୍କ ନାମ ସର୍ବାଗ୍ରେ ଆସେ । ନିଜର ଆକ୍ରମଣକାରୀ ନେତୃତ୍ୱ ଶୈଳୀ ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହା ସହ ସେ ଭାରତୀୟ ଟେଷ୍ଟ କ୍ରିକେଟକୁ ମଧ୍ୟ ସଫଳତାର ଏକ ଉଚ୍ଚତମ ସ୍ତରକୁ ନେଇଯାଇଥିଲେ । ସେ ୬୮ ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିଲେ । ଯେଉଁଥିରେ ୪୦ଟି ଜିତିଥିବା ବେଳେ ମାତ୍ର ୧୭ ଟି ମ୍ୟାଚରେ ହାରିଥିଲେ । ତାଙ୍କ ନେତୃତ୍ୱରେ ୧୧ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା । ଏହା ସହ କୋହଲି ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଭାରତକୁ ଜିତାଇଥିଲେ ।

୫୦ଟି ODI ଶତକ

ବିରାଟ କୋହଲି ODI ବିଶ୍ୱକପ ସମୟରେ ନିଜର ୫୦ ତମ ODI ଟନ୍ ସହ ଇତିହାସ ପୁସ୍ତକରେ ତାଙ୍କ ନାମ ଲେଖିଥିଲେ । ସେ ୫୦ ଟି ଦିନିକିଆ ଶତକ ହାସଲ କରିବାର ଏକମାତ୍ର ବ୍ୟାଟର୍ । ସେ ଏହି ମାମଲାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ସଚିନ ୪୫୨ ଇନିଂସରେ ୪୯ ଟି ODI ଶତକ ହାସଲ କରିଥିଲେ । ଅନ୍ୟପଟେ କୋହଲି ମାତ୍ର ୨୭୯ ଇନିଂସରେ ତାଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ । ଏହା ସହ କୋହଲି ମଧ୍ୟ ନିଜ ନାମରେ ୮୦ ଶତକ ସହ ଦ୍ୱିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲକାରୀ ଖେଳାଳି ପାଲଟିଯାଇଛନ୍ତି । ଶହେ ଶତକ ସହ କେବଳ ସଚିନ ତେନ୍ଦୁଲକର ତାଙ୍କଠାରୁ ଆଗରେ ଅଛନ୍ତି ।

ଟେଷ୍ଟ ଅଧିନାୟକ ଭାବରେ ସର୍ବାଧିକ ଦ୍ୱିଶତକ

ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୭ ଡବଲ ଟନ୍ ସହ ଅଧିନାୟକ ଭାବରେ ସର୍ବାଧିକ ଶତକ ହାସନ କରିଛନ୍ତି । ପାଞ୍ଚ ଡବଲ୍ ଶତକ ସହ ବ୍ରାଏନ୍ ଲାରା ଦ୍ୱିତୀୟ ସ୍ଥାନରେ ଅଛନ୍ତି ।