ପାକିସ୍ତାନ ପାଇଁ ବଦଳିଯିବ ଭାରତର ସେମିଫାଇନାଲ ଭେନ୍ୟୁ ! ଜାଣନ୍ତୁ କାରଣ..

ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

Ind vs Pak

କ୍ରିକେଟ ବିଶ୍ୱକପ ୨୦୨୩ରେ ଏଯାବତ ଅପରାଜେୟ ରହିଛି ଟିମ ଇଣ୍ଡିଆ । ଅନ୍ୟ ୯ଟି ଟିମ୍ ଅତି କମରେ ଗୋଟି ମ୍ୟାଚରେ ପରାଜିତ ହୋଇସାରିଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଲଗାତାର ୮ଟି ମ୍ୟାଚରେ ବିଜୟ ସହ ସେମି-ଫାଇନାଲରେ ସ୍ଥାନ ପକ୍କା କରିଛି । ଏହା ପ୍ରାୟତଃ ନିଶ୍ଚିନ୍ତ ଯେ, ଭାରତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବ । ଏପରି ସ୍ଥିତିରେ ଭାରତୀୟ ଟିମ ପ୍ରଥମ ସେମିଫାଇନାଲ ମୁକାବିଲା, ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳିବ । ମାତ୍ର ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି ।

ଭାରତୀୟ ଟିମ ତା’ର ଶେଷ ରାଉଣ୍ଡ ରବିନ ଫର୍ମାଟ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ । ନଭେମ୍ବର ୧୨ରେ ଏହି ମ୍ୟାଚ୍ ଖେଳାଯିବ । ଏହା କ୍ରିକେଟ ବିଶ୍ୱକପର ତ୍ରୟୋଦଶ ସଂସ୍କରଣ । ଭାରତ ଦୁଇଥର ବିଶ୍ୱକପ ଟାଇଟେଲ୍ ୧୯୮୩ ଓ ୨୦୧୧ରେ ନିଜ ନାମରେ କରିଛି । ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ କଥା କହିଲେ, ନଭେମ୍ବର ୧୨ ତାରିଖରେ ରାଉଣ୍ଡ ରବିନ ମ୍ୟାଚ୍ ସବୁ ଶେଷ ହୋଇଯିବ । ମୋଟ ୧୦ଟି ଟିମ ମଧ୍ୟରୁ ୪ଟି ଟିମ ସେମି-ଫାଇନାଲକୁ ଉନ୍ନୀତ ହେବେ । ପ୍ରଥମ ସେମି-ଫାଇନାଲ ମୁକାବିଲା ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ ଓ ଦ୍ୱିତୀୟ ସେମି-ଫାଇନାଲ ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନସରେ ଖେଳାଯିବ । ଫାଇନାଲ ମୁକାବିଲା ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଛି ।

ପଏଣ୍ଟ ଟେବୁଲର ନମ୍ବର ୧ ଟିମ, ଚତୁର୍ଥ ନମ୍ବର ଟିମ ସହ ସେମି-ଫାଇନାଲ ଖେଳିବ । ନମ୍ବର ୪ ସ୍ଥାନ କଥା ଦେଖିଲେ, ତିନୋଟି ଟିମ୍ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ରେସ୍‌ରେ ରହିଛନ୍ତି । ତେବେ ଯଦି ପାକିସ୍ତାନ ସେମିଫାଇନାଲ ପାଇଁ କ୍ୱାଲିଫାଏ କରେ, ତେବେ..

ମୁମ୍ବାଇ ଆକ୍ରମଣ ପାଇଁ ମୁମ୍ବାଇରେ ହେବନି ମ୍ୟାଚ୍

ଯଦି ପାକିସ୍ତାନ ଟିମ ସେମି-ଫାଇନାଲରେ ପହଞ୍ଚେ, ତେବେ ମ୍ୟାଚର ଭେନ୍ୟୁ ବଦଳିଯିବ । ଏହାର କାରଣ ହେଉଛି, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସଂପୃକ୍ତି ରହିଥିଲା । ଏହାପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ । ଏପରିକି, ୨୦୦୮ ଠାରୁ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ମଧ୍ୟ ବ୍ୟାନ କରାଯାଇଛି । ଏପରି ସ୍ଥିତିରେ କୌଣସି ପ୍ରକାର ବିବାଦକୁ ଏଡ଼ାଇବାକୁ ପାକିସ୍ତାନର ସେମିଫାଇନାଲ ମ୍ୟାଚ୍ ମୁମ୍ବାଇ ବଦଳରେ କୋଲକାତାରେ କରିବାକୁ ଆଇସିସି ଓ ବିସିସିଆଇ ନିଷ୍ପତ୍ତି ନେଇଛନ୍ତି । ପଏଣ୍ଟ ଟେବୁଲରେ ପାକିସ୍ତାନ ଯେଉଁ ସ୍ଥାନରେ ଥାଉ ନା କାହିଁକି, କିଛି ଫରକ ପଡେନି ।

ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲକୁ ଉନ୍ନୀତ

ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଟିମ ଇଣ୍ଡିଆ ୮ଟି ମ୍ୟାଚ ଖେଳି ୧୬ ପଏଣ୍ଟ ହାସଲ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ ଖେଳି ୧୨ ପଏଣ୍ଟ ହାସଲ କରିଛି । ସେହିପରି ଅଷ୍ଟ୍ରେଲିଆ ୭ଟି ମ୍ୟାଚରୁ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଶେଷ ଦୁଇଟି ମ୍ୟାଚ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ଖେଳିବ କଙ୍ଗାରୁ ଟିମ । ଏପରି ହେଲେ ପାଟ୍ କମିନ୍ସଙ୍କ ନେତୃତାଧୀନ ଟିମ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିବାର ସମ୍ଭାବନା ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ତାର ଶେଷ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।

ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସମାନ ସଂଖ୍ୟକ ୮ଟି ଲେଖାଏଁ ମ୍ୟାଚ୍ ଖେଳି ୮-୮ ପଏଣ୍ଟ ହାସଲ କରି ବରାବର ସ୍ଥିତିରେ ରହିଛନ୍ତି । ନେଟ୍ ରନ ରେଟ୍ କାରଣରୁ କିୱି ଟିମ ଚତୁର୍ଥ ଓ ପାକିସ୍ତାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ତାର ଶେଷ ମ୍ୟାଚ ଶ୍ରୀଲଙ୍କା ସହ ଖେଳିବାକୁ ଥିବାବେଳେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ । ଆଫଗାନିସ୍ତାନ ମଧ୍ୟ ୭ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ହାସଲ କରିଛି । ମାତ୍ର ଆଫଗାନ ଟିମର ଶେଷ ଦୁଇଟି ମ୍ୟାଚ ବଡ଼ ଟିମ ବିପକ୍ଷରେ ରହିଛି । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ପ୍ରଦର୍ଶନ ଏହି ବିଶ୍ୱକପରେ ଅତ୍ୟନ୍ତ ନୈରାଶାଜନକ ରହିଛି । ୭ଟି ମ୍ୟାଚ ଖେଳିସାରିଥିବାବେଳେ ଜସ ବଲଟରଙ୍କ ନେତୃତାଧୀନ ଟିମ ୬ଟି ପରାଜୟର ସାମ୍ନା କରିଛି । ମାତ୍ର ୨ ପଏଣ୍ଟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ।