Astrospeak
  • Live TV
  • Read In English

Rishabh Pant T20 Career: T-20ରେ ରିଷଭ ପନ୍ତଙ୍କ ଆନ୍ତର୍ଜାତିକ କ୍ୟାରିଅର୍ କେତେ ସୁରକ୍ଷିତ ?

ଚଳିତ ଆଇପିଏଲ୍ ସିଜନ୍‌ରେ ବ୍ୟାଟିଂରେ ବାରମ୍ବାର ବିଫଳ ହେଉଛନ୍ତି ଏଲ୍‌ଏସ୍‌ଜିର ଅଧିନାୟକ ରିଷଭ ପନ୍ତ । ଏହା ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍ ଉପରେ ବି ଲଗାଇଦେଇଛି ପ୍ରଶ୍ନଚିହ୍ନ । ଏବେ ଚର୍ଚ୍ଚା ହେଉଛି ଯେ ଆଗାମୀ ଦିନରେ ପନ୍ତଙ୍କୁ ଅପସାରିତ କରି ଟି-୨୦ ଟିମ୍‌କୁ ଫେରିବେ କି ଇନ୍‌-ଫର୍ମ ଲୋକେଶ ରାହୁଲ?

ପନ୍ତଙ୍କ ଟି ୨୦ କ୍ୟାରିଅର
ପନ୍ତଙ୍କ ଟି ୨୦ କ୍ୟାରିଅର

ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କ ବ୍ୟାଟ୍ ସତେ ଯେମିତି ଶାନ୍ତ ପଡ଼ିଯାଇଛି । ଆଉ ଦେଖିବାକୁ ମିଳୁ ନାହିଁ ତାଙ୍କର ବଡ଼ ବଡ଼ ସଟ୍‌, ବ୍ୟାଟିଂ ଧମାକା । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍ ଉପରେ ବି ପ୍ରଶ୍ନଚିହ୍ନ ଲଗାଇଦେଇଛି ।

ଚଳିତ ଆଇପିଏଲ୍ ସିଜନ୍‌ରେ ପନ୍ତ ଏ ଯାବତ (ଏପ୍ରିଲ୍ ୨୪ ସୁଦ୍ଧା) ନଅ ମ୍ୟାଚ୍‌ର ଆଠ ଇନିଂସ୍‌ରେ ମାତ୍ର ୧୦୬ ରନ୍ ସଂଗ୍ରହ କରିଛନ୍ତି । ଏକଦା ଭାରତୀୟ ଟି-୨୦ ଟିମ୍‌ର ‘ଏକ୍ସ-ଫ୍ୟାକ୍ଟର’ କୁହାଯାଉଥିବା ପନ୍ତଙ୍କ ଅଚାନକ ଏଭଳି ଅବନତି ଏବେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ମଧ୍ୟ ଆଶାଜନକ ପ୍ରଦର୍ଶନ କରିପାରୁ ନାହିଁ ।

ଚଳିତ ଆଇପିଏଲ୍‌ରେ ଫ୍ଲପ୍ ଶୋ’

ଚଳିତ ବର୍ଷର ଆଦ୍ୟଭାଗରେ ଆୟୋଜିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଲୋକେଶ ରାହୁଲ ପ୍ରଥମ ପସନ୍ଦ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଟିମ୍‌ରେ ସାମିଲ୍ ହୋଇଥିଲେ । ପନ୍ତ ଟିମ୍‌ରେ ଥିଲେ ବି କୌଣସି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏହା ଫଳରେ ଆଇପିଏଲ୍ ୨୦୨୫କୁ ଆସିବା ବେଳକୁ ମ୍ୟାଚ୍ ଅଭ୍ୟାସ ପାଇଁ ତାଙ୍କୁ ପ୍ରାୟତଃ ସୁଯୋଗ ମିଳି ନ ଥିଲା । ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ସେ ମାତ୍ର ଗୋଟିଏ ରଣଜୀ ମ୍ୟାଚ୍ ଖେଳିଥିଲେ । ଏହା ତାଙ୍କ ଆଇପିଏଲ୍ ପ୍ରଦର୍ଶନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଚଳିତ ସିଜନ୍‌ରେ ଏ ଯାବତ ପନ୍ତଙ୍କ ବ୍ୟାଟିଂ ଆଭରେଜ୍ ୧୩.୨୫ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୯୬.୩୬ ରହିଛି ।

ସେ ୦, ୧୫, ୨, ୨, ୨୧, ୬୩, ୩ ଓ ୦ ରନ୍‌ର ଇନିଂସ୍ ଖେଳିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷ ଏକ ମ୍ୟାଚ୍‌ରେ ସେ ୬୩ ରନ୍ ସଂଗ୍ରହ କରିଥିଲେ । ଏହାଛଡ଼ା ସେ ଅନ୍ୟ କୌଣସି ମ୍ୟାଚ୍‌ରେ ୨୫ ରନ୍ ବି କରିପାରି ନାହାନ୍ତି । ଏଭଳି ପ୍ରଦର୍ଶନ ଯୋଗୁଁ ସେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏପ୍ରିଲ୍ ୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଖାତା ଖୋଲିପାରି ନ ଥିଲେ । ସେହି ମ୍ୟାଚ୍‌ରେ ଏଲ୍‌ଏସ୍‌ଜି ହାରିଯାଇଥିଲା । ଫର୍ମ ପାଇଁ ତାଙ୍କ ସଂଘର୍ଷ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି ।

ଟି-୨୦ ବିଶ୍ୱବିଜେତା ଟିମ୍‌ର ସଦସ୍ୟ ଥିଲେ ପନ୍ତ

ସଡ଼କ ଦୁର୍ଘଟଣାରୁ ସୁସ୍ଥ ହୋଇ ପନ୍ତ ପୁଣି ଆନ୍ତର୍ଜାତିକ କ୍ରିକେଟ୍ ଖେଳିବେ ଏବଂ ପୂର୍ବ ଭଳି ପ୍ରଦର୍ଶନ କରିବେ, ଏ କଥା ଗୋଟିଏ ସମୟରେ ଅନେକେ କଳ୍ପନା ବି କରିପାରୁ ନ ଥିଲେ । କିନ୍ତୁ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଟିମ୍ ଇଣ୍ଡିଆକୁ ଫେରିବା ପୂର୍ବରୁ ଆଇପିଏଲ୍ ୨୦୨୪ରେ ଖେଳି ଫର୍ମ ଓ ଫିଟ୍‌ନେସ୍ ସାବ୍ୟସ୍ତ କରିଥିଲେ । ଗତ ବର୍ଷ ଆୟୋଜିତ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ ସ୍ଥାନ ପାଇବା ଲାଗି ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଲୋକେଶ ରାହୁଲ, ସଞ୍ଜୁ ସାମ୍‌ସନ୍ ଓ ଈଶାନ କିଶନ ବି ଦୌଡ଼ରେ ଥିଲେ । କିନ୍ତୁ ପନ୍ତଙ୍କୁ ଅଗ୍ରାଧିକାର ଦିଆଯାଇଥିଲା ।
ଏଥିରେ ସେ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ କରି ଆଠ ମ୍ୟାଚ୍‌ରେ ୧୭୧ ରନ୍ ସଂଗ୍ରହ କରିଥିଲେ ।

ଭାରତ ମଧ୍ୟ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏହାପରଠାରୁ ପନ୍ତ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଅଧୀନରେ ମାତ୍ର ଦୁଇ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଗତ ବର୍ଷ ଜୁଲାଇରେ ସେ ଶ୍ରୀଲଙ୍କା ଠାରେ ଏହି ଦୁଇ ମ୍ୟାଚ୍ ଖେଳିଥିଲେ । ଏହାପରେ ଭାରତ ଚାରି ମାସ ମଧ୍ୟରେ ୧୦ ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିବାରୁ ପନ୍ତଙ୍କୁ ହ୍ୱାଇଟ୍‌-ବଲ୍ ଟିମ୍‌ରେ ନିଆଯାଇ ନ ଥିଲା ।

ପନ୍ତଙ୍କୁ ହଟାଇ ଟି-୨୦ ଟିମ୍‌କୁ ଫେରିବେ କି ରାହୁଲ

ଚଳିତ ଆଇପିଏଲ୍‌ରେ ଗୋଟିଏପଟେ ପନ୍ତ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଡିସି ପକ୍ଷରୁ ଖେଳୁଥିବା ରାହୁଲ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି । ଆଜି ପନ୍ତ ଯେଉଁ ଟିମ୍‌ର ଅଧିନାୟକତ୍ୱ କରୁଛନ୍ତି, ପୂର୍ବରୁ ରାହୁଲ ସେହି ଟିମ୍‌ର ନେତୃତ୍ୱ ନେଉଥିଲେ । ସେହିପରି ରାହୁଲ ଏବେ ଯେଉଁ ଟିମ୍ ପକ୍ଷରୁ ଖେଳୁଛନ୍ତି, ପୂର୍ବରୁ ପନ୍ତ ସେହି ଟିମ୍‌ର ଅଧିନାୟକତ୍ୱ କରୁଥିଲେ । ଡିସି ପକ୍ଷରୁ ଖେଳୁଥିବା ବେଳେ ପନ୍ତ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଛନ୍ତି, କିନ୍ତୁ ଏଲ୍‌ଏସ୍‌ଜିକୁ ଆସିବା ପରେ ପ୍ରଭାବଶୂନ୍ୟ ପ୍ରଦର୍ଶନ କରୁଛନ୍ତି । ତେବେ ରାହୁଲ ପ୍ରଭାବିତ କରିପାରିଛନ୍ତି । ସେ ଏ ଯାବତ ସାତ ମ୍ୟାଚ୍ ଖେଳି ୩୨୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ୍ ୬୪.୬୦ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୫୩.୮୦ ରହିଛି ।

ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ବି ତାଙ୍କୁ ନିରନ୍ତରତା ବଜାୟ ରଖିବାକୁ ହେବ । କ୍ଷୁଦ୍ରତମ ଫର୍ମାଟ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରାହୁଲ, ସଞ୍ଜୁ, ଈଶାନଙ୍କ ଠାରୁ ପନ୍ତଙ୍କୁ ଅଗ୍ରାଧିକାର ଦିଆଯାଇଆସୁଛି । କିନ୍ତୁ ଆଗକୁ କ’ଣ ସେଇଆ ହେବ? ଭବିଷ୍ୟତରେ କୌଣସି ସିରିଜ୍ ପାଇଁ ଟି-୨୦ ଟିମ୍ ଚୟନ ବେଳେ ଚୟନକାରୀମାନେ ରାହୁଲଙ୍କ ଉତ୍‌ଥାନକୁ ବିଚାରକୁ ନେଇପାରନ୍ତି । ରାହୁଲ ଏ ଯାବତ ୭୨ ଟି-୨୦ ଆନ୍ତର୍ଜାତିକ ଖେଳି ୨୨୬୫ ରନ୍ ସଂଗ୍ରହ କରିଛନ୍ତି, ହେଲେ ୨୦୨୨ ନଭେମ୍ବର ପରଠାରୁ ତାଙ୍କୁ ଟି-୨୦ ଟିମ୍‌ରେ ସ୍ଥାନ ମିଳି ନାହିଁ । ତାଙ୍କୁ ଆଇପିଏଲ୍ ପ୍ରଦର୍ଶନର ପୁରସ୍କାର ସ୍ୱରୂପ ପୁନର୍ବାର ଟି-୨୦ ଟିମ୍‌ରେ ସାମିଲ୍ କରାଯାଇପାରେ ।

ଅନ୍ୟପଟେ ପନ୍ତଙ୍କ ପଥ ଦୁର୍ଗମ ହୋଇଛି । ଏଲ୍‌ଏସ୍‌ଜିର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଫର୍ମ ହାସଲ କରିବା ତାଙ୍କ ପାଇଁ ଜରୁରୀ ହୋଇଯାଇଛି । ଦିନିକିଆ ଟିମ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରାହୁଲଙ୍କ ସ୍ଥାନ ମଜଭୁତ ହୋଇଗଲାଣି । ଏବେ ପନ୍ତଙ୍କ ପାଇଁ ସେଠାରେ ବାଟ ବନ୍ଦ । ଯଦି ରାହୁଲ ଟି-୨୦ ଟିମ୍‌କୁ ଫେରନ୍ତି, ତା’ହେଲେ ପନ୍ତଙ୍କ କ୍ୟାରିଅର୍ କେବଳ ଟେଷ୍ଟ କ୍ରିକେଟ୍ ମଧ୍ୟରେ ସୀମିତ ହୋଇରହିଯିବ । ଏବେ ପନ୍ତଙ୍କ ଟି-୨୦ କ୍ୟାରିଅର୍ ସୁରକ୍ଷିତ ନୁହେଁ । ତାହାକୁ ପୁନର୍ଜୀବିତ କରିବା ପାଇଁ ତାଙ୍କୁ କିଛି କମାଲ୍ କରିବାକୁ ହେବ ।