Sports: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ସିରିଜ୍‌ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ହାସଲ ପାଇଁ ଏହା ଖେଳାଳିଙ୍କ ଲାଗି ଶେଷ ସୁଯୋଗ ।

ଇଂଲଣ୍ଡ ସିରିଜ୍ ଶେଷ ସୁଯୋଗ

ଟିମ୍ ଇଣ୍ଡିଆ ନିକଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ସିରିଜ୍‌କୁ ୪-୧ରେ କବ୍‌ଜା କରିଛି । ଏହା ଟି-୨୦ରେ ଭାରତର ଆଧିପତ୍ୟକୁ ଦର୍ଶାଉଛି, ଯାହା ଗତ ବର୍ଷ ଜୁନ୍‌ରେ ଟି-୨୦ ବିଶ୍ୱକପ୍ ବିଜୟରୁ ଆରମ୍ଭ ହୋଇଥିଲା । ଏହି ସଫଳତା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) କ୍ଷତ ଉପରେ କେତେକାଂଶରେ ମଲମ ଲଗାଇଛି ।

ତେବେ ବର୍ତ୍ତମାନ ସମୟ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଦିନିକିଆ ଆନ୍ତର୍ଜାତିକ । ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇ ଠାରେ ଆରମ୍ଭ ହେବ । ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ୫୦-ଓଭର୍ ଫର୍ମାଟ୍‌ରେ ଖେଳାଯିବ । ତେଣୁ ଭାରତୀୟ ଟିମ୍ ଅଧିକ ଟି-୨୦ ବଦଳରେ ଅଧିକ ଦିନିକିଆ ମ୍ୟାଚ୍ ଖେଳିବା ଜରୁରୀ ଥିଲା ।

ଟି-୨୦ ବିଶ୍ୱକପ୍ ୨୦୨୪ ପରଠାରୁ ଟିମ୍ ଏ ଯାବତ ମାତ୍ର ତିନି ଦିନିକିଆ ମ୍ୟାଚ୍ ଖେଳିଛି ଏବଂ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଆଉ ତିନିଟି ମ୍ୟାଚ୍ ଖେଳିବ, ଯାହା ଇଂଲଣ୍ଡ ବିପକ୍ଷରେ ଫେବ୍ରୁଆରୀ ୬ରୁ ଆରମ୍ଭ ହେବ । ତେଣୁ ଇଂଲଣ୍ଡ ବିପକ୍ଷ ଏହି ଘରୋଇ ସିରିଜ୍ ଖୁବ୍ ଗୁରୁତ୍ୱ ବହନ କରେ ।

ଏହି ସିରିଜ୍‌ରେ ରୋହିତ ଶର୍ମାଙ୍କ ଟିମ୍ ନିଜ ସାମର୍ଥ୍ୟକୁ ପରଖିବ । ଫର୍ମ ହାସଲ ପାଇଁ ଖେଳାଳିଙ୍କ ଲାଗି ଏହା ଶେଷ ସୁଯୋଗ । ଚାମ୍ପିଅନ୍ସ ଟ୍ରଫିରେ ଟିମ୍ କିଭଳି ପ୍ରଦର୍ଶନ କରିବ, ଏହି ସିରିଜ୍‌ରୁ ତାହାର ପ୍ରାକ୍‌-ସଙ୍କେତ ମିଳିବ ।

ଫର୍ମ ହାସଲ କରିବେ କି ଭେଟେରାନ୍ ବ୍ୟାଟର୍‌

ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଭିଷେକ ଶର୍ମାଙ୍କ ଭଳି ଯେଉଁ ଯୁବ ବ୍ୟାଟର୍‌ମାନେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ, ସେମାନେ ଦିନିକିଆ ଟିମ୍‌ରେ ନାହାନ୍ତି । ଇଂଲଣ୍ଡ ସିରିଜ୍ ପାଇଁ ମନୋନୀତ ଟିମ୍ ଚାମ୍ପିଅନ୍ସ ଟ୍ରଫିରେ ଖେଳିବ । ତେଣୁ ଅଭିଜ୍ଞ ଖେଳାଳିମାନଙ୍କୁ ଗୁରୁତ୍ୱ ଦିଆଯାଇଛି, ହେଲେ ସେମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ବ୍ୟାଟର୍ ଫର୍ମରେ ନାହାନ୍ତି ।

ନିକଟରେ ରୋହିତ ଓ ବିରାଟ ଗୋଟିଏ ଲେଖାଏଁ ରଣଜୀ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଉଭୟ ବିଫଳ ହୋଇଥିଲେ । ଏଥିରେ ରୋହିତ ୩ ଓ ୨୮ ରନ୍‌ର ଇନିଂସ୍ ଖେଳିଥିବା ବେଳେ ବିରାଟ ଗୋଟିଏ ଇନିଂସ୍ ଖେଳି ୬ ରନ୍ କରିଥିଲେ ।ଡବ୍ଲ୍ୟୁଟିସି ୨୦୨୪-୨୫ ଚକ୍ରରେ ଭାରତୀୟ ଟିମ୍ ଫାଇନାଲ୍‌କୁ ଯାଇପାରି ନାହିଁ । ଟିମ୍‌ର ଅଭିଜ୍ଞ ବ୍ୟାଟର୍‌ମାନେ କ୍ରମାଗତ ନିରାଶ କରିଥିଲେ । ଏହାପରେ ସବୁ ଖେଳାଳିଙ୍କ ପାଇଁ ରଣଜୀ ଖେଳିବା ବାଧ୍ୟତାମୂଳକ କରାଯାଇଥିଲା ।

ରୋହିତ, ବିରାଟ ଓ ରବୀନ୍ଦ୍ର ଜାଡ଼େଜା ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇସାରିଛନ୍ତି । ଟେଷ୍ଟରେ ସେମାନଙ୍କ ଭବିଷ୍ୟତ ଅନ୍ଧାର । ଆଗାମୀ ଚକ୍ରରେ ସେମାନଙ୍କୁ ଟିମ୍‌ରେ ସାମିଲ୍ କରାଯିବ କି ନାହିଁ, ତାହା ବଡ଼ ପ୍ରଶ୍ନ । ଦିନିକିଆରେ ବି ସେମାନଙ୍କ ମୁ୍‌ଣ୍ଡ ଉପରେ ଖଣ୍ଡା ଝୁଲୁଛି । ଯଦି ଚାମ୍ପିଅନ୍ସ ଟ୍ରଫିରେ ସେମାନଙ୍କ ପ୍ରଦର୍ଶନ ଆଶାଜନକ ନ ହେବ, ତା’ହେଲେ ସେମାନଙ୍କ ଉପରେ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିବାର ଚାପ ପଡ଼ିପାରେ ।

କେବଳ ରୋହିତ ଓ ବିରାଟ ନୁହନ୍ତି, ସବୁ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଉତ୍ତମ ପ୍ରଦର୍ଶନ କରିବାକୁ ପଡ଼ିବ । ଟିମ୍‌କୁ ବିଜୟଧାରାକୁ ଫେରିବାକୁ ହେବ । ଭାରତୀୟ ଟିମ୍ ଶେଷ ଥର ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା । କିନ୍ତୁ ରୋହିତ ଓ ବିରାଟଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ଆଶ୍ଚର୍ଯ୍ୟଜନକ ଭାବେ ୦-୨ରେ ସିରିଜ୍ ହାରିଯାଇଥିଲା ।

ପେସ୍ ଆକ୍ରମଣର ନେତୃତ୍ୱ ନେବେ ଶାମୀ

ଭାରତୀୟ ଟିମ୍‌ର ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍‌ରା ଫିଟ୍ ନାହାନ୍ତି । ଏପରିକି ସେ ଚାମ୍ପିଅନ୍ସ ଟ୍ରଫି ଖେଳିପାରିବେ କି ନାହିଁ; ଯଦି ଖେଳିବେ, ତା’ହେଲେ କେତେ ମ୍ୟାଚ୍ ଖେଳିବେ, ସେଥିନେଇ ଏ ଯାବତ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ସେ ନ ଖେଳିବା ସ୍ଥଳେ ଟିମ୍‌ର ବାକି ପେସର୍‌ଙ୍କ ଉପରେ ଦାୟିତ୍ୱ ବଢ଼ିଯିବ । ବୁମ୍‌ରା ବାଦ୍ ପଡ଼ିଲେ, ତାଙ୍କ ବ୍ୟାକ୍‌ଅପ୍ ଭାବେ ଥିବା ହର୍ଷିତ ରାଣାଙ୍କୁ ୧୫ଜଣିଆ ଟିମ୍‌ରେ ସାମିଲ୍ କରାଯିବ । ଟିମ୍‌ରେ ବିଶେଷଜ୍ଞ ପେସର୍ ଭାବେ ବୁମ୍‌ରାଙ୍କ ଛଡ଼ା ମହମ୍ମଦ ଶାମୀ ଓ ଅର୍ଶଦୀପ ସିଂହ ରହିଥିବା ବେଳେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ବି ପେସ୍ ବୋଲିଂ କରିବେ । ସିନିଅର୍ ହୋଇଥିବା ଦୃଷ୍ଟିରୁ ବୁମ୍‌ରାଙ୍କ ଅନୁପସ୍ଥିତି ସ୍ଥଳେ ଶାମୀ ପେସ୍ ଆକ୍ରମଣର ନେତୃତ୍ୱ ନେବେ । ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ଅନୁରୂପ ଭୂମିକା ତୁଲାଇବେ ।

ନିକଟରେ ଶାମୀ ଆଘାତରୁ ସୁସ୍ଥ ହୋଇ ୧୪ ମାସ ପରେ ଆନ୍ତର୍ଜାତିକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ଓ ପଞ୍ଚମ ମ୍ୟାଚ୍‌ରେ ଖେଳିଥିଲେ । ତୃତୀୟ ମ୍ୟାଚ୍‌ରେ ସେ ୱିକେଟ୍ ପାଇ ନ ଥିଲେ, କିନ୍ତୁ ପଞ୍ଚମ ମ୍ୟାଚ୍‌ରେ ତିନି ୱିକେଟ୍ ନେଇଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିବ । ଦିନିକିଆରେ ସେ ଏହାକୁ ଦୋହରାଇବାକୁ ଚାହିଁବେ । ଏହା ପୂର୍ବରୁ ଶାମୀ ମ୍ୟାଚ୍ ଫିଟ୍‌ନେସ୍ ପାଇଁ ଘରୋଇ କ୍ରିକେଟ୍ ଖେଳି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଆଘାତରୁ ସୁସ୍ଥ ହେବା ପରେ ସେ ରଣଜୀ ଟ୍ରଫି ୨୦୨୪-୨୫ର ରାଉଣ୍ଡ-୧ରେ ବଙ୍ଗଳା ପକ୍ଷରୁ ମଧ୍ୟ ପ୍ରଦେଶ ବିପକ୍ଷ ମ୍ୟାଚ୍ ଜରିଆରେ କ୍ରିକେଟ୍‌କୁ ଫେରିଥିଲେ । ଏଥିରେ ସେ ୩.୬ ଇକୋନମୀ ରେଟ୍‌ରେ ବୋଲିଂ କରି ୭ ୱିକେଟ୍ ନେଇଥିଲେ । ଏହାଛଡ଼ା ଶାମୀ ସୟଦ ମୁସ୍ତାକ୍ ଅଲୀ ଟ୍ରଫି (ଟି-୨୦)ରେ ନଅ ମ୍ୟାଚ୍ ଖେଳି ୧୧ ୱିକେଟ୍ ନେଇଥିବା ବେଳେ ବିଜୟ ହଜାରେ ଟ୍ରଫି (ଦିନିକିଆ)ରେ ତିନି ମ୍ୟାଚ୍ ଖେଳି ପାଞ୍ଚ ୱିକେଟ୍ ଅକ୍ତିଆର କରିଥିଲେ ।
 

ରାହୁଲ ଓ ପନ୍ତଙ୍କ ଉପରେ ରହିବ ନଜର

ଭାରତୀୟ ଦିନିକିଆ ଟିମ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଲୋକେଶ ରାହୁଲ ଓ ରିଷଭ ପନ୍ତଙ୍କୁ ସାମିଲ୍ କରାଯାଇଛି । ଚାମ୍ପିଅନ୍ସ ଟ୍ରଫିରେ ଚୂଡ଼ାନ୍ତ ଏକାଦଶରେ ଉଭୟଙ୍କ ମଧ୍ୟରୁ ଜଣେ ଖେଳିବେ । ଇଂଲଣ୍ଡ ବିପକ୍ଷରେ ମଧ୍ୟ ସେଇଆ ଦେଖିବାକୁ ମିଳିପାରେ । ସୁଯୋଗ ପାଇବା ସ୍ଥଳେ କିଏ କେତେ ଭଲ ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ସେମାନଙ୍କ ସ୍ଥାୟିତ୍ୱ ନିର୍ଭର କରିବ ।

ମଧ୍ୟକ୍ରମରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ । ରାହୁଲ ଅଭିଜ୍ଞ, କିନ୍ତୁ ପନ୍ତ ବାମହାତି ହୋଇଥିବାରୁ ବ୍ୟାଟିଂ ଲାଇନ୍‌-ଅପ୍‌ରେ ବିବିଧତା ଆସିବ । ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଉପରେ ବି ଟିମ୍ ମ୍ୟାନେଜ୍‌ମେଣ୍ଟର ନଜର ରହିବ । ଶୁଭମନ ଅଧିନାୟକ ରୋହିତଙ୍କ ସହ ଓପନିଂ କରିବା ନିଶ୍ଚିତ । ଯଦି ସେ କ୍ରମାଗତ ବିଫଳ ହୁଅନ୍ତି, ତା’ହେଲେ ଯଶସ୍ୱୀ ଜୟସ୍ୱାଲଙ୍କ ପାଳି ପଡ଼ିବ ଅନ୍ୟଥା ଏହି ବାମହାତି ବ୍ୟାଟର୍‌ଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍ ।

ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସଙ୍କ ଉପରେ ମଧ୍ୟ ଇଂଲଣ୍ଡ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାର ଚାପ ରହିବ । ଅନ୍ୟ ଫର୍ମାଟ୍ ପାଇଁ ଟିମ୍‌ରେ ସ୍ଥାନ ପାଉ ନ ଥିବାରୁ ଦିନିକିଆ ଫର୍ମାଟ୍ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆକୁ ପୂର୍ବତନ କ୍ରିକେଟର୍ ରିକି ପଣ୍ଟିଂ ଫାଇନାଲିଷ୍ଟ ଓ ସୌରଭ ଗାଙ୍ଗୁଲି ସେମିଫାଇନାଲିଷ୍ଟଙ୍କ ମଧ୍ୟରେ ସାମିଲ୍ କରିଛନ୍ତି । ତେବେ ଏହା ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଏବଂ ଏଥିରେ ଟିମ୍‌ର ଅଭିଯାନ ଆଦୌ ସହଜ ହେବ ନାହିଁ ।

ଅଧିନାୟକ ରୋହିତ ଓ ଟିମ୍‌ର ଅନ୍ୟ ସଦସ୍ୟ ଏ କଥା ଭଲ ଭାବରେ ଜାଣନ୍ତି । ନିରାପତ୍ତା ଦୃଷ୍ଟିକୋଣରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଚାପ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍‌ରେ ଖେଳାଯାଉଛି । ଏଥିରେ ଟିମ୍‌ର ସମ୍ମାନ ଓ ଅନେକ ଖେଳାଳିଙ୍କ କ୍ୟାରିଅର୍ ବନ୍ଧା ପଡ଼ିବ । ତେଣୁ ଟିମ୍ ଇଣ୍ଡିଆ ଅନ୍ତତଃ ଫାଇନାଲ୍‌ରେ ପହଞ୍ଚିବା ଜରୁରୀ ।