ଆର୍ଥିକ ଦୁର୍ଦ୍ଦଶା ବେଳେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ସିଂହଳୀ କ୍ରିକେଟର୍‌ ରୋଶନ ମହାନାମା

ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍‌ ବିଜୟୀ କ୍ରିକେଟର ରୋଶନ ମହାନାମା ।

Roshan Mahanama

ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ଲୋକଙ୍କ ଦୁର୍ଦ୍ଦଶା ଦେଖିପାରିଲେନି ଆଉ ମାନବିକତା ଦେଖାଇଲେ ଶ୍ରୀଲଙ୍କା ବିଶ୍ୱ ବିଜୟୀ କ୍ରିକେଟ ଦଳର ସଦସ୍ୟ ତଥା ଏକଦା ବିଶ୍ୱ କ୍ରିକେଟର ଜଣେ ଦକ୍ଷ ବ୍ୟାଟସମ୍ୟାନ ରୋଶନ ମହାନାମା । ପେଟ୍ରୋଲ ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଲୋକଙ୍କୁ ନିଜ ଖର୍ଚ୍ଚରୁ ଚାହା ସହ ବ୍ରେଡ ଓ ଖାଦ୍ୟ ଯୋଗାଇଛନ୍ତି ରୋଶନ ମହାନାମା ।

ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଂକଟ ସ୍ଥିତି ଦେଖାଦେଇଛି । ପରିସ୍ଥିତି ଏପରି ହେଲାଣଇ ଯେ ଖାଦ୍ୟ, ଔଷଧ ଓ ଇନ୍ଧନର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଲାଗି ପମ୍ପ ଆଗରେ ଏକ କିଲୋମିଟର ଧରି ଲମ୍ବା ଲାଇନ ଲାଗିଛି ତ କେଉଁଠି ମେଡିସିନ ପାଇବା ଲାଗି ଲୋକେ କାକୁତିମୀନତି ହେଉଛନ୍ତି ।

ଏଭଳି ସ୍ଥିତିରେ ମାନବିକତାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାବାସୀଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି ମହାନାମା । ପେଟ୍ରୋଲ ପମ୍ପ ଆଗରେ ଲାଗିଥିବା ଲମ୍ବା ଲାଇନକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ସେନା ମୁତୟନ କରାଯାଇଛି । ସେପଟେ ଏଭଳି ସ୍ଥିତିକୁ ନଜରରେ ରଖି ଶ୍ରୀଲଙ୍କାରେ ସରକାରୀ ଅଫିସ ସାଙ୍ଗକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ୨ ସପ୍ତାହ ଲାଗି ବନ୍ଦ ଘୋଷଣା କରାଯାଇଛି ।

 

ମହାନାମା ଆହୁରି କହିଛନ୍ତି ଯେ, " ଇନ୍ଧନ ଧାଡିରେ ଛିଡାହୋଇଥିବା ଲୋକେ ଦୟାକରି ପରସ୍ପରର ଯତ୍ନ ନିଅନ୍ତୁ । ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଏବଂ ଖାଦ୍ୟ ଆଣନ୍ତୁ । ଯଦି ଆପଣ ଅସୁବିଧାରେ ଅଛନ୍ତି, ତେବେ ଦୟାକରି ନିକଟତମ ବ୍ୟକ୍ତିଙ୍କ ନିକଟକୁ ଯାଇ ସାହାଯ୍ୟ ମାଗନ୍ତୁ । ଯଦି ସାହାଯ୍ୟ ନ ମିଳେ ତେବେ ୧୯୯୦ କୁ କଲ କରନ୍ତୁ। ଦେଶର ଏଭଳି ସଂକଟ ସ୍ଥିତିରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବାକୁ ପଡ଼ିବ”।