ଦେବାଶିଷ ଆଉଟ୍‌, ଫୁଟବଲ ସଂଘର ସଭାପତି ହେଲେ ସମୀର ଦେ

ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର ।

FAO President

ଫୁଟବଲ ଆସୋସିଏସନ ଅଫ ଓଡିଶା ବା ‘ଫାଓ’ର ସଭାପତି ହେଲେ ବିଜେପି ନେତା ସମୀର ଦେ । ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର । ରାଜ୍ୟ ସରକାର ବଦଳିବା ପରେ କ୍ରୀଡା ସଙ୍ଘରୁ ବିଜେଡି ନେତା ଯିବା ଆଉ ବିଜେପି ନେତାଙ୍କ ଏଣ୍ଟ୍ରି କୁ ନେଇ ସରଗରମ ହୋଇଛି କ୍ରୀଡା ରାଜନୀତି ।

ଦେବାଶିଷ ସାମନ୍ତରାୟ ଦୀର୍ଘ ୫ ବର୍ଷ ଧରି ‘ଫାଓ’ର ସଭାପତି ଥିବା ବେଳେ ଆସନ୍ତା ୨୧ ତାରିଖରେ ଫାଓର ନିର୍ବାଚନରେ ମଧ୍ୟ ସେ ପୁଣି ଥରେ ଏହି ପଦ ପାଇଁ ଲଢିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପୂର୍ବରୁ ଯେଉଁ ଫୁଟବଲ କ୍ଲବ ଦେବାଶିଷ ସାମନ୍ତରାୟଙ୍କ ନାଁ ଫାଓକୁ ପଠାଇଥିଲା ସେହି କ୍ଲବ ଚଳିତଥର ତାଙ୍କ ନାଁ ଆଉ ପଠାଇଲା ନାହିଁ ।

ସବୁଠାରୁ ବଡ଼ କଥା ହେଉଛି ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇଥିଲା । ଏହା ଜାଣିପାରି ଦେବାଶିଷ ଫାଓ ସଭାପତି ପଦରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ ‘ଫାଓ’ ସଭାପତି ଭାବେ ସମୀର ଦେ’ ଓ ସମ୍ପାଦକ ଭାବେ ଆର୍ଶୀବାଦ ବେହେରାଙ୍କ ସହ ଅନ୍ୟ ପଦାଧିକାରୀମାନେ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ୨୧ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ତେବେ ଏନେଇ ଆର୍ଶୀବାଦ ବେହେରା କହିଛନ୍ତି, ‘ଆମେ ବିଜେଡି ସରକାରକୁ ସହଯୋଗ କରୁଥିଲୁ ହେଲେ ଏବେ ନୂଆ ସରକାର ଆସିଛି ଆମେ ତାଙ୍କୁ ନେଇ କ୍ରୀଡାର ବିକାଶ କରିବୁ । ବିନା ସରକାରଙ୍କ ସହାୟତାରେ କ୍ରୀଡାର ବିକାଶ ହୋଇପାରିବ ନାହିଁ’ ।