Advertisment

RCB's First IPL Win: ଆଇପିଏଲ୍‌ରେ କେମିତି ମୁକୁଟ ଜିତିଲା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ୍‌ରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଟିମ୍‌ର ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ତେବେ ଏଥର ଟିମ୍ କେମିତି ଚାମ୍ପିଅନ୍ ହେଲା, କ’ଣ ରହିଛି ଏହା ପଛର କାରଣ - ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।

ଅଦ୍ୟତନ ହୋଇଛି
RCB ସଫଳତା

RCB ସଫଳତା

Advertisment

୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ଇତିହାସରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) । ଆଇପିଏଲ୍ ୨୦୨୫ର ଫାଇନାଲ୍‌ରେ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଟିମ୍ ୬ ରନ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଥିଲା । ବାଙ୍ଗାଲୋରର ସଫଳତା ପଛରେ ପୂରା ଟିମ୍‌ର ଯୋଗଦାନ ଥିଲା । ଟିମ୍ ଯେଉଁ ୧୧ ମ୍ୟାଚ୍ ଜିତିଥିଲା, ସେଥିରେ ନଅ ଜଣ ଭିନ୍ନ ଭିନ୍ନ ଖେଳାଳି ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ । ନଅ ବର୍ଷ ପୂର୍ବେ ଆର୍‌ସିବି ଟିମ୍ ଫାଇନାଲ୍‌ରେ ସ୍ଥାନ ପାଇଥିଲା, ହେଲେ ଚାମ୍ପିଅନ୍ ହୋଇପାରି ନ ଥିଲା । ୧୮ତମ ସିଜନ୍ ପୂର୍ବରୁ ଟିମ୍ ମୁକୁଟ ଜିତିବ ବୋଲି କେହି ଦୃଢ଼ନିଶ୍ଚିତ ନ ଥିଲେ । ତେବେ ଏଥର ଟିମ୍ କେମିତି ଚାମ୍ପିଅନ୍ ହେଲା, କ’ଣ ରହିଛି ଏହା ପଛର କାରଣ - ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।

Advertisment

ମେଗା ନିଲାମ ପୂର୍ବରୁ ବିଜୟୀ ରଣକୌଶଳ ପ୍ରସ୍ତୁତ

ଗତ ବର୍ଷ ନଭେମ୍ବରରେ ହୋଇଥିବା ମେଗା ନିଲାମ ପୂର୍ବରୁ ଆର୍‌ସିବି ବିଜୟୀ ରଣକୌଶଳ ପ୍ରସ୍ତୁତ କରିଥିଲା । ମେଣ୍ଟର ଦିନେଶ କାର୍ତ୍ତିକ ନିର୍ଦ୍ଦେଶକ ମୋ ବୋବତ ଓ କୋଚ୍ ଆଣ୍ଡି ଫ୍ଲାୱାରଙ୍କ ସହିତ ଯୋଜନା ପ୍ରସ୍ତୁତ କରି ଶ୍ରେଷ୍ଠ ଟିମ୍ କିଣିଥିଲେ । ଅତୀତରେ କ୍ରିସ୍ ଗେଲ୍‌, ଏବି ଡି’ଭିଲିଅର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଫାଫ୍ ଡୁ’ ପ୍ଲେସିସ୍‌ଙ୍କ ଭଳି ବଡ଼ ଖେଳାଳିଙ୍କ ଉପରେ ବାଜି ଲଗାଇଥିବା ଆର୍‌ସିବି ଏଥର ବିରାଟ କୋହଲିଙ୍କ ଛଡ଼ା କୌଣସି ବଡ଼ ଖେଳାଳିଙ୍କୁ ରିଟେନ୍ କରି ନ ଥିଲା । ମ୍ୟାନେଜ୍‌ମେଣ୍ଟ କିଭଳି ପ୍ରତି ଭୂମିକା ପାଇଁ ଭିନ୍ନ ଭିନ୍ନ ଖେଳାଳିଙ୍କୁ କିଣିଥିଲା, କାର୍ତ୍ତିକ ଆର୍‌ସିବିର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ତାହାର ସୂଚନା ଦେଇଥିଲେ ।

ଓପନିଂ, ମିଡିଲ୍ ଅର୍ଡର, ଫିନିଶିଂ, ସ୍ପିନ୍‌ରୁ ନେଇ ପାୱାରପ୍ଲେ ଓ ଡେଥ୍ ଓଭର୍ ବୋଲିଂ ପର୍ଯ୍ୟନ୍ତ - ସବୁ ପାଇଁ ଟିମ୍ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ନେବା ଲାଗି ସ୍ଥିର କରିଥିଲା । ଏହାପରେ ନିଲାମରେ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ହିଁ କିଣାଗଲା । ସର୍ବଶ୍ରେଷ୍ଠ ନ ମିଳିବା ସ୍ଥଳେ ଦ୍ୱିତୀୟ ସର୍ବଶ୍ରେଷ୍ଠଙ୍କୁ କିଣାଗଲା, ତେବେ ଭୂମିକା ଆଧାରିତ ଖେଳାଳିଙ୍କ ଉପରେ ହିଁ ଫୋକସ୍ କରାଯାଇଥିଲା । ନିଲାମ ପରେ ବାଙ୍ଗାଲୋର ପ୍ରାୟତଃ ପର୍‌ଫେକ୍ଟ ଟିମ୍ ଗଢ଼ିଥିଲା । ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଭଲ ଟିମ୍ ଗଠନ କରିଥିଲା । ପଞ୍ଜାବ ରନର୍ସଅପ୍ ହୋଇଥିବା ବେଳେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଥିଲା । କିନ୍ତୁ ବାଙ୍ଗାଲୋର ଚାମ୍ପିଅନ୍ ହୋଇ ନିଜ ରଣକୌଶଳକୁ ସଠିକ୍ ପ୍ରମାଣିତ କରିଥିଲା ।

Advertisment

ଦମ୍‌ଦାର ବ୍ୟାଟିଂ ଓ ଘାତକ ବୋଲିଂ

ଆର୍‌ସିବି ବ୍ୟାଟିଂ ଅଲ୍‌ରାଉଣ୍ଡର୍‌ଙ୍କ ସମେତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୧ ବ୍ୟାଟର୍‌ଙ୍କୁ ଖେଳାଇଥିଲା । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୦ରୁ ଅଧିକ ଥିଲା । ଏହାର ଅର୍ଥ ଲଗାତାର ଆକ୍ରମଣ କରିବା ସେମାନଙ୍କର ଭୂମିକା ଥିଲା । ସେମାନେ ହେଲେ ରୋମାରିଓ ଶେଫର୍ଡ, ଟିମ୍ ଡେଭିଡ୍‌, ଜିତେଶ ଶର୍ମା, ଜ୍ୟାକବ୍ ବେଥେଲ ଓ ଫିଲ୍ ସଲ୍ଟ । ଆର୍‌ସିବିର ଚାରି ଜଣ ବ୍ୟାଟର୍ ୨୫୦ରୁ ଅଧିକ ରନ୍ କରିଥିଲେ । ତନ୍ମଧ୍ୟରୁ ବିରାଟ କୋହଲି ୧୪୪.୭୧ ଷ୍ଟ୍ରାଇକ୍ ରେଟ୍‌ରେ ୬୫୭ ରନ୍ କରି ଶୀର୍ଷରେ ରହିଥିଲେ । ସଲ୍ଟ ତାଙ୍କ ସହ ଭଲ ଓପନିଂ ଭାଗୀଦାରୀ କରିଥିଲେ, ଯାହାଙ୍କ ନାମରେ ସିଜନ୍‌ରେ ୧୭୫ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ୪୦୩ ରନ୍ ରହିଛି ।

୧୦ ମ୍ୟାଚ୍ ଖେଳିବା ପରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ଦେବଦତ୍ତ ପଡିକ୍କଲ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ୨୪୭ ରନ୍ କରିଥିଲେ । ଅଧିନାୟକ ରଜତ ୩୧୨ ରନ୍ କରିଥିଲେ । ଫିନିଶର୍‌ଙ୍କ ଉପରେ ଯେତେବେଳେ ଚାପ ବଢ଼ିଥିଲା, ଜିତେଶ, ଡେଭିଡ୍ ଓ ଶେଫର୍ଡ ସୁଯୋଗର ଫାଇଦା ଉଠାଇ ଟିମ୍‌କୁ ଜିତାଇଥିଲେ । ଜିତେଶ ୧୭୬.୩୫ ଷ୍ଟ୍ରାଇକ୍ ରେଟ୍‌ରେ ୨୬୧ ରନ୍ କରିଥିଲେ । ଆର୍‌ସିବି ବୋଲିଂ ୟୁନିଟ୍‌ରେ ବି ବେଶୀ ପରିବର୍ତ୍ତନ କରି ନ ଥିଲା ।

Advertisment

ଜୋଶ୍ ହାଜଲଉଡ୍‌, ଯଶ ଦୟାଲ ଓ ଭୁବନେଶ୍ୱର କୁମାରଙ୍କୁ ନୂଆ ବଲ୍ ସହ ଡେଥ୍ ଓଭର୍ ଦାୟିତ୍ୱ ଦିଆଯାଇଥିଲା । ସ୍ପିନର୍ କୃଣାଲ ପାଣ୍ଡ୍ୟା ଓ ସୂୟାଶ ଶର୍ମାଙ୍କୁ ମିଡିଲ୍ ଅର୍ଡରରେ ରନ୍ ରୋକିବାର ଦାୟିତ୍ୱ ମିଳିଥିଲା । ଉଭୟ ୮.୫୦ରୁ କମ୍ ଇକୋନମୀ ରେଟ୍‌ରେ ବୋଲିଂ କରି ୨୫ ୱିକେଟ୍ ନେଇଥିଲେ, ଯେଉଁଥିରେ କୃଣାଲଙ୍କ ୧୭ ୱିକେଟ୍ ରହିଥିଲା । ଫାଇନାଲ୍‌ରେ କୃଣାଲ ପ୍ରଭାବଶାଳୀ ବୋଲିଂ କରି ୧୭ ରନ୍ ଦେଇ ଦୁଇ ବଡ଼ ୱିକେଟ୍ ନେଇଥିଲେ ।

ହାଜଲଉଡ୍ ଆଘାତଜନିତ କାରଣରୁ ୧୨ ମ୍ୟାଚ୍ ହିଁ ଖେଳିପାରିଥିଲେ । ତେବେ ସେ ୨୨ ୱିକେଟ୍ ନେଇଥିଲେ । ଭୁବନେଶ୍ୱର ଓ ହାଜଲଉଡ୍ ଫ୍ଲପ୍ ହେବା ସ୍ଥଳେ ବାମହାତି ପେସର୍ ଯଶ ତୃତୀୟ ସ୍ପେଲ୍‌ରେ ଆସି ୱିକେଟ୍ ନେଉଥିଲେ । ଆର୍‌ସିବି ପେସର୍‌ମାନେ ୫୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଥିଲେ । ଭୁବନେଶ୍ୱର ୧୭ ଓ ଯଶ ୧୩ ୱିକେଟ୍ ନେଇଥିଲେ । ବେଳେବେଳେ ଶେଫର୍ଡ ଗୋଟିଏ-ଦୁଇଟି ଓଭର୍ ପକାଇ ବଡ଼ ୱିକେଟ୍ ନେଉଥିଲେ । ସେ ଫାଇନାଲ୍‌ରେ ପଞ୍ଜାବର ଅଧିନାୟକ ଶ୍ରେୟସ ଆୟରଙ୍କ ବହୁମୂଲ୍ୟ ୱିକେଟ୍ ପାଇଥିଲେ । ଶେଫର୍ଡ ଆଠ ମ୍ୟାଚ୍‌ରେ ୧୧ ଇକୋନମୀ ରେଟ୍‌ରେ ବୋଲିଂ କରି ୬ ୱିକେଟ୍ ନେଇଥିଲେ ।

ବିରାଟଙ୍କ ବଡ଼ ଯୋଗଦାନ

ବିରାଟ କୋହଲି ଭାରତ ପକ୍ଷରୁ ସବୁ ଆଇସିସି ଟ୍ରଫି ଜିତିଥିଲେ ବି କେବେ ଆଇପିଏଲ୍ ମୁକୁଟ ହାତେଇ ନ ଥିଲେ । ସେଥିପାଇଁ ସେ ସମାଲୋଚନାର ଶରବ୍ୟ ହୋଇଥିଲେ । ଆର୍‌ସିବିରେ ରହିବା ନେଇ ଅପବାଦ ବି ଶୁଣିଥିଲେ । ଏହାସତ୍ତ୍ୱେ ବିରାଟ ଆର୍‌ସିବିକୁ ଛାଡ଼ି ନ ଥିଲେ କି ଆର୍‌ସିବି ବିରାଟଙ୍କୁ ଛାଡ଼ି ନ ଥିଲା । ୧୮ତମ ସିଜନ୍ ପୂର୍ବରୁ ଆର୍‌ସିବି ତାଙ୍କୁ ୨୧ କୋଟି ଟଙ୍କା ଦେଇ ରିଟେନ୍ କରିଥିଲା । ବିରାଟ ଆର୍‌ସିବିର ବଡ଼ ଖେଳାଳି ରହିଆସିଛନ୍ତି । ଟିମ୍‌ରେ ତାଙ୍କ ଉପସ୍ଥିତି ବହୁତ ଗୁରୁତ୍ୱ ରଖେ । ଯୁବ ଖେଳାଳିଙ୍କ ପାଇଁ ମଧ୍ୟ ସେ ପ୍ରେରଣା ।

ଏଥରକୁ ମିଶାଇ ସେ କ୍ରମାଗତ ତୃତୀୟ ସିଜନ୍‌ରେ ୬୦୦ରୁ ଅଧିକ ସ୍କୋର୍ କରିଥିଲେ ଏବଂ ବ୍ୟାଟିଂ ଲାଇନ୍‌ଅପ୍‌ର ଦାୟିତ୍ୱ ନେଇଥିଲେ । ଫାଇନାଲ୍‌ରେ ସେ ଟିମ୍ ପକ୍ଷରୁ ସର୍ବାଧିକ ୪୩ ରନ୍ କରିଥିଲେ । ଶେଷରେ ଆର୍‌ସିବି ଚାମ୍ପିଅନ୍ ହୋଇଥିଲା । ଟିମ୍ ସହ ବିରାଟଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଥିଲା । ଏଥର ଆଇପିଏଲ୍‌ରେ ସେ ଟିମ୍‌ର ଟପ୍ ସ୍କୋରର୍ ହେବା ସହ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ । ଟିମ୍‌ର ମୁକୁଟ ବିଜୟରେ ବିରାଟ ଯେଉଁ ବଡ଼ ଯୋଗଦାନ ଦେଇଥିଲେ, ତାହା ଆର୍‌ସିବି କେବେ ଭୁଲିପାରିବ ନାହିଁ ।

Virat Kohli Bengaluru RCB IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ