IND vs BAN: ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ପନ୍ତ, ଭିଡିଓ ଭାଇରାଲ୍

ବାଂଲାଦେଶ ସାମ୍ନାରେ ୫୧୫ ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ରହିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୮ ରନରେ ୪ଟି ୱିକେଟ ହରାଇ ସାରିଛି ଭ୍ରମଣକାରୀ ଟିମ ।

Rishabh Pant sets field for Bangladesh

ପୁଣି ଚର୍ଚ୍ଚାରେ ଭାରତୀୟ ୱିକେଟ କିପର ବ୍ୟାଟର ରିଷଭ ପନ୍ତ । ନିଜ ବ୍ୟାଟିଂ ପାଇଁ ନିଜେ ଫିଲ୍ଡିଂ ସଜାଇଲେ ପନ୍ତ। ନିର୍ଦ୍ଦିଷ୍ଟ ସ୍ଥାନରେ ଫିଲ୍ଡର ନଥିବାରୁ ସେଠାରେ ଜଣେ ଫିଲ୍ଡର ରଖିବାକୁ ପ୍ରତିପକ୍ଷ କ୍ୟାପଟେନଙ୍କୁ ପରାମର୍ଶ ଦେଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିବାବେଳେ କ୍ରିକେଟ ଫ୍ୟାନ୍ସ ଏହାକୁ ବେଶ୍ ପ୍ରଶଂସା କରିଛନ୍ତି । 

ଭାଇରାଲ ହେଉଥିବା ଭିଡିଓରେ ପନ୍ତ, ବାଂଲାଦେଶ କ୍ୟାପଟେନ ନାଜମୁଲ ହୋସେନ ସନ୍ତୋଙ୍କୁ କହୁଛନ୍ତି, ଲେଗ୍ ସାଇଡରେ ବିଲକୁଲ ଫାଙ୍କା ରହିଛି । ଜଣେ ଫିଲ୍ଡର ସେଠାରେ ରଖନ୍ତୁ ।" ଆଉ ପନ୍ତଙ୍କ କଥା ଶୁଣିବା ପରେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ଏକ ଫିଲ୍ଡର ରଖୁଛନ୍ତି ବାଂଲାଦେଶ କ୍ୟାପଟେନ ।
 

କ୍ରିକେଟରେ ବ୍ୟାଟରଙ୍କୁ ଆଉଟ କରିବା ଲକ୍ଷ୍ୟରେ ରଣନୀତି କରିଥାନ୍ତି ବୋଲିଂ ଟିମ । ବୋଲରଙ୍କ ସହ ଆଲୋଚନା କରି ଆଉଟ କରିବାକୁ ଯୋଜନା କରିଥାନ୍ତି ପ୍ରତିପକ୍ଷ କ୍ୟାପଟେନ୍ । ତେବେ ଚେପକ୍ ଟେଷ୍ଟର ତୃତୀୟ ଦିନରେ ବାଂଲାଦେଶର ସବୁ ଯୋଜନା ଫେଲ୍ ମାରିଥିଲା । ଶୁବମନ ଗିଲ୍ ଓ ରିଷଭ ପନ୍ତ ଆକର୍ଷଣୀୟ ସଟ୍ ଖେଳି ଭ୍ରମଣକାରୀ ଟିମର ସମସ୍ତ ବୋଲରଙ୍କୁ ନିରାଶ କରିଥିଲେ । ଫଳରେ ହତାଶ ହୋଇ ବାଂଲାଦେଶ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ତେବେ ଏହି ସମୟରେ ବାଂଲାଦେଶ କ୍ୟାପଟେନଙ୍କ ଉଦ୍ଦେଶ୍ୟରେ ପନ୍ତ କିଛି କହୁଥିବାରୁ ଦେଖିବାକୁ ମିଳିଥିଲା । ଆଉ ପନ୍ତଙ୍କ କଥା ଜଣାପଡ଼ିବା ପରେ କ୍ରିକେଟ ଫ୍ୟାନ୍ସ ମଜାଦାର ପ୍ରତିକ୍ରିୟା ରଖିଛନ୍ତି । ବାଂଲାଦେଶକୁ ଫିଲ୍ଡିଂ ସଜାଇବାରେ ସାହାଯ୍ୟ କରିଥିଲେ ପନ୍ତ । ଲେଗ୍ ସାଇଡରେ ଏକ ଫିଲ୍ଡର ରଖିବାକୁ ପରାମର୍ଶ ଦେଉଥିବା ଶୁଣାଯାଇଥିଲା । 

ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନି ମଧ୍ୟ ବାଂଲାଦେଶ ବିପକ୍ଷରେ ଏପରି କରିଥିଲେ । ୨୦୧୯ ଦିନିକିଆ ବିଶ୍ୱକପରେ ବୋଲିଂ ପାଇଁ ପ୍ରସ୍ତୁତ ହେଉଥିବା ସବିର ରେହମାନଙ୍କୁ ଅଟକାଇଥିଲେ ଧୋନି । ସ୍କୋୟାର ଲେଗ୍ ଫିଲ୍ଡରଙ୍କୁ ଆହୁରି ବାମକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ନିଜ କ୍ୟାପଟେନଙ୍କ ଅନୁମତିକୁ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ଫିଲ୍ଡରଙ୍କୁ ସେଠାକୁ ପଠାଇଥିଲେ ବୋଲର ସବିର । 

ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇରେ ଖେଳାଯାଉଛି ୩ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ମଜଭୁତ ସ୍ଥିତିରେ ଥିବାବେଳେ ବିଜୟ ଠାରୁ ମାତ୍ର ୬ ୱିକେଟ ଦୂରରେ ରହିଛି । ବାଂଲାଦେଶ ସାମ୍ନାରେ ୫୧୫ ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ରହିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୮ ରନରେ ୪ଟି ୱିକେଟ ହରାଇ ସାରିଛି ବାଂଲାଦେଶ ଟିମ । ପ୍ରଥମ ଇଂନିସରେ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିବା ସହ ମାତ୍ର ୧୪୯ ରନରେ ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଟିମ । ଅନ୍ୟପଟେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଇଂନିସରେ ରବିଚନ୍ଦ୍ରନ ଅଶ୍ୱିନ ଶତକୀୟ ଇଂନିସ ଖେଳିଥିବାବେଳେ ଦ୍ୱିତୀୟ ଇଂନିସରେ ରିଷଭ ପନ୍ତ ଓ ଶୁବମନ ଗିଲ୍ ଦମଦାର ଶତକ ହାସଲ କରିଛନ୍ତି ।