ବିସିସିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି। ବିସିସିଆଇର ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଖୁବ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ । ୨୦୨୧ ମସିହା ନଭେମ୍ବର ମାସରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡଙ୍କର ଚୁକ୍ତିନାମା ୨୦୨୩ ବିଶ୍ୱକପ ସମାପ୍ତ ହେବା ପରେ ବୃଦ୍ଧି କରାଯାଇଥିଲା । ଏବେ ତାଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି ।
Also Read
ତେବେ ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ମୁଖ୍ୟ କୋଚ୍ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଉଛି।
ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ରାହୁଲଙ୍କ କାର୍ଯ୍ୟକାଳ ଜୁନ୍ ପର୍ଯ୍ୟନ୍ତ ରହିଛି । ଏହା ପରେ ଯଦି ସେ ହେଡ କୋଚ୍ ଲାଗି ପୁଣି ଥରେ ଆବେଦନ କରୁଛନ୍ତି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ସେପଟେ ମୁଖ୍ୟ କୋଚଙ୍କ ପରାମର୍ଶ କ୍ରମେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚଙ୍କ ନିଯୁକ୍ତି ହେବେ । ଏହା ସହ ବିଦେଶୀ କୋଚ୍ଙ୍କ ସମ୍ଭାବନାକୁ ମଧ୍ୟ ଜୟ ଶାହ ଅସ୍ୱୀକାର କରିନାହାନ୍ତି । ଏନେଇ ସେ ଅଧିକ କିଛି କହିନାହାନ୍ତି ।
ବିସିସିଆଇ ଅଧିକାରୀଙ୍କ ମତରେ, ନୂଆ କୋଚ୍ ଭାରତ କିମ୍ବା ବାହାର ଦେଶର ହେବେ ସେନେଇ ପୂର୍ବରୁ ସ୍ପଷ୍ଟ କରିହେବ ନାହିଁ । ତେବେ ବିଭିନ୍ନ ଫର୍ମାଟ ଲାଗି ଭିନ୍ନ ଭିନ୍ନ କୋଚ୍ଙ୍କ ନିଯୁକ୍ତି ଉପରେ ବିଚାର କରିବାର ସମ୍ଭାବନା ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି ।
ଅନ୍ୟପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଇମ୍ପାକ୍ଟ ପ୍ଲେୟର ନିୟମ ଉପରେ ଜୟ ଶାହ ମନ୍ତବ୍ୟ ଦେଇଛନ୍ତି । ଇମ୍ପାକ୍ଟ ପ୍ଲେୟର ନିଷ୍ପତ୍ତି ଉପରେ ଅଧିନାୟକ ଏବଂ କୋଚଙ୍କ ସହ ଆଲୋଚନା ପରେ ବିଚାର କରାଯିବ । ଏହା ଦ୍ୱାରା ଅଲରାଉଣ୍ଡର ପ୍ରଭାବିତ ହୋଇପାରନ୍ତି ବୋଲି ପ୍ରଶ୍ନରେ ଶାହ କହିଛନ୍ତି ଯେ, ଇମ୍ପାକ୍ଟ ପ୍ଲେୟର ନିୟମ ଦ୍ବାରା ଦୁଇ ଜଣ ଭାରତୀୟ ଖେଳାଳିଙ୍କୁ ଆଇପିଏଲରେ ସୁଯୋଗ ମିଳୁଛି । ତେବେ ଇମ୍ପାକ୍ଟ ପ୍ଲେୟର ନିୟମ ଜାରି ରଖିବୁ କି ନାହିଁ ସେନେଇ ଆମେ ସବୁ ଫ୍ରାଞ୍ଚାଇଜଙ୍କ ସହ ଆଲୋଚନା କରିବୁ । କିନ୍ତୁ କେହି ଏହି ନିୟମ ବିରୋଧରେ ପ୍ରତିକ୍ରିୟା ଦେଇନାହାନ୍ତି ।