ନାଦାଲଙ୍କୁ ଟେନିସ୍ କୋର୍ଟରେ ଚ୍ୟାଲେଞ୍ଜ କଲେ ୯୭ ବର୍ଷିୟ ବୃଦ୍ଧ : ୨୦ ଥରର ଗ୍ରାଣ୍ଡ ସ୍ଲାମ୍ ବିତେଜାଙ୍କ ବିପକ୍ଷରେ ଖେଳିଲେ ଲିଓନେଡ୍

ଟେନିସ୍ ତାରକା ରାଫେଲ ନାଦାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନାଦାଲ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଟେନିସ୍ ଖେଳୁଥିବା ନଜର ଆସୁଛନ୍ତି । ଭିଡିଓରେ ନାଦାଲଙ୍କ ସହ ଟେନିସ୍ ଖେଳୁଥିବା ବୃଦ୍ଧଙ୍କୁ ୯୭ ବର୍ଷ ବୟସର ।

ମନୋବଳ ସାମ୍ନାରେ ବୟସ ଫିକା

ମନୋବଳ ସାମ୍ନାରେ ବୟସ ଫିକା । ଟେନିସ୍ ତାରକା ରାଫେଲ ନାଦାଲଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ୯୭ ବର୍ଷିୟ ବୃଦ୍ଧ । ଜୟ ପରାଜୟର ଭୟ ନାହିଁ । ଅଛି ତ କେବଳ ଜୀବନକୁ ମନଭରି ଉପଭୋଗ କରିବାର ଇଚ୍ଛା । ବୟସର ସାୟାହ୍ନରେ ବି ଶରୀରରେ ଫୁର୍ତ୍ତି ଆଉ ମନରେ ଭରି ରହିଛି ଯୁବ ସୁଲଭ ଗୁଣ । ଖେଳିବାର ଇଚ୍ଛା ତାଙ୍କୁ ଘରୁ ଟେନିସ୍ କୋର୍ଟକୁ ଟାଣି ଆଣିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ୯୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି।

୯୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି ଲିଓନେଡ୍ ୟାକୋଭଲେଭିଚ୍ ଷ୍ଟାନିସ୍ଲାଭସ୍କି । ଭିଡିଓରେ ଲିଓନେଡ୍ ଦିଗଜ୍ ଖେଳାଳି ରାଫେଲ ନାଡାଲଙ୍କ ସହ ଟେନିସ ଖେଳୁଥିବା ନଜର ଆସିଛନ୍ତି । ନାଡାଲ ସ୍ପେନରେ ରହୁଥିବା ବେଳେ ସେଠାରେ ତାଙ୍କର ଏକ ଟେନିସ୍ ଏକାଡେମୀ ରହିଛି ।

ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସ୍ପେନ ଯାଇଥିଲେ ଲିଓନେଡ୍

୯୭ ବର୍ଷ ବୟସରେ ଲିଓନେଡ୍ ଏକ ବରିଷ୍ଠ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସ୍ପେନ ଯାଇଥିଲେ । ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ସେ ଜଣେ ସର୍ବ ପୁରାତନ ଟେନିସ୍ ଖେଳାଳି । ଲିଓନେଡ୍ ଏହି ଟୁର୍ଣ୍ଣାମେଣ୍ଟରେ ୫୦ ବର୍ଷରୁ ଅଧିକ ସମୟ ଧରି ଅଂଶଗ୍ରହଣ କରିଆସୁଛନ୍ତି । ସେ ଦୁନିଆର ସର୍ବ ପୁରାତନ ପୁରୁଷ ଟେନିସ୍ ଖେଳାଳି ଭାବରେ ଏଠାରେ ଖେଳନ୍ତି ।

ଟେନିସ୍ ଖେଳିବାର କୌଣସି ବୟସ ନାହିଁ

ଲିଓନେଡ କହନ୍ତି ଟେନିସ୍ ଖେଳ ମୋ ହୃଦୟରେ ବସିଛି । ଏହା ଏକ ଚମତ୍କାର ଖେଳ । ଟେନିସ୍ ଖେଳ ଶାରୀରିକ ବ୍ୟାୟାମ । ଖେଳିବାର କୌଣସି ବୟସସୀମା ନାହିଁ । କୌଣସି ବି ବୟସରେ ଟେନିସ୍ ଖେଳିପାରିବେ । ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି ମୋର ବୟସ ୩୦ ଥିଲା ଏବଂ ବର୍ତ୍ତମାନ ମୁଁ ୯୭ ବର୍ଷ ବୟସରେ ମଧ୍ୟ ଖୁବ ଆନନ୍ଦରେ ଖେଳୁଛି । ମୁଁ ୧୦୦ ବର୍ଷ ପର୍ଯ୍ୟନ୍ତ ଟେନିସ୍ ଖେଳିବାକୁ ଚାହୁଁଛି । ବୟସ ମୋ ପାଇଁ କେବଳ ଏକ ସଂଖ୍ୟା ।

ସ୍ପେନରେ ଟୁର୍ଣ୍ଣାମେଣ୍ଟ୍ ଥିବାରୁ ନାଦାଲଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରି ସେଠାରେ ପହଞ୍ଚିଥିଲେ ଲିଓନେଡ୍ । ଆଉ ସେ ନାଡାଲଙ୍କ ସହ ମ୍ୟାଚ୍ ଖେଳିଥିଲେ । ବିସିସି ଅନୁଯାୟୀ, ଲିଓନେଡ୍ ୨୨ ମାର୍ଚ୍ଚ ୧୯୨୪ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୟୁକ୍ରେନ ରେ ତାଙ୍କ ଘର ।