Paris Olympics 2024: ହକି କ୍ୱାର୍ଟରରେ ଅମ୍ପାୟରିଂକୁ ନେଇ ପ୍ରଶ୍ନ, ୧୦ ଖେଳାଳିରେ ଖେଳିଲା ଭାରତ

ଅଲିମ୍ପିକ୍ସ ହକି କ୍ୱାର୍ଟରଫାଇନାଲରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ । ଭାରତୀୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ମିଳିଲା ରେଡକାର୍ଡ ।

Amit Rohidas

ଅଲିମ୍ପିକ୍ସ ହକି କ୍ୱାର୍ଟରଫାଇନାଲରେ ଅମ୍ପାୟରଙ୍କୁ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ । କ୍ୱାର୍ଟର ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଓ ଅଲମ୍ପିକ ଫଳି ପ୍ରତିଯୋଗିତାରେ ଅମ୍ପାୟରଙ୍କ ନିଷ୍ପତ୍ତି ଭାରତୀୟ ଟିମ ବିପକ୍ଷରେ ଯିବାଦ୍ୱାରା ଲାଗିଲା ବଡ଼ ଝଟକା । ଭାରତୀୟ ଟିମ ମୁଖ୍ୟ ଡିଫେଣ୍ଡର ତଥା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ବିନା ପ୍ରାୟ ୩୮ ମିନିଟ୍ ଖେଳିବାକୁ ବାଧ୍ୟ ହେଲା । 

ରବିବାର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର କ୍ୱାର୍ଟର ଫାଇନାଲ ମୁକାବିଲା ଭାରତ ଓ ଗ୍ରେଟ୍ ବ୍ରିଟେନ୍ ମଧ୍ୟ ଖେଳାଯାଇଛି । ଏହି ନକଆଉଟ୍ ମ୍ୟାଚରେ ଭାରତୀୟ ହକି ଟିମର ଷ୍ଟାର ଡିଫେଣ୍ଡରଙ୍କୁ ରେଡ୍ କାର୍ଡ ମିଳିଛି । ଅର୍ଥାତ ଭାରତୀୟ ଟିମ ୧୧ ଖେଳାଳି ବଦଳରେ ୧୦ ଖେଳାଳିଙ୍କୁ ନେଇ ଖେଳିଛି । ଉଭୟ ଟିମ ପ୍ରଥମ କ୍ୱାର୍ଟରରେ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ।

ମିଡଫିଲ୍ଡରେ ବ୍ରିଟେନ ଖେଳାଳି ବଲ୍ ନେଇ ଭାରତୀୟ ଗୋଲପୋଷ୍ଟ ଆଡ଼କୁ  ବଲ୍ ନେଇଯାଉଥିବାବେଳେ ଡିଫେଣ୍ଡର ଅମିତ ରୋହିଦାସ ବଲ୍ ଛଡ଼ାଇନେବାକୁ ସଫଳ ହୋଇଥିଲେ । ତେବେ ବ୍ରିଟେନ ଖେଳାଳି ହାର୍ ମାନିନଥିଲେ । ପିଛା କରିବା ସମୟରେ ଅମିତ ଚତୁରତାର ସହ ବଲ୍ ଅନ୍ୟ ଖେଳାଳିଙ୍କ ପାଖକୁ ପାସ୍ କରିବାକୁ ଯୋଜନା କରିଥିଲେ ।

ଏହି ସମୟରେ ଅମିତଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନ ଖେଳାଳିଙ୍କ ମୁଣ୍ଡରେ ଲାଗିବାରୁ ସେ ସାମାନ୍ୟ ଆହତ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ଅମ୍ପାୟର ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ ଦେବା ସହ ଅବଶିଷ୍ଟ ମ୍ୟାଚରୁ ବାହାର କରିଦେଇଥିଲେ । ତେବେ ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ଅମ୍ପାୟରଙ୍କ ଏପରି ନିଷ୍ପତିକୁ ସହଜରେ ଗ୍ରହଣ କରିପାରିନଥିଲେ ଭାରତୀୟ ପ୍ରଶଂସକ ଓ ଖେଳାଳି । ଅମିତ ମଧ୍ୟ ନିଷ୍ପତ୍ତିରେ ନାଖୁସ ଜାହିର କରିଥିଲେ । 

ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ହକି ଫେଡେରେସନ ଖେଳାଳି ଆଚରଣ ସଂହିତାର ୯.୨ ନିୟମ ଅନୁଯାୟୀ- "ମ୍ୟାଚ୍ ସମୟରେ ପଡ଼ିଆରେ ଖେଳାଳି ସେମାନଙ୍କ ହକି ଧରିବେ, କୌଣସି ବିପଦଜ୍ଜନକ ଭାବେ ବ୍ୟବହାର କରିବେ ନାହିଁ । ଅନ୍ୟ ଖେଳାଳିଙ୍କ ମୁଣ୍ଡ ଉପରକୁ ହକି ଉଠାଇବେ ନାହିଁ।"

ତେବେ ଅମିତଙ୍କୁ ରେଡକାର୍ଡ ମିଳିବା ଯୋଗୁଁ ପଡ଼ିଆରୁ ବାହାର ହେବାପରେ, ପ୍ରାୟ ୩୮ ମିନିଟ୍ ଭାରତୀୟ ଟିମ ଜଣେ କମ୍ ଖେଳାଳିରେ ଖେଳିବାକୁ ବାଧ୍ୟ ହୋଇଥିଲା । ନିଜର ମୁଖ୍ୟ ଡିଫେଣ୍ଡରଙ୍କ ବିନା ଖେଳିବା ସତ୍ତ୍ୱେ ଚମତ୍କାର ପ୍ରଦର୍ଶନ କରିଥିଲା ଟିମ  ଇଣ୍ଡିଆ । ଚତୁର୍ଥ କ୍ୱାର୍ଟର ଶେଷ ହେବାବେଳକୁ ଉଭୟ ଟିମର ସ୍କୋର ୧-୧ରେ ବରାବର ରହିବାରୁ ସୁଟଆଉଟ୍ ରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହେବାକୁ ସ୍ଥିର ହୋଇଥିଲା । ଯେଉଁଥିରେ ୪-୨ରେ ବିଜୟୀ ହେବା ସହ ସେମିଫାଇନାଲ ଟିକେଟ୍ ହାତେଇ ନେଇଥିଲା ଭାରତ । ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚର ବିଜେତା ଟିମ ସହ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ ଭାରତ ।