ପାକିସ୍ତାନ ଓ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଠାରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକ୍ ଟିମ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ମହମ୍ମଦ ରିଜୱାନଙ୍କ ଟିମ୍ ପ୍ରଥମେ ନ୍ୟୁଜିଲାଣ୍ଡ ଓ ଏହାପରେ ଭାରତ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି । ବାଂଲାଦେଶ ବିପକ୍ଷରେ ତା’ର ଶେଷ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହେବାରୁ ଆୟୋଜକ ଟିମ୍ ବିନା ବିଜୟରେ ଅଭିଯାନ ଶେଷ କରିଛି ।
କିଛି ବର୍ଷ ହେଲା ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କ୍ରମାଗତ ଭାବେ ବିଫଳ ହେଉଛି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଇତିହାସରେ ପାକ୍ ଟିମ୍ କେବେ ଫାଇନାଲ୍କୁ ଯାଇପାରି ନାହିଁ । ଡବ୍ଲ୍ୟୁଟିସିର ୨୦୨୪-୨୫ ଚକ୍ରରେ ଟିମ୍ ସର୍ବନିମ୍ନ ନବମ ସ୍ଥାନରେ ରହିଛି ।
ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ୨୦୨୪ରେ ପାକିସ୍ତାନ ନକ୍ଆଉଟ୍ରେ ପହଞ୍ଚିପାରି ନ ଥିଲା । ଦିନିକିଆ ବିଶ୍ୱକପ୍ ୨୦୨୩ରେ ମଧ୍ୟ ଟିମ୍ ସମଦଶା ଭୋଗିଥିଲା । ଏବେ ଚାମ୍ପିଅନ୍ସ ଟ୍ରଫି ପରାଜୟ ଏଥିରେ ଯୋଡ଼ି ହୋଇଛି ।
Also Read
ପାକିସ୍ତାନର ବିଫଳତା ପଛର ମୁଖ୍ୟ କାରଣ ହେଉଛି ଏକଦା ଆଧିପତ୍ୟ ବିସ୍ତାର କରିଥିବା ବାବର ଆଜମ୍ଙ୍କ ପ୍ରଦର୍ଶନରେ ଅବନତି । ଅତୀତରେ ଦେଖିବାକୁ ମିଳିଛି ଯେ ଟିମ୍ର ସଫଳତାରେ ବାବରଙ୍କ ଯୋଗଦାନ ରହୁଥିଲା । ତାଙ୍କ ଯୋଗୁଁ ଟିମ୍ର ବ୍ୟାଟିଂ ଲାଇନ୍-ଅପ୍ ମଜଭୁତ ଥିଲା । ତେଣୁ ଏବେ ଟିମ୍ର ବିଫଳତା ପାଇଁ ତାଙ୍କର ଖରାପ ପ୍ରଦର୍ଶନକୁ ହିଁ ଦାୟୀ କରାଯାଉଛି । ଅବଶ୍ୟ ଅନ୍ୟ ବ୍ୟାଟର୍ଙ୍କ ବିଫଳତା, ଦୁର୍ବଳ ନେତୃତ୍ୱ, ଟିମ୍ରେ ଗୁଣାତ୍ମକ ସ୍ପିନର୍ଙ୍କ ଅଭାବ ଓ ପେସର୍ଙ୍କ ପ୍ରଭାବଶୂନ୍ୟ ପ୍ରଦର୍ଶନ ଭଳି କାରଣ ବି ରହିଛି ।
ଚାମ୍ପିଅନ୍ସ ଟ୍ରଫିରେ ନିରାଶ କଲେ
୨୯ ବର୍ଷ ପରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫି ରୂପରେ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ମିଳିଥିଲା । କିନ୍ତୁ ଆୟୋଜକ ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବା ବିଡ଼ମ୍ବନାର ବିଷୟ ହୋଇଛି । ତାରକା ବ୍ୟାଟର୍ ଭାବେ ବାବର ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା ଥିଲା, କିନ୍ତୁ ସେମିତି ହେଲା ନାହିଁ । କରାଚୀ ଠାରେ ପାକିସ୍ତାନର ପ୍ରଥମ ମ୍ୟାଚ୍ରେ କିୱି ଟିମ୍ ୩୨୧ ରନ୍ର ଆହ୍ୱାନପୂର୍ଣ୍ଣ ବିଜୟଲକ୍ଷ୍ୟ ଦେଇଥିଲା । ଆୟୋଜକ ଟିମ୍ ପକ୍ଷରୁ ବାବର ୯୦ ବଲ୍ରୁ ୬୪ ରନ୍ର ଇନିଂସ୍ ଖେଳିଥିଲେ, ହେଲେ ତାହା କାମରେ ଆସିଲାନି ଏବଂ ଟିମ୍ ୬୦ ରନ୍ରେ ହାରିଯାଇଥିଲା ।
ଧିମା ଇନିଂସ୍ ପାଇଁ ବାବର ସମାଲୋଚିତ ହୋଇଥିଲେ । ମନେ ହେଉଥିଲା ସତେ ଯେମିତି ସେ ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବାକୁ ଖେଳୁଥିଲେ । ଏହାପରେ ଦୁବାଇ ଠାରେ ଭାରତ ବିପକ୍ଷ ମ୍ୟାଚ୍ରେ ସେ ସମ୍ପୂର୍ଣ୍ଣ ରୂପେ ନିରାଶ କରିଥିଲେ । ଏଥିରେ ସେ ୨୬ ବଲ୍ରୁ ୨୩ ରନ୍ କରିଥିଲେ । ଏହି ମ୍ୟାଚ୍ରେ ଟିମ୍ ୬ ୱିକେଟ୍ରେ ପରାଜିତ ହୋଇଥିଲା । ପାକିସ୍ତାନର ପୂର୍ବତନ ପେସର୍ ଶୋଏବ ଅଖତାର ଏକ ଟିଭି ଶୋ’ରେ ବାବରଙ୍କୁ ‘ପ୍ରବଞ୍ଚକ’ କହିବାକୁ ପଛାଇ ନାହାନ୍ତି ।
ପ୍ରତିଭାଦୀପ୍ତ ବ୍ୟାଟର୍ ଏବେ ପ୍ରଭାବଶୂନ୍ୟ
୨୦୧୫ ମେ’ରେ ଲାହୋର ଠାରେ ବାବର ଜିମ୍ବାୱେ ବିପକ୍ଷରେ ଦିନିକିଆ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ । ୨୦୧୬ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇ ଠାରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ କ୍ରମାଗତ ତିନି ଶତକ ହାସଲ କରିଥିଲେ ।
ନିଜ କ୍ୟାରିଅର୍କୁ ଆଗକୁ ନେଇ ବାବର ଆଡିଲେଡ୍ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ୍ ଖେଳିଥିଲେ । ଏହାପରେ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷରେ ଆଉ କେତେକ ଶତକ ହାସଲ ତାଙ୍କୁ ଉଚ୍ଚ ସୋପାନରେ ପହଞ୍ଚାଇଥିଲା । ୨୦୧୯ ବିଶ୍ୱକପ୍ରେ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା । କିନ୍ତୁ ବାବର ଭଲ ପ୍ରଦର୍ଶନ କରିଥିଲେ । ସେ ଆଠ ମ୍ୟାଚ୍ରେ ୪୭୪ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ଥିଲା ।
ବାବରଙ୍କ ପ୍ରତିବଦ୍ଧ ବ୍ୟାଟିଂ ପ୍ରଦର୍ଶନ ଓ ରନ୍ ସଂଗ୍ରହର କ୍ଷୁଧାକୁ ଦେଖି କେହି କେହି ତାଙ୍କୁ ଭାରତର ସୁପର୍ଷ୍ଟାର୍ ବିରାଟ କୋହଲିଙ୍କ ସହ ତୁଳନା କରିଥିଲେ । ଅନେକେ ଭାବୁଥିଲେ ଯେ ସେ ପାକିସ୍ତାନ କ୍ରିକେଟ୍ର ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟର୍ ହେବେ । ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ବିପକ୍ଷ ଏକ ଗ୍ରୁପ୍ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେ ଟିମ୍ର ସଫଳ ନେତୃତ୍ୱ ନେବା ସହ ରିଜୱାନଙ୍କ ସହ ଓପନିଂ ୱିକେଟ୍ ପାଇଁ ୧୫୨ ରନ୍ର ଅପରାଜିତ ଭାଗୀଦାରୀ କରିଥିଲେ । ସେ ୫୨ ବଲ୍ରୁ ଅପରାଜିତ ୬୮ ରନ୍ର ଇନିଂସ୍ ଖେଳିଥିଲେ । ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ପାକିସ୍ତାନ ୧୦ ୱିକେଟ୍ରେ ଜିତିଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପ୍ରଦର୍ଶନରେ ଧୀରେ ଧୀରେ ଅବନତି ଦେଖିବାକୁ ମିଳିଛି । କିଛି ବର୍ଷ ହେଲା ତାଙ୍କର ପ୍ରଭାବଶୂନ୍ୟ ପ୍ରଦର୍ଶନ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି । ପାକିସ୍ତାନର ପୂର୍ବତନ କ୍ରିକେଟର୍ମାନେ ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି ।
ଏହି ୩୦ବର୍ଷୀୟ ବ୍ୟାଟର୍ ଦିନିକିଆ ଆନ୍ତର୍ଜାତିକରେ ଶେଷ ଥର ୨୦୨୩ ଅଗଷ୍ଟରେ ଶତକ ହାସଲ କରିଥିଲେ । ମୁଲ୍ତାନ ଠାରେ ନେପାଳ ବିପକ୍ଷ ଏସିଆ କପ୍ ମ୍ୟାଚ୍ରେ ସେ ୧୫୧ ରନ୍ର ଇନିଂସ୍ ଖେଳିଥିଲେ । ସେବେଠାରୁ ସେ ୨୩ ଇନିଂସ୍ ଖେଳିସାରିଲେଣି ।
ସେହିପରି ସେ ଟି-୨୦ ଆନ୍ତର୍ଜାତିକରେ ଶେଷ ଥର ୨୦୨୪ ମେ’ରେ ଆୟରଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଦିନିକିଆ ଆନ୍ତର୍ଜାତିକରେ ସେ ଏ ଯାବତ ୧୨୮ ମ୍ୟାଚ୍ ଖେଳି ୫୫.୫୦ ଆଭରେଜ୍ରେ ୬୧୦୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୯ ଶତକ ଓ ୩୫ ଅର୍ଦ୍ଧଶତକ ରହିଛି । ସେ ଟେଷ୍ଟରେ ୫୯ ମ୍ୟାଚ୍ ଖେଳି ୪୨୩୫ ରନ୍ କରିଥିବା ବେଳେ ଟି-୨୦ ଆନ୍ତର୍ଜାତିକରେ ତାଙ୍କ ନାମରେ ୪୨୨୩ ରନ୍ (୧୨୮ ମ୍ୟାଚ୍ରୁ) ରହିଛି ।
ମାନିବେ କି ଗାଭାସ୍କରଙ୍କ ‘ଗୁରୁମନ୍ତ୍ର’
ବାବରଙ୍କୁ ଭାରତର କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର ଗୁରୁମନ୍ତ୍ର ଦେଇଛନ୍ତି । ଏହାକୁ ଗ୍ରହଣ କଲେ, ତାଙ୍କ ପ୍ରଦର୍ଶନରେ ସୁଧାର ଆସିପାରେ । ପାକିସ୍ତାନର ପୂର୍ବତନ କ୍ରିକେଟର୍ ବାସିତ୍ ଅଲୀଙ୍କ ସହ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କଥାବାର୍ତ୍ତା କରିବା ସମୟରେ ଗାଭାସ୍କର ତାଙ୍କୁ ପରାମର୍ଶ ଦେଇଛନ୍ତି ଯେ ବାବର ଦିନିକିଆ କ୍ରିକେଟ୍ରେ ଓପନିଂ ନ କରି ତିନି ନମ୍ବରରେ ଖେଳିବା ଉଚିତ, ଯାହା ଫଳରେ ସେ ଟିମ୍ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ।
ସନ୍ନି ଆହୁରି ମଧ୍ୟ କହିଛନ୍ତି ଯେ ବାବର କ୍ରିଜ୍ରେ ଛିଡ଼ା ହେବାର ଶୈଳୀ ବଦଳାଇବା ଆବଶ୍ୟକ । ସେ ନିଜ ଦୁଇ ଗୋଡ଼ ମଧ୍ୟରେ ବ୍ୟବଧାନ କମାଇବା ଦରକାର । ଗୋଡ଼ ମଧ୍ୟରେ ବ୍ୟବଧାନ ଅଧିକ ଥିଲେ, ଆପଣଙ୍କୁ ବ୍ୟାକ୍ଫୁଟ୍ ଓ ଫ୍ରଣ୍ଟଫୁଟ୍କୁ ଯିବାରେ ଅସୁବିଧା ହୋଇଥାଏ । କିନ୍ତୁ ଯେତେବେଳେ ଆପଣ ଅଧିକ ସନ୍ତୁଳିତ ଥା’ନ୍ତି (ଗୋଡ଼ ମଧ୍ୟରେ ବ୍ୟବଧାନ କମ୍ ଥାଏ), ସେତେବେଳେ ଉଚ୍ଚତା ବି ଟିକେ ବଢ଼ିଥାଏ । ଏଭଳି ସ୍ଥିତିରେ ଆପଣ ବଲ୍ର ବାଉନ୍ସ ଓ ମୁଭ୍ମେଣ୍ଟ ଉଭୟଙ୍କୁ ଭଲ ଭାବେ ସମ୍ଭାଳିପାରନ୍ତି । ବାବର ଏ କଥା ବୁଝିବା ଦରକାର ଯେ ଟିମ୍ର ଉତ୍ଥାନ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନିର୍ଭର ରହୁଛି । ନିଜର ଦୁର୍ବଳ ଦିଗ ଉପରେ ସେ ଅଧିକ ଫୋକସ୍ କରିବା ଆବଶ୍ୟକ । ଟିମ୍ର ସ୍ୱାର୍ଥ ପାଇଁ ତାଙ୍କୁ ପୁରୁଣା ଫର୍ମ ହାସଲ କରିବାକୁ ହେବ ।