ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ PVSM ସମ୍ମାନ । ନୀରଜ ପାଇବେ PVSM- ପରମ ବିଶିଷ୍ଟ ସେବା ମେଡାଲ ।

Neeraj Chopra

୨୦୨୧ ବୀରତା ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ତାଲିକାରେ ନୀରଜ ଚୋପ୍ରାଙ୍କ ନାମ ମଧ୍ୟ ରହିଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ୪ ରାଜପୁତାନା ରାଇଫଲ୍ସର ସୁବେଦାର ନୀରଜ ଚୋପ୍ରାଙ୍କୁ ଏଥର ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ କରାଯିବ ।  

୭୩ତମ ଗଣତନ୍ତ୍ର ଦିବସ ଅବସରରେ ୩୮୪ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିରେ୧୨ ଜଣଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯିବ । ସେହିପରି ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ, ୪ଟି ଉତ୍ତମ ଯୁଦ୍ଧ ସେବା ମଡେଲ୍, ୫୩ ଅତି ବିଶିଷ୍ଟ ସେବା ପଦକ, ୧୩ ଯୁଦ୍ଧ ସେବା ପଦକ ମିଳିବ । ଏହା ବ୍ୟତୀତ ୧୨୨ ବିଶିଷ୍ଟ ସେବା ପଦକ, ୮୧ ସେନା ପଦକ (ଗାଲାଣ୍ଟ୍ରି), 2 ବାୟୁ ସେନା ପଦକ, ୪୦ ସେନା ପଦକ, ୮ନୌସେନା ପଦକ, ୧୪ ବାୟୁ ସେନା ପଦକ ( Devotion to Duty) ଆଦି ସାମିଲ ରହିଛି ।

ସୂଚନାଯୋଗ୍ୟ ଜାନୁଆରୀ ୨୬ ପରେଡରେ ହରିୟାଣାର ପ୍ରଜ୍ଞାପନ ମେଢ଼କୁ ଏଥର ସ୍ୱତନ୍ତ୍ର ଭାବରେ ଉପସ୍ଥାପନ କରାଯିବ । ଏଥିରେ ନୀରଜ ଚୋପ୍ରାଙ୍କ ପ୍ରତିକୃତି ଦେଖିବାକୁ ମିଳିବ । ରାଜ୍ୟ ସୂଚନା ଲୋକସମ୍ପର୍କ ଏବଂ ଭାଷା ବିଭାଗ ଶନିବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।