Know which team need how many slot vacant in ipl auction
ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ଆଇପିଏଲର ୧୭ ତମ ସିଜନ ପାଇଁ ପ୍ଲେୟାର ନିଲାମ ପାଇଁ ବିସିସିଆଇ ୩୩୩ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଏଥର ସର୍ବାଧିକ ୭୭ ଖେଳାଳି ନିଲାମରେ ସାମିଲ ହେବେ। ଏଥିମଧ୍ୟରୁ ୨୧୪ ଜଣ ଭାରତୀୟ ହୋଇଥିବା ବେଳେ ୧୧୯ ଜଣ ବିଦେଶୀ ଖେଳାଳି ରହିବେ। ୪ ଖେଳାଳି ସହଯୋଗୀ ଦଳର। ୧୧୬ ଖେଳାଳିଙ୍କୁ କ୍ୟାପ୍ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ଅନ୍କ୍ୟାପ୍ କରାଯାଇଛି। ଏହାପୂର୍ବରୁ, ୧୧୬୬ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ।
ଆଇପିଏଲ୍ ନିଲାମ ଡିସେମ୍ବର ୧୯ରେ ଦୁବାଇର କୋକାକୋଲା ଏରିନାରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ। ନିଲାମରେ ସର୍ବାଧିକ ବେସ୍ ପ୍ରାଇସ୍ ହେଉଛି ୨ କୋଟି ଟଙ୍କା। ଏହି ବ୍ରାକେଟ୍ରେ ଅଷ୍ଟ୍ରେଲିଆର ବିଶ୍ୱ ଚାମ୍ପିଅନ୍ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଟ୍ରାଭିସ୍ ହେଡ୍ଙ୍କ ସମେତ ୨୩ ଖେଳାଳି ଅଛନ୍ତି। ଦ୍ୱିତୀୟ ସର୍ବୋଚ୍ଚ ବେସ୍ ପ୍ରାଇସ୍ ହେଉଛି ୧.୫ କୋଟି ଟଙ୍କା ଯେଉଁଥିରେ ୧୩ ଖେଳାଳିଙ୍କ ନାମ ରହିଛି।
୨ କୋଟି ବେସ୍ ପ୍ରାଇସ୍ରେ ୩ ଭାରତୀୟ:
ଭାରତର ତିନିଜଣ ଖେଳାଳିଙ୍କୁ ଆଇପିଏଲର ଆଗାମୀ ସିଜନ ପାଇଁ ପ୍ଲେୟାର ନିଲାମର ସର୍ବାଧିକ ବେସ୍ ପ୍ରାଇସ୍ ସହିତ ବ୍ରାକେଟ୍ରେ ସାମିଲ୍ କରାଯାଇଛି। ଏହି ତାଲିକାରେ ଦ୍ରୁତ ବୋଲର ହର୍ଷଲ ପଟେଲ, ଉମେଶ ଯାଦବ ଏବଂ ଅଲ୍ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ନାମ ରହିଛି। ଟ୍ରାଭିସ୍ ହେଡ୍ ବ୍ୟତୀତ ବିଦେଶୀ ଖେଳାଳିଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ଜୋସ୍ ଇଂଗ୍ଲିସ୍, ଜୋସ୍ ହେଜେଲ୍ଉଡ୍ ଏବଂ ସୀନ୍ ଆବଟ ମଧ୍ୟ ଏହି ବ୍ରାକେଟ୍ରେ ଅଛନ୍ତି।
ସେହିପରି ଦକ୍ଷିଣ ଆଫ୍ରିକାର ରାଇଲି ରୁଷୋଙ୍କ ବ୍ୟତୀତ ରସି ଭାନ୍ ଡର୍ ଡୁସେନ୍, ଜେରାଲ୍ଡ କୋଏତ୍ଜୀ, ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍, ଆଫଗାନିସ୍ତାନର ମୁଜିବ ଉର୍ ରହମାନ ଏବଂ ବାଂଲାଦେଶର ମୁସ୍ତାଫିଜୁର ରହମାନ ମଧ୍ୟ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ ଅଛନ୍ତି। ଇଂଲଣ୍ଡର ହ୍ୟାରି ବ୍ରୁକ୍ କ୍ରିସ୍ ୱାକ୍ସ, ଜେମ୍ସ ଭିନ୍ସ, ଜାମି ଓଭରଟନ୍, ଆଦିଲ ରସିଦ, ଡେଭିଡ ୱିଲି ଏବଂ ବେନ୍ ଡକେଟ ମଧ୍ୟ ଏହି ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି।
କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି:
ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ରେ ୬ଟି ଜାଗା ଖାଲି ଅଛି, ସେଥିମଧ୍ୟରୁ ୩ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ଦିଲ୍ଲୀ କ୍ୟାପିଟାଲ୍ ପାଇଁ ୯ ଖେଳାଳି ଆବଶ୍ୟକ, ସେଥିମଧ୍ୟରୁ ୪ ଟି ବିଦେଶୀଙ୍କ ପାଇଁ। ଗୁଜୁରାଟ ଟାଇଟନ୍ସ ନିଲାମରେ ୮ ଖେଳାଳିଙ୍କୁ କିଣି ପାରେ ଯେଉଁଥିରୁ ୨ ଜଣ ବିଦେଶୀ ରହିବେ।
ସେହିପରି କେକେଆର୍ ପାଖରେ ୧୨ ଖେଳାଳିଙ୍କ ପାଇଁ ଜାଗା ଖାଲି ଥିବାବେଲେ ସେଥିମଧ୍ୟରୁ ୪ ଜଣ ବିଦେଶୀଙ୍କ ପାଇଁ। ଲକ୍ଷ୍ନୌ ସୁପରଜଏଣ୍ଟସ୍ ଟିମ୍ ୨ଜଣ ବିଦେଶୀଙ୍କୁ ମିଶାଇ ୬ ଖେଳାଳି କିଣିବ। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ୮ ଖେଳାଳି ଦରକାର। ପଞ୍ଜାବ କିଙ୍ଗ୍ସ, ଆରସିବି, ରାଜସ୍ଥାନ ଏବଂ ହାଇଦ୍ରାବାଦଙ୍କ ପାଇଁ ଯଥାକ୍ରମେ ୮, ୬, ୮ ଓ ୬ ଖେଳାଳି ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702811738.jpg)