ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ : ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ

ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍

ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ । ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ କରିଛି ଟିମ୍ ଇଣ୍ଡିଆ କୋଲକତାରେ ଆୟୋଜିତ ଏଏଫସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । କାମ୍ବୋଡିଆ, ଆଫଗାନିସ୍ତାନ ବିରୋଧରେ ଲଗାତର ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଏହି ସଫଳତା ପାଇଛି । ଭାରତର ଶେଷ ଲିଗ୍ ମ୍ୟାଚ୍ ହଂକଂ ବିରୋଧରେ ଥିଲେ ମଧ୍ୟ ଏହି ମ୍ୟାଚ୍ ପୂର୍ବରୁ ଭାରତ ଯୋଗ୍ୟତା ହାସଲ କରିଛି । ସେପଟେ ହଂକଂ ବିପକ୍ଷ ଶେଷ ମ୍ୟାଚ୍ ପାଇଁ କ୍ରୀଡାପ୍ରେମୀଙ୍କ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ । ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ମଧ୍ୟ ଦର୍ଶକମାନଙ୍କୁ ନିରାଶ କରି ନଥିଲା । ମ୍ୟାଚର ଦ୍ୱିତୀୟ ମିନିଟରେ ଫରୱାର୍ଡ୍ ଅନୱାର ଅଲ୍ଲୀ ଚମତ୍କାର ଗୋଲ ଦେଇ ଭାରତକୁ ୧-୦ଗୋଲରେ ଅଗ୍ରଣୀ କରାଇଥିଲେ । ୨୦୧୯ରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅନୱାର ଅଲ୍ଲୀଙ୍କୁ ଖେଳିବାକୁ ବାରଣ କରାଯାଇଥିଲା । କିନ୍ତୁ ସେ ଖେଳିବା ପାଇଁ ଯେ ପୁରା ହକଦାର, ତାହା ୨୦୨୨ରେ ସେ ପ୍ରମାଣ କରି ଦେଖାଇଛନ୍ତି ।

ଅନୱାରଙ୍କ ପ୍ରଥମ ଗୋଲ୍ ପରେ ଗୋଲ ସୁଝାଇବାକୁ ହଂକଂ ଟିମ୍ ଜୋରଦାର ଉଦ୍ୟମ କରିଥିଲା । ପ୍ରଥମାର୍ଦ୍ଧ ଖେଳ ପୂର୍ବରୁ ଭାରତ ଆଉ ଏକ ଗୋଲ ଦେଇଥିଲା । ସୁନୀଲ ଛେତ୍ରୀ ଏକ ଆକର୍ଷଣୀୟ ଗୋଲ ଦେଇଥିଲେ । ପୁରା ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା । ଏଥିସହ ସୁନୀଲ ଛେତ୍ରୀ ଏହି ଚାମ୍ପିୟନସିପରେ ଏକାକୀ ୪ଟି ଗୋଲ ଦେଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଦ୍ୱିତୀୟାର୍ଦ୍ଧ ଖେଳରେ ହଂକଂ ଟିମ୍ ବାରମ୍ବାର ଭାରତୀୟ ଗୋଲ ପୋଷ୍ଟ ଉପରକୁ ଆକ୍ରମଣ କରିଥିଲା । ଏହା ଦେଖି କୋଚ୍ ଇଗର ଷ୍ଟିମାକ୍ ରଣନୀତିରେ ପରିବର୍ତ୍ତନ କରିଥିଲେ । ମାନବୀର ସିଂ ଓ ଲିଷ୍ଟନ୍ କୋଲାସୋଙ୍କୁ ବଦଳ ଖେଳାଳିଭାବେ ପଡିଆକୁ ଓହ୍ଲାଇଥିଲେ । ଗୋଲ ସୁଝାଇବାକୁ ଯାଇ ହଂକଂ ଟିମ୍ ବାରମ୍ବାର ବଲ୍ ହାତଛଡା କରିଥିଲା । ଏହାର ପୁରା ଫାଇଦା ଉଠାଇଥିଲା ଟିମ୍ ଇଣ୍ଡିଆ । ୮୫ତମ ମିନିଟରେ ମାନବୀର ସିଂ ଗୋଲ ଦେଇଥିଲେ । ଏହାପରେ ଅତିରିକ୍ତ ସମୟରେ ଟିମ୍ ଇଣ୍ଡିଆପକ୍ଷରୁ ଇଶାନ୍ ପଣ୍ଡିତ ଏକ ଚମତ୍କାର ଗୋଲ ଦେଇ ଭାରତକୁ ଏକ ଆକର୍ଷଣୀୟ ବିଜୟ ଦେଇଥିଲେ । ୨୯ ବର୍ଷ ପରେ ଭାରତ ଶକ୍ତିଶାଳୀ ହଂକଂକୁ ୪-୦ଗୋଲରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି ।

ଏଏଫସି ଏସିଆନ୍ କପ୍ ପାଇଁ ଟିମ୍ ଇଣ୍ଡିଆର ଯୋଗ୍ୟତା ହାସଲ ପରେ କୋଲକତାର ଷ୍ଟାଡିୟମରେ ଦର୍ଶକମାନେ ମନାଇଥିଲେ ସେଲିବ୍ରେସନ୍ । ଭାରତୀୟ ଖେଳାଳିମାନେ ବି ଏଥିରେ ସାମିଲ ହୋଇଥିଲେ । ଭାରତ ପଂଚମ ଥର ପାଇଁ ସମ୍ମାନଜନକ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ କରିଛି । ଆଗାମୀ ଦିନରେ ଏସିଆ କପରେ ଟିମ୍ ଇଣ୍ଡିଆ ଏହି ସଫଳତା ଦୋହରାଇବ ବୋଲି କ୍ୟାପଟେନ୍ ସୁନୀଲ ଛେତ୍ରୀ କହିଛନ୍ତି । ଯୁବ ଖେଳାଳିମାନେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଗୁଡିକରେ ଭଲ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଠାରୁ ଟିମ୍ ଇଣ୍ଡିଆ ବହୁତ କିଛି ଆଶା ରଖିଛି ।

ସେପଟେ ଆଗକୁ ବଡ଼ ଚ୍ୟାଲେଂଜ ଅଛି ବୋଲି କହିଛନ୍ତି କୋଚ୍ ଇଗର ଷ୍ଟିମାକ୍ । ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ । ପୁରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଅବିଶ୍ୱସନୀୟ ପ୍ରଦର୍ଶନ କରିଛି । ତିନିଟି ମ୍ୟାଚ୍ ପାଇଁ ଭିନ୍ନ ଭିନ୍ନ ରଣନୀତି କରାଯାଇଥିଲା । ଏଥିପାଇଁ ଖେଳାଳିମାନଙ୍କୁ ସ୍ୱତନ୍ତ୍ର କୋଚିଂ ଦିଆଯାଇଥିଲା । ମ୍ୟାଚରେ ଆକ୍ରମଣାତ୍ମକ ରଣନୀତି ଦଳକୁ ଫାଇଦା ଦେଇଥିଲା । ଏଥିସହ ଡିଫେନ୍ସକୁ ଶକ୍ତିଶାଳୀ କରାଯାଇଥିଲା । ଆବଶ୍ୟକ ସ୍ଥଳେ କାଉଣ୍ଟର ଆଟାକ୍ କରାଯାଇ ବିପକ୍ଷ ଦଳ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ପ୍ରତି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଆହୁରି ଭଲ ହେଉଥିଲା । ଗତ ୩ବର୍ଷ ଧରି ଟିମ୍ ଇଣ୍ଡିଆ ପ୍ରସ୍ତୁତି ଜାରି ରଖିଥିଲା । ଶେଷରେ ତାର ଫଳ ମିଳିଛି । ଏହି ଅବସରରେ ଭାରତୀୟ ଦଳର କୋଚ୍ ଇଗର ଷ୍ଟିମାକ୍ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଷ୍ଟାଡିୟମରେ ଉପସ୍ଥିତ ଥିବା ୪୮ ହଜାର ଦର୍ଶକଙ୍କୁ ମଧ୍ୟ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି ।