Sports: ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍‌ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।

ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

ଭାରତୀୟ କ୍ରିକେଟ୍‌ରେ ଅନେକ ଉତ୍‌ଥାନ-ପତନଭରା ସ୍କୃତିକୁ ପଛରେ ପକାଇ ବିଦାୟ ନେଉଛି ୨୦୨୪ ।

ଦଶନ୍ଧି ପରେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ମୁକୁଟ ବିଜୟଜନିତ ଆନନ୍ଦ-ଉଲ୍ଲାସରୁ ନେଇ ନିଜ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ପରାଜୟ ଭଳି ଦୁଇ ବିରଳ ବିଫଳତାର ତିକ୍ତ ଅନୁଭୂତି ।

ଟି-୨୦ରେ ନୂଆ ଯୁଗରେ ପ୍ରବେଶ ପୁଣି କେତେକ ପ୍ରତ୍ୟାଶିତ ଓ ଅପ୍ରତ୍ୟାଶିତ ଅବସର ଘୋଷଣା । ଅପରପକ୍ଷେ, ମହିଳା ଟି-୨୦ ବିଶ୍ୱକପ୍‌ରେ ବିଫଳତା ।

ଏ ବର୍ଷ ଏମିତି ମୁହୂର୍ତ୍ତସମୂହର ମୂକସାକ୍ଷୀ ହୋଇଛନ୍ତି ଭାରତୀୟ କ୍ରିକେଟ୍‌ପ୍ରେମୀ ।

୧୧ ବର୍ଷ ପରେ ଆଇସିସି ମୁକୁଟ ବିଜୟ

୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚାମ୍ପିଅନ୍ସ ଟ୍ରଫି ବିଜୟ ପରଠାରୁ ଭାରତ ଆଉ ଆଇସିସି ଟ୍ରଫି ଜିତି ନ ଥିଲା । ୧୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଟି-୨୦ ବିଶ୍ୱକପ୍ ୨୦୨୪ରେ ଚାମ୍ପିଅନ୍ ହୋଇଥିଲା ।

ଟି-୨୦ ଆନ୍ତର୍ଜାତିକରେ ଭାରତର ଏହା ଦ୍ୱିତୀୟ ବିଶ୍ୱମୁକୁଟ । ୧୭ ବର୍ଷ ପରେ କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତ ଏହି ସଫଳତା ପାଇଥିଲା । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିଲା ।

ଫାଇନାଲ୍‌ରେ ଟିମ୍ ଇଣ୍ଡିଆ ରୋମାଞ୍ଚକ ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ରୋହିତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଟପ୍ ସ୍କୋରର୍ ହୋଇଥିବା ବେଳେ ଅର୍ଶଦୀପ ସିଂହ ଓ ଯଶପ୍ରୀତ ବୁମ୍‌ରା ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିଲେ ।

ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

ଟି-୨୦ରେ ନୂଆ ଯୁଗରେ ପ୍ରବେଶ

ଟି-୨୦ ବିଶ୍ୱକପ୍ ପରେ ଭାରତୀୟ ଟିମ୍ କ୍ଷୁଦ୍ରତମ ଫର୍ମାଟ୍‌ରେ ଏକ ନୂଆ ଯୁଗରେ ପ୍ରବେଶ କରିଥିଲା । ଗୌତମ ଗମ୍ଭୀର ସମସ୍ତ ଫର୍ମାଟ୍ ପାଇଁ ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିଲେ । ଟି-୨୦ ଆନ୍ତର୍ଜାତିକରୁ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ପରେ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍‌ର ସ୍ଥାୟୀ ଅଧିନାୟକ ନିଯୁକ୍ତ କରାଯାଇଥିଲା । ପୂର୍ବରୁ ସେ କେତେକ ଅବସରରେ ଟି-୨୦ ଟିମ୍‌ର ସଫଳ ନେତୃତ୍ୱ ନେଇଥିଲେ ।

ନୂଆ ଦାୟିତ୍ୱ ନେବା ପରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପ୍ରଥମେ ଶ୍ରୀଲଙ୍କା ଓ ଏହାପରେ ବାଂଲାଦେଶ ବିପକ୍ଷ ସିରିଜ୍‌କୁ ୩-୦ରେ କ୍ଲିନ୍‌ସ୍ୱିପ୍ କରିଥିଲା । ଏହାପରେ ଭାରତୀୟ ଟି-୨୦ ଟିମ୍ ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ୩-୧ରେ ହରାଇଥିଲା । ଦକ୍ଷିଣ ଆଫ୍ରିକା ଗସ୍ତରେ ସଞ୍ଜୁ ସାମ୍‌ସନ୍ ଓ ତିଲକ ବର୍ମା ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତରେ ଯାଇଥିଲା । ସେଠାରେ ଶୁଭମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଟି-୨୦ ଟିମ୍ ୪-୧ରେ ସିରିଜ୍ ଜିତିଥିଲା ।

୨୦୨୪ରେ ଭାରତ ଖେଳିଥିବା ସମସ୍ତ ପାଞ୍ଚ ଦ୍ୱିପାକ୍ଷିକ ଟି-୨୦ ଆନ୍ତର୍ଜାତିକ ସିରିଜ୍‌ରେ ବିଜୟ ହାସଲ କରିଛି । ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ରିଆନ୍ ପରାଗ, ତୁଷାର ଦେଶପାଣ୍ଡେ, ଧ୍ରୁବ ଜୁରେଲ୍‌, ମୟଙ୍କ ଯାଦବଙ୍କ ଭଳି ନୂଆମୁହଁ ଏ ବର୍ଷ ଟି-୨୦ ଆନ୍ତର୍ଜାତିକରେ ସୁଯୋଗ ପାଇଛନ୍ତି।

ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ସିରିଜ୍ ବିଜୟ, ନ୍ୟୁଜିଲାଣ୍ଡ ଠାରୁ ଝଟ୍‌କା

୨୦୨୪ରେ ଭାରତୀୟ ଟେଷ୍ଟ ଟିମ୍ ନିଜ ମାଟିରେ ଇଂଲଣ୍ଡ ଓ ବାଂଲାଦେଶକୁ ପରାଜିତ କରିଥିଲା, ହେଲେ ନ୍ୟୁଜିଲାଣ୍ଡ ଠାରୁ ସିରିଜ୍ କ୍ଲିନ୍ ସୁଇପ୍‌ର ଶିକାର ହୋଇଥିଲା । ଏହି ବିପର୍ଯ୍ୟୟ ଟିମ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା । ମନେ ହୋଇଥିଲା ଯେମିତି ଏହା ପୂର୍ବ ସଫଳତାଗୁଡ଼ିକୁ ମୂଲ୍ୟହୀନ କରିଦେଇଛି ।

ବର୍ଷର ଆଦ୍ୟଭାଗରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୪-୧ରେ ସିରିଜ୍ ଜିତିଥିଲା । ଇଂଲଣ୍ଡର ବହୁଚର୍ଚ୍ଚିତ ‘ବାଜ୍‌ବଲ୍‌’ ରଣନୀତି ବିଫଳ ହୋଇଥିଲା।

ନୂଆ ଘରୋଇ ସିଜନ୍‌ରେ ଭାରତୀୟ ଟିମ୍ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌କୁ୨-୦ରେ କ୍ଲିନ୍ ସୁଇପ୍ କରିଥିଲା । ଏହାପରେ ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଟିମ୍ ବିପକ୍ଷରେ ମଧ୍ୟ ରୋହିତ ସେନା ସହଜରେ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଆୟୋଜକ ଟିମ୍ ଗୋଟିଏ ବି ଟେଷ୍ଟ ଜିତିପାରି ନ ଥିଲା ଏବଂ କିୱି ଟିମ୍ ୩-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରିଥିଲା । ଘରେ ଭାରତୀୟ ଟେଷ୍ଟ ଟିମ୍ ପ୍ରଥମ ଥର ତିନି ବା ତତୋଧିକ ସିରିଜ୍‌ରେ କ୍ଲିନ୍ ସୁଇପ୍ ହୋଇଥିଲା । ଏହି ବିଫଳତା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଥିଲା ।

ଏବେ ଭାରତୀୟ ଟେଷ୍ଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । ସେଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ମ୍ୟାଚ୍ ଶେଷ ସୁଦ୍ଧା ୧-୧ ବରାବର ସ୍ଥିତିରେ ରହିଛି ।

ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ପରାଜୟ

ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଭାରତ ସୀମିତ ଓଭର୍ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିଲା । ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ୍ ଜିତିଥିଲା, କିନ୍ତୁ ଦିନିକିଆ ସିରିଜ୍‌ରେ ଟିମ୍ ୦-୨ରେ ହାରିଯାଇଥିଲା ।

ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ସିନିଅର୍ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କା ଚାଲେଞ୍ଜ୍‌ର ମୁକାବିଲା କରିବାରେ ବିଫଳ ହୋଇଥିଲା । ସିଂହଳୀ ସ୍ପିନର୍ ଭାରତର ମଜଭୁତ ବ୍ୟାଟିଂ ଲାଇନ୍‌-ଅପ୍‌କୁ ଧ୍ୱସ୍ତ କରିଥିଲେ । ୨୭ ବର୍ଷ ପରେ ଶ୍ରୀଲଙ୍କା ଟିମ୍ ନିଜ ମାଟିରେ ଭାରତକୁ ଦିନିକିଆ ସିରିଜ୍‌ରେ ହରାଇଥିଲା ।

ବଡ଼ ଖେଳାଳିଙ୍କ ଅବସର ଘୋଷଣା

୨୦୨୪ରେ ଭାରତୀୟ କ୍ରିକେଟ୍‌ରେ ଅନେକ ବଡ଼ ଖେଳାଳି ଅବସର ଘୋଷଣା କରିଥିଲେ । ଟି-୨୦ ବିଶ୍ୱକପ୍ ବିଜୟ ପରେ ବ୍ୟାଟର୍ ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି ଓ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ ।

ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଶେଷ ହେବା ପରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଅପ୍ରତ୍ୟାଶିତ ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଥିଲେ ।

ଏହାଛଡ଼ା ବ୍ୟାଟର୍ ଶିଖର ଧାବନ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ବେଳେ ୱିକେଟ୍‌କିପର୍‌-ବ୍ୟାଟର୍ ଦିନେଶ କାର୍ତ୍ତିକ ଓ ପେସର୍ ସିଦ୍ଧାର୍ଥ କାଉଲ୍ କ୍ରିକେଟ୍ ଛାଡ଼ିଥିଲେ ।

ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

ଅନ୍ୟ ଦେଶର କ୍ରିକେଟର୍‌ଙ୍କ ମଧ୍ୟରେ ଇଂଲଣ୍ଡର ପେସର୍ ଜେମ୍ସ ଆଣ୍ଡରସନ୍‌, ଅଲ୍‌ରାଉଣ୍ଡର୍ ମୋଇନ୍ ଅଲୀ ଓ ବ୍ୟାଟର୍ ଡେଭିଡ୍ ମଲାନ୍‌, ଅଷ୍ଟ୍ରେଲିଆର ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣର, ନ୍ୟୁଜିଲାଣ୍ଡର ପେସର୍ ନୀଲ୍ ୱାଗ୍‌ନର୍‌, ୱେଷ୍ଟଇଣ୍ଡିଜ୍‌ର ପେସର୍ ଶାନୋନ୍ ଗାବ୍ରିଏଲ୍‌, ପାକିସ୍ତାନର ଅଲ୍‌ରାଉଣ୍ଡର୍ ଇମାଦ୍ ୱାସିମ୍ ଓ ପେସର୍ ମହମ୍ମଦ ଅମୀର ନିଜ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌ର ଅନ୍ତ ଘଟାଇଥିଲେ ।

ନ୍ୟୁଜିଲାଣ୍ଡର ପେସର୍ ଟିମ୍ ସାଉଦୀ ଟେଷ୍ଟ ଏବଂ ବାଂଲାଦେଶର ଅଲ୍‌ରାଉଣ୍ଡର୍ ଶାକିବ୍ ଅଲ୍ ହସନ୍ ଓ ମହମୁଦୁଲ୍ଲା ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇଥିଲେ ।

ମହିଳା ଟି-୨୦ ବିଶ୍ୱକପ୍‌ରେ ବିଫଳତା, ଟେଷ୍ଟରେ ରେକର୍ଡ

ମହିଳା ଟେଷ୍ଟ ଇତିହାସରେ ଭାରତୀୟ ଟିମ୍ ସର୍ବୋଚ୍ଚ ଟିମ୍ ସ୍କୋର୍ କରିଥିଲା । ଜୁନ୍‌ରେ ଚେନ୍ନାଇ ଠାରେ ଆୟୋଜିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେଷ୍ଟର ଦ୍ୱିତୀୟ ଦିନ ହରମନପ୍ରୀତ କୌରଙ୍କ ଟିମ୍ ୬୦୩/୬ ସ୍କୋର୍‌ରେ ପ୍ରଥମ ଇନିଂସ୍ ସମାପ୍ତି ଘୋଷଣା କରିଥିଲା । ଏଥିରେ ଶେଫାଲୀ ବର୍ମା (୨୦୫) ଓ ସ୍ମୃତି ମାନ୍ଧାନା (୧୪୯) ଓପନିଂ ୱିକେଟ୍ ପାଇଁ ୨୯୨ ରନ୍‌ର ରେକର୍ଡ ଭାଗୀଦାରୀ ବି କରିଥିଲେ ।

ତେବେ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ୨୦୧୬ ପରେ ପ୍ର୍ରଥମ ଥର ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଏହା ପୂର୍ବରୁ ଟିମ୍ ଟି-୨୦ ଫର୍ମାଟ୍‌ରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ୍‌ରେ ଶ୍ରୀଲଙ୍କା ଠାରୁ ହାରିଯାଇଥିଲା ।

ବର୍ଷର ଶେଷ ଭାଗରେ ଭାରତୀୟ ମହିଳା ଟିମ୍ ନିଜ ମାଟିରେ ୱେଷ୍ଟଇଣ୍ଡିଜ୍‌କୁ ଉଭୟ ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ରେ ହରାଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ୍ ହାରିଯାଇଥିଲା । ଏହାଛଡ଼ା ମହିଳା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ବି ଜିତିଥିଲା ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)