ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକରୁ ଖାତା ଖୋଲିଲା ଭାରତ, ଗୋଲ୍ଡ୍ ମେଡାଲ ଜିତିଲେ ଅବନୀ ଲେଖରା

ସ୍ବର୍ଣ୍ଣପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଲା ଭାରତ । ୧୦ ମିଟର ଏୟାର ରାଇଫଲ ସୁଟିଂରେ ଗୋଲ୍ଡ୍ ମେଡାଲ ଜିତିଲେ ଭାରତର ଅବନୀ ଲେଖରା । ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ସୁଟର ମୋନା ଅଗ୍ରୱାଲ

avani lekhara won gold medal

ସ୍ବର୍ଣ୍ଣପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଛି ଭାରତ । ପାରା ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର ଅବନୀ ଲେଖରା । ପ୍ୟାରିସ ପାରା ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣପଦକ ଜିତିଛନ୍ତି ଅବନୀ । ପୂର୍ବରୁ ସେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।

ପାରା ଅଲିମ୍ପିକ୍ସ ହେଉ କି ଅଲିମ୍ପିକ୍ସ ଲଗାତାର ଏହି ବିଶ୍ବ ମହାକୁମ୍ଭରେ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ । ତେବେ ପ୍ୟାରିସରେ ଅବନୀଙ୍କ ସହ ଅନ୍ୟ ଭାରତୀୟ ସୁଟର ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ଅବନୀ ସ୍ବର୍ଣ୍ଣପଦକ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଅନୁସାରେ ଏହା ପୂର୍ବରୁ ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ଗୁରୁବାର ପ୍ୟାରିସ୍ ପାରାଲିମ୍ପିକ୍ସ ମଇଦାନକୁ ଓହ୍ଲାଇଥିଲେ । ସେ ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ବିଶ୍ୱ ରେକର୍ଡ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହେଲେ । ଶୀତଲ୍‌ଙ୍କ ବୟସ ମାତ୍ର ୧୭ ବର୍ଷ । ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଭାରତର ଆର୍ମଲେସ୍‌ ପାରାଆଥଲେଟ୍ ଶୀତଲ୍ ଦେବୀ ଯେଉଁଭଳି ପ୍ରଦର୍ଶନ କଲେ, ତାକୁ ସମସ୍ତେ ବାହାବାହା କହିଲେ । ସେ ଜନ୍ମଜାତ ରୋଗ ଫୋକୋମେଲିଆରେ ପୀଡ଼ିତ । ତାଙ୍କର ହାତ ନଥାଇ ମଧ୍ୟ ସେ ଗତ କିଛି ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି ।

ରାଙ୍କିଙ୍ଗ୍ ରାଉଣ୍ଡରେ ଅଂଶଗ୍ରହଣ କରିଥିବାବେଳେ ଶୀତଲ୍ ପାରା ଗେମ୍ସ ଏବଂ ବିଶ୍ୱ ରେକର୍ଡ ଭାଙ୍ଗି ୭୦୩ ପଏଣ୍ଟ ହାସଲ କରିଥିଲେ । କିନ୍ତୁ କ୍ୱାଲିଫିକେସନ୍‌ ରାଉଣ୍ଡର ଶେଷ ସଟ୍‌ରେ ପ୍ରତିପକ୍ଷ ଖେଳାଳି ତାଙ୍କୁ ପଛରେ ପକାଇ ଦେଇଥିଲେ।