ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

Hockey India League

ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌ । ସାରା ବିଶ୍ୱ ପୁଣି ଦେଖିବ ହକି କ୍ରେଜ୍‌ । ପୁଣି ଖୁମିବେ ଦର୍ଶକ, କମ୍ପିବ ଷ୍ଟାଡିୟମ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

ତେବେ ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍‌ ସାମିଲ ହେବେ । ପୁରୁଷରେ ୮ଟି ଓ ମହିଳାରେ ୬ଟି ଟିମ୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ । ସବୁଠାରୁ ବଡ଼ କଥା ହେଉଛି ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଭେନ୍ୟୁରେ ହିଁ ଖେଳାଯିବ । ରାଉରକେଲା ଓ ରାଞ୍ଚିରେ ସମସ୍ତ ମ୍ୟାଚ୍‌ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି ।

ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ମଧ୍ୟ ଏକ ଟିମ୍‌ ସାମିଲ ହେବ । ସୂଚନା ଅନୁସାରେ ୨୦୧୩ରେ ଆରମ୍ଭ ହୋଇଥିଲା ହକି ଇଣ୍ଡିଆ ଲିଗ୍‌ । ୨୦୧୩ରେ ପ୍ରଥମ ସିଜିନ୍‌ ଆରମ୍ଭ ହୋଇଥିବା ବେଳେ ୨୦୧୭ରେ ପଞ୍ଚମ ସିଜିନ୍‌ ଖେଳାଯାଇଥିଲା । ସେ ସମୟରେ ମଧ୍ୟ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସ ନାମରେ ଓଡ଼ିଶାରୁ ଏକ ଟିମ୍‌ ସାମିଲ ହୋଇଥିଲା । ହକି ଇଣ୍ଡିଆ ଲିଗ୍‌ର ପ୍ରଥମ ସିଜିନ୍‌ରେ ରାଞ୍ଚି ରାହିନୋଜ୍‌, ଦ୍ୱିତୀୟ ସିଜିନ୍‌ରେ ଦିଲ୍ଲୀ ୱେଭ୍‌ରାଇଡର୍ସ, ତୃତୀୟ ସିଜିନ୍‌ରେ ରାଞ୍ଚି ରେଜ୍‌, ଚତୁର୍ଥ ସିଜିନ୍‌ରେ ପଞ୍ଜାବ ୱାରିୟର୍ସ ଓ ପଞ୍ଚମ ସିଜିନ୍‌ରେ କଳିଙ୍ଗ ଲାନ୍‌ସର୍ସ ଚମ୍ପିଆନ୍‌ ହୋଇଥିଲା ।