Advertisment

Harshal Patel's Return to Team India: ଭାରତୀୟ T-20 ଟିମ୍‌କୁ ଫେରିବେ କି ହର୍ଷଲ ପଟେଲ୍ ?

ଆଇପିଏଲ୍ ୨୦୨୫ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି ସନ୍‌ରାଇଜର୍ସ ହାଇଦରାବାଦର ମିଡିଅମ୍ ପେସର୍ ହର୍ଷଲ ପଟେଲ୍ । ଏବେ ପ୍ରଶ୍ନ ଉଠୁଛି ଯେ ଏହି ପ୍ରଦର୍ଶନ ବଳରେ ସେ ଭାରତୀୟ ଟି-୨୦ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ କି? ଚୟନକାରୀମାନେ ତାଙ୍କୁ ପୁଣି ସୁଯୋଗ ଦେବେ କି ?

ଅଦ୍ୟତନ ହୋଇଛି
ଟିମ୍ ଇଣ୍ଡିଆକୁ ଫେରିବେ କି ହର୍ଷଲ୍

ଟିମ୍ ଇଣ୍ଡିଆକୁ ଫେରିବେ କି ହର୍ଷଲ୍

Advertisment

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ଭାରତର ମିଡିଅମ୍ ପେସର୍ ହର୍ଷଲ ପଟେଲ୍ ଦୁର୍ବଳ ସ୍ଥିତିରେ ଥିବା ସନ୍‌ରାଇଜର୍ସ ହାଇଦରାବାଦ (ଏସ୍‌ଆର୍‌ଏଚ୍‌) ପାଇଁ ‘ଆଶାର କିରଣ’ ରହିଆସିଛନ୍ତି । ଲିଗ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ ଭାରତୀୟ ଟି-୨୦ ଟିମ୍‌କୁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବଢ଼ାଇଛି । ହର୍ଷଲଙ୍କ ବୋଲିଂରେ ଯେଉଁ ଟର୍ଣ୍ଣ, କଟର୍ ଓ ଗତିରେ ପରିବର୍ତ୍ତନ ଦେଖିବାକୁ ମିଳେ, ତାହା ବିଶ୍ୱ କ୍ରିକେଟ୍‌ର ବଡ଼ ବଡ଼ ବ୍ୟାଟର୍‌ମାନଙ୍କୁ ଚକମା ଦେଇଥାଏ । ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର୍ ଏବି ଡି’ଭିଲିଅର୍ସ ବି ଏହା ସ୍ୱୀକାର କରିଛନ୍ତି ।
ପ୍ରଶ୍ନ ଉଠୁଛି ଯେ ଚଳିତ ବର୍ଷ ବାଂଲାଦେଶ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ୍ ମଧ୍ୟରୁ କୌଣସି ସିରିଜ୍‌ରେ ତାଙ୍କୁ ଟିମ୍‌ରେ ସୁଯୋଗ ମିଳିବ କି? ଚୟନକାରୀମାନେ ପୁଣି ତାଙ୍କ ନାମ ବିଚାରକୁ ନେବେ କି?

Advertisment

ଚଳିତ ଆଇପିଏଲ୍‌ରେ ପ୍ରଭାବଶାଳୀ ବୋଲିଂ

ଏଭଳି କେତେକ ବୋଲର୍ ଅଛନ୍ତି ଯେଉଁମାନେ ନିଜ ବିବିଧତା ଜରିଆରେ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇବା କଳାରେ ପାରଙ୍ଗମ । ଶ୍ରୀଲଙ୍କାର ଲସିତ ମାଲିଙ୍ଗା ନିଜ ସ୍ଲିଙ୍ଗ୍‌ ଆକ୍ସନ ଜରିଆରେ ସ୍ୱାଭାବିକ ଭାବେ ଏଭଳି କରୁଥିଲେ । ଭାରତର ଯଶପ୍ରୀତ ବୁମ୍‌ରା ମଧ୍ୟ ନିଜର ଅନନ୍ୟ ବୋଲିଂ ଆକ୍ସନ ପାଇଁ ପରିଚିତ । ୱେଷ୍ଟଇଣ୍ଡିଜ୍‌ର ଡ୍ୱେନ୍ ବ୍ରାଭୋ ଏହାକୁ ସମୟ ସହିତ ଶିଖିଛନ୍ତି । ଏହି କାରିବୀୟ ଖେଳାଳିଙ୍କ ଭଳି ହର୍ଷଲ ମଧ୍ୟ ନିଜ ଧିମା ବଲ୍ ଓ କଟର୍ ଜରିଆରେ ଅନେକ ୱିକେଟ୍ ହାସଲ କରିଛନ୍ତି । ହର୍ଷଲ ଚଳିତ ଆଇପିଏଲ୍‌ରେ ଏ ଯାବତ (ଏପ୍ରିଲ୍ ୨୮ ସୁଦ୍ଧା) ଆଠ ମ୍ୟାଚ୍ ଖେଳି ୧୩ ୱିକେଟ୍ ନେଇଛନ୍ତି ।

ଏପ୍ରିଲ୍ ୨୫ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ସେ ୨୮ ରନ୍ ଦେଇ ୪ ୱିକେଟ୍ ହାସଲ କରିଥିଲେ । ଏହି ପ୍ରଦର୍ଶନ ପାଇଁ ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ । ଏସ୍‌ଆର୍‌ଏଚ୍ ୫ ୱିକେଟ୍‌ରେ ଏହି ମ୍ୟାଚ୍ ଜିତିଥିଲା । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଏକ ମ୍ୟାଚ୍‌ରେ ମଧ୍ୟ ହର୍ଷଲ ୪ ୱିକେଟ୍ ନେଇଥିଲେ । ଅନ୍ୟ କେତେକ ମ୍ୟାଚ୍‌ରେ ବି ସେ ଭଲ ପ୍ରଦର୍ଶନ କରିଛନ୍ତି । ଏସ୍‌ଆର୍‌ଏଚ୍ ପୂର୍ବରୁ ସେ ପଞ୍ଜାବ କିଙ୍ଗ୍‌ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାର୍‌ଡେଭିଲ୍ସ (ଏବେ ଦିଲ୍ଲୀ କ୍ୟାପିଟାଲ୍ସ) ପକ୍ଷରୁ ଖେଳିସାରିଛନ୍ତି ।

Advertisment

ଆଇପିଏଲ୍‌ରେ ଡେଥ୍ ଓଭର୍ ଦାୟିତ୍ୱ

ହର୍ଷଲ ଯେଉଁ ଯେଉଁ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିଛନ୍ତି, ସମସ୍ତେ ତାଙ୍କୁ ଡେଥ୍ ଓଭର୍‌ରେ ବୋଲିଂ ଦାୟିତ୍ୱ ଦେଇଛନ୍ତି । ସେ କେବେ ଚାଲେଞ୍ଜ୍‌ରୁ ପଛଘୁଞ୍ଚା ଦେଇ ନାହାନ୍ତି । ଅବଶ୍ୟ ଡେଥ୍ ଓଭର୍‌ରେ ସେ ବହୁତ ରନ୍ ବି ଦେଇଛନ୍ତି । ସେ ଆଇପିଏଲ୍‌ରେ ୧୧୪ ମ୍ୟାଚ୍ ଖେଳି ୧୪୮ ୱିକେଟ୍ ନେଇଛନ୍ତି । ୨୦୨୧ ପରଠାରୁ ଏ ଯାବତ ତାଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଗଲେ, ତାଙ୍କ ନାମରେ ୬୬ ମ୍ୟାଚ୍‌ରେ ୧୦୨ ୱିକେଟ୍ ରହିଥିବା ଜଣାଯାଏ । ଏହି ଅବଧି ମଧ୍ୟରେ କୌଣସି ବୋଲର୍‌ଙ୍କ ଦ୍ୱାରା ଏହା ସର୍ବାଧିକ ୱିକେଟ୍ ହାସଲ ।

ହର୍ଷଲ ୨୦୨୧ରୁ ୨୦୨୩ ଯାଏଁ ଆର୍‌ସିବି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ସମୟରେ ସେ ୪୩ ମ୍ୟାଚ୍ ଖେଳି ୬୫ ୱିକେଟ୍ ନେଇଥିଲେ । କିନ୍ତୁ ତାଙ୍କୁ ରିଲିଜ୍ କରିଦିଆଯାଇଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଥିଲା । ସେ ଆଇପିଏଲ୍ ୨୦୨୪ରେ ୨୪ ୱିକେଟ୍ ନେଇ ପ୍ରଭାବିତ କରିଥିଲେ । ଏହାସତ୍ତ୍ୱେ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍ କରି ନ ଥିଲା । ଗତ ବର୍ଷ ମେଗା ନିଲାମୀରେ ଏସ୍‌ଆର୍‌ଏଚ୍  ତାଙ୍କୁ ଆଠ କୋଟି ଟଙ୍କାରେ କିଣିଥିଲା ।

Advertisment

ଟି-୨୦ ଆନ୍ତର୍ଜାତିକରେ ନେଇଛନ୍ତି ୨୯ ୱିକେଟ୍‌

ହର୍ଷଲଙ୍କ କ୍ରିକେଟ୍ କ୍ୟାରିଅର୍ ଉତ୍‌ଥାନ-ପତନଭରା ରହିଆସିଛି । ଘରୋଇ କ୍ରିକେଟ୍‌ରେ କଠିନ ପରିଶ୍ରମ ପରେ ସେ ୨୦୨୧ରେ ପ୍ରଥମ ଥର ଭାରତୀୟ ଟିମ୍‌ରେ ସ୍ଥାନ ପାଇଥିଲେ । ତାଙ୍କ ବୋଲିଂ ଧିମା ପିଚ୍ ପାଇଁ ଅନୁକୁଳ । ଦୁବାଇରେ ଟି-୨୦ ବିଶ୍ୱକପ୍ ୨୦୨୧ରେ ତାଙ୍କୁ ପ୍ରଥମେ ନେଟ୍ ବୋଲର୍ ଭାବେ ସାମିଲ୍ କରାଯାଇଥିଲା । କିନ୍ତୁ ଶୀଘ୍ର ସେ ନିୟମିତ ଖେଳାଳି ହୋଇପାରିଥିଲେ । ୨୦୨୧ ନଭେମ୍ବରରୁ ୨୦୨୩ ଜାନୁଆରୀ ଯାଏଁ - ଏହି ୧୫ ମାସ ମଧ୍ୟରେ ସେ ଭାରତ ପକ୍ଷରୁ ୨୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୨୯ ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କ ଆଭରେଜ୍ ରହିଛି ୨୬.୫୫ । ଏହାପରେ ତାଙ୍କୁ ଆଉ ଟିମ୍ ପକ୍ଷରୁ ଖେଳିବାର ସୁଯୋଗ ମିଳିନାହିଁ ।

୨୦୨୩ ଜାନୁଆରୀ ୩ରେ ସେ ଶେଷ ଥର ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିଥିଲେ । ଏହି ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇ ଠାରେ ଖେଳାଯାଇଥିଲା । ଆସନ୍ତା ବର୍ଷ ଆଦ୍ୟଭାଗରେ ଭାରତ ଓ ଶ୍ରୀଲଙ୍କା ଠାରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ, ଯେଉଁଠି ପିଚ୍ ହର୍ଷଲଙ୍କ ବୋଲିଂ ପାଇଁ ଅନୁକୂଳ ହେବ । କିନ୍ତୁ ତାଙ୍କୁ ପୁଣି ଥରେ ଟିମ୍‌ରେ ସୁଯୋଗ ମିଳିବା ସହଜ କଥା ନୁହେଁ । 

ଭାରତୀୟ ଟିମ୍‌ରେ ପ୍ରତିଭାଶାଳୀ ପେସର୍‌ଙ୍କ ଅଭାବ ନାହିଁ 

ପେସ୍ ବାହିନୀରେ ଅଭିଜ୍ଞ ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କ ଛଡ଼ା ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ନୀତୀଶ କୁମାର ରେଡ୍ଡୀ ପ୍ରମୁଖ ରହିଛନ୍ତି । ଏହି ତାଲିକାରେ ଆହୁରି କିଛି ଖେଳାଳି ଅଛନ୍ତିି । ତେଣୁ ୩୪ବର୍ଷୀୟ ହର୍ଷଲଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ବଡ଼ ଚାଲେଞ୍ଜ୍ । ତେବେ ସେ ଆଇପିଏଲ୍ ଜରିଆରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଉତ୍ତମ ପ୍ରଦର୍ଶନ କରୁଥିବାରୁ ଚୟନ କମିଟି ତାଙ୍କୁ କିଛି ଟି-୨୦ ମ୍ୟାଚ୍‌ରେ ସୁଯୋଗ ଦେଇ ପରୀକ୍ଷା କରିପାରେ ।  

Team India T20 Harshal IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ