Advertisment

Sports: ଚେସ୍ ଜଗତର ନୂଆ ସୁପର୍‌ଷ୍ଟାର୍ ଗୁକେଶ ଡୋମ୍ମାରାଜୁ

ସତ ହୋଇଛି ଯୁବ ଗ୍ରାଣ୍ଡ୍‌ମାଷ୍ଟର ଗୁକେଶ ଡୋମ୍ମାରାଜୁଙ୍କ ସ୍ୱପ୍ନ । ଚେସ୍‌ରେ ସର୍ବକନିଷ୍ଠ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଭାରତର ଏହି ପ୍ରତିଭାଦୀପ୍ତ ଖେଳାଳି ।

ଅଦ୍ୟତନ ହୋଇଛି
Gukesh Dommaraju is the new superstar of the chess world

Gukesh Dommaraju is the new superstar of the chess world

Advertisment

ସ୍ୱପ୍ନ ବି ସତ ହୁଏ, ହେଲେ ଏଥିପାଇଁ ଲୋଡ଼ା ଅତନ୍ଦ୍ର ସାଧନା । ସେହି ସାଧନା ଭିତରେ ଥାଏ ନିଜ ପ୍ରତିଭାକୁ ତୁଙ୍ଗ ଶିଖରରେ ପହଞ୍ଚାଇବାର ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ । ୧୮ ବର୍ଷୀୟ ଗୁକେଶ ଡୋମ୍ମାରାଜୁଙ୍କ ସ୍ୱପ୍ନ ସତ ହୋଇଛି । ସେ ଚେସ୍‌ରେ ସର୍ବକନିଷ୍ଠ ବିଶ୍ୱବିଜେତା ହେବାକୁ ଚାହୁଁଥିଲେ । ସାତ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ଏ କଥା କହିଥିଲେ ଗୁକେଶ । ସେତେବେଳକୁ ସେ ଗ୍ରାଣ୍ଡ୍‌ମାଷ୍ଟର ବି ହୋଇ ନ ଥିଲେ । ଏବେ ସେ ସତରେ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ୱ ମୁକୁଟର ଅଧିକାରୀ ହୋଇଛନ୍ତି । ଏହାପରେ ସେହି ସାକ୍ଷାତକାରର ଭିଡିଓ ଭାଇରାଲ୍ ହେଉଛି।

Advertisment
Gukesh Dommaraju is the new superstar of the chess world୧୮ ବର୍ଷୀୟ ଗୁକେଶ ଡୋମ୍ମାରାଜୁଙ୍କ ସ୍ୱପ୍ନ ସତ ହୋଇଛି

ଚେସ୍‌ରେ ସର୍ବକନିଷ୍ଠ ବିଶ୍ୱବିଜେତା

ନିଜ ସାଧନାର ଫଳସ୍ୱରୂପ ଭାରତର ଯୁବ ଗ୍ରାଣ୍ଡ୍‌ମାଷ୍ଟର ଗୁକେଶ ସିଙ୍ଗାପୁରରେ ଇତିହାସ ରଚିଛନ୍ତି । ସେ ଫିଡେ ବିଶ୍ୱ ଚେସ୍ ଚାମ୍ପିଅନ୍‌ସିପ୍‌ରେ ହୋଇଥିବା ୧୪ ବାଜିରେ ପୂର୍ବତନ ବିଜେତା ଚୀନ୍‌ର ଗ୍ରାଣ୍ଡ୍‌ମାଷ୍ଟର ଡିଙ୍ଗ୍ ଲିରେନ୍‌ଙ୍କୁ ହରାଇ ସର୍ବକନିଷ୍ଠ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ।

ଏହା ପୂର୍ବରୁ ରୁଷିଆର ଗ୍ୟାରୀ କାସ୍ପରୋଭଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏକି ୧୯୮୫ରେ ୨୨ ବର୍ଷ ବୟସରେ ଏହି ମୁକୁଟ ଜିତିଥିଲେ ।

Advertisment

ପ୍ରତିଭାଦୀପ୍ତ ଗୁକେଶ ଚଳିତ ବର୍ଷର ଆଦ୍ୟଭାଗରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସବୁଠାରୁ ଯୁବ ଖେଳାଳି ଭାବେ ବିଶ୍ୱ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଥିଲେ । ବିଶ୍ୱବିଜେତା ହେବାରେ ସେ ଖ୍ୟାତନାମା ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ । ପାଞ୍ଚ ଥର ବିଜେତା ଆନନ୍ଦ ୨୦୧୩ରେ ଶେଷ ଥର ବିଶ୍ୱ ମୁକୁଟ ଜିତିଥିଲେ ।

ପ୍ରାରମ୍ଭିକ ବିଫଳତା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ

ବିଶ୍ୱ ଚେସ୍ ଚାମ୍ପିଅନ୍‌ସିପ୍‌ରେ ଚାଲେଞ୍ଜର୍ ଗୁକେଶଙ୍କ ଅଭିଯାନର ଆରମ୍ଭ ସକାରାତ୍ମକ ନ ଥିଲା । ସେ ପ୍ରଥମ ବାଜିରେ ୩୨ବର୍ଷୀୟ ଲିରେନ୍‌ଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ଏହାପରେ ସେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ।

Advertisment

ଗୁକେଶ ତୃତୀୟ ଓ ୧୧ତମ ବାଜି ଜିତି ଅଗ୍ରଣୀ ହାସଲ କରିଥିଲେ ଏବଂ ଅନ୍ୟ ବାଜିଗୁଡ଼ିକୁ ଡ୍ର’ ରଖିଥିଲେ । କିନ୍ତୁ ୧୨ତମ ବାଜିରେ ସେ ପୁଣି ପରାଜୟର ସମ୍ମୁଖୀନ ହୋଇଥିଲେ । ଏହାପରେ ୧୩ତମ ମୁକାବିଲା ଡ୍ର’ ରହିଥିଲା ।

Gukesh Dommaraju is the new superstar of the chess worldଗୁକେଶ ତୃତୀୟ ଓ ୧୧ତମ ବାଜି ଜିତି ଅଗ୍ରଣୀ ହାସଲ କରିଥିଲେ

କ୍ଲାସିକାଲ୍ ଚେସ୍‌ର ୧୩ ବାଜି ଶେଷ ସୁଦ୍ଧା ପ୍ରତିଯୋଗିତା ବରାବର (୬.୫-୬.୫ ପଏଣ୍ଟ) ସ୍ଥିତିରେ ଥିଲା । ୧୪ ବାଜି ମଧ୍ୟରେ ବିଜେତା ସ୍ଥିର ହୋଇ ନ ଥିଲେ, ପ୍ରତିଯୋଗିତା ଟାଇବ୍ରେକର୍‌କୁ ଯାଇଥା’ନ୍ତା ।

୧୪ତମ ବାଜି ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଗୁକେଶ ନିର୍ଣ୍ଣାୟକ ବାଜି ଜିତି ମୋଟ୍ ୭.୫ ପଏଣ୍ଟ ପାଇଥିଲେ ଏବଂ ବିଶ୍ୱବିଜେତା ଘୋଷିତ ହୋଇଥିଲେ ।

୭ ବର୍ଷ ବୟସରୁ ଖେଳିଥିଲେ ଚେସ୍‌

ଗୁକେଶ ୨୦୦୬ ମେ’ ୨୯ରେ ଚେନ୍ନାଇ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଜଣେ ଇଏନ୍‌ଟି ସର୍ଜନ ଆଉ ମା’ ମାଇକ୍ରୋବାୟୋଲଜିଷ୍ଟ । ବାପା-ମା’ଙ୍କ ଠାରୁ ପ୍ରୋତ୍ସାହନ ପାଇ ୭ ବର୍ଷ ବୟସରେ ଗୁକେଶ ଚେସ୍ ଖେଳିବା ଆରମ୍ଭ କରିଥିଲେ ।

ପ୍ରଥମାବସ୍ଥାରେ ଭାସ୍କର ନାଗୈୟା ଓ ବିଷ୍ଣୁ ପ୍ରସନ୍ନ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହାପରେ ଆନନ୍ଦ ତାଙ୍କୁ ମାର୍ଗଦର୍ଶନ କରିଥିଲେ ।

ତାଙ୍କର ବାଲ୍ୟ କୋଚ୍ ପ୍ରସନ୍ନଙ୍କ କହିବାନୁଯାୟୀ ପିଲାଦିନରୁ ହିଁ ବିଶ୍ୱବିଜେତା ହେବା ଗୁକେଶଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟ ଉପରେ ସେ ଏତେ ଧ୍ୟାନକେନ୍ଦ୍ରିତ କରିଛନ୍ତି ଯେ ଜୀବନରେ ଏ ଯାବତ ଯାହା କରିଆସିଛନ୍ତି, ସେସବୁ କେବଳ ଏହି ଲକ୍ଷ୍ୟ ସାଧନ ପାଇଁ ଉଦ୍ଦିଷ୍ଟ ଥିଲା ।

ଗୁକେଶ ୨୦୧୫ରେ ୯ ବର୍ଷରୁ କମ୍ ବୟସ ବର୍ଗରେ ଏସୀୟ ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ୍ ଜିତିଥିଲେ । ଏହାର ପର (୨୦୧୬) ବର୍ଷ ସେ ରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ରେ ସେ ୧୨ ବର୍ଷରୁ କମ୍ ବର୍ଗରେ ବିଶ୍ୱ ଯୁବ ଚେସ୍ ଜିତିବାରେ ସଫଳ ହୋଇଥିଲେ ।

Gukesh Dommaraju is the new superstar of the chess worldଗୁକେଶ ୨୦୧୫ରେ ୯ ବର୍ଷରୁ କମ୍ ବୟସ ବର୍ଗରେ ଏସୀୟ ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ୍ ଜିତିଥିଲେ

୧୨ ବର୍ଷ ବୟସରେ ଗ୍ରାଣ୍ଡ୍‌ମାଷ୍ଟର

‘୨୦୧୯ ଜାନୁଆରୀ ୧୫’ ଗୁକେଶଙ୍କ ଯାତ୍ରା ପଥରେ ଏକ ସ୍ୱତନ୍ତ୍ର ଦିନ ଥିଲା । ସେ ୧୨ ବର୍ଷ, ୭ ମାସ ଓ ୧୭ ଦିନ ବୟସରେ ବିଶ୍ୱର ତୃତୀୟ ସର୍ବକନିଷ୍ଠ ଗ୍ରାଣ୍ଡ୍‌ମାଷ୍ଟର ହୋଇଥିଲେ ।

ଚଳିତ ବର୍ଷ ଗୁକେଶଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ମିଳିଛି । ସେ ୧୭ ବର୍ଷ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଫିଡେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତିଥିଲେ ।

ଚେସ୍ ଅଲିମ୍ପିଆଡ୍‌ରେ ସେ ବ୍ୟକ୍ତିଗତ ଓ ଟିମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ମୋଟ୍ ୧୦ ବାଜି ମଧ୍ୟରୁ ୮ ମୁକାବିଲା ଜିତିଥିବା ବେଳେ ୨ ମୁକାବିଲାକୁ ଡ୍ର’ ରଖିଥିଲେ । ୧୦ମ ରାଉଣ୍ଡରେ ସେ ଆମେରିକାର ଫାବିଆନୋ କାରୁଆନାଙ୍କୁ ମାତ୍ ଦେଇଥିଲେ ।

ଏହାପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ତାଙ୍କୁ ସେହି ସଫଳତା ମିଳିଥିଲା, ଯାହାର ସେ ସ୍ୱପ୍ନ ଦେଖୁଥିଲେ । ଆଜି ସାରା ଭାରତ ତାଙ୍କ ପାଇଁ ଗର୍ବିତ ।

Gukesh Dommaraju is the new superstar of the chess world ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ତାଙ୍କୁ ସେହି ସଫଳତା ମିଳିଥିଲା, ଯାହାର ସେ ସ୍ୱପ୍ନ ଦେଖୁଥିଲେ

ଏହାଛଡ଼ା ସେ ଅନେକ ଓପନ୍ ମୁକୁଟ ଜିତିଛନ୍ତି, ଯେଉଁଥିରେ କାନ୍ସ ଓପନ୍‌, ମେନୋର୍କା ଓପନ୍‌, ନରୱେ ଚେସ୍ ଭଳି ଚାମ୍ପିଅନ୍‌ସିପ୍ ରହିଛି ।

ଚେସ୍ ଜଗତର ନୂଆ ସୁପର୍‌ଷ୍ଟାର୍ ଗୁକେଶଙ୍କ ଉଲ୍ଲେଖନୀୟ ଉପଲବ୍‌ଧି ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେବ । ଗୁକେଶ ବି ନିଜର ପ୍ରଚଣ୍ଡ ପ୍ରତିଭା, ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମକୁ ପାଥେୟ କରି ଆଗକୁ ବଢ଼ିବେ । ହୁଏତ ଭବିଷ୍ୟତରେ ସେ ଆହୁରି ଅନେକ ଉପଲବ୍‌ଧି ହାସଲ କରିବେ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Chess Grandmaster Chess Chess Grandmaster Chess Olympiad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ