ଅକ୍ଟୋବର ୬ରୁ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ୱାନ୍‌ ଡେ ମ୍ୟାଚ୍‌; ଦଳରେ ନଜର ଆସିବେ କିଛି ନୂଆ ମୁହଁ

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।

IND vs SA

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି । ଅପେକ୍ଷାକୃତ ଯୁବ ଟିମ୍‌ର ନୂଆ ମୁହଁ ହେଲେ ରଜତ ପଟିଦାର ଓ ମୁକେଶ କୁମାର । ଶ୍ରେୟାସ ଆୟାରଙ୍କୁ ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଟିମ୍‌କୁ ଫେରିଛନ୍ତି ସଂଜୁ ସାମସନ ଓ କୁଳଦୀପ ଯାଦବ ।

ଟିମ୍‌ର ବାକି ସଦସ୍ୟ ହେଲେ ଋତୁରାଜ ଗାଏକୱାଡ, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଶାନ କିଶନ, ଶାହାବାଜ ଅହମଦ, ରବି ବିଷ୍ଣୋଇ, ଅଭେଶ ଖାନ, ମହମ୍ମଦ ସିରାଜ ଓ ଦୀପକ ଚହର । ଅକ୍ଟୋବର ୬ରେ ଲକ୍ଷ୍ନୌରେ ପ୍ରଥମ ମ୍ୟାଚ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ୱିତୀୟ ୱାନ୍ ଡେ ଓ ଦିଲ୍ଲୀରେ ଅକ୍ଟୋବର ୧୧ରେ ତୃତୀୟ ତଥା ଅନ୍ତିମ ୱାନ୍ ଡେ ଖେଳାଯିବ । ନିୟମିତ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ରିଷଭ ପନ୍ଥ ଏହି ସିରିଜ ଖେଳିବେ ନାହିଁ । ଅକ୍ଟୋବର ୨୩ରୁ ଆରମ୍ଭ ହେଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସେମାନେ ପ୍ରସ୍ତୁତି କରିବେ ।

ତେବେ ଗତକାଲି ସାଉଥ୍‌ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ହରାଇ ସିରିଜ ହାତେଇଛି ଭାରତ । ଗୌହାଟୀ ଟି ଟ୍ୱେଣ୍ଟିରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ହାରିଲା ଦକ୍ଷିଣ ଆଫ୍ରିକା । ଗୌହାଟି ଟି-ଟ୍ୱେଣ୍ଟିରେ ଭାରତ ୧୬ ରନ୍‌ରେ ଗତକାଲି ମ୍ୟାଚ୍‌କୁ କବ୍ଜା କରିଛି । ଫଳପ୍ରଦ ହେଲା ନାହିଁ ଡେଭିଡ୍ ମିଲରଙ୍କ ବିସ୍ଫୋରକ ଶତକ । ୨୩୮ ରନ୍ ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୨୨୧ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । ଗୋଟିଏ ମ୍ୟାଚ୍ ବାକି ଥାଇ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି ।

ଗୌହାଟି ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ କରିଥିଲା ୨୩୭ ରନ୍ । ଧୂଆଁଧାର ଇନିଂସ ଖେଳିଥିଲେ ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି । ବିଶେଷ କରି ୨୨ ବଲ୍‌ରୁ ସୂର୍ଯ୍ୟକୁମାର ବିସ୍ଫୋରକ ୬୧ ରନ୍ ଟିମ୍ ସ୍କୋରକୁ ବଢ଼ାଇଥିଲା । ହେଲେ ଗତକାଲି ଟିମ୍ ଇଣ୍ଡିଆର ବୋଲିଂ ଏତେଟା ପ୍ରଭାବଶାଳୀ ହୋଇପାରିନି ।