କୋଟି କୋଟି ଫ୍ୟାନ୍‌, ତଥାପି ଏକା ଏକା ବିରାଟ କୋହଲି ! କାହିଁକି..?

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।

Virat Kohli

ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଅନେକ ଦିନ ଧରି ସେ ଅହରହ ଚେଷ୍ଟା ଚଳାଇଥିଲେ ମଧ୍ୟ ଫର୍ମକୁ ଫେରି ପାରୁନାହାନ୍ତି । ବାରମ୍ବାର ମଇଦାନରେ ନିଜର ଫ୍ଲପ୍‌ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଟାହିଟାପରା କରାଯାଇଛି । ଆଉ ଏହାରି ଭିତରେ ଏବେ କୋହଲିଙ୍କ ମନ୍ତବ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ସେହି ମନ୍ତବ୍ୟରୁ ଜଣାପଡ଼ୁଛି କୋହଲି କେତେ ମାତ୍ରାରେ ଭାଙ୍ଗି ପଡ଼ିଛନ୍ତି ।

କୋହଲି ନିଜ ମନ୍ତବ୍ୟରେ କହିଥିଲେ ଯେ, ‘ମୁଁ ଏବେ ଏକା ହୋଇଯାଇଛି । ଅନେକ ଫ୍ୟାନ୍‌ ଅଛନ୍ତି ମୋର । ସେମାନେ ମଧ୍ୟ ମୋତେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ତଥାପି ମୋତେ ଏକା ଏକା ଲାଗୁଥିଲା ।’

ଦେଖିବାକୁ ଗଲେ ନିଜ ଖରାପ ଫର୍ମ ପାଇଁ ଚିନ୍ତାରେ ପଡ଼ିଛନ୍ତି କୋହଲି । ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ ବୋଲି ସେ କହିଛନ୍ତି । ଏହାସହ ସେ ନିଜକୁ ଏକୁଟିଆ ଅନୁଭବ କରୁଥିବା ମଧ୍ୟ କହିଛନ୍ତି । ତେବେ କୋହଲିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଚିନ୍ତାରେ ଫ୍ୟାନ୍‌ମାନେ । ନିକଟରେ ଏକ ଜାତୀୟ ଗଣମାଧ୍ୟମ ଆଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି କୋହଲି ।

 

ବୁଧବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୋହଲି କହିଛନ୍ତି ଯେ, ‘ମୋ କ୍ୟାରିୟରର ଟେନ୍‌ସେନ୍‌ ବେଳେବେଳେ ମୋ ମାନସିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରିଛି ଯେ ମୋତେ ସମର୍ଥନ କରୁଥିବା ଏବଂ ଭଲ ପାଉଥିବା ଫ୍ୟାନ୍ସ ଏକ କୋଠରୀ ମଧ୍ୟରେ ମତେ ଚିୟର୍ସ କଲେ ବି ମୁଁ ନିଜକୁ ଏକୁଟିଆ ଅନୁଭବ କରୁଥିଲି । କେବଳ ମୁଁ ନୁହେଁ ଅନେକ ଲୋକ ମଧ୍ୟ ଏପରି ଅନୁଭବ କରିଥିବେ । ଏଭଳି ସ୍ଥିତିରୁ ଆମେ ବାହାରିବା ପାଇଁ ବହୁବାର ଦୃଢ଼ ଚେଷ୍ଟା କଲେ ମଧ୍ୟ ଆମେ ଭାଙ୍ଗିପଡ଼ିଥାଉ’ ।

କୋହଲିଙ୍କ କହିବାନୁଯାୟୀ ପ୍ରତ୍ୟେକ କ୍ରୀଡ଼ାବିତକୁ ଏଭଳି ସ୍ଥିତିରେ ବିଶ୍ରାମ ନେଇଯିବା ଦରକାର । ଚାପ କମିବା ପରେ ପୁନର୍ବାର ଖେଳୁଆଡ଼ ମନୋଭାବ ନେଇ ଖେଳାଳି ପଡ଼ିଆକୁ ଓହ୍ଲାଇବା ଆବଶ୍ୟକ ।

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖରରେ ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ଥିତି ସହ ସଂଘର୍ଷ କରୁଛନ୍ତି । ୩୩ ବର୍ଷୀୟ କୋହଲି ନିଜର ଉଚ୍ଚକୋଟିର ବ୍ୟାଟିଂ ଏବଂ ଆଟାକିଂ କ୍ୟାପ୍ଟେନ୍‌ସିପ୍‌ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ଖରାପ ଫର୍ମ କାରଣରୁ ତାଙ୍କ ବ୍ୟାଟିଂ ଖୁବ୍‌ ପ୍ରଭାବିତ ହୋଇଛି । ଗତ ବର୍ଷ ଶେଷ ସୁଦ୍ଧା ସେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ର କ୍ୟାପ୍ଟେନ୍‌ସିପ୍‌ରୁ ଓହରି ଯାଇଛନ୍ତି ।

ଆଗାମୀ ଦିନରେ ଏସିଆ କପ୍‌ ଓ ଟି-୨୦ ୱାର୍ଲ୍ଡକପ୍‌ ଥିବାବେଳେ ବିରାଟ୍‌ଙ୍କ ଫ୍ୟାନ୍ସ ତାଙ୍କର କମ୍‌ବ୍ୟାକ୍‌ ନେଇ ବେଶ୍‌ ଆଶାୟୀ ରହିଛନ୍ତି । ପୁଣିଥରେ କୋହଲି ନିଜର ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିବେ ବୋଲି ଦେଶର ପୂର୍ବତନ ଖେଳାଳିମାନେ ମଧ୍ୟ ମତ ଦେଇଛନ୍ତି ।