Ind vs WI
ଧରାସାୟୀ ହେଲା ଟିମ୍ ୱେଷ୍ଟଇଣ୍ତିଜ୍ । ସିରିଜ୍ ପୋଛିନେଲା ଟିମ୍ ଇଣ୍ତିଆ । ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରି ୯୬ ରନ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଟିମ୍ ଇଣ୍ତିଆ । ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୦ ରେ କ୍ଲିନ୍ ସ୍ୱିପ୍ କରିନେଇଛି ।
ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହା ପୂର୍ବରୁ ଭାରତ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜକୁ ଆଗୁଆ ହାତେଇ ନେଇଥିଲା। ଅନ୍ୟପକ୍ଷରେ ତୃତୀୟ ଦିନିକିଆ ଜିତି ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷା କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ପୂର୍ବ ଦୁଇ ମ୍ୟାଚ୍ ତୁଳନାରେ ଭ୍ରମଣକାରୀ ଟିମ୍ ଆଜି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି।
୨୬୬ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କାମଚଳା କ୍ୟାପଟେନ୍ ନିକୋଲାସ ପୁରନ୍ ଓ ଓଡେନ୍ ସ୍ମିଥଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଧୈର୍ଯ୍ୟ ଦେଖାଇ ନଥିଲେ। ସ୍ମିଥ୍ ମାତ୍ର ୧୮ ବଲରେ ୩ ଚୌକା ଓ ୩ ଛକା ସହ ଦ୍ରୁତ ୩୬ ଓ ପୁରନ୍ ୩୪ ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାରେନ୍ ବ୍ରାଭୋ ୧୯, ବ୍ରାଣ୍ଡନ୍ କିଙ୍ଗ୍ ୧୪, ଶାଇ ହୋପ୍ ୪, ଜେସନ୍ ହୋଲ୍ଡର ୬ ରନ୍ କରି ଆଉଟ୍ ହୋଇଥିଲେ। ଶାମରା ବ୍ରୁକ୍ସ ଓ ଫାବିଆନ୍ ଆଲେନ୍ ଖାତା ଖୋଲିପାରିନଥିଲେ।
ଅଲଜାରୀ ଜୋସେଫ୍ ଓ ହେଡେନ୍ ୱାଲ୍ସ କିଛି ସମୟ ଭାରତୀୟ ବୋଲରଙ୍କୁ ସମସ୍ୟାରେ ପକାଇଥିଲେ। କିନ୍ତୁ ଏହି ଯୋଡ଼ିକୁ ସିରାଜ ଭାଙ୍ଗି ମ୍ୟାଚକୁ ଭାରତ କବଜାରେ କରିଥିଲେ। ୱାଲ୍ସ ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୋସେଫ୍ ୨୯ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ସିରାଜ ଓ ପ୍ରସିଦ୍ଧ ୩ଟି ଲେଖାଏ ଏବଂ ଚହର୍ ଓ କୁଲଦୀପ ଯାଦବ ୨ଟି ଲେଖାଏ ସଫଳତା ପାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ind_vs_WI_1644597430.jpg)