ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

Mirabai Chanu

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ । ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ସାଇଖୋମ୍‌  ମୀରାବାଈ ଚାନୁ । ଭାରୋତ୍ତୋଳନର ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି । ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

ଆଜି ଇଭେଣ୍ଟରେ ସମସ୍ତଙ୍କୁ ପଛରେ ପକାଇବା ସହ ବ୍ୟାକ୍ ଟୁ ବ୍ୟାକ୍ ରେକର୍ଡ କରିଛନ୍ତି ଚାନୁ । ସ୍ନାଚ୍‌ରେ ୮୮ କିଲୋ, କ୍ଲିନ୍ ଆଣ୍ଡ ଜର୍କରେ ୧୧୩ କିଲୋ । ଏପରି ଭାବେ ମୋଟ୍ ୨୦୧ କିଲୋ ଉଠାଇ ନିଜ ନାଁରେ ଏକ ରେକର୍ଡ କରିଛନ୍ତି ମୀରାବାଈ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ମୀରାବାଈଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଗର୍ବର ଦିନ ବୋଲି କହିଛନ୍ତି । ଏହାପୂର୍ବରୁ ମୀରାବାଈ ୨୦୧୭ ୱାଲଡ୍ ଚାମ୍ପିଅନ୍‌ସିପ୍‌ରେ ଗୋଲ୍ଡ,,୨୦୨୦ ଟୋକିଓ ଅଲମ୍ପିକ୍ସରେ ସିଲଭର୍ ଆଣି ଦେଶର ନାଁ ଗର୍ବିତ କରିଛନ୍ତି । 

ତେବେ ମିରାବାଈଙ୍କ ପୂର୍ବରୁ ଭାରୋତ୍ତଳନରେ ଭାରତ ପାଇଁ ଆଉ ପଦକ ଆଣିଥିଲେ ଗୁରୁରାଜ ପୁଜାରୀ । ସେ ପୁରୁଷ ୬୧ କିଲୋଗ୍ରାମ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । କମନ୍‌ ୱେଲ୍ଥ ଗେମ୍‌ସରେ ଏହା ଥିଲା ଭାରତର ଦ୍ୱିତୀୟ ପଦକ । ଗୁରୁରାଜ ପୁଜାରୀ ମୋଟ ୨୬୯ କିଲୋଗ୍ରାମ ଭାର ଉଠାଇଥିଲେ । 

ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମେ ରୌପ୍ୟ ପଦକ ସହ ଖାତା ଖୋଲିଥିଲା ଭାରତ । ଆଜି ଯୁବ ଭାରୋତ୍ତଳକ ସଙ୍କେତ ସାଗର ୫୫ କେଜି ବର୍ଗରେ ଭାରତ ଲାଗି ରୌପ୍ୟ ପଦକ ଜିତିଛନ୍ତି । ସମୁଦାୟ ୨୪୮ କେଜି ଭାର ଉଠାଇ ସେ ଏହି ପଦକ ହାସଲ କରିଛନ୍ତି । ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲା । ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ । ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଥିଲେ । ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଥିଲା । ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି ।

ଅନ୍ୟପଟେ ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ ପାଲଟିଛନ୍ତି । ସେ ଗତ ଟୋକିଓ ଅଲମ୍ପିକ୍ସରେ ମଧ୍ୟ ଭାରତ ପାଇଁ ଗର୍ବ ଆଉ ଗୌରବ ଆଣିଥିଲେ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଥିଲେ ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ । ଏବେ ତାଙ୍କୁ ବୟସ ପାଖାପାଖି ୨୮ ହେବ । ବୟସ ସିନା କମ୍‌ କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ତାଙ୍କ ନାଁରେ ରହିଛି ବିଶ୍ୱ ରେକର୍ଡ । ୮ ଅଗଷ୍ଟ ୧୯୯୪ରେ ତାଙ୍କର ଜନ୍ମ । ଉଚ୍ଚତା ୪ ଫୁଟ୍‌ ୧୧ ଇଞ୍ଚ ।