Advertisment

Sports: ଟିମ୍ ଇଣ୍ଡିଆର ‘ଭବିଷ୍ୟତ ତାରକା’ ହୋଇପାରିବେ କି ଯଶ ଦୟାଲ...

ଏବେ ପୁଣି ବାମହାତି ମିଡିଅମ୍ ପେସର୍ ଯଶ ଦୟାଲ୍‌ଙ୍କୁ ନେଇ ବେଶ୍ ଚର୍ଚ୍ଚା। ଘରୋଇ କ୍ରିକେଟ୍ ହେଉ ବା ଆଇପିଏଲ୍ ୨୦୨୪ - ଯଶ ପ୍ରମାଣିତ କରିଛନ୍ତି ଯେ ତାଙ୍କ ଭିତରେ ପ୍ରତିଭା ଅଛି ଏବଂ ସେ ଜାତୀୟ ଟିମ୍‌ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ।

ଅଦ୍ୟତନ ହୋଇଛି
Can Yash dayal be the 'future star' of Team India

Can Yash dayal be the 'future star' of Team India

Advertisment

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୩ ସିଜନ୍ ସମୟରେ ବାମହାତି ମିଡିଅମ୍ ପେସର୍ ଯଶ ଦୟାଲ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଥିଲା ଯେ ସେହି ଚର୍ଚ୍ଚା ତାଙ୍କ ଉତ୍ତମ ପ୍ରଦର୍ଶନ କି ସମ୍ଭାବନାମୟ ଭବିଷ୍ୟତକୁ ନେଇ ହୋଇ ନ ଥିଲା, ଦୁର୍ବଳ ବୋଲିଂ ପ୍ରଦର୍ଶନ ଯୋଗୁଁ ସେ ପ୍ରଶ୍ନଘେରକୁ ଚାଲିଆସିଥିଲେ । ଏପରିକି ସେତେବେଳେ ଯଶଙ୍କ ଭବିଷ୍ୟତକୁ ନେଇ ଅନେକେ ସନ୍ଦିହାନ ହୋଇପଡ଼ିଥିଲେ।

Advertisment

୨୦୨୩ ଏପ୍ରିଲ୍ ୯ରେ ଆୟୋଜିତ ଏକ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟ ପାଇଁ ୬ ବଲ୍‌ରେ ୨୯ ରନ୍ ଆବଶ୍ୟକ ଥିଲା । ମନେ ହେଉଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ମ୍ୟାଚ୍ ଜିତିଯିବ, ହେଲେ ଯଶ ମ୍ୟାଚ୍ ବଞ୍ଚାଇପାରି ନ ଥିଲେ ଏବଂ ୩୧ ରନ୍ ଦେଇଥିଲେ । ବାମହାତି ବ୍ୟାଟର୍ ରିଙ୍କୁ ସିଂହ ଶେଷ ପାଞ୍ଚ ବଲ୍‌ରେ ପାଞ୍ଚ ଛକା ମାରି ଅପ୍ରତ୍ୟାଶିତ ଭାବେ ନିଜ ଟିମ୍‌କୁ ଜିତାଇଥିଲେ ।

ରିଙ୍କୁ ରାତାରାତି ‘ପରିପୂର୍ଣ୍ଣ ଫିନିଶର୍‌’ର ଆଖ୍ୟା ପାଇଲେ ଆଉ ଯଶ ‘ଅପଯଶ’ ସାଉଁଟିଲେ । ସେହି ମ୍ୟାଚ୍ ପରେ ତାଙ୍କୁ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଖେଳିବାର ସୁଯୋଗ ମିଳି ନ ଥିଲା ।

Advertisment

ଏହାର ପ୍ରାୟ ୧୬ ମାସ ପରେ ପୁଣି ଥରେ ଯଶଙ୍କୁ ନେଇ ଚର୍ଚ୍ଚା । କିନ୍ତୁ ଏଥରର ଚର୍ଚ୍ଚା ସକାରାତ୍ମକ । ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ପାଇଁ ତାଙ୍କୁ ନୂଆମୁହଁ ଭାବେ ଭାରତୀୟ ଟିମ୍‌ରେ ସାମିଲ୍ କରାଯାଇଥିଲା । ଅବଶ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ ।

ତେବେ ପ୍ରଥମ ଚର୍ଚ୍ଚା ଓ ଦ୍ୱିତୀୟ ଚର୍ଚ୍ଚା ମଧ୍ୟରେ ଏମିତି କ’ଣ ଘଟିଲା ଯେ ଯାହାଙ୍କ ଭବିଷ୍ୟତ ଦିନେ ପ୍ରଶ୍ନଘେରରେ ଥିଲା, ତାଙ୍କୁ ଜାତୀୟ ଟିମ୍ ପାଇଁ ଡକରା ଆସିଲା?

Advertisment

ଯୁବ ପେସର୍‌ଙ୍କ ବିସ୍ମୟକର ପ୍ରତିବଦ୍ଧତା:

୨୦୨୩ ସିଜନ୍ ପରେ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ଯଶ ଦୟାଲ୍‌ଙ୍କୁ ରିଲିଜ୍ କରିଦେଇଥିଲା । ସେତେବେଳେ ସେ ଟିକେ ନିରାଶ ହୋଇଥିଲେ । ଏହାପରେ ମିନି ନିଲାମୀରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ପାଞ୍ଚ କୋଟି ଟଙ୍କାରେ କିଣିଥିଲା ।

ସେହି ଯନ୍ତ୍ରଣାଦାୟକ ଓଭର୍ ପରେ ଯଶ ହାର୍ ମାନି ନ ଥିଲେ । ମାନସିକ ଭାବେ ନିଜକୁ ଦୃଢ଼ କରିବା ସହ କଠିନ ପରିଶ୍ରମ ବି କରିଥିଲେ ଏବଂ ଶେଷରେ ଫର୍ମକୁ ଫେରିଥିଲେ ।

ଘରୋଇ କ୍ରିକେଟ୍ ହେଉ ବା ଆଇପିଏଲ୍ ୨୦୨୪ - ଯଶ ପ୍ରମାଣିତ କରିଛନ୍ତି ଯେ ତାଙ୍କ ଭିତରେ ପ୍ରତିଭା ଅଛି ଏବଂ ସେ ଜାତୀୟ ଟିମ୍‌ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ । ତାଙ୍କର ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଆତ୍ମବିଶ୍ୱାସ ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରତିବଦ୍ଧତା ଭାରତୀୟ କ୍ରିକେଟ୍ ଜଗତକୁ ବିସ୍ମିତ କରିଛି ।

ଯଶଙ୍କ ପିତା ଚନ୍ଦ୍ରପାଲ ଦୟାଲ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେହି ଗୋଟିଏ ଓଭର୍ ତାଙ୍କ ପୁଅକୁ ଅନେକ କିଛି ଶିଖାଇଛି । ଏହାପରେ ଯଶ ବହୁ ଉତ୍‌ଥାନ-ପତନ ଦେଖିଛି । ଏହାଦ୍ୱାରା ସେ ଗୋଟିଏ ବର୍ଷ ମଧ୍ୟରେ ଯାହା ଶିକ୍ଷା ଲାଭ କରିଥିଲା, ତାହା ଶିଖିବା ପାଇଁ ଲୋକଙ୍କୁ ବହୁ ବର୍ଷ ଲାଗିଯାଏ । ସେ କଠିନ ପରିଶ୍ରମ କରିଥିଲା ଏବଂ ପରବର୍ତ୍ତୀ ସିଜନ୍‌ରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରି ଉନ୍ନତ ପ୍ରଦର୍ଶନ କରିଥିଲା ।

ଘରୋଇ କ୍ରିକେଟ୍ ଓ ଆଇପିଏଲ୍ ୨୦୨୪ରେ ଉତ୍ତମ ପ୍ରଦର୍ଶନ:

ଆଇପିଏଲ୍ ୨୦୨୩ର ତିକ୍ତ ଅନୁଭୂତିକୁ ଭୁଲାଇ ଯଶ ଦୟାଲ୍ ଘରୋଇ କ୍ରିକେଟ୍‌ରେ ଉତ୍ତମ ପ୍ରଦର୍ଶନ କରିଥିଲେ । ସେ ରଣଜୀ ଟ୍ରଫିର ପୂର୍ବ ସିଜନ୍‌ରେ ଉତ୍ତର ପ୍ରଦେଶ ପକ୍ଷରୁ ଚାରି ମ୍ୟାଚ୍ ଖେଳି ସାତ ୱିକେଟ୍ ନେଇଥିଲେ । ଏହାପରେ ବିଜୟ ହଜାରେ ଟ୍ରଫିରେ ଛଅ ମ୍ୟାଚ୍‌ରେ ନଅ ୱିକେଟ୍ ନେଇଥିଲେ ।

ଏବେ ଚାଲିଥିବା ଦଲୀପ ଟ୍ରଫିରେ ବି ତାଙ୍କୁ ସୁଯୋଗ ମିଳିଥିଲା । ସେ ଇଣ୍ଡିଆ-ବି ପକ୍ଷରୁ ଖେଳି ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିଲେ । ଇଣ୍ଡିଆ-ଏ ବିପକ୍ଷ ଏହି ମ୍ୟାଚ୍‌କୁ ଇଣ୍ଡିଆ-ବି ୭୬ ରନ୍‌ରେ ଜିତିଥିଲା । ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ପୂର୍ବରୁ ତାଙ୍କୁ ଜାତୀୟ ଟିମ୍‌କୁ ଡକରା ଆସିଥିଲା ।

ଏହା ପୂର୍ବରୁ ଆଇପିଏଲ୍ ୨୦୨୪ ସିଜନ୍‌ରେ ଯଶ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୧୪ ମ୍ୟାଚ୍ ଖେଳି ୧୫ ୱିକେଟ୍ ନେଇଥିଲେ । ବିଶେଷକରି ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେ ରୟାଲ୍ ଚାଲେଞ୍ଜର୍ସକୁ ଜିତାଇ ଫ୍ଲେଅଫ୍‌ରେ ପହଞ୍ଚାଇବା ସହ ଟିମ୍‌ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଥିଲେ ।

ସିଏସ୍‌କେ ବିପକ୍ଷ ସେହି ରୋମାଞ୍ଚକ ମ୍ୟାଚ୍‌:

ଚଳିତ ବର୍ଷ ମେ’ ୨୮ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ହୋଇଥିଲା । ଉଭୟ ଟିମ୍ ପାଖରେ ଚତୁର୍ଥ ତଥା ଶେଷ ଟିମ୍ ଭାବେ ଫ୍ଲେଅଫ୍‌କୁ ଯିବା ପାଇଁ ସୁଯୋଗ ଥିଲା । ସୁପର୍ କିଙ୍ଗ୍‌ସକୁ ପ୍ଲେଅଫ୍‌ରେ ପ୍ରବେଶ ପାଇଁ ୬ ବଲ୍‌ରେ ଆବଶ୍ୟକ ଥିଲା ୧୭ ରନ୍ ।

ରୟାଲ୍ ଚାଲେଞ୍ଜର୍ସ ପାଖରେ ଶେଷ ଓଭର୍ ବୋଲିଂ କରିବା ପାଇଁ ଦୁଇ ପେସର୍ - କାମେରନ୍ ଗ୍ରୀନ୍ ଓ ଯଶ ଦୟାଲ୍ ଥିଲେ । କିନ୍ତୁ ଭାରତୀୟ ଯୁବ ପେସର୍‌ଙ୍କ ଉପରେ ଭରସା ବ୍ୟକ୍ତ କରାଯାଇଥିଲା ।

ଯଶଙ୍କ ଆଗରେ ପ୍ରାୟ ବର୍ଷକ ପୂର୍ବର ଆହ୍ୱାନ ଆସି ଛିଡ଼ା ହୋଇଥିଲା । ଏଥର ପ୍ରତିପକ୍ଷ ଟିମ୍ ପାଇଁ ପୂର୍ବାପେକ୍ଷା କମ୍ ରନ୍ ଆବଶ୍ୟକ ଥିଲା । ଷ୍ଟ୍ରାଇକ୍‌ରେ ଥିଲେ ଗୋଟିଏ ସମୟର ଶ୍ରେଷ୍ଠ ଫିନିଶର୍ ମହେନ୍ଦ୍ର ସିଂହ ଧୋନି ଆଉ କ୍ରିଜ୍‌ର ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜା ।

ଯଶଙ୍କ ପ୍ରଥମ ବଲ୍‌ରେ ଧୋନି ଛକା ମାରିଥିଲେ, କିନ୍ତୁ ଦ୍ୱିତୀୟ ବଲ୍‌ରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ଟିମ୍ ପାଖରେ ୪ ବଲ୍‌ରୁ ୧୧ ରନ୍ ଆବଶ୍ୟକ ଥିଲା । କିନ୍ତୁ ଶେଷ ଚାରି ବଲ୍‌ରୁ ମାତ୍ର ୧ ରନ୍ ହୋଇଥିଲା । ଯଶ ସେହି ଓଭର୍‌ରେ ମାତ୍ର ୭ ରନ୍ ଦେଇଥିଲେ ।

ଅପ୍ରତ୍ୟାଶିତ ଢଙ୍ଗରେ ସୁପର୍ କିଙ୍ଗ୍‌ସ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିବା ଯଶ ସତେ ଯେମିତି ତାଙ୍କ ପୂର୍ବ ଗୌରବ ଫେରିପାଇଥିଲେ । ଆଇପିଏଲ୍ ୨୦୨୩ ସିଜନ୍‌ରେ ଗୋଟିଏ ଓଭର୍‌ରେ ୩୧ ରନ୍ ଦେଇଥିବା ଏହି ଯୁବ ପେସର୍ ୨୦୨୪ ସିଜନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୁପର୍ କିଙ୍ଗ୍‌ସକୁ ୧୬ ରନ୍ କରିବାକୁ ଦେଇ ନ ଥିଲେ । ଏହା ଥିଲା ଯଶଙ୍କ ପ୍ରତିଭାର ରୂପାନ୍ତରଣ ।

୨୦୧୮ରେ ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ କରିବା ଠାରୁ ଯଶ ଏ ଯାବତ ୨୪ ମ୍ୟାଚ୍ ଖେଳି ୨୮.୮୯ ଆଭରେଜ୍‌ରେ ୭୬ ୱିକେଟ୍ ନେଇଛନ୍ତି । ଏହାଛଡ଼ା ସେ ୨୦ ଲିଷ୍ଟ-ଏ ମ୍ୟାଚ୍‌ରେ ୩୨ ୱିକେଟ୍ ପାଇଥିବା ବେଳେ ୫୬ ଟି-୨୦ ମ୍ୟାଚ୍‌ରେ ୫୩ ୱିକେଟ୍ ଅକ୍ତିଆର କରିଛନ୍ତି । ଆଇପିଏଲ୍‌ରେ ସେ ୨୮ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୨୮ ୱିକେଟ୍ ରହିଛି ।

ଭାରତୀୟ ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବା ଯଶଙ୍କ ପାଇଁ ବହୁତ ବଡ଼ କଥା । ଖେଳିବାର ସୁଯୋଗ ପାଇବା ସ୍ଥଳେ ଉତ୍ତରପ୍ରଦେଶର ଏହି ବାମହାତି ପେସର୍ ନିଜ ପ୍ରତିଭାର ଯଥାସାଧ୍ୟ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ । ଅବଶ୍ୟ ଦେଶରେ ଅନେକ ପ୍ରତିଭାଶାଳୀ ପେସର୍ ଥିବାରୁ ଯେକୌଣସି ଫର୍ମାଟ୍‌ର ଟିମ୍‌ରେ ସ୍ଥାନ ସୁରକ୍ଷିତ କରିବା ସହଜ ନୁହେଁ ।

ଆତ୍ମବିଶ୍ୱାସୀ ଯଶ ଟିମ୍ ଇଣ୍ଡିଆର ‘ଭବିଷ୍ୟତ ତାରକା’ ହୋଇପାରିବେ । ଜାତୀୟ ଟିମ୍‌ରେ ତାଙ୍କ ଯାତ୍ରା ଆଗକୁ ବଢ଼ିଲେ, ସେ ସୀମିତ ଓଭର୍ ଟିମ୍‌ରେ ବି ସ୍ଥାନ ପାଇପାରିବେ । କିନ୍ତୁ ଏଥିପାଇଁ ପ୍ରଦର୍ଶନରେ ନିରନ୍ତରତା ଓ ଫିଟ୍‌ନେସ୍ ଉଭୟ ଜରୁରୀ । ଏହା ସହିତ ସେହି ପ୍ରତିବଦ୍ଧତାର ବି ଆବଶ୍ୟକତା ରହିଛି, ଯାହା ବଳରେ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Indian Cricket Indian Cricketer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ