Advertisment

Sports: ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ନେଇପାରିବେ କି ହର୍ଷ ଦୁବେ ?

ବିଦର୍ଭର ଯୁବ କ୍ରିକେଟର୍ ହର୍ଷ ଦୁବେଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ରଣଜୀ ଟ୍ରଫି ୨୦୨୪-୨୫ରେ ସେ ନେଇଥିଲେ ରେକର୍ଡ ୬୯ ୱିକେଟ୍ । ଏହା ସହ ବ୍ୟାଟିଂରେ ରହିଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ତେବେ ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ନେଇପାରିବେ କି ଏହି ଭବିଷ୍ୟତର ତାରକା? ନୂଆ ଟେଷ୍ଟ ଚକ୍ରରେ ତାଙ୍କୁ ମିଳିବ କି ସୁଯୋଗ?

ଅଦ୍ୟତନ ହୋଇଛି
ଭବିଷ୍ୟତର ତାରକା

ଭବିଷ୍ୟତର ତାରକା

Advertisment

ଭାରତୀୟ ଟେଷ୍ଟ ଟିମ୍ ଏବେ ସନ୍ଧିକାଳ ଦେଇ ଗତି କରୁଛି । ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ପୁରୁଖା ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଆଗାମୀ ଦିନରେ ଆଉ କେତେକ ସିନିଅର୍ ଖେଳାଳି କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍ ଛାଡ଼ିପାରନ୍ତି ।

Advertisment

ଏପରି ସ୍ଥଳେ ନୂଆ ଟେଷ୍ଟ ଚକ୍ର ପୂର୍ବରୁ ଚୟନକାରୀମାନେ ସେମାନଙ୍କ ବିକଳ୍ପ ଖୋଜିବା ଆବଶ୍ୟକ । କ୍ୟାରିଅର୍‌ର ଅନ୍ତିମ ସୋପାନ ଦେଇ ଗତି କରୁଥିବା ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ବିକଳ୍ପ ଭାବେ ଏବେ ଜଣେ ଖେଳାଳିଙ୍କ ଅଭ୍ୟୁଦୟ ହୋଇଛି । ଏହି ଖେଳାଳି ହେଲେ ବିଦର୍ଭର ହର୍ଷ ଦୁବେ ।

ବାମହାତି ଯୁବ ଖେଳାଳି ହର୍ଷ ରଣଜୀ ଟ୍ରଫି ୨୦୨୪-୨୫ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ବ୍ୟାଟିଂରେ ବି ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅବଶ୍ୟ ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦରଙ୍କ ଭଳି ଦୁଇ ବିକଳ୍ପ ଥାଉ ଥାଉ ଆଉ ଜଣେ ଖେଳାଳି ଟେଷ୍ଟ କି ଦିନିକିଆ ଆନ୍ତର୍ଜାତିକ ଟିମ୍‌ରେ ସୁଯୋଗ ପାଇବା ସହଜ ନୁହେଁ ।

Advertisment

ୱିକେଟ୍ ହାସଲରେ ରଣଜୀ ରେକର୍ଡ

ବିଦର୍ଭ ରଣଜୀ ଟ୍ରଫିରେ ତୃତୀୟ ଥର ଚାମ୍ପିଅନ୍ ହୋଇଛି । ଟିମ୍‌ର ସଫଳତାରେ ହର୍ଷଙ୍କ  ପ୍ରମୁଖ ଯୋଗଦାନ ରହିଥିଲା । ସେ ୧୦ ମ୍ୟାଚ୍ ଖେଳି ୬୯ ୱିକେଟ୍ ନେବା ସହ ପାଞ୍ଚ ଅର୍ଦ୍ଧଶତକ ସମେତ ୪୭୬ ରନ୍ ସଂଗ୍ରହ କରିଥିଲେ । ଏହାଛଡ଼ା ଯଶ ରାଠୋଡ଼ (ସର୍ବାଧିକ ୯୬୦ ରନ୍‌), କରୁଣ ନାୟର (୮୬୩ ରନ୍‌) ଓ ଦାନିଶ ମାଲେୱାର (୭୮୩ ରନ୍‌) ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇଥିଲେ ।

ହର୍ଷଙ୍କ ୬୯ ୱିକେଟ୍ ହାସଲ ଏକ ରେକର୍ଡ । ସେ ଗୋଟିଏ ରଣଜୀ ସିଜନ୍‌ରେ ସର୍ବାଧିକ ୱିକେଟ୍ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ବିହାରର ଆଶୁତୋଷ ଅମନଙ୍କୁ ପଛରେ ପକାଇଥିଲେ, ଯିଏ ୨୦୧୮-୧୯ ସିଜନ୍‌ରେ ଗୋଟିଏ ସିଜନ୍‌ରେ ୬୮ ୱିକେଟ୍ ଅକ୍ତିଆର କରିଥିଲେ । କେରଳ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ହର୍ଷ ୩ ୱିକେଟ୍ ପାଇଥିଲେ । ପୂରା ସିଜନ୍‌ରେ ସେ ସାତ ଥର ପାଞ୍ଚ ବା ଏହାଠାରୁ ଅଧିକ ୱିକେଟ୍ ନେଇଥିଲେ । ସେ ମଧ୍ୟ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିଲେ ।

Advertisment

ଅକ୍ଷର ଓ ସୁନ୍ଦର ବଡ଼ ଚାଲେଞ୍ଜ୍‌

ଆନ୍ତର୍ଜାତିକ କ୍ରିକେଟ୍ ବିଶେଷକରି ଟେଷ୍ଟ କି ଦିନିକିଆ ଆନ୍ତର୍ଜାତିକରେ ହର୍ଷ ଅଭିଜ୍ଞ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ଜାଡ଼େଜାଙ୍କ ସ୍ଥାନ ନେଇପାରିବେ ବୋଲି ଏବେଠାରୁ କହିବା ତରବରିଆ ହେବ । ଅନ୍ତତଃ ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବା ପାଇଁ ସେ ଅଧିକ ଘରୋଇ କ୍ରିକେଟ୍ ଖେଳିବା ଦରକାର ।
ଯଦି ଫିଟ୍‌ନେସ୍‌କୁ ବିଚାରକୁ ନିଆଯାଏ, ତା’ହେଲେ ଜାଡ଼େଜା ଆଉ ବର୍ଷେ-ଦୁଇ ବର୍ଷ ଖେଳିପାରିବେ । କିନ୍ତୁ କେବଳ ଫିଟ୍‌ନେସ୍ ଯଥେଷ୍ଟ ନୁହେଁ, ପ୍ରଦର୍ଶନ ବି ଆବଶ୍ୟକ । ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।

ନୂଆ ଟେଷ୍ଟ ଚକ୍ରରେ ଜାଡ଼େଜା ଟିମ୍‌ରେ ସ୍ଥାନ ପାଇବାର ସମ୍ଭାବନା କମ୍ । ଏପରି ସ୍ଥଳେ ଟେଷ୍ଟ ଟିମ୍‌ରେ ଜାଡ଼େଜାଙ୍କ ସ୍ଥାନ ନେବା ପାଇଁ ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ଅଛନ୍ତି । ହର୍ଷଙ୍କ ପଥରେ ଏହି ଦୁଇ ଖେଳାଳି ବଡ଼ ଚାଲେଞ୍ଜ୍ । ଅକ୍ଷର ଓ ସୁନ୍ଦରଙ୍କ ଯଥାକ୍ରମେ ୧୪ ଓ ୯ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି ।

ଉଭୟଙ୍କୁ ଅତିକ୍ରମ କରି ଆଗକୁ ଯିବା ହର୍ଷଙ୍କ ପାଇଁ ଆଦୌ ସହଜ ନୁହେଁ, ଯିଏ ଏ ଯାବତ ମାତ୍ର ୧୮ ରଣଜୀ ମ୍ୟାଚ୍ ଖେଳିଛନ୍ତି । ଯଦି ତାଙ୍କୁ ଭାରତୀୟ ଟିମ୍‌ରେ କିଛି ମ୍ୟାଚ୍ ଖେଳିବାର ସୁଯୋଗ ମିଳେ, ତା’ହେଲେ ସେହି ସୁଯୋଗରେ ତାଙ୍କୁ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇବାକୁ ହେବ । ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ଅକ୍ଷର ଟିମ୍‌ର ସ୍ଥାୟୀ ଖେଳାଳି ହୋଇଗଲେଣି । ଏବେ ଚାଲିଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଓ ଜାଡ଼େଜା ଉଭୟ ଖେଳୁଛନ୍ତି ।

ଯଦି ଜାଡ଼େଜାଙ୍କୁ କୌଣସି କାରଣରୁ ଦିନିକିଆ ଟିମ୍‌ରେ ନିଆ ନ ଯାଏ ଏବଂ ଚୂଡ଼ାନ୍ତ ଏକାଦଶରେ ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କୁ ରଖାଯାଏ, ତା’ହେଲେ ଅକ୍ଷରଙ୍କ ସହିତ ସୁନ୍ଦର ସ୍ଥାନ ପାଇବେ । ଏ ଯାବତ ଅକ୍ଷର ୬୬ ଓ ସୁନ୍ଦର ୨୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ଭଳି ଦିନିକିଆରେ ବି ଉଭୟ ହର୍ଷଙ୍କ ପାଇଁ ଚାଲେଞ୍ଜ୍ ହେବେ ।

ବାକି ରହିଲା ଟି-୨୦ ଆନ୍ତର୍ଜାତିକ । ଟି-୨୦ ଟିମ୍‌ରେ ଏବେ ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କ ଆବଶ୍ୟକ ପଡ଼ୁ ନାହିଁ, ଜଣେ ଅକ୍ଷର ଯଥେଷ୍ଟ । ତାଙ୍କ ଅନୁପସ୍ଥିତିରେ ସୁନ୍ଦରଙ୍କୁ ସୁଯୋଗ ମିଳିବ । ସେଠାରେ ହର୍ଷଙ୍କ ସ୍ଥାନ ନାହିଁ ।

୨୦୨୨ରେ ପ୍ରଥମ-ଶ୍ରେଣୀ ପଦାର୍ପଣ

ଜଣେ ସିନିଅର୍ କ୍ରିକେଟର୍ ଭାବେ ହର୍ଷଙ୍କ ଘରୋଇ କ୍ୟାରିଅର୍ ସେତେ ଦୀର୍ଘ ନୁହେଁ । ସେ ୨୦୨୨ରେ ବିଦର୍ଭ ପକ୍ଷରୁ ଖେଳି ନିଜର ପ୍ରଥମ-ଶ୍ରେଣୀ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିପାଇଁ ଗୋଟିଏ ରଣଜୀ ସିଜନ୍‌ରେ ସର୍ବାଧିକ ୱିକେଟ୍ ହାସଲ ଉପଲବ୍‌ଧି  ତାଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖେ । ଏହା ପୂର୍ବରୁ ସେ ୨୦୨୧ରେ ଲିଷ୍ଟ-ଏ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ ।

ହର୍ଷ ପ୍ର୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ଏ ଯାବତ ୧୮ ମ୍ୟାଚ୍ ଖେଳି ୯୭ ୱିକେଟ୍ ଅକ୍ତିଆର କରିଛନ୍ତି । ସେଥିମଧ୍ୟରୁ ୬୯ ୱିକେଟ୍ ସେ ୨୦୨୪-୨୫ ସିଜନ୍‌ରେ ନେଇଛନ୍ତି । ଏହାଛଡ଼ା ସେ ବ୍ୟାଟିଂରେ ଅଦ୍ୟାବଧି ୭୦୯ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସାତ ଅର୍ଦ୍ଧଶତକ ରହିଛି ।
ଭବିଷ୍ୟତର ତାରକା ହର୍ଷଙ୍କୁ ଏବେ ମାତ୍ର ୨୨ ବର୍ଷ ବୟସ । ତାଙ୍କ ଆଗରେ ବିରାଟ ଭବିଷ୍ୟତ ରହିଛି ।

ଜଣେ ପ୍ରତିଭାଶାଳୀ ଅଲ୍‌ରାଉଣ୍ଡର୍ ହୋଇଥିବା ଦୃଷ୍ଟିରୁ ନୂଆ ଟେଷ୍ଟ ଚକ୍ରରେ ତାଙ୍କୁ ହୁଏତ ଭାରତୀୟ ଟିମ୍‌ରେ ସ୍ଥାନ ମିଳିଯିବ, କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା କଷ୍ଟ । ଏବେ ହର୍ଷଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ । ନିରନ୍ତରତା ହିଁ ତାଙ୍କ କ୍ରିକେଟ୍ ଭବିଷ୍ୟତକୁ ମଜଭୁତ ଓ ଦୀର୍ଘସ୍ଥାୟୀ କରିପାରିବ ।

Cricket Indian Cricket Team Ravindra Jadeja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ