ରିଦ୍ଧିମାନ ସାହାଙ୍କୁ ଧମକ ଘଟଣା ବୋରିଆ ମଜୁମଦାରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କଲା ବିସିସିଆଇ

ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି।

Wriddhiman Saha

ଭାରତୀୟ କ୍ରିକେଟର୍ ରିଦ୍ଧିମାନ ସାହାଙ୍କୁ ଧମକ ଘଟଣାରେ ବିସିସିଆଇର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଭିଯୁକ୍ତ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କରିଛି ବିସିସିଆଇ । ଏହି ବାସନ୍ଦର ଅର୍ଥ, ଭାରତର କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ସେ ପ୍ରେସ୍ ସଦସ୍ୟ ମାନ୍ୟତା ପାଇବେ ନାହିଁ । ଭାରତର କୌଣସି ପଞ୍ଜିକୃତ ଖେଳାଳିର ସାକ୍ଷାତକାର ନେଇପାରିବେ ନାହିଁ । ବିସିସିଆଇ କିମ୍ବା କୌଣସି ସଦସ୍ୟ ସଂଘ ପକ୍ଷରୁ ମିଳୁଥିବା ସୁବିଧାର ଲାଭ ନେଇପାରିବେ ନାହିଁ ।

ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ହ୍ୱାଟ୍ସଆପ୍‌ରେ ଜଣେ ସାମ୍ବାଦିକ ଧମକ ଦେଇଥିଲେ ବୋଲି ଗତ ଫେବୃଆରୀ ମାସରେ ଅଭିଯୋଗ ଆଣିଥିଲେ ୱିକେଟ୍‌କିପର୍ ରିଦ୍ଧିମାନ । ଏଥିସହ ମୋବାଇଲ୍ ସ୍କ୍ରିନ୍‌ସଟ୍‌ ମଧ୍ୟ ଟୁଇଟ୍ କରିଥିଲେ । ସେଥିରେ ଲେଖାଥିଲା ଯେ, ‘ତୁମେ ମୋ କଲ୍ ରିସିଭ୍ କଲ ନାହିଁ । ମୁଁ ଆଉ ତୁମ ଇଣ୍ଟରଭ୍ୟୁ ନେବି ନାହିଁ । ମୁଁ ଅପମାନକୁ ସହଜରେ ଗ୍ରହଣ କରେନାହିଁ । ଏହାକୁ ମନେ ରଖିବି । ତୁମର ଏଭଳି କରିବା ଆଦୌ ଉଚିତ ନଥିଲା’।

ରିଦ୍ଧିମାନଙ୍କ ଅଭିଯୋଗ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏହି ଅଭିଯୋଗର ତଦନ୍ତ ପାଇଁ ୩ଜଣିଆ କମିଟି ଗଠନ କରିଥିଲା । ତେବେ ବୋରିଆ ମଜୁମଦାର ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଥିଲେ । ଏହି କମିଟିରେ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଓ କାଉନସିଲର ପ୍ରଭଜୀତ ସିଂହ ଭାଟିଆ ରହିଥିଲେ। ତଦନ୍ତ ବେଳେ ୩ ଜଣିଆ କମିଟି ବୋରିଆ ଓ ସାହାଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ବିସିସିଆଇର ଆପେକ୍ସ ବଡିକୁ ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ ଲଗାଇବାକୁ ସୁପାରିସ କରିଥିଲା।