ଟି-୨୦ ବିଶ୍ୱକପ୍ ବିଜୟ ଠାରୁ ଏ ଯାବତ କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ଟିମ୍ର ଆଧିପତ୍ୟ ଅବ୍ୟାହତ ରହିଛି, କିନ୍ତୁ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ଭାବେ ନେତୃତ୍ୱ ଦାୟିତ୍ୱ ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂର ଚମକ କମିବାରେ ଲାଗିଛି ।
Also Read
ତେବେ ତାଙ୍କର ସେହି ଦମ୍ଦାର ବ୍ୟାଟିଂ ଆଉ ଦେଖିବାକୁ ମିଳୁନି, ଯାହା ଆଧାରରେ ତାଙ୍କୁ ଟି-୨୦ ଟିମ୍ର ଅଧିନାୟକ ମନୋନୀତ କରାଯାଇଥିଲା । ସେ କ୍ରିଜ୍ରେ ବି ବେଶୀ ସମୟ ତିଷ୍ଠିପାରୁ ନାହାନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ହେଉ କିମ୍ବା ଇଂଲଣ୍ଡ ବିପକ୍ଷ - ଟିମ୍ ଉଭୟ ସିରିଜ୍ ଜିତିଥିଲେହେଁ ସେଥିରେ ଜଣେ ବ୍ୟାଟର୍ ଭାବେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ଅବଦାନ ଥିଲା ନଗଣ୍ୟ । ଏବେ ଚର୍ଚ୍ଚା ହେଉଛି ଯେ ଏଭଳି ବ୍ୟାଟିଂ ପ୍ରଦର୍ଶନ ଜାରି ରହିଲେ, ଆଗକୁ ସେ ଅଧିନାୟକତ୍ୱ ହରାଇପାରନ୍ତି ।
ପୂର୍ବ ନଅ ଟି-୨୦ରେ ମାତ୍ର ୫୪ ରନ୍
ଶ୍ରୀଲଙ୍କା ଗସ୍ତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଆନ୍ତର୍ଜାତିକ ଟିମ୍ର ନୂଆ ସ୍ଥାୟୀ ଅଧିନାୟକ ନିଯୁକ୍ତ କରାଯାଇଥିଲା । ଏହି ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯାଇଥିଲା । ସୂର୍ଯ୍ୟକୁମାର ଏଥିରେ ମୋଟ୍ ୯୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ଥିଲା ।
ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ସେ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ମୋଟ୍ ୧୧୨ ରନ୍ କରିଥିଲେ । କିନ୍ତୁ ଏହାପରେ ଟି-୨୦ରେ ତାଙ୍କ ବ୍ୟାଟ୍ ଶାନ୍ତ ପଡ଼ିଗଲା ।
ବାଂଲାଦେଶ ସିରିଜ୍ ପରଠାରୁ ଏ ଯାବତ ସେ ନଅ ଟି-୨୦ ମ୍ୟାଚ୍ ଖେଳି ମାତ୍ର ୫୪ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟିଂ ଆଭରେଜ୍ ମାତ୍ର ୬.୭୫ ଥିବା ବେଳେ ସର୍ବୋଚ୍ଚ ସ୍କୋର୍ ଥିଲା ୨୧ ରନ୍ । ସେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ରେ ୨୮ ଓ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଚାରି ମ୍ୟାଚ୍ରେ ୨୬ ରନ୍ କରିଥିଲେ ।
ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ସୂର୍ଯ୍ୟକୁମାର ୧୫ ମ୍ୟାଚ୍ରେ ୧୮.୪୨ ଆଭରେଜ୍ରେ ମାତ୍ର ୨୫୮ ରନ୍ କରିଛନ୍ତି । କିନ୍ତୁ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ, ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍ ଉଲ୍ଲେଖନୀୟ ରହିଆସିଛି । ସେ ଏ ଯାବତ ଭାରତ ପକ୍ଷରୁ ୮୩ ଟି-୨୦ ଖେଳି ୩୮.୨୦ ଆଭରେଜ୍ରେ ୨୫୯୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଚାରି ଶତକ ଓ ୨୧ ଅର୍ଦ୍ଧଶତକ ରହିଛି ।
ବିଜୟ ହଜାରେ ଓ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ବିଫଳ
ଟି-୨୦ ଫର୍ମାଟ୍ରେ ଆୟୋଜିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୪-୨୫ରେ ସୂର୍ଯ୍ୟକୁମାର ପାଞ୍ଚ ମ୍ୟାଚ୍ ଖେଳି ୧୩୨ ରନ୍ କରିଥିଲେ । ଦିନିକିଆ ଫର୍ମାଟ୍ରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ତ ସ୍ଥିତି ଆହୁରି ଖରାପ ଥିଲା । ସେ ପାଞ୍ଚ ମ୍ୟାଚ୍ର ଚାରି ଇନିଂସ୍ରେ ବ୍ୟାଟିଂ କରିଥିଲେ । ସେଥିମଧ୍ୟରୁ ସେ ଦୁଇ ଥର ଖାତା ଖୋଲିପାରି ନ ଥିଲେ ଏବଂ ଅନ୍ୟ ଦୁଇ ଇନିଂସ୍ରେ ୧୮ ଓ ୨୦ ରନ୍ କରିଥିଲେ ।
ଚଳିତ ରଣଜୀ ଟ୍ରଫିର କ୍ୱାର୍ଟର୍-ଫାଇନାଲ୍ରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ହରିୟାଣା ବିପକ୍ଷରେ ପ୍ରଥମ ଇନିଂସ୍ରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଇନିଂସ୍ରେ ସେ ୭୦ ରନ୍ କରି ଫର୍ମକୁ ଫେରିଥିଲେ । ତେବେ ଏହି ଫର୍ମ ଦୀର୍ଘସ୍ଥାୟୀ ହେବା ଜରୁରୀ ।
ନିକଟ ଭବିଷ୍ୟତରେ ତାଙ୍କୁ ଦିନିକିଆ କି ଟେଷ୍ଟ ଟିମ୍ରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ । ଦିନିକିଆରେ ବି ତାଙ୍କ ରେକର୍ଡ ଭଲ ନାହିଁ । ଏପରି ସ୍ଥଳେ ଟି-୨୦ ଆନ୍ତର୍ଜାତିକରେ ଉତ୍ତମ ବ୍ୟାଟିଂ ଜରିଆରେ ତାଙ୍କୁ ଟିମ୍ରେ ନିଜ ସ୍ଥିତି ସୁଦୃଢ଼ କରିବାକୁ ହେବ ।
‘ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆବଶ୍ୟକ’
ସୂର୍ଯ୍ୟକୁମାରଙ୍କ ଦୁର୍ବଳ ଫର୍ମକୁ ନେଇ ପୂର୍ବତନ ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ତାଙ୍କ କହିବାନୁଯାୟୀ ଏବେ ବୋଲର୍ମାନେ ସୂର୍ଯ୍ୟଙ୍କ ଦୁର୍ବଳତାକୁ ଧରିଛନ୍ତି । ସେମାନେ ଜାଣିପାରିଛନ୍ତି ଯେ ଫ୍ଲିକ୍ ସଟ୍ ତାଙ୍କର ଫେଭରିଟ୍ ଏବଂ ନିଜ ଇନିଂସ୍ ସମୟରେ ସେ ଏହିଭଳି ସଟ୍ ଖେଳିବାକୁ ପସନ୍ଦ କରନ୍ତି ।
ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସୂର୍ଯ୍ୟକୁମାରଙ୍କୁ ନେଇ କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ତାଙ୍କ ଅଧିନାୟକତ୍ୱ ପ୍ରକୃତରେ ଭଲ ଥିଲା । ତେବେ ସେ ସାମୟିକ ଭାବେ ବ୍ୟାଟିଂରୁ ବ୍ରେକ୍ ନେଇପାରିବେ । ସଞ୍ଜୁ ସାମ୍ସନ୍ ଓ ସୂର୍ଯ୍ୟକୁମାର ସମାନ ବଲ୍, ସମାନ ସଟ୍, ସମାନ ଭୁଲ୍ ଓ ସମାନ ତରିକାରେ ଆଉଟ୍ ହେଉଛନ୍ତି ।”
ସେ ପରାମର୍ଶ ଦେଇ କହିଛନ୍ତି, “ଏବେ ସୂର୍ଯ୍ୟକୁମାରଙ୍କୁ ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ମୋର ବିଶ୍ୱାସ ଯେ ସେ ଏଭଳି କରିବେ । ସେ ବହୁତ ଅଭିଜ୍ଞ ଖେଳାଳି । କିନ୍ତୁ ଏବେ ସମୟ ଆସିଯାଇଛି ଯେ ସେ ବ୍ୟାଟିଂ ପ୍ରତି ନିଜ ଦୃଷ୍ଟିକୋଣ ବଦଳାନ୍ତୁ ।”
ଟି-୨୦ ଅଧିନାୟକତ୍ୱକୁ ଫେରିବେ କି ହାର୍ଦ୍ଦିକ
ଟି-୨୦ ବିଶ୍ୱକପ୍ ୨୦୨୪ ବିଜେତା ଟିମ୍ର ଉପ-ଅଧିନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମୁକୁଟ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କ୍ଷୁଦ୍ରତମ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ । ଏହାପରେ ହାର୍ଦ୍ଦିକ ଅଧିନାୟକତ୍ୱ ପାଇଁ ସ୍ୱାଭାବିକ ପସନ୍ଦ ଥିଲେ । ସେ ପୂର୍ବରୁ ମଧ୍ୟ ଅନେକ ଥର ଏହି ଭୂମିକା ତୁଲାଇ ଆସିଥିଲେ ।
ତେବେ ଫିଟ୍ନେସ୍ ଆଧାରରେ ତାଙ୍କୁ ଅଧିନାୟକତ୍ୱ ଦିଆଯାଇ ନ ଥିଲା ଏବଂ ସୂର୍ଯ୍ୟକୁମାର ହୋଇଥିଲେ ନୂଆ ଅଧିନାୟକ । ସୂର୍ଯ୍ୟକୁମାର ଟି-୨୦ରେ ଜଣେ ଭଲ ବ୍ୟାଟର୍ ହୋଇଥିଲେ ବି ଅଧିନାୟକ ହେବା ପରଠାରୁ ୧୫ ମ୍ୟାଚ୍ରେ ମାତ୍ର ଦୁଇ ଅର୍ଦ୍ଧଶତକ ଲଗାଇଛନ୍ତି । ସେ ଅଧିକାଂଶ ମ୍ୟାଚ୍ରେ ଜଣେ ବ୍ୟାଟର୍ ଭାବେ ବିଫଳ ହେବା ଚିନ୍ତାର ବିଷୟ ହୋଇଛି ।
ଅନ୍ୟପଟେ, ହାର୍ଦ୍ଦିକ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ୍କୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ଏହାଛଡ଼ା ସେ ଜଣେ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ । ତେଣୁ ଟି-୨୦ ଅଧିନାୟକତ୍ୱକୁ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।
ଶୁଣାଯାଉଛି ଯେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର କେତେକ ପଦାଧିକାରୀ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ସେଇଆ ଚାହାନ୍ତି । ଖୋଦ୍ ସୂର୍ଯ୍ୟକୁମାର ବି ଏହାର ଆଭାସ ପାଇବେଣି ।