Advertisment

ଅର୍ଶଦୀପ ସିଂହ ଟିମ୍ ଇଣ୍ଡିଆର ନୂଆ ଡେଥ୍ ଓଭର୍ ବୋଲର୍ !

ଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ସମସ୍ୟା ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଅନେକାଂଶରେ ଦୂର ହୋଇପାରିଛି। ଟିମ୍‌ର ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଅଦ୍ଭ୍ୟୁଦୟ ହୋଇଛି। ସ୍ୱଳ୍ପ ଅଭିଜ୍ଞତା ମଧ୍ୟରେ ସେ ବଡ଼ ସଫଳତା ପାଇଛନ୍ତି।

ଅଦ୍ୟତନ ହୋଇଛି
Arshdeep Singh is india's new death over bowler

Arshdeep Singh is india's new death over bowler

Advertisment

ଦ୍ରୁତ ବୋଲର୍ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ବିଶେଷଜ୍ଞ ଭାବେ ଜଣାଶୁଣା। ତେବେ ଏସିଆ କପ୍ ଓ ଏହାପରେ ଟି-20 ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟରେ ତାଙ୍କ ଅନୁପସ୍ଥିତି ଟିମ୍ ପାଇଁ ବଡ଼ ଝଟ୍‌କା ଥିଲା। ଭାରତରେ ଅନେକ ପ୍ରତିଭାଶାଳୀ ଦ୍ରୁତ ବୋଲର୍ ଥିବା ସତ୍ତ୍ୱେ ବୁମ୍‌ରାଙ୍କ ସ୍ଥାନ ଭରଣା କରିବାର ଦକ୍ଷତା କାହା ଭିତରେ ଥିବା ଭଳି ମନେ ହେଉ ନାହିଁ। ବିଶେଷକରି, ଡେଥ୍ ଓଭର୍ସରେ ବଡ଼ ମଞ୍ଚରେ ବୁମ୍‌ରାଙ୍କ ବିକଳ୍ପ କିଏ ହେବ, ତାହା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର ବିଷୟ ହୋଇଥିଲା ହେବା ମଧ୍ୟ ସ୍ବାଭାବିକ।

Advertisment

ଏସିଆ କପ୍ (ଟି-20) ଟୁର୍ଣ୍ଣାମେଣ୍ଟରେ ଡେଥ୍ ଓଭରଗୁଡ଼ିକରେ ବିଫଳତା ଭାରତର ପରାଜୟର ଅନ୍ୟତମ କାରଣ ଥିଲା। ଅଷ୍ଟ୍ରେଲିଆରେ ଆୟୋଜିତ ଟି-20 ବିଶ୍ୱକପ୍‌ରେ ମଧ୍ୟ ଏହି ସମସ୍ୟା ପିଛା ଛାଡ଼ିବନି ବୋଲି ଅନେକ ଅନୁମାନ କରୁଥିଲେ କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତର ସୁପର୍-12 ମ୍ୟାଚଗୁଡ଼ିକ ଦେଖିବା ପରେ ଚିନ୍ତାପ୍ରକଟକାରୀ ଏବେ ଅନେକାଂଶରେ ଆଶ୍ୱସ୍ତ ହେଲେଣି। 

ବିଶେଷକରି, ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟ ପରେ ଏହି ନିଷ୍କର୍ଷ ବାହାରିଛି ଯେ ଭାରତୀୟ ଟିମ୍ ଦ୍ୱିତୀୟ ବ୍ୟାଟିଂ କରିବା ସ୍ଥଳେ ଡେଥ୍ ଓଭରଗୁଡ଼ିକରେ ରନ୍ ଗତିକୁ ରୋକି ବିଜୟ ହାସଲ କରିପାରିବ। ଏପରିକି ଶେଷ ଓଭର୍‌ରେ ମଧ୍ୟ ବିଜୟ ସଫଳତା ମିଳିପାରିବ। ଏହା ଏକ ବଡ଼ କଥା। ଭାରତୀୟ ଟିମ୍ ପାଇଁ ଏହା ସମ୍ଭବ ହେବାର କାରଣ- ଟିମ୍ ଇଣ୍ଡିଆକୁ ନୂଆ ଡେଥ୍ ଓଭର୍ ବୋଲର୍ ମିଳିଯାଇଛନ୍ତି, ଯାହା ଫଳରେ ଏହି ବଡ଼ ସମସ୍ୟା ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଅନେକାଂଶରେ ଦୂର ହୋଇପାରିଛି। ଟିମ୍‌ର ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ପଗଡ଼ିଧାରୀ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଅଦ୍ଭ୍ୟୁଦୟ ହୋଇଛି। ସ୍ୱଳ୍ପ ଅଭିଜ୍ଞତା ମଧ୍ୟରେ ସେ ବଡ଼ ସଫଳତା ପାଇଛନ୍ତି।

Advertisment

ଡେଥ୍ ଓଭର୍ସରେ ଅର୍ଶଦୀପଙ୍କ ସହ ଅଭିଜ୍ଞ ମହମ୍ମଦ ଶାମୀ ବି ଅଛନ୍ତି। ଏସିଆ କପ୍‌ରେ ଶାମୀଙ୍କୁ ଅଣଦେଖା କରି ଟିମ୍‌ରେ ନିଆଯାଇ ନ ଥିଲା। ଯେତେବେଳେକି ବୁମ୍‌ରାଙ୍କ ଭଳି ଶୀର୍ଷ ବୋଲର୍ ଅନୁପସ୍ଥିତ ଥିଲେ। ଚାପଗ୍ରସ୍ତ ହୋଇ ଚୟନ କମିଟି ଦୁଇ ଘରୋଇ ଶୃଙ୍ଖଳା ପାଇଁ ଶାମୀଙ୍କୁ ଟିମ୍‌ରେ ସାମିଲ୍ କରିଥିଲେହେଁ ଶୃଙ୍ଖଳା ଆରମ୍ଭ ପୂର୍ବରୁ ସେ କରୋନା ସଂକ୍ରମିତ ହେଲେ। ସୁସ୍ଥ ହୋଇ ମ୍ୟାଚ୍ ଫିଟ୍ ହେବା ବେଳକୁ ଆଉ ତାଙ୍କ ପାଖରେ ଆନ୍ତର୍ଜାତିକ ମ୍ୟାଚ୍ ନ ଥିଲା। 

ଶାମୀ ସିଧା ଅଷ୍ଟ୍ରେଲିଆ ଯାଇ ଏକ ଓ୍ୱାର୍ମଅପ୍ ମ୍ୟାଚ୍ ଖେଳିଲେ ଏବଂ ସେଥିରେ ଶେଷ ଓଭର୍ ପକାଇବାର ସୁଯୋଗ ପାଇ ପ୍ରଭାବଶାଳୀ ପ୍ରଦର୍ଶନ କରି ଟିମ୍‌କୁ ଜିତାଇଥିଲେ। ଏହା ଶାମୀଙ୍କ ସାମର୍ଥ୍ୟ ଓ ଅଭିଜ୍ଞତାର ଏକ ନମୁନା ଥିଲା ସୁପର୍-12 ପର୍ଯ୍ୟାୟରେ ମଧ୍ୟ ସେ ପ୍ରାୟତଃ ଠିକଠାକ୍ ବୋଲିଂ କରୁଛନ୍ତି।
ଟି-20 ଆନ୍ତର୍ଜାତିକ ଫର୍ମାଟରେ ଶେଷ 4/5 ଓଭରକୁ ଡେଥ୍ ଓଭର୍ସ କୁହାଯାଏ। ଦିନିକିଆ ଆନ୍ତର୍ଜାତିକରେ ଶେଷ ୧୦ ଓଭର୍ ହେଉଛି ଡେଥ୍ ଓଭର୍ସ। ଏହି ଓଭରଗୁଡ଼ିକରେ ବ୍ୟାଟିଂ କରୁଥିବା ଟିମ୍ ଦ୍ରୁତ ଗତିରେ ରନ୍ କରିବାକୁ ପ୍ରୟାସ କରେ ଏବଂ ତାକୁ ରୋକିବା ପାଇଁ ଦ୍ରୁତ ବୋଲରମାନଙ୍କୁ ଅଗ୍ରାଧିକାର ଦିଆଯାଏ। ଡେଥ୍ ଓଭର୍ସ ଅନେକ ସମୟରେ ମ୍ୟାଚ୍‌ର ଦିଗ ବଦଳାଇ ଦିଏ।

Advertisment

ଭାରତୀୟ ଟିମ୍‌ରେ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପେସର୍ ମଧ୍ୟ ଉପଲବ୍ଧ ଅଛନ୍ତି। ସେମାନେ ବି ଆବଶ୍ୟକ ସ୍ଥଳେ ଡେଥ୍ ଓଭର୍ସରେ ବୋଲିଂ କରୁଛନ୍ତି  କିନ୍ତୁ ସେମାନଙ୍କୁ ଏଥିପାଇଁ ଉପଯୁକ୍ତ ବିବେଚନା କରାଯାଏ ନାହିଁ ଏସିଆ କପ୍ ଓ ଏହାପରେ ଘରୋଇ ଦ୍ୱିପାକ୍ଷିକ ଶୃଙ୍ଖଳାଗୁଡ଼ିକରେ ପେସର୍ ହର୍ଷଲ ପଟେଲଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯାଇଥିଲା; ହେଲେ ସୁଫଳ ମିଳିନଥିଲା।

  • ଚର୍ଚ୍ଚାରେ ବାଂଲାଦେଶ ବିଜୟର ଶେଷ ଓଭର୍ 

ନଭେମ୍ବର ୨ରେ ଟିମ୍ ଇଣ୍ଡିଆ ଆଡିଲେଡ୍ ଠାରେ ବାଂଲାଦେଶକୁ 5 ରନ୍‌ରେ ହରାଇ ଟି-20 ବିଶ୍ୱକପ୍‌ରେ ତୃତୀୟ ବିଜୟ ହାସଲ କରିଥିଲା। ଏହି ବିଜୟ ଭାରତର ସେମିଫାଇନାଲ ପଥକୁ ସୁଗମ କରିଥିଲା। ବର୍ଷା ବାଧା ଉପୁଜାଇବା ସତ୍ତ୍ବେ ପୂରା ମ୍ୟାଚ୍ ରୋମାଞ୍ଚକ ଥିଲା। ଭାରତୀୟ ପେସର୍ ଅର୍ଶଦୀପଙ୍କ ଶେଷ ଓଭରକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ବର୍ଷା ଯୋଗୁଁ ବାଂଲାଦେଶୀ ଟିମକୁ 16 ଓଭରରେ 151 ରନ୍‌ର ବିଜୟଲକ୍ଷ୍ୟ ଦିଆଯାଇଥିଲା। ବର୍ଷା ପୂର୍ବରୁ ଭଲ ସ୍ଥିତିରେ ଥିବା ଶାକିବ୍ ଅଲ୍ ହସନ୍‌ଙ୍କ ଟିମ୍ କିନ୍ତୁ ମ୍ୟାଚ୍ ବଞ୍ଚାଇ ପାରି ନ ଥିଲା। ଶେଷ ଓଭରରେ ଟିମକୁ ଜିତିବା ପାଇଁ 20 ରନ୍ ଆବଶ୍ୟକ ଥିଲା କିନ୍ତୁ ୧୪ ରନ୍ ହିଁ ହୋଇଥିଲା।  
କ୍ରିକେଟପ୍ରେମୀଙ୍କ ମନରେ ବଡ଼ ପ୍ରଶ୍ନ ଥିଲା ଯେ ଅଧିନାୟକ ରୋହିତ ଶର୍ମା ୧୬ତମ ଅର୍ଥାତ୍ ଶେଷ ଓଭର୍ କାହାକୁ ବୋଲିଂ କରିବାକୁ ଦେବେ। ଅନୁମାନ କରାଯାଉଥିଲା ଯେ ମହମ୍ମଦ ଶାମୀଙ୍କୁ ଶେଷ ଓଭର୍ ବୋଲିଂ କରିବାର ସୁଯୋଗ ମିଳିବ, କାରଣ ସେ ଅଭିଜ୍ଞ; ହେଲେ ସୁଯୋଗ ପାଇଲେ ଯୁବ ପେସର୍ ଅର୍ଶଦୀପ ସିଂହ।

ଭାରତର ବିଜୟ ପରେ ଏହି ବାମହାତି ବୋଲରଙ୍କୁ ପ୍ରଶଂସା କରାଯାଉଛି। ସାମାଜିକ ଗଣମାଧ୍ୟମରେ ତାଙ୍କୁ ’ଗେମ୍ ଚେଞ୍ଜର୍’ କୁହାଯାଉଛି। ଅନେକ କ୍ରିକେଟପ୍ରେମୀ ଏପରିକି ବିଶ୍ଳେଷକଙ୍କ ବିଚାରରେ ଅର୍ଶଦୀପ ଭବିଷ୍ୟତରେ ଭାରତୀୟ ଟିମର ’ବଡ଼ ଚେହେରା’ ହୋଇପାରିବେଯ। ଏଠାରେ ଆଉ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଅର୍ଶଦୀପଙ୍କୁ କାହିଁକି ଶେଷ ଓଭର୍ ଦିଆଗଲା। ଟି-20 ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ଆଗରେ ଏକ ବଡ଼ ପ୍ରଶ୍ନ ଥିଲା - ଡେଥ୍ ଓଭର୍ସରେ କେଉଁମାନେ ବୋଲିଂ କରିବେ।

ଟି-20 ଆନ୍ତର୍ଜାତିକରେ ଅର୍ଶଦୀପ ଏଯାବତ୍ ମାତ୍ର 17 ମ୍ୟାଚ୍ ଖେଳିଛନ୍ତି। ଯେକୌଣସି ଫର୍ମାଟ୍‌ରେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍। ଏହା ପୂର୍ବରୁ ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ରେ ପାବ ଟିମ୍ ପକ୍ଷରୁ ଖେଳିଆସିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ଟି-20 ଶୃଙ୍ଖଳା ପାଇଁ ଅର୍ଶଦୀପଙ୍କୁ ପ୍ରଥମ ଥର ଟିମ୍‌ରେ ଚୟନ କରାଯାଇଥିଲା। ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଏତେ ଯୁବ ଖେଳାଳିଙ୍କ ଉପରେ ଶେଷ ଓଭରର ଚାପ ମଧ୍ୟ ଅଧିକ ଥାଏ।

ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଶେଷ ଓଭର୍ ପାଇଁ ବୋଲରଙ୍କ ଚୟନ ଉପରେ ପ୍ରଶ୍ନ କରାଯାଇଥିଲା।
ରୋହିତ କହିଥିଲେ, ‘ଅର୍ଶଦୀପ ଯେତେବେଳେ ଟିମ୍‌କୁ ଆସିଥିଲେ, ଆମେ ତାଙ୍କୁ ଡେଥ୍ ଓଭର୍ସରେ ବୋଲିଂ କରିବାକୁ କହିଥିଲୁ। ବୁମ୍‌ରାଙ୍କ ଅନୁପସ୍ଥିତିରେ ଏହା ଯେକୌଣସି ବୋଲରଙ୍କ ପାଇଁ କଷ୍ଟସାଧ୍ୟ କାମ ହୋଇଥାଏ ଜଣେ ଯୁବ ବୋଲରଙ୍କ ପାଇଁ ଏହି କାମ (ଡେଥ୍ ଓଭର୍ସରେ ବୋଲିଂ) କରିବା ସହଜ ନୁହେଁ; କିନ୍ତୁ ଆମେ ତାଙ୍କୁ ଏଥିପାଇଁ ପ୍ରସ୍ତୁତ କରିଛୁ। ଗତ 8-9 ମାସ ହେଲା ସେ ଆମ ପାଇଁ ଏଭଳି କରୁଛନ୍ତି।

ଚଳିତ ବର୍ଷ ଆଇପିଏଲ୍ ପରେ ଏକ ସାକ୍ଷାତକାରରେ ଅର୍ଶଦୀପଙ୍କୁ ଡେଥ୍ ଓଭର୍ସରେ  ଟିମ୍ ପକ୍ଷରୁ ଦିଆଯାଉଥିବା ଦାୟିତ୍ୱ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଅର୍ଶଦୀପ କହିଥିଲେ, ‘ଡେଥ୍ ଓଭର୍ ପକାଇବା ପାଇଁ ଆପଣଙ୍କୁ ନିଜ ଉପରେ ଭରସା କରିବାକୁ ପଡ଼ିଥାଏ। ତା’ପରେ ଅନ୍ୟମାନେ ଆପଣଙ୍କ ଉପରେ ଭରସା କରିବେ। ଯେତେବେଳେ ଆପଣ ମଇଦାନକୁ ଯିବେ ଏହି ବିଶ୍ୱାସ ସହିତ ଯିବେ ଯେ ଆପଣଙ୍କ ଆଗରେ ଯିଏ ବି ଥାଆନ୍ତୁ, ଆପଣ ନିଜ କୌଶଳରେ ଟିମ୍ ପାଇଁ ଭଲ ଖେଳିବେ‘

ଅର୍ଶଦୀପଙ୍କ ରୂପରେ ଠିକଣା ସମୟରେ ଟିମ୍ ଇଣ୍ଡିଆକୁ ଜଣେ ଡେଥ୍ ଓଭର୍ ବୋଲର୍ ମିଳିଯାଇଛି; ହେଲେ ଟି-20 ବିଶ୍ୱକପ୍‌ରେ ଟିମ୍‌ ଆହ୍ବାନ ଏବେ ସରିନି। ଏହି ଯୁବ ପେସରଙ୍କୁ ଡେଥ୍ ଓଭର୍ସରେ ନିର‘ର ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବିଶ୍ୱକପ୍ ପରେ ମଧ୍ୟ ଆଗକୁ ତାଙ୍କୁ ଏହି ଭୂମିକାରେ ପରିପକ୍ୱତା ହାସଲ କରିବାକୁ ହେବ।

ICC Indian Cricket Team T 20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ