ଆଧୁନିକ ଯୁଗର କେତେକ ଖ୍ୟାତନାମା ଖେଳାଳିଙ୍କ ପାଇଁ ନିଜ ପରାକ୍ରମ ଦେଖାଇବା ଲାଗି ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ବଡ଼ ମଞ୍ଚ ରହିଆସିଛି । ତେବେ ସବୁ ଉଲ୍ଲେଖନୀୟ କ୍ୟାରିଅର୍ର ଅନ୍ତ ଘଟିଥାଏ । ଅନେକ ବର୍ଷ ଧରି ବିଶ୍ୱର ସର୍ବବୃହତ ଟି-୨୦ ଲିଗ୍ରେ ଚମକ ଦେଖାଇ ଆସୁଥିବା ସେଭଳି କ୍ରିକେଟର୍ଙ୍କ ମଧ୍ୟରେ ରହିଛନ୍ତି ତିନି ଭାରତୀୟ ଭେଟେରାନ୍ - ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ।
ଆଇପିଏଲ୍ ୨୦୨୫ ସେମାନଙ୍କ ପାଇଁ ହେବ କି ଶେଷ ସିଜନ୍? ଏହାପରେ ସେମାନେ ନେବେ କି ଲିଗ୍ରୁ ଅବସର? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଏହି ତାଲିକାରେ କେତେକ ବିଦେଶୀ ଖେଳାଳି - ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ’ ପ୍ଲେସିସ୍ ଏବଂ ୱେଷ୍ଟଇଣ୍ଡିଜ୍ର ସୁନୀଲ ନାରାୟନ ଓ ଆନ୍ଦ୍ରେ ରସେଲ୍ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ ।
Also Read
ତେବେ ‘କିଙ୍ଗ୍ ଅଫ୍ କ୍ରିକେଟ୍’ ଭାରତର ବିରାଟ କୋହଲିଙ୍କୁ ଏଥିରେ ସାମିଲ୍ କରାଯିବା ତରବରିଆ ହୋଇପାରେ । ଯଦିଓ ସେ ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇସାରିଲେଣି, ତେବେ ଆଇପିଏଲ୍ରେ ତାଙ୍କ ଚମକ ଏବେ ବି ଅବ୍ୟାହତ ରହିଛି ।
ମହେନ୍ଦ୍ର ସିଂହ ଧୋନି (ଚେନ୍ନାଇ ସୁପର୍ କିଙ୍ଗ୍ସ)
ପୂର୍ବ କିଛି ସିଜନ୍ ଧରି ୪୩ବର୍ଷୀୟ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଚର୍ଚ୍ଚା ହୋଇଆସୁଛି । ଏହାସତ୍ତ୍ୱେ, ଚେନ୍ନାଇ ସୁପର୍ କିଙ୍ଗ୍ସର ଏହି ପୂର୍ବତନ ଅଧିନାୟକ ଟିମ୍କୁ ଛାଡ଼ିକି ଯିବାର ନାଁ ଧରୁ ନାହାନ୍ତି । ତେବେ ଚଳିତ ସିଜନ୍ ପରେ ସେ ଲିଗ୍ରୁ ଅବସର ନେଇପାରନ୍ତି ।
ଆଇପିଏଲ୍ ୨୦୨୩ ପରେ ଆଣ୍ଠୁ ସର୍ଜରୀ କରାଇଥିବା ଧୋନି ପରବର୍ତ୍ତୀ ସମୟରେ ଶେଷ ବେଳକୁ ବ୍ୟାଟିଂ କରିବାକୁ ଆସୁଥିଲେ ବି କେତେକାଂଶରେ ପ୍ରଭାବିତ କରିପାରିଛନ୍ତି । ସେ ପୂର୍ବ ସିଜନ୍ରେ ୧୪ ମ୍ୟାଚ୍ରେ ୫୩.୬୬ ଆଭରେଜ୍ ଓ ୨୨୦.୫୪ ଷ୍ଟ୍ରାଇକ୍ ରେଟ୍ରେ ୧୬୧ ରନ୍ କରିଥିଲେ ।
ବ୍ୟାଟିଂରେ ଧୋନିଙ୍କ ବିଶେଷ ଯୋଗଦାନ ରହୁ ନ ଥିଲେ ବି ୱିକେଟ୍କିପିଂରେ ସେ ଏବେ ବି ଅତୁଳନୀୟ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ରିଟେନ୍ସନ୍ ନିୟମାନୁଯାୟୀ ସେ ‘ଅନ୍କ୍ୟାପ୍ଡ’ ଖେଳାଳି ଭାବେ ସୁପର୍ କିଙ୍ଗ୍ସରେ ଅଛନ୍ତି । ଟିମ୍ରେ ତାଙ୍କ ଉପସ୍ଥିତି ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଉଛି । ଆବଶ୍ୟକସ୍ଥଳେ ସେ ଟିମ୍କୁ ମାର୍ଗଦର୍ଶନ କରୁଛନ୍ତି । ସେ ଟିମ୍ରେ ରହିବା ପଛର ଏହା ସମ୍ଭବତଃ ବଡ଼ କାରଣ ।
ଧୋନି ଆଇପିଏଲ୍ରେ ଏ ଯାବତ ୨୬୫ ମ୍ୟାଚ୍ ଖେଳି ୫୨୪୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଞ୍ଚ ଥର ମୁକୁଟ ଜିତିଛି । ଧୋନି ଅନେକ ଦିନ ହେଲା ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିଲେଣି । ସେ ଆଇପିଏଲ୍ ଛାଡ଼ିବାର ବି ସମୟ ଆସିଗଲାଣି, ତେବେ ଟିମ୍ ଷଷ୍ଠ ଥର ଚାମ୍ପିଅନ୍ ହେଲେ ତାଙ୍କ ପାଇଁ ବିଦାୟୀ ସୁଖପ୍ରଦ ହେବ ।
ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ)
ରୋହିତ ଶର୍ମା ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ୍ କରାଇଛନ୍ତି । କିନ୍ତୁ କିଛି ବର୍ଷ ହେଲା ଜଣେ ବ୍ୟାଟର୍ ଭାବେ ରୋହିତ ସେତେ ପ୍ରଭାବିତ କରିପାରୁ ନାହାନ୍ତି । ଆଇପିଏଲ୍ର ପୂର୍ବ ସଂସ୍କରଣରେ ତାଙ୍କ ଠାରୁ ଅଧିନାୟକତ୍ୱ କାଢ଼ି ନିଆଯାଇଥିଲା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା ।
ପୂର୍ବ ସିଜନ୍ରେ ରୋହିତ ୧୪ ମ୍ୟାଚ୍ ଖେଳି ୩୨.୦୭ ଆଭରେଜ୍ ଓ ୧୫୦.୦୦ ଷ୍ଟ୍ରାଇକ୍ ରେଟ୍ରେ ୪୧୭ ରନ୍ ସଂଗ୍ରହ କରିଥିଲେ । ଆଇପିଏଲ୍ରେ ସେ ଏ ଯାବତ ୨୫୮ ମ୍ୟାଚ୍ ଖେଳି ୬୬୨୮ ରନ୍ କରିଛନ୍ତି । ଗତ ବର୍ଷ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇବା ପରେ ରୋହିତ ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ । ଏହି ୩୭ବର୍ଷୀୟ କ୍ରିକେଟର୍ଙ୍କ ପାଇଁ ଆଇପିଏଲ୍ ୨୦୨୫ ଶେଷ ସିଜନ୍ ହୋଇପାରେ ।
ଟିମ୍ରେ ତାଙ୍କ ସ୍ଥାନ ନେବା ପାଇଁ ଅନେକ ଯୁବ ବ୍ୟାଟର୍ ପ୍ରସ୍ତୁତ ଅଛନ୍ତି । ତେବେ ଟିମ୍ର ଆଉ ମୁକୁଟ ବିଜୟ ସହ ସେ ବିଦାୟ ନେବାକୁ ଚାହୁଁଥାଇପାରନ୍ତି । ଚଳିତ ସିଜନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ଟିମ୍ର ପ୍ରଥମ ମ୍ୟାଚ୍ରେ ସେ ଖାତା ଖୋଲିପାରି ନ ଥିଲେ । ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଟିମ୍ ଓ ପ୍ରଶଂସକମାନେ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରିବେ ।
ରବିଚନ୍ଦ୍ରନ ଅଶ୍ୱିନ (ଚେନ୍ନାଇ ସୁପର୍ କିଙ୍ଗ୍ସ)
ଗତ ବର୍ଷ ଡିସେମ୍ବରରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଥିଲେ । ତେବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗ୍ସ ମେଗା ନିଲାମରେ ଅଶ୍ୱିନଙ୍କୁ ୯.୭୫ କୋଟି ଟଙ୍କା ଦେଇ କିଣିଥିଲା । ସେ ଏହି ଫ୍ରାଞ୍ଚାଇଜ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯେଉଁଠି ସେ ୨୦୦୯ରୁ ୨୦୧୫ ଯାଏଁ ଖେଳିଛନ୍ତି ।
ଅଶ୍ୱିନ ପୂର୍ବ ସିଜନ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୫ ମ୍ୟାଚ୍ ଖେଳି ୫୧.୮୮ ଆଭରେଜ୍ ଓ ୭.୧୨ ଇକୋନମୀ ରେଟ୍ରେ ୯ ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ୮୬ ରନ୍ କରିଥିଲେ । ଆଇପିଏଲ୍ରେ ଏହି ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ଏ ଯାବତ ୨୧୩ ମ୍ୟାଚ୍ ଖେଳି ୧୮୧ ୱିକେଟ୍ ନେବା ସହ ୮୦୦ ରନ୍ ବି ସଂଗ୍ରହ କରିଛନ୍ତି ।
ତେବେ ୩୮ବର୍ଷୀୟ ଅଶ୍ୱିନ ଏ କଥା ଜାଣିଛନ୍ତି ଯେ ଆଉ ତାଙ୍କର ପୂର୍ବ ଭଳି ଚମକ ନାହିଁ । ଚଳିତ ସିଜନ୍ରେ ତାଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ୱ ରଖେ । ସେ ଆଗକୁ ଲିଗ୍ରେ ଖେଳ ଜାରି ରଖିବେ କି ନାହିଁ, ତାହା ଏହି ପ୍ରଦର୍ଶନରୁ ପ୍ରାୟତଃ ସ୍ପଷ୍ଟ ହେବ । ବିଫଳ ହେବା ସ୍ଥଳେ ସେ ଆଇପିଏଲ୍ ଛାଡ଼ିପାରନ୍ତି ।