Gukesh D
ବିଶ୍ୱ ଦରବାରରେ ଚମକିଲେ ଭାରତର ୧୭ ବର୍ଷୀୟ ଚେସ୍ ଖେଳାଳି ଡି ଗୁକେଶ। ଏମିତିକି ଭାରତର କିମ୍ବଦନ୍ତୀ ଖେଳାଳି ବିଶ୍ୱନାଥନ୍ ଆନନ୍ଦଙ୍କୁ ବି ପଛରେ ପକାଇଲେ । ଗୁରୁବାର ଚେସ୍ ବିଶ୍ୱକପ୍ ମ୍ୟାଚ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଜର୍ବୈଜାନ୍ର ମିସ୍ରାତ୍ଦିନ୍ ଇସ୍କାନଦାରୋଭ୍ଙ୍କ ଉପରେ ବିଜୟ ହାସଲ୍ କରି ଭାରତର ୧୭ ବର୍ଷିୟ ଗ୍ରାଣ୍ଡ୍ମାଷ୍ଟର୍ ଡି. କୁକେଶ ଶ୍ରେଷ୍ଠ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।
ଏହି ମ୍ୟାଚ୍ରେ ଜିଣିବା ପରେ, ଦୀର୍ଘ ୩୬ ବର୍ଷ ହେବ ଭାରତର ଶ୍ରେଷ୍ଠ ଚେସ୍ ଖେଳାଳି ଭାବେ ପ୍ରାଧାନ୍ୟ ବଜାୟ ରଖିଥିବା ବିଶ୍ୱନାଥନ୍ ଆନନ୍ଦଙ୍କୁ ଗୁକେଶ ଟପିଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱନାଥନ୍ ଆନନ୍ଦଙ୍କୁ ଗୁକେଶ ନିଜର ଆଦର୍ଶ ବୋଲି ମାନନ୍ତି । ୧୭ ବର୍ଷୀୟ ଗୁକେଶ ଆଜେରବାଇଜାନର ଇସ୍କାନଦାରୋଭ୍ଙ୍କୁ ପରାସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ଏହି ମ୍ୟାଚ୍ରେ ବିଜୟ ହାସଲ କରିବା ପରେ ଗୁକେଶ ବିଶ୍ୱସ୍ତରୀୟ ରାଙ୍କିଙ୍ଗ୍ରେ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ‘ଇଣ୍ଟର୍ନ୍ୟାସ୍ନାଲ୍ ଚେସ୍ ଫେଡେରେସନ୍’ (FIDE) ଏହି ତାଲିକା ପ୍ରସ୍ତୁତ କରିଥାଏ। ଫଳରେ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ଆନନ୍ଦ ୧୦ ସ୍ଥାନ ବା ରାଙ୍କ୍କୁ ଖସିଯାଇଛନ୍ତି।
ଅନ୍ୟପଟେ ଚେସ୍ ପ୍ରତିଯୋଗିତାରେ ବିଶ୍ୱର ସର୍ବୋଚ୍ଚ ସଂଗଠନ FIDE ଏକ ଟ୍ୱିଟରେ କହିଛି, 'ଡି ଗୁକେଶ ଆଜି ପୁଣି ଜିତିଛନ୍ତି ଏବଂ ଲାଇଭ ରେଟିଂରେ ବିଶ୍ୱନାଥ ଆନନ୍ଦଙ୍କୁ ଅତିକ୍ରମ କରିଯାଇଛନ୍ତି। ପରବର୍ତ୍ତୀ ଅଫିସିଆଲ୍ FIDE ରାଙ୍କିଙ୍ଗ୍ ସେପ୍ଟେମ୍ବର ୧ରେ ପ୍ରକାଶ ପାଇବାକୁ ଆଉ ଗୋଟିଏ ମାସ ବାକି ଅଛି। ସେତବେଳକୁ ଡି ଗୁକେଶ ସର୍ବାଧିକ ମାନ୍ୟତା ପ୍ରାପ୍ତ ଭାରତୀୟ ଖେଳାଳି ଭାବରେ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିବାର ସମସ୍ତ ସମ୍ଭାବନା ରହିଛି'।
ଚେସ୍ ମ୍ୟାଚ୍ର ୪୪ଟି ‘ମୁଭ୍’ରେ ଇସ୍କାନ୍ଦାରୋଭ୍ଙ୍କୁ ହଟାଇ ନିଜର ପାରଦର୍ଶିତା ଦେଖାଇଥିଲେ ଗୁକେଶ । ଆନନ୍ଦଙ୍କ ରେଟିଙ୍ଗ୍ ୨୭୫୪.୦ ଥିବା ବେଳେ ସଦ୍ୟତମ ମ୍ୟାଚ୍ରେ ୨.୫ ରେଟିଙ୍ଗ୍ ହାସଲ କରିବାରୁ ଗୁକେଶଙ୍କ ଲାଇଭ୍ ରେଟିଙ୍ଗ୍ ୨୭୫୫.୯କୁ ବୃଦ୍ଧି ପାଇଛି। ତେଣୁ ସେ ଆନନ୍ଦଙ୍କୁ ଟପି ଶ୍ରେଷ୍ଠ ଚେସ୍ ଖେଳାଳି ମାନ୍ୟତା ପାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gukesh_D_1691159394.jpg)