ଏମିତି ପରିବାରକୁ ଶହେ ସଲାମ ! ଥାଳିରେ ଜୀବନ୍ତ କଳାନାଗ ରଖି କରୁଛନ୍ତି ପୂଜାର୍ଚ୍ଚନା...

ଭାଇରାଲ ଭିଡିଓରେ ଯେଉଁ ସାପ ରହିଛି ତାହା ଜୀବନ୍ତ । ଆଉ ହିଂସ୍ର ବୋଲି ମଧ୍ୟ ଜଣାପଡ଼ୁଛି । କାରଣ ମଝିରେ ମଝିରେ ସେ ଚୋଟ ମାରିବାକୁ ବି ପଛାଉ ନାହିଁ । 

ଥାଳିରେ କଳାନାଗ, ଚାଲିଛି ପୂଜାପାଠ

କଳା ନାଗକୁ ପୂଜା କରୁଛନ୍ତି ପୂରା ପରିବାର । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ଲୋକେ ସାପକୁ ପୂଜା କରିଥାନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ପର୍ବ ମଧ୍ୟ ରହିଛି । ଯାହାକୁ ନାଗ ପଞ୍ଚମୀ କୁହାଯାଏ । କେବଳ ଏହି ଦିନ ନୁହେଁ, ବିଭିନ୍ନ ପୂଜା ପର୍ବରେ ସାଧାରଣ ହିନ୍ଦୁ ପରିବାରର ଲୋକେ ନାଗ ସାପକୁ ପୂଜା କରିଥାନ୍ତି ।

ହେଲେ କେବେ କେଉଁଠି ବି ଏମିତି ଜୀଅନ୍ତା ନାଗ ସାପକୁ ଏକ ଥାଳିରେ ରଖି ପୂଜା କରିବାର ଦେଖାଯାଏନି । ସାଧାରଣତଃ ଲୋକେ ପିତ୍ତଳ ସାପକୁ ଥାଳିରେ ରଖି ପୂଜାପାଠ କରିଥାନ୍ତି । କିନ୍ତୁ ଏହି ଭାଇରାଲ ଭିଡିଓରେ ଯେଉଁ ସାପ ରହିଛି ତାହା ଜୀବନ୍ତ । ଆଉ ହିଂସ୍ର ବୋଲି ମଧ୍ୟ ଜଣାପଡ଼ୁଛି । କାରଣ ମଝିରେ ମଝିରେ ସେ ଚୋଟ ମାରିବାକୁ ବି ପଛାଉ ନାହିଁ । 

ତେବେ ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ପରିବାରର ସମସ୍ତେ ଏକାଠି ବସିଛନ୍ତି । ସେଥିରେ ପୁରୁଷ ବି ଅଛନ୍ତି ଆଉ ଘରର ମହିଳାମାନେ ବି ବସିଛନ୍ତି । ଆଉ ଜଣେ ପୂଜକ ବି ରହିଛନ୍ତି । ଜଣେ ବ୍ୟକ୍ତି କର୍ତ୍ତା ହୋଇ ମଧ୍ୟ ବସିଛନ୍ତି । ସେ ସାପ ଉପରେ ପାଣି ଢ଼ାଳୁଛନ୍ତି । ଏପଟେ ମନ୍ତ୍ର ଉଚ୍ଚାରଣ ବି ଜୋରସୋରରେ ଚାଲିଛି । ମଝିରେ ମଝିରେ ସାପ ଆଡ଼କୁ ଯଦି କାହାର ହାତ ଚାଲିଯାଉଛି ତେବେ ସାପ ତାକୁ ଚୋଟ ମାରିବାକୁ ଚେଷ୍ଟା କରୁଛି । ହେଲେ ସେହି ସମୟରେ ବ୍ୟକ୍ତି ଜଣକ ହାତ ଦୂରକୁ ନେଇ ଯାଉଛନ୍ତି ।

ତେବେ ମୋଟାମୋଟି ଦେଖିବାକୁ ଗଲେ ଭିଡିଓରେ ସାପଟି ପାଣି ଢ଼ଳାର ଆନନ୍ଦ ନେଉଛି । କାରଣ ଏତେ ଲୋକ ଚାରିପଟେ ବସିଥିଲେ ମଧ୍ୟ ସେ ସେହି ଥାଳିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରୁନି । କିନ୍ତୁ ପଣା ଟେକି ସମସ୍ତଙ୍କୁ ଦେଖୁଛି । ଆଉ ପାଣିର ଆନନ୍ଦ ନେଉଛି । ତେବେ ସବୁଠାର ବଡ଼ କଥା ହେଲା, ସେଠାରେ ବସିଥିବା କୌଣସି ଲୋକ ମଧ୍ୟ ସାପକୁ ଦେଖି ଭୟ କରୁ ନାହାନ୍ତି ।