ଉପମୁଖ୍ୟମନ୍ତ୍ରୀଙ୍କ ପୁଅର ରିଲ୍ସ ଭିଡିଓ ଭାଇରାଲ୍, ପୋଲିସ୍ ସୁରକ୍ଷା ନେଇ ତେଜିଲା ରାଜନୀତି...

ବାପା କହିଲେ ମୁଁ ଉପମୁଖ୍ୟମନ୍ତ୍ରୀ ନଥିବା ବେଳୁ ମୋ ପୁଅ ବଡ଼ ଗାଡ଼ି ଚଢ଼ୁଛି । ସେ ପିଲା ଦିନୁ ବିଳାସପୂର୍ଣ୍ଣ ଗାଡ଼ି ଦେଖିଛି ଆଉ ବୁଲୁଛି ।

Viral Video

ରିଲ୍ସର ଜମାନା । ଯାହାକୁ ଦେଖିବ ସମସ୍ତେ ରିଲ୍ସ କରିବା ପାଇଁ ବାୟା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପାଇଁ ଏବେ କରାଯାଉଛି ରିଲ୍ସ । ଏମିତିକି ଥାନା ଭିତରେ ପୋଲିସ ଆଉ ଡାକ୍ତରଖାନା ଭିତରେ ଡାକ୍ତର ନର୍ସ ବି କରୁଛନ୍ତି ରିଲ୍ସ । ତେବେ ଆପଣ ଭାବୁଥିବେ ଏହା ତ ଏବେ ସାଧାରଣ କଥା । ଆମେ ଆଜି କାହିଁକି ଏକଥା କହୁଛୁ...

ଆଜ୍ଞା ହଁ ଏହା ପଛରେ ରହିଛି ଏକ ରୋଚକ କାରଣ । ଏହି ରିଲ୍ସକୁ ନେଇ ଏବେ ରାଜସ୍ଥାନ ରାଜନୀତି ଉଠୁଛି ପଡ଼ୁଛି । ଏହି ରିଲ୍ସ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି । ଆପଣ ବି ଦେଖିଥିବେ । କିନ୍ତୁ ଆପଣ ଜାଣିନଥିବେ ସେହି ରିଲ୍ସ ପାଇଁ ଏବେ ରାଜନୈତିକ ମହଲରେ ନିଆଁ ଲାଗିସାରିଲାଣି । କାରଣ ସେହି ରିଲ୍ସରେ ଅଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅ । ଆଉ ସିଏ ରିଲ୍ସ କରିବା ବେଳେ ତାଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ପୋଲିସ ଅଫିସର । ଯାହାକୁ ନେଇ ଏବେ ବିବାଦ ଘନେଇଛି ।

କୁହାଯାଉଛି ଯେହେତୁ ସେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ତେଣୁ ସେ ଯୁଆଡ଼େ ବି ଯିବେ ତାଙ୍କୁ ସୁରକ୍ଷା ଯୋଗାଇବା ହେଉଛି ସରକାରଙ୍କ ଦାୟିତ୍ୱ । ଏହି କ୍ରମରେ ସେ ବୁଲିବାକୁ ଗଲେ ମଧ୍ୟ ତାଙ୍କ ସହ ସୁରକ୍ଷା ଅଧିକାରୀ ରହିବେ । ହେଲେ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଏଠି ପ୍ରେମ୍‌ଚାନ୍ଦଙ୍କ ପୁଅ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବା ସହ ନିଜ ଏଣ୍ଟରଟେନ୍‌ମେଣ୍ଟ ପାଇଁ କରୁଛନ୍ତି ରିଲ୍ସ । ଆଉ ଏହି ସମୟରେ ତାଙ୍କୁ ଏସ୍‌କର୍ଟ କରି ଯାଉଛି ସରକାରୀ ସୁରକ୍ଷା ବାହିନୀ । ଯେଉଁଥିରେ ନାଲିବତୀ ମଧ୍ୟ ଲାଗିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ଏହାକୁ ସାଧାରଣରେ ନିନ୍ଦା କରାଯାଇଥିଲେ ମଧ୍ୟ ଖୋଦ୍‌ ଉପମୁଖ୍ୟମନ୍ତ୍ରୀ ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଆଉ କହିଛନ୍ତି ମୋ ପୁଅ କୌଣସି ଭୁଲ୍ କରି ନାହିଁ । ସେ ନିଜ ସ୍କୁଲ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଛି । ମୋ ପୁଅ ଏବେ ନୂଆ କରି ବିଳାସପୂର୍ଣ୍ଣ ଗାଡ଼ି ଚଢ଼ୁନାହିଁ, ବରଂ ସେ ପିଲା ଦିନୁ ଏଭଳି ଗାଡ଼ିରେ ବୁଲୁଛି । ଯେତେବେଳେ କି ମୁଁ ଉପମୁଖ୍ୟମନ୍ତ୍ରୀ ନଥିଲି । ଅନ୍ୟପଟେ ବିରୋଧୀ ଏହାକୁ ସମାଲୋଚନା କରିବା ସହ, ଏହା କ୍ଷମତାର ଦୂରୁପଯୋଗ ବୋଲି କହିଛନ୍ତି ।