Flood in Ocean: ବର୍ଷା ଆସିଲେ କୂଳ ଲଂଘେ ନଦୀ, ସୃଷ୍ଟି ହୁଏ ଜଳପ୍ରଳୟ: ହେଲେ ସମୁଦ୍ରରେ କାହିଁକି ଆସେନି ବନ୍ୟା ?

ଅଧିକାଂଶ ନଦୀର ପାଣି ସମୁଦ୍ରରେ ମିଶିଥାଏ । ପୃଥିବୀ ପୃଷ୍ଠର ପାଖାପାଖି ୭୧ ପ୍ରତିଶତ ଭାଗ ସମୁଦ୍ର । ମାତ୍ର ୨୯ ପ୍ରତିଶତ ସ୍ଥଳଭାଗ । ସେହିପରି ସମୁଦ୍ରର ଗଭୀରତା ୩,୬୮୮ ମିଟର ଅର୍ଥାତ ୧୨, ୧୦୦ ଫୁଟ । କହିବାକୁ ଗଲେ, ନଦୀଠାରୁ କାହିଁ କେତେ ଗୁଣା ଅଧିକ ଗଭୀର ସମୁଦ୍ରର ଗଭୀରତା । ସମୁଦ୍ର ଏତେ ବିଶାଳ ପରିମାଣର ପାଣିକୁ ନିଜ ଗର୍ଭରେ ଧାରଣ କରିପାରେ ଯେ, ଜୋର ବର୍ଷା କିମ୍ବା ନଦୀର ଅତିରିକ୍ତ ପାଣି ତା ଉପରେ ବିଶେଷ ପ୍ରଭାବ ପକାଇ ପାରେନାହିଁ ।

ସମୁଦ୍ରରେ ଆସେନି ବନ୍ୟା

ଆଦ୍ୟ ଆଷାଢରେ ବରଷାର ପହିଲି ପରଶ ଭାରି ଭଲ ଲାଗେ । ହେଲେ ଏଇ ବର୍ଷା ଯେତେବେଳେ ତାଣ୍ଡବ ରଚେ ସେତେବଳେ ଆରମ୍ଭ ହୁଏ ଜଳ ପ୍ରଳୟ । ଆସେ ବନ୍ୟା । ଶୁଖିଲା ନଦୀ ଉଛୁଳା ହୋଇ କୂଳ ଲଂଘେ । ଗାଁ ଗାଁରେ ଖେଳାଇ ଦିଏ ଆତଙ୍କ । ଉଜାଡି ଦିଏ ଗରିବର କୁଡିଆ । ଛଡେଇ ନିଏ ଭାତହାଣ୍ଡି । ଏ ହେଉଛି ନଦୀର କାହାଣୀ । ସାରା ବିଶ୍ୱରେ ମରୁଭୂମି ଏବଂ ଛୋଟ ଛୋଟ ନଦୀକୁ ବାଦ ଦେଲେ ଅଧିକାଂଶ ନଦୀ ଯାଇ ସମୁଦ୍ରରେ ମିଶିଥାନ୍ତି । ନଦୀର ସାରା ପାଣି ସମୁଦ୍ରକୁ ଯାଇଥାଏ । ନଦୀରେ ଭୟଙ୍କରରୁ ଅତି ଭୟଙ୍କର ବନ୍ୟା ଆସେ । ସବୁ ଉଛୁଳା ନଦୀର ପାଣି ସମୁଦ୍ରରେ ମିଶେ । ହେଲେ ସମୁଦ୍ରର କିଛି ହୁଏନି । ସେଠି କେବେ ବନ୍ୟା ଆସେନି । ହେଲେ କାହିଁକି ? ବନ୍ୟା କ’ଣ ସମୁଦ୍ରକୁ ଭୟ କରେ ? ଆସନ୍ତୁ ଜାଣିବା କାହିଁକି ସମୁଦ୍ରରେ ଆସେନି ବନ୍ୟା ।

ନଦୀରେ ସେତେବେଳେ ବନ୍ୟା ଆସେ ଯେତେବେଳେ ପାଣିର ମାତ୍ରା ଏହାର ଧାରଣର କ୍ଷମତାରୁ ଅଧିକ ହୁଏ । ସାଧାରଣତଃ ଜୋର ବର୍ଷା ହେଲେ କିମ୍ବା ବରଫ ତରଳିଲେ କିମ୍ବା ରିଜର୍ଭରରୁ ପାଣି ଛାଡିଲେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ନଦୀର ବକ୍ଷ ଏବଂ ଗଭୀରତା ସୀମିତ । ତେଣୁ ଜଳଧାରଣ କ୍ଷମତା ବି ସୀମିତ । ନଦୀଗର୍ଭକୁ ଅଧିକ ଜଳ ଆସିଲେ ଜଳସ୍ତର ଖୁବ ଶୀଘ୍ର ଉପରକୁ ଉଠିବାକୁ ଲାଗିଥାଏ ଏବଂ କୂଳ ଲଂଘି ଜନବସତିକୁ ମାଡ଼ି ଯାଇଥାଏ । ଏହାକୁ ଆମେ କହିଥାଉ ବନ୍ୟା ।

ସମୁଦ୍ରରେ କାହିଁକି ଆସେନି ବନ୍ୟା

ଅଧିକାଂଶ ନଦୀର ପାଣି ସମୁଦ୍ରରେ ମିଶିଥାଏ । ପୃଥିବୀ ପୃଷ୍ଠର ପାଖାପାଖି ୭୧ ପ୍ରତିଶତ ଭାଗ ସମୁଦ୍ର । ମାତ୍ର ୨୯ ପ୍ରତିଶତ ସ୍ଥଳଭାଗ । ସେହିପରି ସମୁଦ୍ରର ଗଭୀରତା ୩,୬୮୮ ମିଟର ଅର୍ଥାତ ୧୨, ୧୦୦ ଫୁଟ । କହିବାକୁ ଗଲେ, ନଦୀଠାରୁ କାହିଁ କେତେ ଗୁଣା ଅଧିକ ଗଭୀର ସମୁଦ୍ରର ଗଭୀରତା । ସମୁଦ୍ର ଏତେ ବିଶାଳ ପରିମାଣର ପାଣିକୁ ନିଜ ଗର୍ଭରେ ଧାରଣ କରିପାରେ ଯେ, ଜୋର ବର୍ଷା କିମ୍ବା ନଦୀର ଅତିରିକ୍ତ ପାଣି ତା ଉପରେ ବିଶେଷ ପ୍ରଭାବ ପକାଇ ପାରେନାହିଁ ।

ବିଶ୍ୱର ସବୁଠାରୁ ଗଭୀରତମ ନଦୀରେ ରହିଛି କେତେ ପାଣି

ସମୁଦ୍ରରେ ବନ୍ୟା ନ ଆସିବାର କାରଣ କହିବା ପୂର୍ବରୁ ଏଠି କହିବାକୁ ଚାହିଁବାକୁ ନଦୀରେ ସର୍ବାଧିକ କେତେ ଜଳ ଧାରଣର କ୍ଷମତା ରହିଛି ? ଆପଣ ଜାଣିଥିବେ ପୃଥିବୀର ସବୁଠାରୁ ଗଭୀରତମ ନଦୀ ହେଉଛି କଙ୍ଗୋ ନଦୀ । ମଧ୍ୟ ଆଫ୍ରିକାରେ ପ୍ରବାହିତ ଏହି ନଦୀର ଗଭୀରତା କେତେ ଜାଣନ୍ତି ?

-କଙ୍ଗୋ ନଦୀର ସବୁଠାରୁ ଗଭୀର ଜାଗାରେ ଏହାର ଗଭୀରତା ହେଉଛି ୨୩୦ ମିଟର । ଅର୍ଥାତ ପାଖାପାଖି ୭୫୪ ଫୁଟ ।

-ଆମାଜନ ନଦୀର ସର୍ବାଧିକ ଗଭୀରତା ୧୦୦ ମିଟର ଅର୍ଥାତ ୩୩୦ ଫୁଟ

-ନୀଳ ନଦୀର ଗଭୀରତା ଅପେକ୍ଷାକୃତ କମ । ଏହାର ସର୍ବାଧିକ ଗଭୀରତା ୧୦ରୁ ୨୦ ମିଟର ପାଖାପାଖି ।

-ୟାଙ୍ଗସ୍ତେ ନଦୀର କେତେକ ସ୍ଥାନରେ ଗଭୀରତା ୧୦୦ରୁ ୧୫୦ ମିଟର ।

-ଗଙ୍ଗା ନଦୀର ଗଭୀରତା ୧୦ରୁ ୨୦ ମିଟର ଅର୍ଥାତ ୩୩ରୁ ୬୬ ଫୁଟ ମଧ୍ୟରେ । ଯେତେବେଳେ ଏହା ନିମ୍ନ ସମତଳ ଭୂମିରେ ଅର୍ଥାତ ବଙ୍ଗୋପସାଗର ନିକଟବର୍ତ୍ତୀ ଡେଲଟା କ୍ଷେତ୍ରରେ ପହଞ୍ଚେ ଏହାର ଗଭୀରତା ୩୦ ରୁ ୫୦ମିଟର (୯୮ ରୁ ୧୬୪ ଫୁଟ) ପର୍ଯ୍ୟନ୍ତ ହୋଇଥାଏ ।

ବିଶ୍ୱର ସବୁ ନଦୀ ସମୁଦ୍ରକୁ ଅଧିକ ପାଣି ଛାଡ଼ିଲେ କୁଆଡେ ଯାଏ ?

ଯଦି ବିଶ୍ୱର ସବୁ ନଦୀ ସମୁଦ୍ରକୁ ଅଧିକରୁ ଅଧିକ ଜଳ ଛାଡନ୍ତି ତେବେ ସମୁଦ୍ରରେ କ’ଣ ବନ୍ୟା ଆସେ ? ନା, ସମୁଦ୍ରରେ ବନ୍ୟା ଆସେନି । ତେବେ ସମୁଦ୍ରର ଜଳସ୍ତର କିଛି ମାତ୍ରରେ ବଢିଯାଏ । ହେଲେ ଏହି ଜଳବୃଦ୍ଧି ସମୁଦ୍ର ପାଇଁ ଏତେ କମ ହୋଇଥାଏ ଯେ ବନ୍ୟା ସୃଷ୍ଟି ହେବା ପରି ସ୍ଥିତି ଉପୁଜେ ନାହିଁ । ସମୁଦ୍ର ଆକାର ଏତେ ବଡ ଯେ, ଅତିରିକ୍ତ ସମସ୍ତ ପାଣି ଏହାର ଗର୍ଭରେ ସହଜରେ ରହିଯାଏ ।

ସମୁଦ୍ରରେ ବନ୍ୟା ଆସେ କିନ୍ତୁ କେବେ ?

ହଁ, ସମୁଦ୍ରରେ ବି ବେଳେବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ହେଲେ କେବେ ଜାଣନ୍ତି ? ତୋଫାନ, ସୁନାମୀ କିମ୍ବା ଜୁଆର-ଭଟ୍ଟା କାରଣରୁ ବେଳେବେଳେ ସମୁଦ୍ର କୂଳ ଲଂଘି ଉପରକୁ ଉଠିଯାଏ । ଏହାକୁ ସାଧାରଣତଃ ସମୁଦ୍ର ବନ୍ୟା ବା ଉପକୂଳୀୟ ବନ୍ୟା ବୋଲି କୁହାଯାଏ । ହେଲେ ଏହା ନଦୀର ବନ୍ୟାଠାରୁ ଭିନ୍ନ ପ୍ରକାରର । କାରଣ ସମୁଦ୍ର ଗର୍ଭରେ ଜଳସ୍ତର ବଢିବା କାରଣରୁ ଏହି ବନ୍ୟା ଆସି ନ ଥାଏ । ବରଂ ଲହଡି ଏବଂ ପାଣିପାଗକୁ ଦେଖି ହୋଇଥାଏ ।

ସଂକ୍ଷେପରେ କହିବାକୁ ଗଲେ, ସମୁଦ୍ରର କ୍ଷମତା ଏତେ ବଶାଳ ଯେ ଅତିରିକ୍ତ ପାଣି ବିନା କୌଣସି ପରିବର୍ତ୍ତନରେ ଏହା ବକ୍ଷରେ ମିଶି ଯାଇଥାଏ । ହେଲେ ନଦୀର ସୀମିତ କ୍ଷମତା ଯୋଗୁ ବନ୍ୟା ପ୍ରଳୟଙ୍କରୀ ରୂପ ନେଇ ଆସିଥାଏ ।

ପୃଥିବୀ ଉପରେ କେତେ ସମୁଦ୍ର ? କେତେ ପାଣି ?

-ପୃଥିବୀର ମୋଟ କ୍ଷେତ୍ରଫଳ ୫୧୦ ମିଲିଅନ ବର୍ଗ କିଲୋମିଟର ।

-ଏଥିମଧ୍ୟରୁ ମହାସାଗରର କ୍ଷେତ୍ରଫଳ ପାଖାପାଖି ୩୬୧ ମିଲିଅନ ବର୍ଗ କିଲୋମିଟର ।

-ଅବଶିଷ୍ଟ ୧୪୯ ମିଲିଅନ ବର୍ଗ କିଲୋମିଟର ସ୍ଥଳ ଭାଗ ଅଟେ ଯେଉଁଥିରେ ମହାଦ୍ୱୀପ ଏବଂ ଦ୍ୱୀପ ରହିଛି ।

୨୯ ପ୍ରତିଶତ ସ୍ଥଳଭାଗରୁ କେତେ ଭାଗ ଜନବସତି ?

ପୃଥିବୀର ୨୯ ପ୍ରତିଶତ ଭାଗ ସ୍ଥଳ ଯେଉଁଥିରେ ରହିଛି ମହାଦ୍ୱୀପ, ଦ୍ୱୀପ ଏବଂ ଅନ୍ୟ ସ୍ଥଳଭାଗ । ହେଲେ ଏହି ୨୯ ପ୍ରତିଶତରେ ରହିଛି ନଦୀ, ଗ୍ଲାସିଅର, ପାହାଡ, ଜଙ୍ଗଲ, ଝିଲ୍, ମରୁଭୂମି, ଅନୁର୍ବର ପଡିଆ ଜମି ଇତ୍ୟାଦି । ଏ ସବୁକୁ ହିସାବ କଲେ ଦେଖାଯାଏ, ୨୯ ପ୍ରତିଶତ ସ୍ଥଳଭାଗରୁ ମାତ୍ର ୧୦ରୁ ୧୫ ପ୍ରତିଶତ ଜନବସତି ଉପଯୋଗୀ ଅଞ୍ଚଳ ରହିଛି । ଏବେ ଦ୍ରୁତଗତିରେ ସହରୀକରଣ ବଢୁଛି । ତଥାପି ପୃଥିବୀର ମୋଟାମୋଟି ୧ରୁ ୩ ପ୍ରତିଶତ କ୍ଷେତ୍ର ସହରୀ ଇଲାକା । ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ସହରୀ ଇଲାକା ପାଖାପାଖି ୧.୫ ମିଲିଅନରୁ ୪ ମିଲିଅନ କିଲୋମିଟର ମଧ୍ୟରେ ରହିଛି ।

ପୃଥିବୀର ୩ରୁ ୪ ପ୍ରତିଶତ ଅଞ୍ଚଳରେ ବାସ କରନ୍ତି ମଣିଷ

ପୃଥିବୀରେ ଯେତିକି ସ୍ଥଳଭାଗ ରହିଛି ତା ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅଞ୍ଚଳ ଚାଷ, ଗୋଚର ଜମି ଏବଂ ବନୀକରଣ ପାଇଁ ବ୍ୟବହାର ହୋଇଥାଏ । ଯଦିଓ ଏହାକୁ ଜନବସତି ଅଞ୍ଚଳ ବୋଲି କୁହାଯିବ ନାହିଁ ତେବେ ଏହା ମାନବ ଜୀବନ ପାଇଁ ଖୁବ ଉପଯୋଗୀ । ପୃଥିବୀର ମୋଟ କ୍ଷେତ୍ରଫଳ ୫୧୦ ମିଲିଅନ ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୩ରୁ ୪ ପ୍ରତିଶତ ଅଞ୍ଚଳରେ ଜନବସତି ରହିଛି ।