ଚନ୍ଦ୍ରାୟନ-୩ ଲଞ୍ଚକୁ ପୂରିଲା ବର୍ଷେ। ୧୪ଜୁଲାଇ ଭାରତ ପାଇଁ ଅବିସ୍ମରଣୀୟ। ଏହି ଦିନ ମାଇଲଖୁଣ୍ଟ ସ୍ଥାପନ କରିଥିଲା ଭାରତ। ଜହ୍ନ ରାଇଜରେ ନାଁ ଲେଖିବାର ସ୍ୱପ୍ନ ଏଇଠୁ ଆରମ୍ଭ ହୋଇଥିଲା। ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ଦେଶଗୁଡିକ ମଧ୍ୟରେ ଭାରତ ନିଜ ନାଁ ସାମିଲ କରିଛି। ଯାହାକୁ ନେଇ ପ୍ରତିଟି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସଫଳତାର ସହିତ ୨୦୨୩ ଜୁଲାଇ ୧୪ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହାକୁ ଲଞ୍ଚ କରିଥିଲା। ଇସ୍ରୋ ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଥିଲା। ଦୀର୍ଘ ଏକ ମାସର ଯାତ୍ରା ପରେ, ମହାକାଶଯାନ ୨୦୨୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା । ମିଶନର ସବୁଠାରୁ ମହତ୍ୱପୂର୍ଣ୍ଣ ସମୟ ୨୩ ଅଗଷ୍ଟରେ ଆସିଥିଲା ଯେତେବେଳେ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିଲା। ଆମେରିକା, ଚୀନ, ଋଷ ପରେ ଭାରତ ଏହି ସଫଳତା ପାଇଥିଲା । ଅପହଞ୍ଚ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ଥିଲା ଭାରତ ।
Also Read
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଥିଲା। ଯାହା ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ ଆରମ୍ଭ କରିଥିଲା । ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିଥିଲେ। ପ୍ରଜ୍ଞାନ ପ୍ରାୟ ୧୦୦ ମିଟର ଦୂରତା ଅତିକ୍ରମ କରିଥିଲା ଓ ବିଭିନ୍ନ ପରୀକ୍ଷଣ କରି ପୃଥିବୀକୁ ମୂଲ୍ୟବାନ ତଥ୍ୟ ପଠାଇଥିଲା। ରୋଭର ମଧ୍ୟ ଚନ୍ଦ୍ରର ସଂରଚନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଚନ୍ଦ୍ର ପୃଷ୍ଠରେ ସଲଫର ଏବଂ ଅନ୍ୟାନ୍ୟ ତତ୍ତ୍ୱଥିବା ଉପାଦାନ ଚିହ୍ନଟ କରାଯାଇଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଜଳ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆବିଷ୍କାର କରିଥିଲା । ଭବିଷ୍ୟତର ଚନ୍ଦ୍ର ଗବେଷଣା ଏବଂ ଚନ୍ଦ୍ରରେ ସମ୍ଭାବ୍ୟ ମାନବ ବସତି ପାଇଁ ଏହା ସାହାଯ୍ୟ କରିବ।
ଚନ୍ଦ୍ରୟାନ -୩ ସଂଗହ କରିଥିବା ତଥ୍ୟ ଚନ୍ଦ୍ରର ଭୌଗୋଳିକ ଇତିହାସ ଓ ଏହାର ମେରୁ ଅଂଚଳ ଗଠନ ଦିଗରେ ଅନେକ ତଥ୍ୟ ପ୍ରଦାନ କରିଛି। ତେବେ ଏହି ଐତିହାସିକ ମୁହୂର୍ତ୍ତକୁ ୭୦ନିୟୁତ ଲୋକ ଲାଇଭ୍ ଦେଖିଥିଲେ। ଏହି ମିଶନ ସାରା ଦେଶରେ ମହାକାଶ ଅନୁସନ୍ଧାନ ଏବଂ STEM କ୍ଷେତ୍ର ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ନୂତନ ପିଢିର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଇଛି । ଚନ୍ଦ୍ରାୟନ -୩ କେବଳ ଚନ୍ଦ୍ର ବିଷୟରେ ଜ୍ଞାନକୁ ବିସ୍ତାର କରିନାହିଁ, ବରଂ ମହାକାଶ ଅନୁସନ୍ଧାନରେ ଭାରତର ସାମର୍ଥ୍ୟକୁ ମଧ୍ୟ ପ୍ରଦର୍ଶନ କରିଛି । ଏହି ମିଶନ ଭବିଷ୍ୟତରେ ଚନ୍ଦ୍ର ଏବଂ ଆନ୍ତଃ ପ୍ଲାନେଟାରୀ ମିଶନ ପାଇଁ ମୂଳଦୁଆ ପକାଇଛି।