Trinatha Mela: ଏହି ମେଳା କଲେ ମିଳିଯାଏ ହଜିଲା ଜିନିଷ; ଗାମୁଛାରେ ତେଲ ଆଣିଲେ ବ୍ରାହ୍ମଣ, ବେଣା ମୂଳ ଖୋଳିବାରୁ ବାହାରିଲା ଟଙ୍କା

ଓଡ଼ିଶାର ଘରେ ଘରେ ଏହି ମେଳାଟି ପାଳନ ହୁଏ। ପ୍ରାୟତଃ ସୋମବାର ଏହାକୁ ପାଳନ କରାଯାଏ। ଏହି ମେଳାର ବିଶେଷତ୍ୱ ହେଲା, ଏଥିରେ ବେଶୀ କିଛି ପଇସାପତ୍ର ଖର୍ଚ୍ଚ ହୁଏନାହିଁ। କିନ୍ତୁ ବିଶ୍ୱାସ ରହିଛି, ହଜିଲା ଜିନିଷ ଫେରି ପାଇବାକୁ ଏହି ମେଳା ଏକ ଆମୋଘ ଅସ୍ତ୍ର ପରି କାମ ଦିଏ।

ତ୍ରିନାଥ ମେଳା ପଛର ରୋଚକ କାହାଣୀ

ତ୍ରିନାଥ ମେଳା ସାଧାରଣତଃ ସୋମବାର ଦିନ ଆରମ୍ଭ କରାଯାଏ। ସଂକ୍ରାନ୍ତି କମ୍ବା ଯେକୌଣସି ପୁଣ୍ୟ ତିଥିରେ କିମ୍ବା ବାରରେ ପାଳନ କରାଯାଇ ପାରିବ। ଏହି ମେଳା କରିବାକୁ ନିର୍ଦ୍ଦିଷ୍ଟ ଦିନ ବା ତିଥିର ଆବଶ୍ୟକତା ନଥାଏ। ଯେଉଁଠି ମେଳା କରାଯିବ ବା ମେଳାପୀଠର ବାମ ପାଖରେ ପ୍ରଭୁ ଗଣେଶଙ୍କୁ ସ୍ଥାପନ କରଯାଏ। ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କୁ ଭକ୍ତିରେ ଭୋଗରାଗ ସମର୍ପଣ କରଯାଏ। ପାନକୁ ତିନିଭାଗ କରିବ, ତିନି ବଳିତା ଦୀପ ଜାଳିବ, ତିନି ବଳିତା ନିଆଁରେ ଗଞ୍ଜେଇ ଲଗାଇ ଚିଲମ ସଜାଡ଼ିବ। ଆନନ୍ଦ ମନରେ କଥା ଶୁଣିବ। ପରିଶେଷରେ ଅଳ୍ପବହୁତ ନକହି ପ୍ରସାଦ ବାଣ୍ଟିଣ ଖାଇବ। ଏହି ମେଳା ଓଡ଼ିଶାର ସର୍ବତ୍ର, ବର୍ଷ ତମାମ ଅନୁଷ୍ଠିତ ହୋଇଥାଏ। ତେବେ ଏହି ମେଳା ପଛରେ ଥିବା କିଛି ପୌରାଣିକ କାହାଣୀ ଖୁବ୍ ରୋଚକ। ପଢ଼ନ୍ତୁ।

ପୂର୍ବ କାଳର କଥା। ଶ୍ରୀପୁର ନାକ ଗାଁରେ ମଧୁସୂଦନ ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ସେ ଖୁବ୍ ଦରିଦ୍ର ଲୋକଟିଏ। ଭିକ୍ଷା ମାଗି ନିଜ ପରିବାରର ପେଟ ପୂରାନ୍ତି। ଏମିତି ଦାରିଦ୍ର୍ୟ ସ୍ଥିତି ଭିତରେ ପତି ପତ୍ନୀ ଦିହେଁ ଯେମିତି ସେମିତି ଚଳି ଯାଉଥିଲେ। କିନ୍ତୁ ଦିହିଁଙ୍କର ଇତିମଧ୍ୟରେ ପୁଅଟିଏ ଜନ୍ମ ହେଲା। ଦରିଦ୍ର ଲୋକ, ଖାଦ୍ୟ ଟିକେ ଭଲ ହେଲେ ଛୁଆଟା ପାଇଁ ଭଲ ଖିର ଟିକିଏ ହୁଅନ୍ତା। କିନ୍ତୁ ଖାଦ୍ୟ ଅଭାବରେ ବ୍ରାହ୍ମଣୀଙ୍କ ସ୍ତନରେ ଖିର ହେଲାନାହିଁ।

ତେଣୁ ବ୍ରାହ୍ମଣୀ ନିଜ ପତିଙ୍କୁ ପରାମର୍ଶ ଦେଲେ, ଆମର ଦୁଧିଆଳିଟିଏ କିଣ। ଗାଈ ଖିର ଟିକେ ପିଇଲେ ଆମ ପୁଅଟି ବଂଚିବ। ମାତ୍ର ବ୍ରାହ୍ମଣ ତ ନିଜେ ଭିକ୍ଷା ମାଗି ପରିବାର ପୋଷୁଛନ୍ତି। ସେ ପୁଣି କୋଉଠୁ ଟଙ୍କା ପାଇବେ ଯେ, ଗାଈ କିଣିବେ। ଦିନେ ଦିଇ ଦିନ ଚୁପ୍ ରହିଲେ।

ମାତ୍ର ଅବସ୍ଥା ଅସମ୍ଭାଳ ହେଲା। କ୍ଷୀର ନପାଇ ପୁଅ ଦରମଲା ଅବସ୍ଥାରେ ପହଞ୍ଚଲା। ବ୍ରାହ୍ମଣୀ ବିକଳ ହେଲେ। କନ୍ଦାକଟା ଆରମ୍ଭ କରିଦେଲେ। ମଧୁସୂଦନ ନିରୂପାୟ ହୋଇ ନିଜର କଂସାବାସନ ସବୁ ଧରି ଶ୍ରୀପୁର ହାଟକୁ ଗଲେ। ସେ ସବୁ ବିକି ମାତ୍ର ପାଞ୍ଚଟଙ୍କା ସଂଗ୍ରହ କଲେ। ସେହି ପାଞ୍ଚଟଙ୍କା ଧରି ଢା’ ପରଦିନ ଗାଈ କଣିବାକୁ ବାହାରିଲେ। ଗାଁ ଗାଁ ବୁଲୁଥାନ୍ତି। ଶେଷରେ ଗୋଟାଏ ବଡ଼ ଗାଁରେ ପହଞ୍ଚିଲେ। ସେ ଗାଁର ମହାଜନଙ୍କର ବହୁତ ଗାଈ ଥାଆନ୍ତି। ଯୋଗକୁ ବଉଲା ନାମକ ଗୋଟିଏ ଦୁଧିଆଳି ଗାଈ ଉପରେ ସେ ବିରକ୍ତ ହେଉଥାନ୍ତି। କାରଣ ଗାଈଟା ଅନ୍ୟର ବାଡ଼ିରେ ପଶି ମୁହଁ ମାରେ। ଫସଲ ଖାଇଦିଏ। ତା’ ଲାଗି ଲୋକଙ୍କଠାରୁ ଗଂଜଣା ଶୁଣିବାକୁ ମିଳେ।

ମହାଜନ ରାଗିଯାଇ କହୁଥାନ୍ତି, ଗାଈକୁ ବିକି ଦେବେ। ବ୍ରାହ୍ମଣ ଯାଇ ମହାଜନଙ୍କୁ ଭେଟିଲେ। ପାଞ୍ଚ ଟଙ୍କା ଦେଇ ଗାଈଟିକୁ ତାଙ୍କୁ ବିକି ଦେବାକୁ କହିଲେ। କିନ୍ତୁ ଗାଈଟିର ମୂଲ୍ୟ ପଚାଶ ଟଙ୍କାରୁ କମ୍ ହେବନି। ମାତ୍ର ବ୍ରାହ୍ମଣ କହି ପୋଛି ସାଧବଙ୍କୁ ଧର୍ମଜ୍ଞାନ ଶୁଣାଇ ରାଜି କରାଇ ଦେଲେ। ସୌଦାଗର ପାଞ୍ଚଟଙ୍କା ମାତ୍ର ନେଇ ଗାଈଟିକୁ ବ୍ରାହ୍ମଣଙ୍କୁ ବିକିଦେଲେ। ବ୍ରାହ୍ଣଣ ଗାଈ ଓ ବାଛୁରୀ ନେଇ ଘରକୁ ଆସିଲେ।

ବ୍ରାହ୍ମଣୀଙ୍କ ଆନନ୍ଦ କହିଲେ ନସରେ। ଗାଈ କ୍ଷୀର ଖାଇ ଶିଶୁପୁତ୍ରଟି ପୂର୍ଣ୍ଣିମା ଚନ୍ଦ୍ର ଭଳି ବଢ଼ିବାକୁ ଲାଗିଲା।

ଦୁର୍ଭାଗ୍ୟକୁ ଗାଈଟି ଓଲେଇ ପଡ଼ିଲା। ଗାଈଟି ଦିନେ ଘରୁ କୁଆଡ଼େ ଚାଲିଗଲା। ଗାଈ ହଜିଯିବାରୁ ବ୍ରାହ୍ମଣଙ୍କ ଦୁଃଖ କହିଲେ ନସରେ। ରାତିରେ ତାଙ୍କୁ ନିଦ ମଧ୍ୟ ହେଲାନାହିଁ। ତା ପରିଦନ ସେ ହାତରେ ବାଡ଼ି ଖଣ୍ଡିଏ ଧରି ଗାଈ ଖୋଜିବାକୁ ବାହାରି ପଡ଼ିଲେ। ଆଗରୁ ସାହି ପଡ଼ିଶା ଆଖପାଖ ଅଂଚଳ ଖୋଜି ସାରିଥାନ୍ତି। ଏବେ ଚାଲିଥିଲେ ହାଟ ଆଡ଼କୁ ପଡ଼ିଥିବା ରାସ୍ତାରେ। ବାଟରେ ପଡୁଥିବା ଅନ୍ୟ ଗାଁ ଭିତରେ ମଧ୍ୟ ଟିକେ ନିଘା କରିଦେଉଥିଲେ, କାଳେ ତାଙ୍କ ଦୁଧିଆଳି ଗାଈଟି କୋଉଠି ରହିଯାଇଥିବ।

ଅନେକ ରାସ୍ତା ଗଲା ପରେ ବ୍ରାହ୍ମଣ ମଧୁସୂଦନ ହାଲିଆ ହୋଇପଡ଼ିଲେ। ରାସ୍ତା କଡ଼ରେ ପ୍ରକାଣ୍ଡ ଏକ ବରଗଛ ଦେଖି ତା ଛାଇରେ କିଛି ସମୟ ବିଶ୍ରାମ କଲେ। ସେ ଗଛଟି ଏକ ପବିତ୍ର ବୃକ୍ଷ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର- ତ୍ରିନାଥ ଠାକୁର ସେହି ବରଗଛରେ ବିରାଜମାନ କରିଥାନ୍ତି। ବ୍ରାହ୍ମଣ ବିଶ୍ରାମ ପରେ ସେଠାରୁ ଯିବାକୁ ବାହାରିଲେ। ତ୍ରିନାଥ ଠାକୁର ତାଙ୍କୁ ଡାକି ପଚାରିଲେ- ହେ ବ୍ରାହ୍ମଣ ! ତୁମର ମୁହଁ ଶୁଖି ଯାଇଛି କାହିଁକି? ତୁମେ ଏଭଳି ଦୁଃଖିତ ହୋଇଛ କାହିଁକି? ଯାଉଛ କୁଆଡ଼େ? ଆମକୁ କୁହ।

ମଧୁସୂଦନ ବ୍ରାହ୍ମଣ ହାତ ଯୋଡ଼ି କହିଲେ- ମୋର ଦୁହାଁଳିଆ ଗାଈଟି ହଜି ଯାଇଛି। ତାକୁ ଖୋଜିବା ପାଇଁ ହାଟକୁ ଯାଉଛି। ତ୍ରିନାଥ କହିଲେ- ହାଟକୁ ଯଦି ଯାଉଛ ଆମପାଇଁ ମାତ୍ର ତିନି ପଇସାର ସଉଦା ଆଣିଦିଅ। ବିପ୍ର କହିଲେ- ମୁଁ ଗରିବ ବ୍ରାହ୍ମଣ ! ଭିକ୍ଷା ମାକି କୁଟୁମ୍ବ ପୋଷୁଛି। ସହଜେ ଗାଈ ଖୋଜିବାରେ ସମୟ ନଷ୍ଟ ହେବାରୁ ଭିକ୍ଷା ମାଗି ଯାଇନାହିଁ। ମୋ ପାଖରେ ପଇସା ନାହିଁ। ସଉଦା କିଭଳି ଆଣିବି?

ତ୍ରିନାଥ କହିଲେ- ଗଛ ତଳେ ଥିବା ବେଣା ଗଛର ମୂଳକୁ ଉପାଡ଼ିଲେ ତୁମକୁ ତିନି ପଇସା ମିଳିଯିବ।

ବ୍ରାହ୍ମଣ ବେଣାମୂଳ ଉପାଡ଼ିଲେ। ସତକୁ ସତ ତିନୋଟି ପଇସା ବାହାରିଲା। କାଳେ ଆଉ ପଇସା ସେଠି ରହିଥିବ ଭାବି, ବ୍ରାହ୍ମଣ ଆଉ ଗୋଟାଏ ବେଣା ଗଛ ଉପୁଡ଼ାଇଲେ। ମାତ୍ର ତାହା ଦେଖି ତ୍ରିନାଥ ହସି ହସି କହିଲେ- ହେ ବ୍ରାହ୍ମଣ ! ଲୋଭ କରନାହିଁ। ଯେତେ ବେଣାମୂଳ ଉପାଡ଼ିଲେ ବି ଆଉ ପଇସା ବାହାରିବ ନାହିଁ। ମିଳିଥିବା ପଇସାରେ, ପଇସାକର ପାନଗୁଆ, ପଇସାକର ଗଂଜେଇ ଓ ପଇସାକର ମାଲପା ଆମ ପାଇଁ କିଣି ଆଣିଦେବ।

ବ୍ରାହ୍ମଣ ଏଥିରେ ରାଜି ହୋଇ କିଛି ବାଟ ଗଲେ। ମାତ୍ର ପୁଣି ଫେରି ଆସି ତ୍ରିନାଥଙ୍କୁ କହିଲେ, ତେଲ ଆଣିବା ପାଇଁ ମୋ ଠାରେ କିଛି ପାତ୍ର ନାହିଁ। ମାଲପା ଗିନା ଦିଅ ମାଲପା ଆଣିବି। ତ୍ରିନାଥ କହିଲେ, ତୁମେ ତୁମ ଗାମୁଛାରେ ବାନ୍ଧି ମାଲପା ଆଣି ପାରିବ। ବ୍ରାହ୍ମଣ କିନ୍ତୁ ଏକଥା ବିଶ୍ୱାସ କଲେନାହିଁ। ଇଏ କି ବିଚିତ୍ର କଥା ! ଶେଷରେ ତ୍ରିନାଥ କହିଲେ, ତୁମେ ତ୍ରିନାଥ ତ୍ରିନାଥ ବୋଲି ବାରମ୍ବାର ଠାକୁରଙ୍କ ନାମ ସୁମରଣା କଲେ ଗାମୁଛାରେ ତେଲ ଧରିପାରିବ।

ବ୍ରାହ୍ମଣ ଏକଥା ଶୁଣି ହାଟକୁ ଗଲେ। ପ୍ରଥମେ ଗାଈ ଖୋଜିଲେ। ମାତ୍ର ନିରାଶ ହେଲେ। ମନ ଦୁଃଖରେ ଫେରିବା ବେଳକୁ ପାନଗୁଆ ଗଂଜେଇ କଣିଲେ। ମାତ୍ର ତେଲ କିଣିବା ପାଇଁ ଯେଉଁ ଦୋକାନକୁ ଗଲେ ଓ ଗାମୁଛାରେ ତେଲ ବାନ୍ଧି ନେବାକୁ ଚାହିଁଲେ, ତାଙ୍କ କଥା ଶୁଣି ସମସ୍ତେ ହସିଲେ। ପାଗଳ ବ୍ରାହ୍ମଣ ବୋଲି ମନେକରି କେହି ମାଲପା ଦେଲେନାହିଁ। ଶେଷକୁ ଜଣେ ବୁଢା ତେଲି ଏ ପାଗଳ ବ୍ରାହ୍ମଣଟାକୁ ଠକି ପଇସା ହାତେଇବାକୁ ମନ କଲା। ସେ ପଇସା ରଖିଲା। ନଳିଏ ତେଲ ମାପିଲା। ବ୍ରାହ୍ମଣ ଗାମୁଛା ପ୍ରସାରିଲେ। ତେଲି ନିଜ ନଳିକୁ ତଳମୁହାଁ କରି ଦେଲ ଇଡ଼ିବା ଅଭିନୟ କଲା। ଅସଲ ତେଲ ତା ତେଲ ପାତ୍ରରେ ପଡ଼ିଲା। ଗାମୁଛାରେ କିଛି ପଡ଼ିଲା ନାହିଁ।

ମଧୁସୂଦନ ଏସବୁ ଲକ୍ଷ୍ୟ କରିବେ ବା କାହିଁକି? ତ୍ରିନାଥ ତ୍ରିନାଥ କହି ସେଠୁ ଚାଲି ଆସିଲେ। ସେ ଯିବା ପରେ ବୁଢ଼ା ତେଲି ଯେତେବେଳେ ନିଜ ତୈଳ ଭଣ୍ଡାରକୁ ଦେଖିଲା ତା’ର ଚେତା ହଜିଗଲା। କାରଣ ସେଥିରେ ଟୋପାଏ ବୋଲି ଆଉ ତେଲ ନଥିଲା। ସମସ୍ତେ ଜମା ହେଲେ। ବୁଢ଼ାକୁ ଚେତା କରାଇଲେ। ବୁଢ଼ା ସବୁ ଘଟଣା କହିଲା। ଲୋକେ ଦୌଡ଼ି ଯାଇ ବ୍ରାହ୍ମଣଙ୍କୁ ରାସ୍ତାରୁ ଫେରାଇ ଆଣିଲେ। ତେଲ କମ୍ ଦିଆଯାଇଛି, ଭଲ କରି ମାପକରି ତେଲ ଦିଆଯିବ ବୋଲି ତାକୁ କହିବାକୁ ଲେ ରାଜି ହୋଇ ଫେରିଲେ। ହାଟକୁ ଆସି ତେଲିର ତେଲ ହାଣ୍ଡିରେ ଗାମୁଛାକୁ ଯେମିତି ଢ଼ାଳି ଦେଇଛନ୍ତି, ତାହା ତେଲପୂର୍ଣ୍ଣ ହୋଇଗଲା। ବୁଢ଼ା ତେଲି ଏଥର ଠିକ୍ ଭାବେ ମାପ କରି ନଳିଏ ତେଲ ତାଙ୍କୁ ଦେଲା।

ମଧୁସୂଦନ ଯଥା ସମୟରେ ବଟଗଛ ମୂଳକୁ ଆସି ତ୍ରିନାଥଙ୍କୁ ତାଙ୍କ ସଉଦା ଦେଲେ। ମେଲାଣି ମାଗି ଯିବା ପାଇଁ ବାହାରିଲେ। ତ୍ରିନାଥ ତାଙ୍କ ଉପରେ ପ୍ରସନ୍ନ ହୋଇଗଲେ। ସେ କହିଲେ- ହେ ବିପ୍ର ! ତୁମ ଗାଈ ଖୋଜିବା ଦରକାର ନାହିଁ। ତ୍ରିନାଥ ଠାକୁରଙ୍କ ମେଳା କଲେ ହଜିଲା ଦ୍ରବ୍ୟ ଖୋଜିଲାଠେଇଁ ମିଳିଯିବ। ଦୁଃଖ କଷ୍ଟ ଦୂର ହେବ। ଘରେ ଧନ ସଂପଦ ପରିପୂର୍ଣ୍ଣ ହେବ।

ବ୍ରାହ୍ମଣ ଆନନ୍ଦିତ ହୋଇ କହିଲେ- ହେ ପ୍ରଭୁ ତ୍ରିନାଥ ! ମୁଁ ମେଳା କରିବି। ମାତ୍ର ଗରିବ ହୋଇଥିବାରୁ ପୂଜା ପାଇଁ ପଇସା ଯୋଗାଡ଼ କରି ପାରିବି ନାହିଁ। ମୋତେ ଉପାୟ କୁହନ୍ତୁ। ତ୍ରିନାଥ କହିଲେ- ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିନାଥ ଠାକୁର ଅଳ୍ପରେ ସନ୍ତୁଷ୍ଟ ହୋଇ ଭକ୍ତର ମନୋବାଞ୍ଛା ସିଦ୍ଧ କରନ୍ତି। ତୁମେ ଯେଉଁ ତିନୋଟି ପଇସାର ସଉଦା ଆଣିଛ ତାହା ହିଁ ପୂଜାକୁ ଦରକାର। ଏହି ମେଳାର ବିଧାନ ହେଲା, ପ୍ରଥମେ ତିନୋଟି ବଳିତା ଏକାଠି କରି ମାଲପା ଦେଇ ଦୀପ ଜଳାଇବ।

ତିନୋଟି ବଳିତାରେ ନିଆଁ ଧରାଇ ଗଂଜେଇ ସହ ଗଂଜେଇ ନଳାରେ ଭର୍ତ୍ତି କରି ସ୍ଥାପନା କରିବ। ପାନ ସୁପାରି ସଜାଡ଼ି ରଖିବ। ରାତ୍ରିର ପ୍ରଥମ ପ୍ରହରରରେ ନିଜକୁ ପରିବାର ତଥା ପ୍ରିୟଜନମାନଙ୍କୁ ଡକାଇ କରି ଏହି ମେଳା କରିବାକୁ ହେବ। ତ୍ରିନାଥ ଠାକୁରଙ୍କୁ ବିଜେ କରି ଫଲଚନ୍ଦନ ଧୂପ ଦୀପ ଦେବ। ଖଈ ଉଖୁଡ଼ା ପ୍ରସାଦ କରିବ, ମାତ୍ର ନୈବେଦ୍ୟ ନକରି ଏସବୁ ଠାକୁରଙ୍କୁ ସମର୍ପଣ କରି ଶରଣ ପଶିବ। ତ୍ରିନାଥ ଠାକୁର ତାହାର କଷ୍ଟ ଦୂର କରିବେ। ତ୍ରିନାଥଙ୍କୁ ପାଞ୍ଚଟି ମେଳା ଦେଲେ ଯଥେଷ୍ଟ।

ବ୍ରାହ୍ମଣ ସେଦିନ ଗଛମୂଳରେ ତ୍ରିନାଥ ମେଳା କଲେ। ହାଟରୁ ଆଣିଥିବା ସଉଦାକୁ କାମରେ ଲଗାଇଲେ। ନିଜ ଗାମୁଛା ଚିରି ବଳିତା ତିଆରି କଲେ। ପୂଜା ସମ୍ଭାର ସଜାଡ଼ି ରଖିଲେ। ମାତ୍ର ଅଗ୍ନି ନଥିବାରୁ ଅନୁତପ୍ତ ହେଲେ। ତ୍ରିନାଥ ଠାକୁରଙ୍କୁ ଆଖି ବୁଜି ଧ୍ୟାନ କରିବାରୁ ଆପେ ଆପେ ଦୀପ ଜଳି ଉଠିଲା। ମେଳା କରି ମଧୁସୂଦନ ସାଷ୍ଟାଙ୍ଗ ଦଣ୍ଡବଦ ହେଲେ। ତ୍ରିନାଥଙ୍କ କୃପା ଲାଭ କଲେ। ସତକୁ ସତ କିଛି ଦୂର ଆସିବା ପରେ ଗାଈ ବାଛୁରୀ ପାଇ କୃତ୍ୟ କୃତ୍ୟ ହେଲେ।

ବ୍ରାହ୍ମୀ ଛୁଆଟିକୁ ଧରି ବାଟ ଚାହିଁ ବସିଥିଲେ। ଗାଈ ଧରି ଫେରି ଆସିବାରୁ ଆନନ୍ଦିତ ହେଲେ। ବ୍ରାହ୍ମଣ ତ୍ରିନଥ ଠୁକୁରଙ୍କ ମହିମା ଗାନ କଲେ। ବନ୍ଧୁ ବାନ୍ଧବଙ୍କୁ ମେଳ କରି ତ୍ରିନାଥ ମେଳା ଘରେ ପୂଜାଇଲେ। ପାଞ୍ଚ ପାଳି ପୂର୍ଣ୍ଣ କଲେ। ଘରେ ଧନ ସଂପଦ ପରିପୂର୍ଣ୍ଣ ହେଲା। ବ୍ରାହ୍ମଣଙ୍କ ସବୁ ଦୁର୍ଦ୍ଦଶା ଘୁଞ୍ଚିଗଲା। ସେ ପାଲଟିଗଲେ ପରମ ତ୍ରିନାଥ ଭକ୍ତ।