Astrospeak
  • Live TV
  • Read In English

History of Maha Vishuba Sankranti: ମହାବିଷୁବ ସଂକ୍ରାନ୍ତିରେ କାହିଁକି ଖୋଲାଯାଏ ଜଳଛତ୍ର? ମହାଭାରତର ଏହି ଘଟଣାଟି ସହ ଅଛି ଏହାର ସମ୍ପର୍କ

ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନୂଆବର୍ଷ। ଓଡ଼ିଆଙ୍କର ପ୍ରକୃତ ନୂଆବର୍ଷ ଜାନୁଆରୀ ୧ ନୁହେଁ, ଏପ୍ରିଲ ୧୪। ଏହିଦିନ ଓଡ଼ିଆଙ୍କର ଅନେକ ନୂଆକଥା ଆରମ୍ଭ ହୋଇଥାଏ। ତା ସହିତ ଏକାଧିକ ପର୍ବ ମଧ୍ୟ ଏହିଦିନ ପଡ଼ିଥାଏ।

History of maha bisuva sankranti in hindu mythology
ମହାବିଷୁବ ସଂକ୍ରାନ୍ତିର ଇତିହାସ ଓ ପୌରାଣିକ ଗୁରୁତ୍ୱ

ବୈଶାଖ ମାସର ପ୍ରଥମ ଦିନଟି ‘ବିଷୁବ ସଂକ୍ରାନ୍ତି’ ବା ‘ପଣା ସଂକ୍ରାନ୍ତି’ ଭାବେ ପାଳନ କରାଯାଏ। ଏହାକୁ ‘ମେଷ ସଂକ୍ରାନ୍ତି’ ବୋଲି ମଧ୍ୟ କହିଥାନ୍ତି। ଏହା ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ। ଉତ୍ତର ଭାରତରେ ଏହା ବିଷୁବ ନାମରେ ପରିଚିତ। ଓଡ଼ିଶାରେ ଏହାକୁ ପଣା ସଂକ୍ରାନ୍ତି ଓ ଦକ୍ଷିଣ ଭାରତରେ ଶକକର ପୋଙ୍ଗଲ୍ କୁହାଯାଏ।

ସୂର୍ଯ୍ୟ ଯେଉଁଦିନ ବିଷୁବ ରେଖା ଉପରେ ରହନ୍ତି, ତାହାକୁ ବିଷୁବ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ବର୍ଷକ ମଧ୍ୟରେ ମେଷ ସଂକ୍ରାନ୍ତି ଓ ତୁଳା ସଂକ୍ରାନ୍ତି ଦିନ ଦୁଇଥର ବିଷୁବ ରେଖା ଉପରେ ରହନ୍ତି, ସେ ଦୁଇଦିନ ଦିନ ଓ ରାତି ସମାନ ହୁଏ। ମେଷ ସଂକ୍ରାନ୍ତିକୁ ମହାବିଷୁବ ଓ ତୁଳା ସଂକ୍ରାନ୍ତିକୁ ଜଳବିଷୁବ କହନ୍ତି। ଧର୍ମ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ଏକ ପବିତ୍ର ଦିନ।

ପଣା ସଂକ୍ରାନ୍ତି ଓ ବସୁଧାରା ଠେକି

ଏହି ସଂକ୍ରାନ୍ତିକୁ ଓଡ଼ିଶାରେ ମହା ଆଡ଼ମ୍ବରରେ ପାଳନ କରାଯାଏ। ଏ ଦିନଟି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ ହୁଏ। ସଂକ୍ରାନ୍ତି ଦିନଠାରୁ ବୈଶାଖ ମାସଟି ସାରା- ତୁଳସୀ, ଅଶ୍ୱତଥ୍ ଓ ବରଗଛ ମୂଳରେ ଏବଂ ଦେବଦେବୀ ମନ୍ଦିର ଠାକୁର ଠାକୁରାଣୀଙ୍କ ଉପରେ ଜଳଧାରା ଦିଆଯାଏ। ଜଳଧାରା ପାଇଁ ତିଆରି ହୋଇଥିବା କଳସୀ ବା ଠେକିକୁ ଝୋଟିରେ ଚିତ୍ର କରାଯାଏ ଓ ତା’ର ତଳ ଭାଗରେ ଏକ କଣା କରାଯାଇଥାଏ। ସେହି କଣାରେ ଦିଆଯାଇଥିବା ଦୁବ ମାଧ୍ୟମ ଦେଇ ବିନ୍ଦୁ ବିନ୍ଦୁ ଜଳ ଝରେ। ପ୍ରଖର ସୂର୍ଯ୍ୟ କିରଣରୁ ସଂସାରକୁ ରକ୍ଷା କରିବା ଏହି ଜଳଧାରାର ମୂଳ ଉଦ୍ଦେଶ୍ୟ। ଏହାକୁ ବସୁନ୍ଧରା ବା ବସୁଧାରା କୁହାଯାଏ। ଏହିଦିନ ଘରେ ଘରେ ମୁଢ଼ି, ବୁଟ, ଗହମ ଆଦିର ଛତୁଆ ସହ ବେଲ, ଦହି, ଛେନା, ଗୁଡ଼, ନଡ଼ିଆ, ଉଖୁଡ଼ା ଆଦିର ପଣା ପ୍ରସ୍ତୁତ ହୁଏ। ଆଦିମ କାଳରେ ବ୍ରାହ୍ମଣ ଓ ଗରିବ ମାନଙ୍କୁ ପଣା, କଠଉ, ତାଳପତ୍ର ପଙ୍ଖା, ଛତା ଇତ୍ୟାଦି ଦାନ କରାଯାଉଥିଲା। ଏହି ଦିନଠାରୁ ଜଳଛତ୍ର ଦେବାର ପରମ୍ପରା ମଧ୍ୟ ରହିଛି।

ଏହି ଦିନର ଯାତ୍ରା

ମହା ବିଷୁବ ସଂକ୍ରାନ୍ତି ଦିନ ଝାମୁ ବ୍ରତର ଉଦଯାପନ କରାଯାଏ। ଯେଉଁମାନେ ଝାମୁ ବ୍ରତ ପାଳନ କରନ୍ତି, ସେମାନେ ମହାବିଷୁବ ସଂକ୍ରାନ୍ତିର ମାସକ ପୁର୍ବରୁ ଏହି ବ୍ରତ ପାଳନ ଆରମ୍ଭ କରିଥାଆନ୍ତି। ଯେଉଁମାନେ ଏ ବ୍ରତ ପାଳନ କରନ୍ତି ସେମାନଙ୍କୁ ‘ପାଟୁଆ’ ବୋଲି କୁହାଯାଏ। ଅଞ୍ଚଳ ବିଶେଷରେ ଏହି ବ୍ରତରେ ଶିବ ଓ ମଙ୍ଗଳାଙ୍କୁ ପୁଜା କରଯାଏ। ଯେଉଁମାନେ ପାର୍ବତୀଙ୍କ ପୂଜା କରନ୍ତି ସେମାନେ ଦେବୀଙ୍କଠାରୁ ଆଦେଶ ନେଇ ବିଭିନ୍ନ ସ୍ଥାନରେ ଭ୍ରମଣ କରି ଦେବୀଙ୍କର ମହିମା ପ୍ରଚାର କରନ୍ତି, ଏବଂ ମାସକ ପରେ ପଣା ସଂକ୍ରାନ୍ତିରେ ବା ମହାବିଷୁବ ସଂକ୍ରାନ୍ତି ଦିନ ସେଇ ଦେବୀଙ୍କ ନିକଟକୁ ଫେରି ଆସି ଏଇ ବ୍ରତ ଉଦ୍‌ଯାପନ କରନ୍ତି। ବ୍ରତ ଉଦ୍‌ଯାପନ ଦିନ ଯେଉଁମାନେ ବ୍ରତ ପାଳନ କରିଥାଆନ୍ତି ସେମାନେ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି।

କେତେକ ନିଜର ଶାରୀରିକ ସୁସ୍ଥତା ପାଇଁ ମାନସିକ ରଖି ଏହି ବ୍ରତ ପାଳନ କରନ୍ତି। ଓଡ଼ିଶାର କେତେକ ଅଂଚଳରେ ଏହି ଉଦ୍‌ଯାପନ ବ୍ରତ ଉପଲକ୍ଷେ ଯାତ୍ରା ହୁଏ। ଏହାକୁ ଝାମୁ ବା ପାଟୁଆ ଯାତ୍ରା କୁହାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରି ଶିବଙ୍କ ପୂଜା କରି ଶିବଙ୍କ ମହିମା ଗାନ କରନ୍ତି, ସେମାନଙ୍କୁ ଦଣ୍ଡ ପାଟୁଆ ବୋଲି ଲୁହାଯାଏ। ଦଣ୍ଡ ପାଟୁଆମାନେ ମଧ୍ୟ ସେମାନଙ୍କ ବ୍ରତକୁ ଏହି ପଣା ସଂକ୍ରାନ୍ତି ଦିନ ଉଦଯାପନ କରନ୍ତି। ସେମାନେ ଏହି ବ୍ରତ ପାଳନ କରି ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରନ୍ତି।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି। ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ‘ଦଣ୍ଡ ନାଟ’ର ଅନ୍ତ ଭାବେ ଏହିଦିନ ମେରୁଯାତ ପାଳନ କରାଯାଏ। ଲୋକେ ବେଲପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ।

ପଣା ସଂକ୍ରାନ୍ତିରେ ଉଡ଼ାପର୍ବ

ଓଡ଼ିଶାର ବହୁ ଅଞ୍ଚଳରେ ବିଷୁବ ସଂକ୍ରାନ୍ତି ଦିନ ଉଡ଼ାପର୍ବ ପାଳନ ହୁଏ। ଠାକୁରଣୀଙ୍କ ଆଗରେ ଏକ ବଡ଼ ଖମ୍ବ ପୋତାଯାଏ। ଖମ୍ବ ଅଗରେ ଏକ ଖାଇ ବା ଖାଲ ରହିଥାଏ। ଖାଇକାଠ ଉପରେ ଏକ ଲମ୍ବା ବାଉଁଶ ବା କାଠ ବନ୍ଧା ଯାଇଥାଏ। ତାହାର ଗୋଟିଏ ପାଖରେ ଏକ ଲମ୍ବା ଦଉଡି ବନ୍ଧା ଥାଏ ଓ ଅନ୍ୟ ପାଖରେ ଦଉଡିର ଏକ ଝୁଲିଥାଏ। ଭକ୍ତ ବା ଉଡ଼ାପାଟୁଆ ମାନେ, ନଈ ବା ପୋଖରରେ ଗାଧୋଇ ସାରି ଏକ ଶୋଭଯାତ୍ରାରେ ଠାକୁରାଣୀଙ୍କ ପାଖକୁ ଆସନ୍ତି। କାଳିସୀର ଆଦେଶ ଅନୁସାରେ ପ୍ରଥମେ ବଡ଼ପାଟୁଆକୁ ଊଡ଼ାବାଉଁଶରେ ଥିବା ଦଉଡିରେ ବାନ୍ଧି ଦେଇ ଅନ୍ୟପାଖର ଦଉଡ଼ି ଧରି ସାତଭେଡ଼ା ବୁଲନ୍ତି। ଏହାପରେ ଜଣକ ପରେ ଜଣେ ସେହି କ୍ରମରେ ଉଡ଼ାରେ ଉଡ଼ନ୍ତି। ଉଡା ଶେଷରେ ପାଟୁଆମାନେ ମନ୍ଦିରକୁ ଯାଇ ଶିବ, ହିଙ୍ଗୁଳା, ମଙ୍ଗଳା ବା ଅନ୍ୟ ଦେବଦେବୀଙ୍କୁ ପ୍ରଣାମ କରି ଘରକୁ ଫେରନ୍ତି।

ଜଳଛତ୍ର ଦାନ ପଛର କାହାଣୀ

ପୁରାଣ ଅନୁସାରେ ମହାଭାରତ ଯୁଦ୍ଧରେ କୌରବ ମାନଙ୍କ ପକ୍ଷରୁ ଭୀଷ୍ମ ଯୁଦ୍ଧ ପରିଚାଳନା କରୁଥିଲେ। ସେ ଥିଲେ ଉଭୟ କୌରବ ଓ ପାଣ୍ଡବଙ୍କର ପିତାମହ। ଶ୍ରୀଖଣ୍ଡିକୁ ଦେଖିବାରୁ ସେ ଅସ୍ତ୍ରତ୍ୟାଗ କରି ଶରଶଯ୍ୟାରେ ଶୋଇଲେ। ଯୁଦ୍ଧ ଶେଷରେ ପାଣ୍ଡବମାନେ ତାଙ୍କ ପାଖରେ ପହଞ୍ଚିଲେ। ଭୀଷ୍ମ ଶୋଷରେ ଛଟପଟ ହେଉଥାନ୍ତି। ଅର୍ଜୁନଙ୍କୁ ଦେଖି ସେ ପିଇବା ପାଇଁ ପାଣି ମାଗିଲେ। କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ପାଖରେ କେଉଁଠି ପାଣି ନଥିଲା। ଅର୍ଜୁନ ପୃଥିବୀ ଗର୍ଭକୁ ଏକ ଶର ମାରିଲେ। ଦେଖୁ ଦେଖୁ ସେଠାରେ ଏକ ଝରଣା ବାହାରିଲା। ସେହି ଜଳ ପିଇ ଭୀଷ୍ମଙ୍କ ଶୋଷ ମେଣ୍ଟିଲା। ଦେହ ତ୍ୟାଗ କରିବା ପୂର୍ବରୁ ଭୀଷ୍ମ କହିଲେ- ‘ଯୁଧିଷ୍ଠିର! ଯେଉଁମାନେ ବିଷୁବ ସଂକ୍ରାନ୍ତି ଦିନ ଶୋଷିଲା ଜୀବକୁ ପାଣି ଦେବେ, ସେମାନେ ସବୁ ରୋଗ ଓ ଦୁଃଖରୁ ମୁକ୍ତି ପାଇବେ। ଦେବତା ଓ ପିତୃପୁରୁଷଙ୍କ ଆଶୀର୍ବାଦ ଲାଭ କରିବେ।’

କୁହାଯାଏ ସେହି ଦିନଠାରୁ ଜଳଛତ୍ର ଦେବାର ପରମ୍ପରା ଚଳି ଆସିଛି। ପଣା ସଂକ୍ରାନ୍ତି ଦିନ ବିଭିନ୍ନ ପ୍ରକାରର ଯାଗଯଜ୍ଞ, ପୂଜା, ହୋମ ଅନୁଷ୍ଠିତ ହୁଏ। ଚୈତ୍ର ମାସରେ ଆରମ୍ଭ ହୋଇଥିବା ଝାମୁଯାତ୍ରା, ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା, ଉଡା ଯାତ୍ରା ଆଦି ଏହି ସଂକ୍ରାନ୍ତି ଦିନ ଶେଷ ହୁଏ। ଓଡ଼ିଶାର ବିଭିନ୍ନ ଦେବାଦେବୀ ପୀଠ, ତୀର୍ଥକ୍ଷେତ୍ର ବ୍ୟତୀତ ପ୍ରତି ଗ୍ରାମରେ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ଦିନଟି ମହା ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ।