ନୂଆ ମୁହଁ ନୂଆ ନେତାଙ୍କୁ ବିଜେଡିର ଗୁରୁତ୍ୱ : ବସ୍ତି ମହିଳାଙ୍କୁ ଡେପୁଟି ମେୟର କରିବା ପରେ କୁହୁଳୁଛି ପୁରୁଖାଙ୍କ ଅସନ୍ତୋଷ

ନିକଟରେ ଶେଷ ହୋଇଥିବା ତିନି ମହାନଗର ନିଗମ ନିର୍ବାଚନରେ ନୂଆ ନେତାଙ୍କୁ ଡେପୁଟି ମେୟର ପଦରେ ସ୍ଥାନିତ କରିଛି ଦଳ । ଭୁବନେଶ୍ୱର ଓ କଟକରେ ଦଳ ବସ୍ତି ସାଙ୍ଗକୁ ମହିଳା କାର୍ଡ ଖେଳିଛି । ସେହିପରି ବ୍ରହ୍ମପୁରରେ ଦଳ ବହୁ ପୁରୁଖା ଆଶାୟୀଙ୍କୁ ପଛରେ ପକାଇ ନୂଆ କର୍ପୋରେଟର ବିବେକ ରେଡ୍ଡିଙ୍କୁ ଡେପୁଟି ମେୟର ପଦରେ ବସାଇଛି

ନୂଆ ମୁହଁ ନୂଆ ନେତାଙ୍କୁ ବିଜେଡିର ଗୁରୁତ୍ୱ

ବିଜେଡିର ନୂଆ ଷ୍ଟ୍ରାଟେଜି । ନୂଆ ଓ ମହିଳା ନେତା ଫର୍ମୁଲା ଆପଣାଇଛି ଦଳ । ତିନି ମହାନଗର ନିଗମର ଡେପୁଟି ମେୟର ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି । ଖାଲି ସେତିକି ନୁହେଁ ବହୁ ଏକ୍ସପେରିମେଣ୍ଟ ବି ଦଳରେ କରାଯାଉଛି । ତେବେ ଏହାରି ଭିତରେ ପୁରୁଖା ନେତା ଦଳ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଉଛନ୍ତି । ଯାହାକୁ ନେଇ କୁହୁଳିଲାଣି ଅସନ୍ତୋଷର ନିଆଁ । ଏହାକୁ ପ୍ରଶମିତ କରାନଗଲେ ଦଳ ପାଇଁ ଏହା ବିପଜ୍ଜନକ ହୋଇପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ତେବେ ବିଜେଡି କହିଛି ପରିବାର ଭିତରେ ମତଭେଦ ଥାଇପାରେ, ଯାହାକି ଆପୋଷ ବୁଝାମଣାରେ ସମାଧାନ ହୋଇଯିବ ।

ନୂଆ ମୁହଁ ନୂଆ ନେତାଙ୍କୁ ବିଜେଡିର ଗୁରୁତ୍ୱ । ନିକଟରେ ଶେଷ ହୋଇଥିବା ତିନି ମହାନଗର ନିଗମ ନିର୍ବାଚନରେ ନୂଆ ନେତାଙ୍କୁ ଡେପୁଟି ମେୟର ପଦରେ ସ୍ଥାନିତ କରିଛି ଦଳ । ଭୁବନେଶ୍ୱର ଓ କଟକରେ ଦଳ ବସ୍ତି ସାଙ୍ଗକୁ ମହିଳା କାର୍ଡ ଖେଳିଛି । ସେହିପରି ବ୍ରହ୍ମପୁରରେ ଦଳ ବହୁ ପୁରୁଖା ଆଶାୟୀଙ୍କୁ ପଛରେ ପକାଇ ନୂଆ କର୍ପୋରେଟର ବିବେକ ରେଡ୍ଡିଙ୍କୁ ଡେପୁଟି ମେୟର ପଦରେ ବସାଇଛି । ବ୍ରହ୍ମପୁର ଓ ଭୁବନେଶ୍ୱରରେ ମେୟର ପଦ ମହିଳାଙ୍କ ଲାଗି ସଂରକ୍ଷିତ ରହିବା ପରେ ଅନେକ ପୁରୁଖା କର୍ପୋରେଟର ଆଶା ବାନ୍ଧି ବସିଥିଲେ ଡେପୁଟି ମେୟର ହେବା ଲାଗି ।

ଲବି ବି ଆରମ୍ଭ ହୋଇଯାଇଥିଲା, ମାତ୍ର ଶେଷରେ ନିରାଶ ହେବାକୁ ପଡିଛି । ଭୁବନେଶ୍ୱରରେ ଦଳ ପୁରୁଷ କର୍ପୋରେଟରଙ୍କ ଦବଦବାକୁ ଚେକ୍ ଦେବା ଲାଗି ପୁଣି ଜଣେ ମହିଳାଙ୍କୁ ଡେପୁଟି ମେୟର କରିଛି । ପଦ ନପାଇବା ପରେ କେହି ଖୋଲାଖୋଲି ବିରୋଧ କରୁନାହାଁନ୍ତି ସତ, ହେଲେ ମନରେ ସାଂଘାତିକ ଅସନ୍ତୋଷ । ସେପଟେ ଦଳର ଯୁକ୍ତି ଏତେ ବଡ ପରିବାରରେ ମତାନ୍ତର ରହିପାରେ କିନ୍ତୁ ସମସ୍ତେ ଏକ୍ ।

ବିଜେଡି ତାର ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ବାର୍ତ୍ତା ଦେଇଥିଲା ଯେ, ଆଗାମୀ ୫୦ ବର୍ଷ ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି । ସେ ଦୃଷ୍ଟିରୁ ଦେଖିଲେ ଦଳ ନୂଆ ନେତା ତିଆରି କରିବା ଲାଗି ଏବେଠାରୁ ପ୍ରୟାସ ଆରମ୍ଭ କଲାଣି ବୋଲି ଚର୍ଚ୍ଚା ହେଉଛି । ସେହିପରି ପଞ୍ଚାୟତ ଓ ପୌରର ଏକ୍ସପେରିମେଣ୍ଟକୁ ୨୦୨୪ରେ ବି ପ୍ରୟୋଗ କରିପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ଅନ୍ୟପଟେ ପୁରୁଖା ନେତାଙ୍କୁ ବାରମ୍ବାର ଅଣଦେଖା କରାଯିବା ଫଳରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସଂଖ୍ୟା ବି ବଢିଚାଲିଛି । ତେଣୁ ଆଶାୟୀ ମାନଙ୍କୁ ମ୍ୟାନେଜ୍ ଦଳ ପାଇଁ ଏବେ ବଡ ଚାଲେଞ୍ଜ ।

ଶାସକ ବିଜେଡି ଡଙ୍ଗାରେ ଏବେ ଅନେକ ଆମଦାନୀ ଓ ପୁରୁଖା ନେତା । ଏହାରି ଭିତରେ ଦଳ ଆପଣାଇଛି ନୂଆ ନେତା ଷ୍ଟ୍ରାଟେଜି ।ତେବେ ପୁରୁଖାଙ୍କୁ ଅଣଦେଖା ଦଳ ପାଇଁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହେବନି ତ? ତାହା ଏବେ ବଡ଼ ପ୍ରଶ୍ନ ।

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ