• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କିଏ ହେବେ ଦଳର ମଙ୍ଗୁଆଳ ? ଏହାକୁ ନେଇ କଳ୍ପନାଜଳ୍ପନା ବଢିବାରେ ଲାଗିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସଭାପତି କରାଯିବା ସପକ୍ଷରେ ଅଛନ୍ତି ସୋନିଆ ଗାନ୍ଧୀ । ତେଣୁ ତାଙ୍କ ଇଛା ବିରୋଧରେ ଯାଇ ଆଉ କେହି ନାମାଙ୍କନ ଦାଖଲ କରୁଛନ୍ତି ନା ନାହିଁ ତା ଉପରେ ନଜର ରହିଛି । ତେବେ କଂଗ୍ରେସ ମୁଖପାତ୍ର ଜୟରାମ ରମେଶଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ରାହୁଲ ଗାନ୍ଧୀ ମଧ୍ୟ ନାମଙ୍କନ ଦାଖଲ କରିପାରନ୍ତି ବୋଲି ନିକଟରେ କହିଥିଲେ ରମେଶ ।

ଗାନ୍ଧୀ ପରିବାର ନେତୃତ୍ୱ ବିନା ଆଗକୁ ବଢିବ କଂଗ୍ରେସ? ରାହୁଲ, ସୋନିଆ ଓ ପ୍ରିୟଙ୍କାକୁ ଛାଡି ଅନ୍ୟ ନେତାଙ୍କୁ ସଭାପତି ଭାବେ ଗ୍ରହଣ କରିବେ ଦଳୀୟ କର୍ମୀ ଓ ସମର୍ଥକ? କ୍ଷମତାରୁ ଦୂରେଇ ରହି ଦଳର ନୂଆ ସଭାପତିଙ୍କୁ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେବାକୁ ସୁଯୋଗ ଦେବେ ଗାନ୍ଧୀ ପରିବାର । ଏଆଇସିସିର ବହୁ ପ୍ରତୀକ୍ଷିତ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବଢୁଛି ଉତ୍କଣା ।

ନିଜ ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସଭାପତି ପଦରେ ବସାଇବାକୁ ଚାହୁଁଛନ୍ତି ସୋନିଆ । ତେବେ ଆଞ୍ଚଳିକ ସମୀକରଣ ଓ ସଚିନ ପାଇଲଟଙ୍କ ସହ ଛକାପଞ୍ଝା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ଚକ୍କରରେ ନାହାନ୍ତି ଗେହଲୋଟ୍ । ଏହାସତ୍ତ୍ୱେ ମଧ୍ୟ ସୋନିଆଙ୍କ ଇଛାକୁ ସେ ଉପେକ୍ଷା କରିବା ସମ୍ଭାବନା କମ୍ । ତେଣୁ ଗେହଲୋଟ ହିଁ କଂଗ୍ରେସର ପରବର୍ତ୍ତୀ ମଙ୍ଗୁଆଳ ହୋଇପାରନ୍ତି ବୋଲି ବର୍ତ୍ତମାନ ସ୍ଥିତିରେ କୁହାଯାଇପାରେ ।

ଏପଟେ ସେମାନଙ୍କୁ ସୁଯୋଗ ମିଳିଲେ କଂଗ୍ରେସକୁ ନେତୃତ୍ୱ ଦେବା ଲାଗି ପଛେଇବେ ନାହିଁ ବୋଲି କହିଛନ୍ତି ଜି-୨୩ ଗୋଷ୍ଠୀର ଶଶି ଥରୁର ଓ ମନୀଷ ତ୍ୱିଓ୍ୱାରୀ । ଏଭଳି ସ୍ଥିତିରେ ମଇଦାନକୁ ଡେଇଁବେ ନାହିଁ ତ ? ନିଜେ ରାହୁଲ ଗାନ୍ଧୀ କାରଣ କିଛି ଦିନ ତଳେ ଏଆଇସିସି ମୁଖପାତ୍ର ଜୟରାମ ରମେଶ ଏନେଇ ଇଙ୍ଗିତ ଦେଇଥିଲେ । ଦିନ କେଇଟା ପରେ ନାମାଙ୍କନ ଦାଖଲ, ଏହା ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ହୁଏତ ରାହୁଲ ଗାନ୍ଧୀଙ୍କ ନାଁ ବି ତାଲିକାରେ ଦେଖିବାରୁ ମିଳିପାରେ ବୋଲି କହିଥିଲେ ଜୟରାମ୍ । ଏଣୁ ନାମାଙ୍କନ ଦାଖଲ ସହ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ହିଁ କିଏ ମଇଦାନରେ ରହିଲେ ତାହା ସ୍ପଷ୍ଟ ହେବ ।

ଆଭ୍ୟନ୍ତରୀଣ ଗଣତନ୍ତ୍ର ଦାବି ଭିତରେ କଂଗ୍ରେସ ସଭାପତି ଓ ସିଡବ୍ଲୁସି ସଦସ୍ୟ ନିର୍ବାଚନକୁ ନେଇ କଂଗ୍ରେସରେ ହଲଚଲ ବଢିଛି । ତେବେ ଦଳର ଗୁଲାମନବୀ ଆଜାଦ୍, କପିଲ ସିବଲ, ଆନନ୍ଦ ଶର୍ମା, ଶଶି ଥରୁରଙ୍କ ଭଳି ବରିଷ୍ଠ ନେତାମାନେ ରଖିଥିବା ଦାବି ପୂରଣ ଲାଗି କଂଗ୍ରେସ ହାଇକମାଣ୍ଡ କି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଦଳରେ ଆମୂଳଚୁଳ ପରିବର୍ତ୍ତନ ଲାଗି ଦାବି କରିାଲା ଜି-୨୩ ଗୋଷ୍ଠୀ । ତେଣୁ ଇଲେକ୍ସନ ନାଁରେ ସିଲେକନ୍ ଦ୍ୱାରା ଦଳରେ କୁହୁଳୁଥିବା ଅସନ୍ତୋଷର ନିଆଁ କେତେ ପ୍ରଶମିତ ହେଉଛି ଓ ଦଳ ୨୪ ନିର୍ବାଚନ ପାଇଁ କେତେ ଏକଜୁଟ୍ ହୋଇପାରୁଛି ତାହା ଦେଖିବା କଥା ।