ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।

Congress

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ । ଏଭଳି ସ୍ଥିତି ଲାଗି ରହିଲେ ଓଡ଼ିଶାରୁ ତାଙ୍କ ଦଳ ନିଶ୍ଚିହ୍ନ ହେବାର ଆଶଙ୍କା କଲେଣି କଂଗ୍ରେସର ତିନି ତିନି ଜଣ ଟାଣୁଆ ବିଧାୟକ ସୁର, ତାରା ଓ ମୋକିମ୍ ।

ତାରା କହିଛନ୍ତି ପଦ୍ମପୁରରେ କଂଗ୍ରେସ ଭୋଟ୍ ସିଧା ବିଜେଡି ଖାତାକୁ ଯାଇଛି, ଲୋକ କହୁଛନ୍ତି ସେଠି କଂଗ୍ରେସ ଭୋଟ୍ ବିକ୍ରି ହୋଇଗଲା । ରେଜଲ୍ଟ ଆସିବାର ଦିନକ ଆଗରୁ ଦଳ ହାରିବ ବୋଲି ପିସିସି ସଭାପତି କେମିତି ଜାଣିଗଲେ ବୋଲି ବି ପ୍ରଶ୍ନ କରିଛନ୍ତି ତାରା । ତାସହ ଅଭିଯୋଗ କରିଛନ୍ତି ପିସିସି ସଭାପତିମାନଙ୍କ ଗୋଷ୍ଠୀ ଗଠନ ଯୋଗୁଁ ଦଳର ଏଭଳି ଅବସ୍ଥା ହୋଇଛି । ପଦ୍ମପୁର ଫଳାଫଳକୁ ପିସିସି ସଭାପତି ତର୍ଜମା କରିବା ସହ ନିଜକୁ ପରଖିବା ଦରକାର ।

ସେହିପରି ଦଳର ଆଉ ଜଣେ ବିଧାୟକ ମହମ୍ମଦ ମୋକିମ୍ ବି ସିଧା ପିସିସିକୁ ନିଶାନା କରି କହିଛନ୍ତି-କଂଗ୍ରେସ ଭୋଟ୍ ଏବେ ନୋଟା ସହ ସମାନ ହେଲାଣି । ଯେଉଁମାନେ ଦଳର ବଡ଼ପଣ୍ଡା ଅଛନ୍ତି- ଉପନିର୍ବାଚନ ଆସିବା ମାତ୍ରେ କଂଗ୍ରେସ ଭୋଟ୍ ବିକ୍ରି କରି ପକେଟ୍ ଗରମରେ ମାତୁଛନ୍ତି । ଯାହାଦ୍ୱାରା କଂଗ୍ରେସର ଲଜ୍ୟାଜନକ ପରାଜୟ ହେଉଛି ଓ ତଳସ୍ତରର କର୍ମୀ ଆଉ କଂଗ୍ରେସ ପତାକା ଧରିବାକୁ ସୁରକ୍ଷିତ ମଣୁନାହାନ୍ତି । ଯେଉଁମାନେ ଏବେ ମୁଖିଆ ଦାୟିତ୍ୱରେ ଅଛନ୍ତି ତୁରନ୍ତ ସେମାନେ ପଦ ଛାଡ଼ି ନୂଆ ଓ ଯୁବ ଚେହେରାଙ୍କୁ ସୁଯୋଗ ନଦେଲେ ଓଡ଼ିଶାରୁ କଂଗ୍ରେସର ଚିହ୍ନବର୍ଣ୍ଣ ହଜିଯିବ ବୋଲି ଚେତାବନୀ ଦେଇଛନ୍ତି ମୋକିମ୍ । ଜବାବରେ ପିସିସି ସଭାପତି କହିଛନ୍ତି ଫଳାଫଳର ସମୀକ୍ଷା କରିବୁ

ଯଦି କେବଳ ପଦ୍ମପୁରକୁ ଉଦାହରଣ ଭାବେ ନେବା, ତାହାଲେ ଏହି ବିଧାନସଭା ଆସନ ତିନି ତିନି ଥର କଂଗ୍ରେସ ଦଖଲରେ ଥିଲା । ୧୯୮୦, ୧୯୮୫ ଓ ୨୦୦୪ରେ ଏଠାରୁ ବିଧାୟକ ଭାବେ ଜିତିଥିଲେ ସତ୍ୟଭୂଷଣ ସାହୁ ୨୦୦୯ରେ ସତ୍ୟଭୂଷଣ ୪୯ ହଜାର ୮୪୭ ଭୋଟ୍ ପାଇଥିବାବେଳେ ୨୦୧୯ରେ ୩୨ ହଜାର ୭୮୭ ଭୋଟ୍ ପାଇଥିଲେ । ୨୦୧୪ ନିର୍ବାଚନରେ ବି ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ନାରାୟଣ ତ୍ରିପାଠୀ ୩୧ ହଜାରରୁ ଅଧିକ ଭୋଟ୍ ପାଇଥିଲେ ହେଲେ ।

୨୦୧୯ରେ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିବା ସତ୍ୟଭୂଷଣ, ଏଥର ଉପନିର୍ବାଚନରେ ପାଇଛନ୍ତି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ଅର୍ଥାତ୍ କଂଗ୍ରେସ ହରାଇଛି ପାଖାପାଖି ୯୦ ପ୍ରତିଶତ ଭୋଟ୍ । ଯଦି ପଦ୍ମପୁର ଫଳାଫଳକୁ ଗୁରୁତ୍ୱର ସହ କଂଗ୍ରେସ ବିଚାର ନକରେ, ତାହାଲେ ଓଡ଼ିଶାରେ ଦଳ ଆଉ ଭୋଟରଙ୍କ ଆସ୍ଥାଭାଜନ ଅବସ୍ଥାରେ ରହିବନି ବୋଲି କହିଲେଣି ରାଜନୀତି ସମୀକ୍ଷକ ।